କ୍ରିକେଟ୍ ଦୁନିଆରୁ ଏହି ସମୟର ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଭାରତୀୟ କ୍ରିକେଟ୍ର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଯାହାଙ୍କ ନାଁ ଶୁଣିଲେ ହିଁ ବିଶ୍ୱ କ୍ରିକେଟ୍ର ବଡ଼ ବଡ଼ ବୋଲର ଓ ବ୍ୟାଟ୍ସମ୍ୟାନ୍ମାନେ ଚିନ୍ତାରେ ପଡ଼ିଯାଆନ୍ତି। ସେହି ‘କ୍ୟାପ୍ଟେନ୍ କୁଲ୍’ଙ୍କର ଏକ ବିରାଟ ରେକର୍ଡ ଏବେ ଭାଙ୍ଗିବାକୁ ଯାଉଛି। ଆଉ ଏହି ରେକର୍ଡ କୌଣସି ବିଦେଶୀ ଖେଳାଳି ନୁହେଁ, ବରଂ ଜଣେ ଭାରତୀୟ ଷ୍ଟାର୍ ଅଲରାଉଣ୍ଡର ଭାଙ୍ଗିବାକୁ ଯାଉଛନ୍ତି।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ଆନ୍ତର୍ଜାତୀକ ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବା ମାତ୍ରେ ହିଁ ଅକ୍ଷର ପଟେଲ ଏକ ଏଭଳି କୀର୍ତ୍ତିମାନ ସ୍ଥାପନ କରିବେ, ଯାହା ମାହିଙ୍କୁ ବି ପଛରେ ପକାଇଦେବ। ବ୍ରିଷ୍ଟଲ୍ର କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ କେବଳ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଅକ୍ଷର ପଟେଲଙ୍କ କ୍ୟାରିୟର ପାଇଁ ମଧ୍ୟ ସବୁଠାରୁ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି। କ’ଣ ସେହି ରେକର୍ଡ? କେମିତି ଅକ୍ଷର ‘ମାହି’ଙ୍କୁ ପଛରେ ପକାଇବେ? ଏବଂ ଭାରତୀୟ କ୍ରିକେଟ୍ ଇତିହାସରେ ସେ କେଉଁ ସ୍ୱତନ୍ତ୍ର କ୍ଲବ୍ରେ ସାମିଲ ହେବେ।
ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ୍ ଚାଲିଛି। ଏହି ସିରିଜ୍ର ଚତୁର୍ଥ ମ୍ୟାଚ୍ ବ୍ରିଷ୍ଟଲ୍ରେ ଖେଳାଯିବ। ଯଦି ଅକ୍ଷର ପଟେଲ୍ଙ୍କୁ ଏହି ମ୍ୟାଚ୍ର ପ୍ଲେଇଙ୍ଗ୍-୧୧ (Playing 11) ରେ ସ୍ଥାନ ମିଳେ, ତେବେ ଏହା ହେବ ତାଙ୍କ ଆନ୍ତର୍ଜାତୀକ ଟି-୨୦ କ୍ୟାରିୟରର ୧୦୦ତମ ମ୍ୟାଚ୍। ୧୦୦ଟି ଟି-୨୦ ଆନ୍ତର୍ଜାତୀକ ମ୍ୟାଚ୍ ଖେଳିବା କୌଣସି ସାଧାରଣ କଥା ନୁହେଁ।
ମହେନ୍ଦ୍ର ସିଂହ ଧୋନି ନିଜ କ୍ୟାରିୟରରେ ଭାରତ ପାଇଁ ମୋଟ ୯୯ଟି ଟି-୨୦ ମ୍ୟାଚ୍ ଖେଳିଥିଲେ। ଅର୍ଥାତ୍, ଅକ୍ଷର ପଟେଲ ନିଜର ୧୦୦ତମ ମ୍ୟାଚ୍ ଖେଳିବା ମାତ୍ରେ ହିଁ ମାହିଙ୍କ ୯୯ ମ୍ୟାଚ୍ର ରେକର୍ଡକୁ ଭାଙ୍ଗି ଆଗକୁ ଚାଲିଯିବେ। ଏହା ସହିତ ସେ ଭାରତ ପକ୍ଷରୁ ୧୦୦ ବା ତା’ଠାରୁ ଅଧିକ ଟି-୨୦ ମ୍ୟାଚ୍ ଖେଳିଥିବା ମାତ୍ର ପଞ୍ଚମ ଭାରତୀୟ ଖେଳାଳି ହେବାର ଗୌରବ ମଧ୍ୟ ହାସଲ କରିବେ।
ସେହି ତାଲିକା, ଯେଉଁଥିରେ ଅକ୍ଷର ଏବେ ସାମିଲ ହେବାକୁ ଯାଉଛନ୍ତି:
• ପ୍ରଥମ ସ୍ଥାନରେ ଅଛନ୍ତି ପୂର୍ବତନ ଅଧିନାୟକ ରୋହିତ ଶର୍ମା, ଯିଏ ଭାରତ ପାଇଁ ସର୍ବାଧିକ ୧୬୧ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।
• ଦ୍ୱିତୀୟ ସ୍ଥାନରେ ଅଛନ୍ତି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଯିଏ ୧୩୮ଟି ମ୍ୟାଚ୍ ଖେଳି ସାରିଛନ୍ତି।
• ତୃତୀୟ ସ୍ଥାନରେ ରହିଛନ୍ତି ରନ୍ ମେସିନ୍ ବିରାଟ କୋହଲି, ଯାହାଙ୍କ ନାଁରେ ୧୨୭ଟି ମ୍ୟାଚ୍ ରହିଛି।
• ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି ମିଷ୍ଟର 360 ଡିଗ୍ରୀ ସୂର୍ଯ୍ୟକୁମାର ଯାଦବ, ଯିଏ କି ୧୧୫ଟି ମ୍ୟାଚ୍ ଖେଳିଛନ୍ତି।
ଏବେ ଏହି ଭେଟେରାନ କ୍ଲବ୍ରେ ଅକ୍ଷର ପଟେଲ ୫ମ ଖେଳାଳି ଭାବେ ନିଜ ନାଁ ଲେଖାଇବାକୁ ଯାଉଛନ୍ତି। ଏହା ପ୍ରମାଣିତ କରୁଛି ଯେ ବିଗତ କିଛି ବର୍ଷ ମଧ୍ୟରେ ସର୍ଟଫର୍ମାଟ କ୍ରିକେଟ୍ରେ ଅକ୍ଷର ପଟେଲ ଟିମ୍ ଇଣ୍ଡିଆ ପାଇଁ କେତେ ଅପରିହାର୍ଯ୍ୟ ଏବଂ ନିର୍ଭରଯୋଗ୍ୟ ଖେଳାଳି ଭାବେ ସାବ୍ୟସ୍ତ ହୋଇଛନ୍ତି।
କେବଳ ୧୦୦ତମ ମ୍ୟାଚ୍ ନୁହେଁ, ଏହି ସିରିଜ୍ରେ ଅକ୍ଷର ପଟେଲ ଆଉ ଏକ ବଡ଼ ରେକର୍ଡ ମଧ୍ୟ ନିଜ ନାଁରେ କରିସାରିଛନ୍ତି, ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଯେତେବେଳେ ଅକ୍ଷର ପଟେଲ ଇଂଲଣ୍ଡର ଅଧିନାୟକ ହ୍ୟାରୀ ବ୍ରୁକ୍ଙ୍କୁ ଆଉଟ୍ କଲେ, ସେହି ସମୟରେ ସେ ଆନ୍ତର୍ଜାତୀକ ଟି-୨୦ କ୍ରିକେଟ୍ରେ ନିଜର ୧୦୦ତମ ୱିକେଟ୍ ପୂରଣ କରିଥିଲେ।
ଆଉ ଏହି ୱିକେଟ୍ ନେବା ସହିତ ସେ ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ସ୍ପିନର ଭାବେ ଟି-୨୦ ଆନ୍ତର୍ଜାତୀକ କ୍ରିକେଟ୍ରେ ୧୦୦ ୱିକେଟ୍ ନେବାର ରେକର୍ଡ କରିଛନ୍ତି। ଯୁଜବେନ୍ଦ୍ର ଚହଲ କିମ୍ବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଭଳି ଦିଗ୍ଗଜ ସ୍ପିନରମାନେ ମଧ୍ୟ ଭାରତ ପାଇଁ ଟି-୨୦ ରେ ଏହି କାରନାମା କରିପାରି ନାହାନ୍ତି, ଯାହା ଅକ୍ଷର ପଟେଲ କରି ଦେଖାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଅକ୍ଷର ୯୯ଟି ମ୍ୟାଚ୍ରୁ ୭୪୬ ରନ୍ କରିବା ସହ ୧୦୧ଟି ୱିକେଟ୍ ହାସଲ କରିସାରିଛନ୍ତି। ଏହା ଜଣେ ଅଲରାଉଣ୍ଡର ଭାବେ ତାଙ୍କର ଯୋଗ୍ୟତାକୁ ସ୍ପଷ୍ଟ ଭାବେ ଦର୍ଶାଉଛି।
କ୍ରିକେଟ୍ରେ କେବଳ ପୁରୁଣା ରେକର୍ଡ କାମ ଦିଏନାହିଁ, ବର୍ତ୍ତମାନର ଫର୍ମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ରେକର୍ଡ ଦୃଷ୍ଟିରୁ ଅକ୍ଷର ପଟେଲ ଯେତେ ମହାନ ମନେହେଲେ ବି, ଚଳିତ ଇଂଲଣ୍ଡ ସିରିଜ୍ରେ ତାଙ୍କର ପ୍ରଦର୍ଶନ କିନ୍ତୁ ଆଦୌ ସନ୍ତୋଷଜନକ ରହିନାହିଁ। ଏହା ହିଁ ବଡ଼ ଚିନ୍ତାର ବିଷୟ।
ଚତୁର୍ଥ ମ୍ୟାଚ୍ରେ ଅକ୍ଷର ପଟେଲଙ୍କୁ ପ୍ଲେଇଙ୍ଗ୍-୧୧ ରେ ସ୍ଥାନ ମିଳିବ କି ନାହିଁ, ତାହାକୁ ନେଇ ମଧ୍ୟ ସାମାନ୍ୟ ଆଶଙ୍କା ରହିଛି। ଯଦିଓ ତାଙ୍କ ଅଭିଜ୍ଞତାକୁ ଦେଖି ଗମ୍ଭୀର ତାଙ୍କୁ ୧୦୦ତମ ମ୍ୟାଚ୍ ଖେଳିବାର ସୁଯୋଗ ଦେଇପାରନ୍ତି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଅକ୍ଷର ପଟେଲ କ’ଣ ନିଜର ଏହି ୧୦୦ତମ ଐତିହାସିକ ମ୍ୟାଚ୍ରେ ଦଳ ପାଇଁ ଜଣେ ମ୍ୟାଚ୍ ୱିନର୍ ସାବ୍ୟସ୍ତ ହୋଇପାରିବେ? ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଦିଗ୍ଗଜଙ୍କ ରେକର୍ଡ ଭାଙ୍ଗିବା ପରେ ସେ କ’ଣ ନିଜର ସାମ୍ପ୍ରତିକ ଖରାପ ଫର୍ମରୁ ବାହାରି ଏକ ଦମଦାର ପ୍ରତ୍ୟାବର୍ତ୍ତନ କରିବେ? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି , କ’ଣ ଗତ ମ୍ୟାଚ୍ରେ ୧୨୫ ରନ୍ର ଶୋଚନୀୟ ପରାଜୟ ପରେ କୋଚ୍ ଗୌତମ ଗମ୍ଭୀର ଏବଂ କ୍ୟାପ୍ଟେନ୍ ଶ୍ରେୟସ ଆୟର ପୁଣି କମବ୍ୟାକ୍ କରି ସିରିଜ୍କୁ ବଞ୍ଚାଇ ପାରିବେ?
AlsoRead; https://purvapaksa.com/26-11-mumbai-attacks-and-the-horrific-conspiracy-of-hindu-terrorism/


