ମୌସୁମୀ ଋତୁ ବା ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ପରିବେଶରେ ଆଦ୍ରତା ବୃଦ୍ଧି ପାଇଥାଏ। ଏହି କାରଣରୁ ବ୍ୟାକ୍ଟେରିଆ ଏବଂ ଫଙ୍ଗାଲ୍ ସଂକ୍ରମଣ ର ବିପଦ ବହୁଗୁଣିତ ହୋଇଯାଏ। ଏଭଳି ପରିସ୍ଥିତିରେ ଆମ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ଏବଂ ବିଭିନ୍ନ ପ୍ରକାରର ଚର୍ମ ରୋଗ ତଥା ଜ୍ୱରରୁ ରକ୍ଷା ପାଇବା ପାଇଁ ଆୟୁର୍ବେଦରେ ‘ନିମ୍ବ’କୁ ଏକ ମହାଔଷଧ ଭାବେ ଗ୍ରହଣ କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ଷା ଦିନେ ପ୍ରତିଦିନ ନିମ୍ବ ପତ୍ରର ସେବନ ଶରୀରକୁ ଅନେକ ଗମ୍ଭୀର ରୋଗରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ।

ନିମ୍ବ ପତ୍ର ଖାଇବାର ପ୍ରମୁଖ ସ୍ୱାସ୍ଥ୍ୟ ଉପକାରିତା
ସଂକ୍ରମଣରୁ ରକ୍ଷା : ନିମ୍ବ ପତ୍ରରେ ପ୍ରଚୁର ପରିମାଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଫଙ୍ଗାଲ୍ ଗୁଣ ରହିଛି। ବର୍ଷା ଦିନେ ଦେଖାଯାଉଥିବା ଚର୍ମରେ କଣ୍ଡୁଇ ହେବା, ଦାଦ, କାଛୁ ଏବଂ ବ୍ରଣ ଭଳି ସମସ୍ୟାକୁ ଏହା ମୂଳରୁ ଶେଷ କରିବାରେ ବେଶ୍ ସହାୟକ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି : ବର୍ଷା ଦିନେ ପାଣି ଓ ପରିବେଶ ପ୍ରଦୂଷଣ ଯୋଗୁଁ ଜ୍ୱର, ସର୍ଦ୍ଦି ଏବଂ କାଶ ହେବା ସାଧାରଣ କଥା। ନିମ୍ବ ପତ୍ରରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରର ପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ, ଯାହା ଫଳରେ ମୌସୁମୀ ଜନିତ ସଂକ୍ରମଣ ଶରୀରକୁ ସହଜରେ ଆକ୍ରାନ୍ତ କରିପାରେ ନାହିଁ।

ରକ୍ତ ପରିଷ୍କାର କରେ : ଆୟୁର୍ବେଦ ଅନୁସାରେ ନିମ୍ବ ହେଉଛି ଏକ ପ୍ରାକୃତିକ ବ୍ଲଡ୍ ପ୍ୟୁରିଫାୟର୍। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ସଫା ରଖେ। ରକ୍ତ ସଫା ରହିବା ଦ୍ୱାରା ଚର୍ମରେ ପ୍ରାକୃତିକ ଚମକ ଆସିଥାଏ ଏବଂ ଶରୀର ସୁସ୍ଥ ରହେ।
ଡାଇବେଟିସ୍ ନିୟନ୍ତ୍ରଣ ଓ ହଜମ ପ୍ରକ୍ରିୟାରେ ସୁଧାର : ପ୍ରତିଦିନ ସକାଳେ ଖାଲି ପେଟରେ ନିମ୍ବ ପତ୍ର ଚୋବାଇ ଖାଇବା କିମ୍ବା ଏହାର ରସ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ହୋଇ ରହିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହାସହ ପେଟର କୃମି ନଷ୍ଟ କରି ହଜମ ପ୍ରକ୍ରିୟାକୁ ଏହା ସୁଦୃଢ଼ କରିଥାଏ।
କିଭଳି କରିବେ ବ୍ୟବହାର ?

ବିଶେଷଜ୍ଞଙ୍କ ମତରେ, ପ୍ରତିଦିନ ସକାଳେ ୪ ରୁ ୫ଟି ନରମ ନିମ୍ବ ପତ୍ରକୁ ଧୋଇ ଖାଲି ପେଟରେ ଚୋବାଇ ଖାଇପାରିବେ। ଯଦି ଏହାର ପିତା ସ୍ୱାଦ ଯୋଗୁଁ ଚୋବାଇ ଖାଇବା କଷ୍ଟକର ହୁଏ, ତେବେ ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ଛାଣି ପିଇପାରିବେ କିମ୍ବା ଏହାର ମହୁ ସହ ମିଶାଇ ସେବନ କରିପାରିବେ। ତେବେ ଗର୍ଭବତୀ ମହିଳା ଏବଂ କୌଣସି ଗମ୍ଭୀର ରୋଗର ଔଷଧ ଖାଉଥିବା ବ୍ୟକ୍ତି ନିମ୍ବର ନିୟମିତ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
Also read : https://purvapaksa.com/stand-up-comedian-sam-raina-faces-legal-action-again-supreme-court-orders-fine/


