ଦେଶର ଶିଳ୍ପ ଉତ୍ପାଦନ କ୍ଷେତ୍ରରୁ ଏକ ସକାରାତ୍ମକ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ମେ’ ମାସରେ ଭାରତର ଶିଳ୍ପ ଅଭିବୃଦ୍ଧି ହାର ବୃଦ୍ଧି ପାଇ ୫.୧% ରେ ପହଞ୍ଚିଛି, ଯାହା ଏପ୍ରିଲ ମାସରେ ୪.୯% ରହିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ସଦ୍ୟତମ ସୂଚନା ଅନୁଯାୟୀ, ମାନୁଫ୍ୟାକ୍ଚରିଂ ଏବଂ ବିଦ୍ୟୁତ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଯୋଗୁଁ ଦେଶର ଶିଳ୍ପ କ୍ଷେତ୍ରରେ ଏହି ଦ୍ରୁତ ଅଗ୍ରଗତି ଦେଖିବାକୁ ମିଳିଛି।
ନୂଆ ସିରିଜ୍ ଆଧାରରେ ତଥ୍ୟ ପ୍ରକାଶ
ସରକାରଙ୍କ ଦ୍ୱାରା ନିକଟରେ ବଦଳାଯାଇଥିବା ଆଧାର ବର୍ଷ ୨୦୨୨-୨୩ ଅନୁଯାୟୀ ଏହା ଦ୍ୱିତୀୟ ମାସିକ ଶିଳ୍ପ ଉତ୍ପାଦନ ସୂଚକାଙ୍କ ରିପୋର୍ଟ। ଶିଳ୍ପ ଅଭିବୃଦ୍ଧିର ପ୍ରକୃତ ଚିତ୍ର ସାମ୍ନାକୁ ଆଣିବା ପାଇଁ ସରକାର ଏହି ନୂତନ ବ୍ୟବସ୍ଥା ଆପଣାଇଛନ୍ତି। ମେ’ ୨୦୨୫ ରେ ଶିଳ୍ପ ଅଭିବୃଦ୍ଧି ହାର ୩.୪ ପ୍ରତିଶତ ଥିବାବେଳେ, ଚଳିତ ବର୍ଷ ମେ’ ମାସରେ ଏହା ୫.୧% କୁ ବୃଦ୍ଧି ପାଇବା ଅର୍ଥନୀତିର ସୁଦୃଢ଼ ସ୍ଥିତିକୁ ଦର୍ଶାଉଛି।
ମାନୁଫ୍ୟାକ୍ଚରିଂ ଓ ବିଦ୍ୟୁତ କ୍ଷେତ୍ରର ବଡ଼ ଯୋଗଦାନ

ମାନୁଫ୍ୟାକ୍ଚରିଂ ସେକ୍ଟର : ଶିଳ୍ପ ସୂଚକାଙ୍କରେ ସବୁଠାରୁ ବଡ଼ ଭାଗିଦାରୀ (ପ୍ରାୟ ୭୬%) ରଖୁଥିବା ମାନୁଫ୍ୟାକ୍ଚରିଂ ବା ଉତ୍ପାଦନ କ୍ଷେତ୍ର ଚଳିତ ମେ’ ମାସରେ ୫.୫ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଏହି ସେକ୍ଟରର ୨୩ଟି ପ୍ରମୁଖ ଗ୍ରୁପ୍ ମଧ୍ୟରୁ ୧୬ଟି ଗ୍ରୁପ୍ ସକାରାତ୍ମକ ଅଭିବୃଦ୍ଧି ରେକର୍ଡ କରିଛନ୍ତି। ବିଶେଷ କରି ଇଲେକ୍ଟ୍ରିକାଲ୍ ସାମଗ୍ରୀ (୨୦.୮%) ଏବଂ ମୋଟର ଯାନ ଉତ୍ପାଦନରେ (୧୪.5%) ବଡ଼ ଉନ୍ନତି ହୋଇଛି।
ବିଦ୍ୟୁତ ଓ ଗ୍ୟାସ୍ ଯୋଗାଣ : ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଯୋଗୁଁ ବିଦ୍ୟୁତ ଚାହିଦା ବଢ଼ିବାରୁ ଏହି କ୍ଷେତ୍ରରେ ସବୁଠାରୁ ଅଧିକ ଅର୍ଥାତ୍ ୯.୯% ର ଦମଦାର ଅଭିବୃଦ୍ଧି ଘଟିଛି।
ପଛରେ ପଡ଼ିଲା ମାଇନିଂ ସେକ୍ଟର : ଅନ୍ୟ ସମସ୍ତ କ୍ଷେତ୍ର ଆଗକୁ ବଢ଼ୁଥିବା ବେଳେ ମାଇନିଂ କ୍ଷେତ୍ରରେ ହ୍ରାସ ଦେଖାଦେଇଛି। ମେ’ ମାସରେ ଖଣି ଉତ୍ପାଦନ ହାର (-) ୧.୬% କୁ ଖସି ଆସିଛି।
ପୁଞ୍ଜିନିବେଶ ଓ ରୋଜଗାର ବଢ଼ିବା ଆଶା
![]()
ସବୁଠାରୁ ଆଶ୍ୱାସନାଜନକ କଥା ହେଉଛି, କାରଖାନାରେ ମେସିନାରୀ ପାଇଁ ବ୍ୟବହୃତ ହେଉଥିବା ‘କ୍ୟାପିଟାଲ୍ ଗୁଡ୍ସ’ (ପୁଞ୍ଜିଗତ ସାମଗ୍ରୀ) ର ଉତ୍ପାଦନ ଏହି ମାସରେ ୧୨.୯% ବୃଦ୍ଧି ପାଇଛି। ଏହା ସୂଚାଉଛି ଯେ ଦେଶରେ ନୂତନ ପୁଞ୍ଜିନିବେଶ ବଢ଼ୁଛି ଏବଂ କାରଖାନାଗୁଡ଼ିକର ସମ୍ପ୍ରସାରଣ ହେଉଛି। ଏହାଦ୍ୱାରା ଆଗାମୀ ଦିନରେ ବଜାରରେ ଚାହିଦା ବଢ଼ିବା ସହ ବହୁ ସଂଖ୍ୟାରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆର୍ଥିକ ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି।


