ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ୍ (IPL) ଏକ ଏଭଳି ମଞ୍ଚ, ଯେଉଁଠି କେବଳ ପଡ଼ିଆ ଭିତରେ ଚୌକା-ଛକାର ବର୍ଷା ହୁଏନାହିଁ, ବରଂ ପଡ଼ିଆ ବାହାରେ ମଧ୍ୟ ସବୁବେଳେ ହଲଚଲ୍ ଚାଲିଥାଏ। ଆଇପିଏଲ୍ ୨୦୨୬ ସିଜନ୍ ଶେଷ ହେବା ମାତ୍ରେ ହିଁ ଆଗାମୀ ଆଇପିଏଲ୍ ୨୦୨୭କୁ ନେଇ କ୍ରିକେଟ ଦୁନିଆରେ ଏକ ବଡ଼ ଧରଣର ଗୁଜବ ଓ ଭୂକମ୍ପ ସୃଷ୍ଟି ହୋଇଛି। ଗତ କିଛି ଦିନ ହେବ ସୋସିଆଲ ମିଡିଆ ଏବଂ ଜାତୀୟ ଗଣମାଧ୍ୟମରେ ଏକ ଖବର ନିଆଁ ଭଳି ବ୍ୟାପିବାରେ ଲାଗିଛି ଯେ, ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ମୁମ୍ବାଇର ସାଥ୍ ଛାଡ଼ି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ବା CSK ରେ ସାମିଲ ହେବାକୁ ଯାଉଛନ୍ତି।
କିଛି ମିଡିଆ ରିପୋର୍ଟରେ ତ ଏହା ମଧ୍ୟ ଦାବି କରାଯାଇଛି ଯେ, ହାର୍ଦ୍ଦିକଙ୍କୁ ନିଜ ଦଳକୁ ଆଣିବା ପାଇଁ CSK, KKR ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏକ ବଡ଼ ଧରଣର ଟ୍ରେଡ୍ ୱାର୍ (Trade War) ବା ଲଢ଼େଇ ଆରମ୍ଭ ହୋଇଯାଇଛି। କିନ୍ତୁ ବନ୍ଧୁଗଣ, ଏହି ଭାଇରାଲ୍ ଖବରର ସତ୍ୟତା କଣ? କଣ ସତରେ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ସିଜନ୍ରେ ହଳଦିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ? ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାଶୀ ବିଶ୍ୱନାଥନ ଏହି କୋଟି ଟଙ୍କାର ପ୍ରଶ୍ନ ଉପରେ ଏବେ ଏକ ବଡ଼ ଓ ସ୍ପଷ୍ଟ ବୟାନ ଦେଇ ସମସ୍ତ ଗୁଜବ ଉପରେ ପୂର୍ଣ୍ଣଚେଦ ପକାଇଛନ୍ତି।
CSK ର ବଡ଼ ଖୁଲାସା ବିଷୟରେ ଜାଣିବା ପୂର୍ବରୁ ଆମକୁ ଏହା ବୁଝିବାକୁ ହେବ ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏଭଳି ଚର୍ଚ୍ଚା କାହିଁକି ଆରମ୍ଭ ହେଲା? ବାସ୍ତବରେ ଆଇପିଏଲ୍ ୨୦୨୬ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁହିଁଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଓ ଏକ ପ୍ରକାର ବିପର୍ଯ୍ୟୟ ଥିଲା। ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଦଳ ୧୪ଟି ମ୍ୟାଚ୍ରୁ ମାତ୍ର ୪ଟିରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଥିଲା।
କେବଳ ଜଣେ ଅଧିନାୟକ ଭାବେ ନୁହେଁ, ବରଂ ଜଣେ ଖେଳାଳି ଭାବରେ ମଧ୍ୟ ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ। ସେ ୧୦ଟି ମ୍ୟାଚ୍ ଖେଳି ମାତ୍ର ୨୦୬ ରନ୍ କରିଥିଲେ ଏବଂ ବୋଲିଂରେ ମାତ୍ର ୪ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ। ଯେବେଠାରୁ ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକଙ୍କୁ ମୁମ୍ବାଇର ଅଧିନାୟକ କରାଗଲା, ସେବେଠାରୁ ମୁମ୍ବାଇ ଡ୍ରେସିଂ ରୁମ୍ରେ ଫାଟ ସୃଷ୍ଟି ହେବା ସହ ହାର୍ଦ୍ଦିକଙ୍କୁ ପ୍ରବଳ ମାନସିକ ଚାପ ଓ ଟ୍ରୋଲିଂର ସାମ୍ନା କରିବାକୁ ପଡ଼ିଛି। ନିକଟରେ RCB ବିପକ୍ଷରେ ମ୍ୟାଚ୍ ହାରିବା ପରେ ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ନିଜ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଅନଫଲୋ କରିଦେଇଥିଲେ, ଯଦିଓ କିଛି ସମୟ ପରେ ସେ ପୁଣି ଫଲୋ କଲେ। ଏହି ଘଟଣା ପରେ ହିଁ ମିଡିଆରେ ଚର୍ଚ୍ଚା ଜୋର୍ ଧରିଲା ଯେ, ହାର୍ଦ୍ଦିକ ଏବେ ମୁମ୍ବାଇ ଛାଡ଼ିବା ପାଇଁ ସମ୍ପୂର୍ଣ୍ଣ ମନସ୍ଥ କରିସାରିଛନ୍ତି।
ତେବେ ଏହି ସମଗ୍ର ହଲଚଲ ଭିତରେ ଚେନ୍ନାଇ ସୁପର କିଙ୍ଗ୍ସର CEO କାଶୀ ବିଶ୍ୱନାଥନ ଗଣମାଧ୍ୟମ ସାମ୍ନାକୁ ଆସି ସତ୍ୟ ପ୍ରକାଶ କରିଛନ୍ତି। ସେ ଏହି ସମସ୍ତ ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ଭିତ୍ତିହୀନ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।
କାଶୀ ବିଶ୍ୱନାଥନ ସ୍ପଷ୍ଟ ଭାବେ କହିଛନ୍ତି ଯେ, “ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା କିମ୍ବା ଟ୍ରେଡ୍ କରିବା ନେଇ ଆମ ମ୍ୟାନେଜମେଣ୍ଟ ମଧ୍ୟରେ କୌଣସି ପ୍ରକାରର ଚର୍ଚ୍ଚା କିମ୍ବା ଆଲୋଚନା ହୋଇନାହିଁ। ଏଭଳି କୌଣସି ପ୍ରସ୍ତାବ ଆମ ଟେବୁଲ ଉପରେ ଏପର୍ଯ୍ୟନ୍ତ ନାହିଁ।”
ସେ ଆହୁରି ମଧ୍ୟ ବୁଝାଇଛନ୍ତି ଯେ, ବର୍ତ୍ତମାନ ଚେନ୍ନାଇ ସୁପର କିଙ୍ଗ୍ସର ପୂରା ମ୍ୟାନେଜମେଣ୍ଟ ଆମେରିକାରେ ଚାଲିଥିବା ‘ମେଜର ଲିଗ୍ କ୍ରିକେଟ୍’ ବା MLC ଉପରେ ଫୋକସ୍ କରୁଛି, ଯେଉଁଠି ସେମାନଙ୍କର ସହଯୋଗୀ ଦଳ ‘ଟେକ୍ସାସ ସୁପର କିଙ୍ଗ୍ସ’ ଖେଳୁଛି। ଆସନ୍ତା ଜୁଲାଇ ୧୮ ତାରିଖରେ MLC ସରିବା ପରେ ହିଁ ଚେନ୍ନାଇ ଦଳ ତା’ର ଗତ ସିଜନ୍ର ସମୀକ୍ଷା (Season Review) କରିବ ଏବଂ ତା’ ପରେ ହିଁ ଆଗାମୀ ଆଇପିଏଲ୍ ୨୦୨୭ର ଟ୍ରେଡ୍ ୱିଣ୍ଡୋରେ କେଉଁ ଖେଳାଳିଙ୍କୁ ନିଆଯିବ, ସେ ନେଇ ନିଷ୍ପତ୍ତି ହେବ। ଅର୍ଥାତ୍, CSK ପକ୍ଷରୁ ଏବେ ଏହି ଡିଲ୍କୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରାଯାଇଛି।
କେବଳ CSK ନୁହେଁ, ବରଂ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମଧ୍ୟ ଏହି ଟ୍ରେଡ୍ ଖବର ଉପରେ ପ୍ରତିକ୍ରିୟା ଆସିଛି। ମୁମ୍ବାଇ ଇଣ୍ଡିଆନ୍ସର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବାର୍ଷିକ ସାଧାରଣ ସଭା (AGM) ପରେ ଦଳ ତା’ର ପୋଷ୍ଟ-ସିଜନ୍ ସମୀକ୍ଷା ଆରମ୍ଭ କରିଛି। ଚଳିତ ବର୍ଷ ଏହି ସମୀକ୍ଷା ଅତ୍ୟନ୍ତ କଠୋର ହେବାକୁ ଯାଉଛି, କାରଣ ଗତ ୩ଟି ସିଜନ୍ ମଧ୍ୟରୁ ୨ଟିରେ ମୁମ୍ବାଇ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି।
ମୁମ୍ବାଇ ମ୍ୟାନେଜମେଣ୍ଟ କହିଛି ଯେ, ବର୍ତ୍ତମାନ ସେମାନେ କୌଣସି ବି ଦଳ ସହ ଖେଳାଳି ଟ୍ରେଡ୍ ନେଇ କଥାବାର୍ତ୍ତା କରୁନାହାନ୍ତି। ସେମାନେ କେବଳ ଖେଳାଳିଙ୍କ ପ୍ରଦର୍ଶନ ନୁହେଁ, ବରଂ କୋଚିଂ ଷ୍ଟାଫ୍ ଏବଂ ସପୋର୍ଟ ସେଟ୍ଅପ୍ର ମଧ୍ୟ ମୂଲ୍ୟାଙ୍କନ କରୁଛନ୍ତି। ଏହି ସମୀକ୍ଷା ଶେଷ ହେବା ପରେ ହିଁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ଅଧିନାୟକ ରହିବେ ନା ଦଳ ଛାଡ଼ିବେ, ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କିନ୍ତୁ ଏହା ସ୍ପଷ୍ଟ ଯେ, KKR, ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଭଳି ଅନେକ ଦଳ ହାର୍ଦ୍ଦିକଙ୍କୁ ଅଧିନାୟକ ଭାବେ ନେବାକୁ ଆଗ୍ରହୀ ଅଛନ୍ତି। ଯଦି ମୁମ୍ବାଇ ତାଙ୍କୁ ଛାଡ଼େ, ତେବେ ତା’ ବଦଳରେ କୌଣସି ବଡ଼ ଖେଳାଳି ବା All-Cash Deal ମାଧ୍ୟମରେ ହିଁ ଟ୍ରେଡ୍ ହେବ।
CSK ଏବଂ MI ଦୁଇଟି ଯାକ ଫ୍ରାଞ୍ଚାଇଜିଙ୍କ ସ୍ପଷ୍ଟୀକରଣରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଚେନ୍ନାଇ ସୁପର କିଙ୍ଗ୍ସକୁ ଯିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି OFFICIA ଆଲୋଚନା ହୋଇନାହିଁ। ଏହା କେବଳ ସୋସିଆଲ ମିଡିଆ ଏବଂ କ୍ରିକେଟ କରିଡରର ଏକ ଆଗୁଆ ଗୁଜବ ମାତ୍ର। କିନ୍ତୁ ଆଇପିଏଲ୍ ଇତିହାସରେ କିଛି ବି ଅସମ୍ଭବ ନୁହେଁ, କାରଣ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ କରାଇବା ପରେ ହାର୍ଦ୍ଦିକ ମୁମ୍ବାଇକୁ ଫେରିବା ମଧ୍ୟ ଦିନେ ଏକ ଗୁଜବ ଥିଲା, ଯାହା ପରେ ସତ ପ୍ରମାଣିତ ହୋଇଥିଲା। ତେଣୁ ଆଗାମୀ ଜୁଲାଇ ଶେଷ ଆଡ଼କୁ ଏହି ଚିତ୍ର ଆହୁରି ସ୍ପଷ୍ଟ ହେବ।
AlsoRead; https://purvapaksa.com/bjp-opens-haat-at-door-plays-are-going-on-at-shankha-bhavan/


