ପଞ୍ଜାବର ଆତଙ୍କବାଦର କଳା ଅଧ୍ୟାୟ ଉପରେ ଆଧାରିତ ଚଳଚ୍ଚିତ୍ର ‘ସତଲଜ୍’ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାର ମାତ୍ର ଦୁଇ ଦିନ ମଧ୍ୟରେ ସୁରକ୍ଷାଗତ କାରଣରୁ ହଟାଇ ଦିଆଯାଇଛି। କିନ୍ତୁ ଏହି କ୍ଷୁଦ୍ର ଅବଧି ମଧ୍ୟରେ ହିଁ ଚଳଚ୍ଚିତ୍ରଟି ପଞ୍ଜାବର ସେହି ଦୁଃଖଦ ଓ କଳା ଇତିହାସକୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆଣିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପଞ୍ଜାବର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱନୀ କୁମାର ନିଜର ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ‘ପଞ୍ଜାବର ସ୍ଥିତି ଏବେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ନୁହେଁ, ତେଣୁ ଯେଉଁ ପୁରୁଣା କ୍ଷତ ଏବେ ଶୁଖିବାକୁ ଯାଉଛି, ତାହାକୁ ପୁଣି ଥରେ ଖେଳାଇ ତାଜା କରିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ନୁହେଁ।’

ଏକ ସାକ୍ଷାତକାରରେ ପୂର୍ବତନ କଂଗ୍ରେସ ନେତା ଅଶ୍ୱନୀ କୁମାର ଏହି ଚଳଚ୍ଚିତ୍ର ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ବିଶେଷ କରି ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ଉଗ୍ରବାଦୀ ଚିନ୍ତାଧାରା ପୁଣି ଉଜ୍ଜୀବିତ ହେବାର ଆଶଙ୍କା
ଅଶ୍ୱନୀ କୁମାର କହିଛନ୍ତି ଯେ ,”ଏହି ସମଗ୍ର ବିବାଦର ଦୁଇଟି ଦିଗ ରହିଛି। ପ୍ରଥମଟି ହେଉଛି ନାଗରିକଙ୍କ ସୂଚନା ପାଇବାର ଅଧିକାର ଏବଂ ଚଳଚ୍ଚିତ୍ର ନିର୍ମାତାମାନଙ୍କର ଅଭିବ୍ୟକ୍ତିର ସ୍ୱାଧୀନତା। ମାତ୍ର କୌଣସି ବି ସ୍ୱାଧୀନତା ବା ଅଧିକାର ସୀମାହୀନ ନୁହେଁ। ଯେତେବେଳେ ଏକ ଚଳଚ୍ଚିତ୍ର ଦର୍ଶକଙ୍କୁ ପଞ୍ଜାବର ସେହି ସମୟକୁ ନେଇଯାଏ, ଯେତେବେଳେ ସେଠାରେ ଆତଙ୍କବାଦ ଚରମ ସୀମାରେ ଥିଲା ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା; ସେତେବେଳେ ତାହା ବର୍ତ୍ତମାନର ଯୁବପିଢ଼ି ମଧ୍ୟରେ ପୁଣି ଥରେ ଉଗ୍ରବାଦୀ ବା କଟ୍ଟରପନ୍ଥୀ ଭାବନାକୁ ଉସୁକାଇବାର ଯଥେଷ୍ଟ ଆଶଙ୍କା ରହିଥାଏ। ରାଜ୍ୟର ଶାନ୍ତି ଓ ସଂହତି ବଜାୟ ରଖିବା ପାଇଁ ଏଭଳି ସମ୍ବେଦନଶୀଳ ବିଷୟବସ୍ତୁକୁ ଏଡ଼ାଇ ଯିବା ଆବଶ୍ୟକ।”
ଚଳଚ୍ଚିତ୍ର ବ୍ୟାନ୍ କରିବାର ଓଲଟା ପ୍ରଭାବ

ଅଶ୍ୱନୀ କୁମାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, “ସତଲଜ୍ ନଦୀର ନାମରେ ନାମିତ ଏହି ଚଳଚ୍ଚିତ୍ରକୁ ହଠାତ୍ ଓଟିଟି ପ୍ଲାଟଫର୍ମରୁ ହଟାଇ ଦେବା ବା ବ୍ୟାନ୍ କରିଦେବା ଦ୍ୱାରା ଏହାର ଓଲଟା ପ୍ରଭାବ ପଡ଼ିପାରେ। ସାଧାରଣତଃ ଯେଉଁ ଜିନିଷ ଉପରେ କଟକଣା ଲଗାଯାଏ, ତାହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଅଧିକ କୌତୂହଳ ସୃଷ୍ଟି ହୁଏ। ଲୋକମାନେ ବିଭିନ୍ନ ବେଆଇନ ଉପାୟ ବା ପନ୍ଥା ଆପଣାଇ ଏହାକୁ ଦେଖିବାକୁ ଚେଷ୍ଟା କରିବେ, ଯାହା ଦ୍ୱାରା ଚଳଚ୍ଚିତ୍ରର ନକାରାତ୍ମକ ବାର୍ତ୍ତା ସମାଜରେ ଆହୁରି ସହଜରେ ବ୍ୟାପିଯିବ।”
ଅମୃତପାଲ ସିଂହଙ୍କ ବିଜୟର ଉଦାହରଣ
ପଞ୍ଜାବରେ କଟ୍ଟରପନ୍ଥୀ ଚିନ୍ତାଧାରା ଏବେ ବି ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ଏବଂ ଏହାର ଆଶଙ୍କା କେବଳ ଏକ କଳ୍ପନା ନୁହେଁ ବୋଲି ସେ ଦର୍ଶାଇଛନ୍ତି। ନିଜ ଯୁକ୍ତିର ପ୍ରମାଣ ସ୍ୱରୂପ ସେ ୨୦୨୪ ଲୋକସଭା ନିର୍ବାଚନର ଉଦାହରଣ ଦେଇଥିଲେ। ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଜେଲରେ ବନ୍ଦୀ ଥିବା ଅମୃତପାଲ ସିଂହ କେବଳ ଉଗ୍ର ଆବେଗ ଏବଂ ଧାର୍ମିକ ଭାବନାକୁ ଆଧାର କରି ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ। ଏହି ଘଟଣାରୁ ପ୍ରମାଣିତ ହେଉଛି ଯେ, ରାଜ୍ୟରେ ଲୋକଙ୍କ ଧାର୍ମିକ ଓ ଆଞ୍ଚଳିକ ଭାବନାକୁ ଉସୁକାଇ ପୁଣି ଥରେ ଅଶାନ୍ତି ସୃଷ୍ଟି କରିବା ପାଇଁ କିଛି ଗୋଷ୍ଠୀ ସକ୍ରିୟ ଅଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁଯାୟୀ, “ପଞ୍ଜାବ ବହୁ ମୂଲ୍ୟ ଦେଇ ଶାନ୍ତି ଫେରି ପାଇଛି। ଏଭଳି ସ୍ଥିତିରେ କୌଣସି ରାଜନୈତିକ ଫାଇଦା ବା ବ୍ୟବସାୟିକ ସ୍ୱାର୍ଥ ପାଇଁ ସେହି ଭୟାନକ ଅତୀତକୁ ପୁଣି ଆଲୋଚନା ପରିସରକୁ ଆଣିବା ଉଚିତ ନୁହେଁ। ଯଦି ଏହିପରି ଭାବନା ବୃଦ୍ଧି ପାଏ, ତେବେ ଏହାର ଦୁଷ୍ପରିଣାମ ସମଗ୍ର ରାଜ୍ୟକୁ ଭୋଗିବାକୁ ପଡ଼ିବ। ତେଣୁ ସମାଜର ସବୁ ସ୍ତରରେ ସଂଯମତା ରକ୍ଷା କରିବା ଏବଂ ପୁରୁଣା ବିବାଦକୁ ପ୍ରଶ୍ରୟ ନଦେବା ହିଁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା।”


