ଆନ୍ତର୍ଜାତୀୟ ବିମାନ ସେବା କ୍ଷେତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱର ପ୍ରତିଷ୍ଠିତ ବିମାନ ସେବା ସଂସ୍ଥା ‘ଏମିରେଟ୍ସ’ (Emirates) ଭାରତୀୟ ସେବା କ୍ଷେତ୍ର ପାଇଁ ଏକ ବଡ଼ ଘୋଷଣା କରିଛି। ଆସନ୍ତା ଅକ୍ଟୋବର ୨୫ ତାରିଖରୁ ଦେଶର ରାଜଧାନୀ ନୂଆଦିଲ୍ଲୀ ଏବଂ ଦୁବାଇ ମଧ୍ୟରେ ବିଶ୍ୱର ସବୁଠାରୁ ବଡ଼ ଯାତ୍ରୀବାହୀ ବିମାନ ଏୟାରବସ୍ ଏ-୩୮୦ ନିୟମିତ ଭାବେ ଉଡ଼ାଣ ଭରିବ। ଦିଲ୍ଲୀ ଓ ଦୁବାଇ ମଧ୍ୟରେ ବୃଦ୍ଧି ପାଉଥିବା ଯାତ୍ରୀଙ୍କ ସଂଖ୍ୟା ଏବଂ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଏହି ଦୁଇଟି ସହର ମଧ୍ୟରେ ଯାତ୍ରା କରୁଥିବା ପର୍ଯ୍ୟଟକ ଓ ବ୍ୟବସାୟୀମାନେ ଏବେ ଆହୁରି ଅଧିକ ଆରାମଦାୟକ ଏବଂ ଆଧୁନିକ ବିମାନ ସେବାର ଆନନ୍ଦ ନେଇପାରିବେ।

ଯାତ୍ରୀ କ୍ଷମତା ବୃଦ୍ଧି ଓ ସିଟ୍ ସଂଖ୍ୟା
ଏମିରେଟ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ-ଦୁବାଇ ରୁଟ୍ରେ ପୂର୍ବରୁ ଚାଲୁଥିବା ବୋଇଂ ୭୭୭ ବିମାନ ବଦଳରେ ଏହି ଦୁଇ ମହଲା ବିଶିଷ୍ଟ ବିଶାଳକାୟ A380 ବିମାନକୁ ନିୟୋଜିତ କରାଯିବ। ଫଳରେ ଏହି ରୁଟ୍ରେ ଯାତ୍ରୀ କ୍ଷମତା ପ୍ରତି ସପ୍ତାହରେ ପ୍ରାୟ ୧୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଏହି ବିମାନରେ ଯାତ୍ରୀମାନଙ୍କ ପାଇଁ ତିନୋଟି ଶ୍ରେଣୀ ବା କ୍ଲାସ୍ର ସୁବିଧା ରହିବ। ଏଥିରେ ୧୪ଟି ପ୍ରଥମ ଶ୍ରେଣୀ ପ୍ରାଇଭେଟ୍ ସୁଇଟ୍, ୭୬ଟି ବିଜିନେସ୍ କ୍ଲାସ୍ ମିନି-ପଡ୍ସ ଏବଂ ୪୨୭ଟି ଇକୋନୋମି କ୍ଲାସ୍ ସିଟ୍ ସହ ସମୁଦ୍ଧାୟ ୫୧୭ ଜଣ ଯାତ୍ରୀ ଏକ ସଙ୍ଗେ ଯାତ୍ରା କରିପାରିବେ। ଏହି ବିଶାଳ ବିମାନ ଭାରତୀୟ ଆକାଶରେ ଉଡ଼ିବା ଦ୍ୱାରା ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ କରିବାରେ ବଡ଼ ସୁବିଧା ମିଳିବ।
ଆକାଶରେ ମିଳିବ ସାହି ସୁଖସୁବିଧା
ଏୟାରବସ୍ A380 ବିମାନଟି ନିଜର ଚମତ୍କାର ଓ ରାଜକୀୟ ସେବା ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ପ୍ରଥମ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହି ବିମାନରେ ଆକାଶ ମାର୍ଗରେ ‘ଶାୱାର ସ୍ପା’ ବା ଗାଧୋଇବାର ଅତ୍ୟାଧୁନିକ ସୁବିଧା ରହିଛି। ଏହା ସହିତ ପ୍ରଥମ ଶ୍ରେଣୀ ଏବଂ ବିଜିନେସ୍ କ୍ଲାସ୍ ଯାତ୍ରୀଙ୍କ ପାଇଁ ବିମାନ ଭିତରେ ଏକ ‘ଅନବୋର୍ଡ ଲଞ୍ଜ୍’ ବା ବାର୍ ରହିଛି, ଯେଉଁଠାରେ ସେମାନେ ଯାତ୍ରା ସମୟରେ ବିଭିନ୍ନ ପ୍ରକାରର ପାନୀୟ ଏବଂ ସ୍ନାକ୍ସର ମଜା ନେଇପାରିବେ।
ସମସ୍ତ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏମିରେଟ୍ସର ପୁରସ୍କାର ପ୍ରାପ୍ତ ଇନ-ଫ୍ଲାଇଟ୍ ଏଣ୍ଟରଟେନମେଣ୍ଟ ସିଷ୍ଟମ୍ ‘ice’ ଉପଲବ୍ଧ ରହିବ, ଯେଉଁଥିରେ ପ୍ରାୟ ୬,୫୦୦ରୁ ଅଧିକ ଚଳଚ୍ଚିତ୍ର, ଟିଭି ଶୋ’ ଏବଂ ସଙ୍ଗୀତ ଚ୍ୟାନେଲ୍ ଅନ୍ତର୍ଭୁକ୍ତ। ଭାରତୀୟ ବଜାରରେ ଏମିରେଟ୍ସର ଏହି ବଡ଼ ପଦକ୍ଷେପ ଉଭୟ ଦେଶ ମଧ୍ୟରେ ବ୍ୟବସାୟିକ ଏବଂ ପର୍ଯ୍ୟଟନ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।


