ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ ର ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ଏହାର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସଂସଦର ଶିକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟି ନିଟ୍ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ସରକାରଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି । କମିଟି କହିଛି ଯେ, ସାରା ଦେଶରେ ଗୋଟିଏ ଦିନରେ ଏହି ପରୀକ୍ଷା ଆୟୋଜନ କରିବା ପରିବର୍ତ୍ତେ UPSC ଶୈଳୀରେ ବିଭିନ୍ନ ରାଜ୍ୟରେ ଏକାଧିକ ପର୍ଯ୍ୟାୟ ବା ସିଫ୍ଟରେ ପରୀକ୍ଷା କରାଯାଉ । ଏହାଦ୍ୱାରା ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଉପରୁ ଚାପ ହ୍ରାସ ପାଇବା ସହ ସୁରକ୍ଷା ବ୍ୟବସ୍ଥା ଅଧିକ ମଜବୁତ ହୋଇପାରିବ ।
![]()
ସଂସଦୀୟ କମିଟିର ବୈଠକ କଂଗ୍ରେସ ସାଂସଦ ମୁକୁଲ ୱାସନିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର ମହାନିର୍ଦ୍ଦେଶକ ଅଭିଷେକ ସିଂ, ଉଚ୍ଚଶିକ୍ଷା ସଚିବ ବିନୀତ ଯୋଶୀ ଏବଂ ପରୀକ୍ଷା ସଂସ୍କାର ପାଇଁ ଗଠିତ ହାଇ-ପାୱାର କମିଟିର ଅଧ୍ୟକ୍ଷ ତଥା ଇସ୍ରୋର ପୂର୍ବତନ ମୁଖ୍ୟ ଡ. କେ. ରାଧାକୃଷ୍ଣନ ଉପସ୍ଥିତ ରହି ନିଜର ପ୍ରେଜେଣ୍ଟେସନ ଦେଇଥିଲେ । ବୈଠକରେ ଗତ ଜୁନ୍ ୨୧ ତାରିଖରେ ସଫଳତାର ସହ ଶେଷ ହୋଇଥିବା ନିଟ୍ ପୁନଃ-ପରୀକ୍ଷାର ଅଭିଜ୍ଞତା ଏବଂ ଭବିଷ୍ୟତର ସଂସ୍କାର ଉପରେ ଚର୍ଚ୍ଚା କରାଯାଇଥିଲା ।
NTA କୁ ବୈଧାନିକ ମାନ୍ୟତା ଦେବାକୁ ଦାବି
ସାଂସଦମାନେ ପ୍ରଶ୍ନ କରିଥିଲେ ଯେ, ଏନଟିଏ ଏତେ ବଡ଼ ପରୀକ୍ଷା ସ୍ୱାଧୀନ ଭାବେ କିପରି ପରିଚାଳନା କରିବ, କାରଣ ଜୁନ୍ ୨୧ର ପରୀକ୍ଷା ପାଇଁ ଅନେକ ସରକାରୀ ସଂସ୍ଥାର ସମନ୍ୱୟ ଆବଶ୍ୟକ ପଡ଼ିଥିଲା । ଏଥିପାଇଁ କମିଟି ସୁପାରିଶ କରିଛି ଯେ, ଏନଟିଏକୁ ଏକ ସୋସାଇଟି ବଦଳରେ ‘ବୈଧାନିକ ସଂସ୍ଥା’ ର ମାନ୍ୟତା ଦିଆଯାଉ ଏବଂ ଏହାର କ୍ଷମତା ବୃଦ୍ଧି କରାଯାଉ, ଯାହାଦ୍ୱାରା ସେମାନେ ସ୍ୱାଧୀନ ଓ ପ୍ରଭାବଶାଳୀ ଭାବେ ପରୀକ୍ଷା କରିପାରିବେ । ଏହାଛଡ଼ା, ଭବିଷ୍ୟତରେ ଯଦି ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ କରାଯାଏ, ତେବେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଦେଶରେ ଆବଶ୍ୟକୀୟ ଭିତ୍ତିଭୂମି ଆଗୁଆ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ପାଠ୍ୟକ୍ରମ ଅନୁସାରେ ଅଲଗା ପରୀକ୍ଷା କରିବା ପ୍ରସ୍ତାବ ନାକଚ
ବୈଠକରେ କେତେକ ସଦସ୍ୟ MBBS, ଆୟୁଷ ଏବଂ ନର୍ସିଂ ପାଠ୍ୟକ୍ରମ ପାଇଁ ପୃଥକ ପ୍ରବେଶିକା ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲେ, ଯେପରି ଗୋଟିଏ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମିପାରିବ । ମାତ୍ର ଏନଟିଏ ଅଧିକାରୀମାନେ ଏହାକୁ ଅବ୍ୟାବହାରିକ ବୋଲି ଦର୍ଶାଇ କହିଥିଲେ ଯେ, ବର୍ତ୍ତମାନ ଏହି ସମସ୍ତ ପାଠ୍ୟକ୍ରମରେ ନାମଲେଖା କେବଳ ନିଟ୍ ସ୍କୋର ଆଧାରରେ ହେଉଛି। ଏହି ସୁପାରିଶଗୁଡ଼ିକ ଉପରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଏବଂ ଏହା ମଞ୍ଜୁର ହେଲେ ୨୦୨୭ ଶିକ୍ଷା ବର୍ଷରୁ ଲାଗୁ ହେବାର ସମ୍ଭାବନା ରହିଛି।
Also read : https://purvapaksa.com/whatsapps-username-feature-blocked-centre-seeks-metas-response-within-3-days/


