ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କୋଚିଂ ସେଣ୍ଟରଗୁଡ଼ିକୁ ଆଇନଗତ ପରିସରକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରି ବଡ଼ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ବ୍ରହ୍ମାତ୍ମକ ବିଜ୍ଞାପନ ଉପରେ ରୋକ ଲଗାଇବା, ଡମି ସ୍କୁଲିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ପ୍ରବେଶିକା ପରୀକ୍ଷାଗୁଡ଼ିକୁ କମ୍ ‘କୋଚେବଲ୍’ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରଶାସନିକ ପଦକ୍ଷେପ ସ୍ୱାଗତଯୋଗ୍ୟ ହୋଇଥିଲେ ହେଁ, ଅର୍ଥଶାସ୍ତ୍ର ଏବଂ ବାସ୍ତବ ଦୃଷ୍ଟିକୋଣରୁ ଏହା ସମ୍ପୂର୍ଣ୍ଣ ସମାଧାନ ନୁହେଁ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
![]()
ସମସ୍ୟାର ମୂଳ କୋଚିଂ ନୁହେଁ, ‘ବିଶ୍ୱସନୀୟ ଆସନ’ର ଅଭାବ
ରକ୍ଷା ଓ ଶିକ୍ଷା ବିଶେଷଜ୍ଞ ବିମଲ କୁମାରଙ୍କ ଅନୁଯାୟୀ, କୋଚିଂ ନିଜେ କୌଣସି ରୋଗ ନୁହେଁ, ବରଂ ଏହା ଆମ ଶିକ୍ଷା ବ୍ୟବସ୍ଥାରେ ଥିବା ଏକ ଗଭୀର ଗଠନମୂଳକ ସମସ୍ୟାର ଲକ୍ଷଣ ମାତ୍ର। ପ୍ରକୃତ ସମସ୍ୟା ହେଉଛି ଦେଶରେ ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ‘ବିଶ୍ୱସନୀୟ’ ଏବଂ ଜୀବନ ବଦଳାଇ ଦେବା ଭଳି ଉଚ୍ଚ ଶିକ୍ଷାନୁଷ୍ଠାନର ଆସନ ସଂଖ୍ୟାରେ ଘୋର ଅଭାବ। ଉଦାହରଣ ସ୍ୱରୂପ, NEET-UG ପରୀକ୍ଷାରେ ପ୍ରାୟ ୨୨ ରୁ ୨୩ ଲକ୍ଷ ଛାତ୍ରଛାତ୍ରୀ ବସୁଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୫୫ ରୁ ୬୦ ହଜାର ପିଲାଙ୍କୁ ହିଁ ମନମୁତାବକ ସରକାରୀ ଆସନ ମିଳିଥାଏ। ପରୀକ୍ଷାରେ ମାତ୍ର କିଛି ର଼୍ୟାଙ୍କ ଉପର-ତଳ ହେବା ଦ୍ୱାରା ପିଲାଙ୍କ ଭବିଷ୍ୟତ ବଦଳି ଯାଉଥିବାରୁ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅନ୍ୟମାନଙ୍କଠାରୁ ଆଗରେ ରହିବା ପାଇଁ କୋଚିଂରେ ବହୁତ ବଡ଼ ପୁଞ୍ଜି ନିବେଶ କରନ୍ତି। ଏହା ଏକ ପ୍ରକାରର ‘ର଼୍ୟାଙ୍କ-ଟୁର୍ଣ୍ଣାମେଣ୍ଟ’।
ଚୀନ୍ର ଉଦାହରଣ: ନିଷେଧାଦେଶ ସତ୍ତ୍ୱେ ବନ୍ଦ ହେଲାନି ଟ୍ୟୁସନ
ବିଶେଷଜ୍ଞମାନେ କୋଚିଂ ଉପରେ କଟକଣା ଲଗାଇବା ପ୍ରସଙ୍ଗରେ ଚୀନ୍ର ଏକ ବଡ଼ ଉଦାହରଣ ଦେଇଛନ୍ତି। ଚୀନ୍ ସରକାର ନିଜ ଦେଶରେ ଘରୋଇ ଟ୍ୟୁସନ ଓ କୋଚିଂ ଶିଳ୍ପକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କିମ୍ବା ଶେଷ କରିବା ପାଇଁ ଅତି କଠୋର ଆଇନ ପ୍ରଣୟନ କରିଥିଲେ। କିନ୍ତୁ ଏହା ସତ୍ତ୍ୱେ ଚୀନ୍ ନିଜର ଟ୍ୟୁସନ ଉଦ୍ୟୋଗକୁ ବନ୍ଦ କରିପାରି ନାହିଁ। ସେଠାରେ ଏହି ବ୍ୟବସାୟ ଏବେ ବେଆଇନ କିମ୍ବା ଅଣ୍ଡରଗ୍ରାଉଣ୍ଡ୍ ମାଧ୍ୟମରେ ଅଧିକ ସକ୍ରିୟ ହୋଇଯାଇଛି, କାରଣ ସେଠାରେ ମଧ୍ୟ ଗୁଣାତ୍ମକ ଉଚ୍ଚ ଶିକ୍ଷା ପାଇଁ ତୀବ୍ର ପ୍ରତିଯୋଗିତା ରହିଛି।
ଉଚ୍ଚ ଶିକ୍ଷାର ତ୍ରୁଟି ଦୂର କରିବା ଜରୁରୀ

ରିପୋର୍ଟ ଅନୁଯାୟୀ, ସରକାର ପରୀକ୍ଷାର ଢାଞ୍ଚା ଯେତେ ବଦଳାଇଲେ ମଧ୍ୟ ଯେପର୍ଯ୍ୟନ୍ତ ସୀମିତ ସୀଟ୍ ପାଇଁ ପ୍ରତିଯୋଗିତା ରହିବ, ସେପର୍ଯ୍ୟନ୍ତ କୋଚିଂ ବଜାର କୌଣସି ନା କୌଣସି ଉପାୟରେ ଚାଲୁ ରହିବ। ତେଣୁ କେବଳ କୋଚିଂ ସେଣ୍ଟରଗୁଡ଼ିକ ଉପରେ ନିୟମ ଲାଗୁ କରିବା କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ। ଏଥିପାଇଁ ସରକାରଙ୍କୁ ଦେଶରେ ଉଚ୍ଚ ଶିକ୍ଷାର ଗୁଣବତ୍ତା ବୃଦ୍ଧି କରିବା ସହ ଅଧିକ ସଂଖ୍ୟକ ବିଶ୍ୱସନୀୟ ସରକାରୀ ଶିକ୍ଷାନୁଷ୍ଠାନର ସୃଷ୍ଟି କରିବାକୁ ହେବ, ଯାହାଦ୍ୱାରା ପ୍ରତିଯୋଗିତାର ମାନସିକ ଚାପ ସ୍ୱାଭାବିକ ଭାବେ ହ୍ରାସ ପାଇବ।
Also read : https://purvapaksa.com/weight-loss-of-more-than-8-5-kg-sonam-wangchuk-urged-to-break-hunger-strike/


