କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ରାଷ୍ଟ୍ରଗାନ (ଜନ ଗଣ ମନ) ଏବଂ ରାଷ୍ଟ୍ରୀୟ ଗୀତ (ବନ୍ଦେ ମାତରମ୍)କୁ ନେଇ ଏକ ନୂତନ ତଥା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଏହି ଜାତୀୟ ପ୍ରତୀକଗୁଡ଼ିକୁ ଗାନ କରିବା କିମ୍ବା ବଜାଇବା ସମୟରେ ଏହାର ଆଧିକାରିକ ଶବ୍ଦ, ସଠିକ୍ ସ୍ୱରୂପ ଏବଂ ଶୁଦ୍ଧ ଉଚ୍ଚାରଣ ପ୍ରତି କଡ଼ା ଦୃଷ୍ଟି ଦେବାକୁ ହେବ। ଏଥିରେ କୌଣସି ପ୍ରକାରର ତ୍ରୁଟି କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଏହି ନିୟମର କଡ଼ା ଅନୁପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଗାଇବା ଓ ବଜାଇବାର ନିର୍ଦ୍ଦିଷ୍ଟ ପ୍ରୋଟୋକଲ୍
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସରକାରୀ କାର୍ଯ୍ୟକ୍ରମ ଏବଂ ନିର୍ଦ୍ଦିଷ୍ଟ ଅବସରଗୁଡ଼ିକରେ କେଉଁ ସମୟରେ ରାଷ୍ଟ୍ରଗାନ ଓ ରାଷ୍ଟ୍ରୀୟ ଗୀତ ବଜାଯିବ ବା ଗାନ କରାଯିବ, ସେନେଇ ଏକ ବିସ୍ତୃତ ତାଲିକା ପୂର୍ବରୁ ପ୍ରଦାନ କରାଯାଇଛି। ସେହିପରି ଯଦି କୌଣସି କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରୀୟ ଗୀତ ପରିବେଷଣ କରାଯାଉଥାଏ, ତେବେ ସେଠାରେ ଏକ ନିର୍ଦ୍ଦିଷ୍ଟ କ୍ରମ ରକ୍ଷା କରାଯିବ। ପ୍ରଥମେ ରାଷ୍ଟ୍ରୀୟ ଗୀତ (ବନ୍ଦେ ମାତରମ୍) ଗାନ କରାଯିବ କିମ୍ବା ବଜାଯିବ ଏବଂ ଏହା ପରେ ରାଷ୍ଟ୍ରଗାନ (ଜନ ଗଣ ମନ) ପରିବେଷଣ କରାଯିବ।
![]()
କେତେକ ରାଜ୍ୟରେ ସେମାନଙ୍କର ନିଜସ୍ୱ ‘ରାଜ୍ୟ ସଙ୍ଗୀତ’ ଗାନ କରାଯିବାର ଚଳଣି ରହିଛି। ଗୃହ ମନ୍ତ୍ରଣାଳୟ ଏହା ଉପରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛି ଯେ, ଯେଉଁ ସ୍ଥାନରେ ରାଜ୍ୟ ସଙ୍ଗୀତ ବଜାଯାଉଛି, ସେଠାରେ ମଧ୍ୟ ରାଷ୍ଟ୍ରୀୟ ଗୀତ ଏବଂ ରାଷ୍ଟ୍ରଗାନକୁ ଏକତ୍ର ପରିବେଷଣ କରାଯିବା ଆବଶ୍ୟକ। ଏହି କ୍ଷେତ୍ରରେ ମଧ୍ୟ ପ୍ରଥମେ ରାଷ୍ଟ୍ରୀୟ ଗୀତ ଏବଂ ପରେ ରାଷ୍ଟ୍ରଗାନ ଗାନ କରାଯିବ।
ୱେବସାଇଟ୍ରେ ଉପଲବ୍ଧ ହେଲା ଉଚ୍ଚାରଣ ମାର୍ଗଦର୍ଶିକା
ଅନେକ ସମୟରେ ଜାତୀୟ ସଙ୍ଗୀତ ଗାନ କରିବା ବେଳେ ଶବ୍ଦ ଓ ଉଚ୍ଚାରଣରେ ତ୍ରୁଟି ପରିଲକ୍ଷିତ ହେଉଥିବାରୁ ସରକାର ଏହି ନୂତନ ଆଦେଶନାମା ଜାରି କରିଛନ୍ତି। ସାଧାରଣ ନାଗରିକ ଏବଂ ବିଭିନ୍ନ ଅନୁଷ୍ଠାନ ଯେପରି ସଠିକ୍ ଶବ୍ଦର ବ୍ୟବହାର କରିପାରିବେ, ସେଥିପାଇଁ ଗୃହ ମନ୍ତ୍ରଣାଳୟ ନିଜର ଆଧିକାରିକ ୱେବସାଇଟ୍ରେ ସଠିକ୍ ପାଠ୍ୟ ଏବଂ ଶୁଦ୍ଧ ଉଚ୍ଚାରଣ ସମ୍ବନ୍ଧୀୟ ଏକ ମାର୍ଗଦର୍ଶିକା ଉପଲବ୍ଧ କରାଇଛି।

ଏହା ସହିତ ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଅଫିସିଆଲ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଗୀତର ୬ଟି ସ୍ତବକକୁ ନିର୍ଦ୍ଧାରିତ ୩ ମିନିଟ୍ ୧୦ ସେକେଣ୍ଡ ମଧ୍ୟରେ ଗାନ କରାଯିବ ଏବଂ ଏହି ସମୟରେ ସମସ୍ତେ ସମ୍ମାନର ସହ ସାବଧାନ ମୁଦ୍ରାରେ ଛିଡ଼ା ହେବା ବାଧ୍ୟତାମୂଳକ। ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ କରାଯାଉଥିବା ବେଳେ ଜାତୀୟ ଗୌରବ ଓ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏହି ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହି ନିୟମକୁ ନିଜ ନିଜ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ସଂଗଠନଗୁଡ଼ିକରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସମସ୍ତ ପ୍ରଶାସନିକ ପ୍ରମୁଖ ଓ ମୁଖ୍ୟ ଶାସନ ସଚିବମାନଙ୍କୁ ଅନୁରୋଧ କରାଯାଇଛି।


