ପଶ୍ଚିମ ଏସିଆ (ମଧ୍ୟ ପ୍ରାଚ୍ୟ) ରେ ଚାଲିଥିବା ସାମରିକ ସଂଘର୍ଷ ଏବଂ ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ ହର୍ମୁଜ ପ୍ରଣାଳୀ କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ୨୮ ତାରିଖରେ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପରଠାରୁ ଭାରତ ଅଭିମୁଖେ ଆସୁଥିବା ଭାରତୀୟ ଏବଂ ବିଦେଶୀ ପତାକାଧାରୀ ପ୍ରାୟ ୫୦ଟି ବାଣିଜ୍ୟିକ ଜାହାଜ ସଫଳତାର ସହ ହର୍ମୁଜ ପ୍ରଣାଳୀ ପାର୍ କରିସାରିଛନ୍ତି।
ତେବେ ବର୍ତ୍ତମାନ ସୁଦ୍ଧା ସେହି ସମ୍ବେଦନଶୀଳ ସାମୁଦ୍ରିକ ଅଞ୍ଚଳରେ ୯ଟି ଭାରତୀୟ ଜାହାଜ ମଧ୍ୟ ଉପସ୍ଥିତ ଅଛନ୍ତି। ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଏହି ଜାହାଜଗୁଡ଼ିକ ଯୁଦ୍ଧ ଏବଂ ଅଶାନ୍ତି ଯୋଗୁଁ ସେଠାରେ ଫସି ରହିଛନ୍ତି। ମାତ୍ର କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସମ୍ପର୍କରେ ଏକ ନୂତନ ଅପଡେଟ୍ ଦେଇ ସମସ୍ତ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
ଜାହାଜଗୁଡ଼ିକ ଫସିନାହାନ୍ତି, ଉଦ୍ଦେଶ୍ୟ ଭିନ୍ନ
ସରକାରୀ ଅଧିକାରୀଙ୍କ ସ୍ପଷ୍ଟୀକରଣ ଅନୁଯାୟୀ, ହର୍ମୁଜ ପ୍ରଣାଳୀର ପଶ୍ଚିମ ଭାଗରେ ଉପସ୍ଥିତ ଥିବା ସମସ୍ତ ୯ଟି ଭାରତୀୟ ଜାହାଜ ସେଠାରେ ଅସହାୟ ଭାବେ ଫସି ରହିନାହାନ୍ତି। ବରଂ ଏଥର ସେମାନଙ୍କର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭିନ୍ନ। ଏହି ଜାହାଜଗୁଡ଼ିକ ସେହି ସାମୁଦ୍ରିକ ଅଞ୍ଚଳରେ ନିଜର ନିୟମିତ ବ୍ୟବସାୟିକ କାର୍ଯ୍ୟ ଏବଂ ସାମଗ୍ରୀ ପରିବହନ ରେ ନିୟୋଜିତ ଅଛନ୍ତି। ପଶ୍ଚିମ ଏସିଆରୁ ନୂତନ ସାମଗ୍ରୀ କିମ୍ବା ଖଣିଜ ତୈଳ ଲୋଡ୍ କରିବା ପାଇଁ ଏହି ଜାହାଜଗୁଡ଼ିକ ସେଠାରେ ଅପେକ୍ଷା କରିଛନ୍ତି କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ।

ତେବେ ସାମୁଦ୍ରିକ ଶିଳ୍ପ ର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ସୁରକ୍ଷା ସ୍ଥିତିକୁ ଦେଖି ବିଭିନ୍ନ ସିପିଂ କମ୍ପାନୀଗୁଡ଼ିକୁ ସେହି ଉଚ୍ଚ ବିପଦସଙ୍କୁଳ ଅଞ୍ଚଳକୁ ନିଜର ନୂଆ ଜାହାଜ ପଠାଇବା ପାଇଁ ଯୋଜନା କରିବାକୁ ଆଉ କିଛି ସମୟ ଲାଗିପାରେ।
କେଉଁ ସାମଗ୍ରୀ ନେଇ ଆସିଛନ୍ତି ଜାହାଜ ?
ଅଧିକାରୀମାନେ ଜଣାଇଛନ୍ତି ଯେ, ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ପାର୍ କରିଥିବା ୫୦ଟି ଜାହାଜ ମଧ୍ୟରୁ ୧୮ଟି ଭାରତୀୟ ପତାକାଧାରୀ ଜାହାଜ ଥିବା ବେଳେ ବାକି ୩୨ଟି ବିଦେଶୀ ପତାକାଧାରୀ ବାଣିଜ୍ୟିକ ଜାହାଜ ଥିଲା, ଯେଉଁଗୁଡ଼ିକ ଭାରତ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଣୁଥିଲେ। ଭାରତ ଆସିଥିବା ଏହି ଜାହାଜଗୁଡ଼ିକ ମଧ୍ୟରେ ସବୁଠାରୁ ଅଧିକ:
- ୧୯ଟି ବଲ୍କ କ୍ୟାରିଅର୍ (ସାଧାରଣ ଶୁଖିଲା ମାଲ୍ ପରିବହନକାରୀ ଜାହାଜ)
- ୧୪ଟି ଏଲ୍ପିଜି (LPG) ଗ୍ୟାସ୍ କ୍ୟାରିଅର୍
- ୧୨ଟି ଅଶୋଧିତ ତୈଳ (Crude Oil) ଟ୍ୟାଙ୍କର
- ୨ଟି ଏଲ୍ଏନ୍ଜି (LNG) କ୍ୟାରିଅର୍
- ୧ଟି କଣ୍ଟେନର୍ ଜାହାଜ – ସାମିଲ ରହିଛି।
ହର୍ମୁଜ ପ୍ରଣାଳୀ ଦୁନିଆର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ହୋଇଥିବାରୁ ଭାରତ ତାର ଆବଶ୍ୟକତାର ଏକ ବଡ଼ ଭାଗ ଖଣିଜ ତୈଳ ଏବଂ ଗ୍ୟାସ୍ ଏହି ମାର୍ଗ ଦେଇ ଆମଦାନୀ କରିଥାଏ। ତେଣୁ ଏହି ଜାହାଜଗୁଡ଼ିକର ସୁରକ୍ଷିତ ଯାତ୍ରା ଭାରତର ଶକ୍ତି ସୁରକ୍ଷା ପାଇଁ ଅତ୍ୟନ୍ତ ଆଶ୍ୱସ୍ତିକର ଖବର।

ତାମିଲନାଡୁର କାମରାଜର ବନ୍ଦରର ବଡ଼ ସଫଳତା
ଏହି ସାମୁଦ୍ରିକ ବାଣିଜ୍ୟ ସମ୍ପର୍କିତ ଖବର ମଧ୍ୟରେ ଭାରତର ଆନ୍ତରିକ ବନ୍ଦର ଭିତ୍ତିଭୂମିକୁ ନେଇ ଆଉ ଏକ ବଡ଼ ସଫଳତା ସାମ୍ନାକୁ ଆସିଛି। ତାମିଲନାଡୁର ସ୍ଥିତ ‘କାମରାଜର ବନ୍ଦର’ ଏବେ ୧୮ ମିଟର ଅପରେସନାଲ ଡ୍ରାଫ୍ଟ ର ସୁବିଧା ପ୍ରଦାନ କରୁଥିବା ଦେଶର ଦ୍ୱିତୀୟ ପ୍ରମୁଖ ସରକାରୀ ବନ୍ଦର ହେବାର ଗୌରବ ହାସଲ କରିଛି। ଏହା ପୂର୍ବରୁ କେବଳ ବିଶାଖାପାତନମ୍ ବନ୍ଦର ପାଖରେ ଏହି ସୁବିଧା ଥିଲା।
![]()
ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ସଫଳତା ସମ୍ପର୍କରେ କହିଛନ୍ତି ଯେ, ଏହା ଭାରତର ସାମୁଦ୍ରିକ ଭିତ୍ତିଭୂମିକୁ ଆଧୁନିକ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ମାଇଲଖୁଣ୍ଟ। ଏହାଦ୍ୱାରା ଦେଶକୁ ବଡ଼ ବଡ଼ କାର୍ଗୋ ଜାହାଜ ସହଜରେ ଆସିପାରିବ, ଯାହା ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବୈଶ୍ୱିକ ବାଣିଜ୍ୟକୁ ଆହୁରି ଦ୍ରୁତଗତି ପ୍ରଦାନ କରିବ।
ତେବେ ସୂଚାନଗତ ହର୍ମୁଜ ପ୍ରଣାଳୀ ନିକଟରେ ଉପସ୍ଥିତ ଥିବା ୯ଟି ଭାରତୀୟ ଜାହାଜ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ସେମାନେ ନିଜର ବ୍ୟବସାୟିକ କାର୍ଯ୍ୟ ଜାରି ରଖିଛନ୍ତି। ପଶ୍ଚିମ ଏସିଆର ସଙ୍କଟ ସତ୍ତ୍ୱେ ଭାରତ ସରକାର ଓ ନୌସେନାର ସତର୍କତା ଯୋଗୁଁ ସାମୁଦ୍ରିକ ବାଣିଜ୍ୟ କାରବାର ସ୍ୱାଭାବିକ ରହିଛି।


