ଲଦ୍ଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ସାମିଲ କରିବା ଏବଂ ପରିବେଶ ସୁରକ୍ଷା ଦାବିରେ ଦୀର୍ଘ ଦିନ ଧରି ଭୁକ ହଡ଼ତାଲ ବା ଅନଶନରେ ବସିଥିବା ପ୍ରସିଦ୍ଧ ପରିବେଶବିତ୍ ତଥା ସମାଜସେବୀ ସୋନମ୍ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ୱାଙ୍ଗଚୁକ୍ଙ୍କୁ ତାଙ୍କର ଏହି ଆମରଣ ଅନଶନ ଶେଷ କରିବାକୁ ଆକୁଳ ନିବେଦନ କରିଛନ୍ତି। ‘ସିଟିଜେନ୍ସ ଫର ଜଷ୍ଟିସ ଆଣ୍ଡ ପିସ’ ର ଏକ ମିଳିତ ଅଭିଯାନ ମାଧ୍ୟମରେ ବୁକର୍ ପୁରସ୍କାର ବିଜେତା ଲେଖିକା ଅରୁନ୍ଧତୀ ରାୟ, ବରିଷ୍ଠ ଅଭିନେତା ନସୀରୁଦ୍ଦିନ ଶାହାଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ ଓ ସମାଜସେବୀ ୱାଙ୍ଗଚୁକ୍ଙ୍କୁ ଏହି ଅନୁରୋଧ କରିଛନ୍ତି।

ଆପଣଙ୍କ ଜୀବନ ଦେଶ ପାଇଁ ଅମୂଲ୍ୟ
ୱାଙ୍ଗଚୁକ୍ଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ଏହି ମିଳିତ ଆପିଲ୍ ବା ନିବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଲଦ୍ଦାଖର ଅଧିକାର ଓ ପରିବେଶ ପାଇଁ ସେ ଯେଉଁ ଅହିଂସାତ୍ମକ ଲଢ଼େଇ ଲଢ଼ୁଛନ୍ତି, ତାହା ସାରା ଦେଶକୁ ପ୍ରେରଣା ଦେଇଛି। କିନ୍ତୁ ବର୍ତ୍ତମାନ ତାଙ୍କର ଶରୀର ଏବଂ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଲଦ୍ଦାଖର ପାହାଡ଼, ନଦୀ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ସୋନମ୍ ୱାଙ୍ଗଚୁକ୍ଙ୍କ ଜୀବିତ ରହିବା ଅତ୍ୟନ୍ତ ଜରୁରୀ। ଦେଶର ଗଣତାନ୍ତ୍ରିକ ଲଢ଼େଇକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ଭଳି ଜଣେ ଦୂରଦର୍ଶୀ ନେତାଙ୍କର ଆବଶ୍ୟକତା ରହିଛି। ତେଣୁ ସେ ତୁରନ୍ତ ନିଜର ଅନଶନ ଶେଷ କରନ୍ତୁ ବୋଲି ବୁଦ୍ଧିଜୀବୀମାନେ ଅନୁରୋଧ କରିଛନ୍ତି।
Day 17 of Sonam Sir’s Hunger-Strike.
He has started losing muscle mass and is in immense pain. Like everyone else, I begged him to end his fast.
He calmly replied, “Don’t ask me to end my fast. Ask the govt why they won’t even have a dialogue.” pic.twitter.com/xPKFqJz4vL
— Abhijeet Dipke (@abhijeet_dipke) July 14, 2026
ଲଦ୍ଦାଖର ସୁରକ୍ଷା ପାଇଁ ଦେଶବ୍ୟାପୀ ସମର୍ଥନ
ଏହି ଅଭିଯାନରେ କେବଳ ୱାଙ୍ଗଚୁକ୍ଙ୍କୁ ଅନଶନ ଭାଙ୍ଗିବାକୁ ନିବେଦନ କରାଯାଇ ନାହିଁ, ବରଂ ଲଦ୍ଦାଖର ଜନସାଧାରଣଙ୍କ ନ୍ୟାଯ୍ୟ ଦାବି ପ୍ରତି ସମ୍ପୂର୍ଣ୍ଣ ସମର୍ଥନ ପ୍ରକାଶ କରାଯାଇଛି। ସାମ୍ବିଧାନିକ ସୁରକ୍ଷା ଗ୍ୟାରେଣ୍ଟି ଏବଂ ସେଠାକାର ସଂବେଦନଶୀଳ ପରିବେଶକୁ ଶିଳ୍ପପତିଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ସୋନମ୍ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଦୃଢ଼ ଆଲୋଚନା ପ୍ରକ୍ରିୟା ଆରମ୍ଭ ନହେବା ଦୁର୍ଭାଗ୍ୟଜନକ ବୋଲି ଏହି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଏହି ମିଳିତ ନିବେଦନ ପତ୍ରରେ ସାମାଜିକ କର୍ମୀ ତିସ୍ତା ସେତଲଭାଡ଼ଙ୍କ ସମେତ ଦେଶର ଅନେକ ବରିଷ୍ଠ ଆଇନଜୀବୀ, ଶିକ୍ଷାବିତ୍ ଏବଂ କଳାକାର ସ୍ୱାକ୍ଷର କରିଛନ୍ତି।


