ଗୁଜରାଟର ପ୍ରସିଦ୍ଧ ହୀରା ବ୍ୟବସାୟୀ କେତନ ଭାୟାନୀ ହତ୍ୟାକାଣ୍ଡ ମାମଲାରେ ପୋଲିସ ତଦନ୍ତରୁ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ମୁଖ୍ୟ ଅଭିଯୁକ୍ତ ମହିଳା ସିୟା ପଟେଲ୍ ହତ୍ୟାକାଣ୍ଡ ଘଟାଇବା ପୂର୍ବରୁ କେତନଙ୍କଠାରୁ ଶପିଂ କରିବା ବାହାନାରେ ପ୍ରାୟ ୧ କୋଟି ଟଙ୍କା ହାତେଇଥିଲା। ତେବେ ସେ ଏହି ଟଙ୍କାରେ ନିଜ ପାଇଁ ଶପିଂ ନକରି, ନିଜର ପ୍ରେମିକ ଶରଦ ଘୋଡେଲକରକୁ ହସ୍ତାନ୍ତର କରିଥିବା ପୋଲିସ ସୂଚନା ଦେଇଛି।

ବ୍ଲାକମେଲ୍ କରି ଆଦାୟ କରୁଥିଲା ଟଙ୍କା
ପୋଲିସର କହିବା ଅନୁଯାୟୀ, ସିୟା ଏବଂ ତାର ପ୍ରେମିକ ଶରଦ ମିଶି ବ୍ୟବସାୟୀ କେତନ ଭାୟାନୀଙ୍କୁ ଲୁଟ୍ କରିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଥିଲେ। ସିୟା ପ୍ରଥମେ କେତନଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା ଏବଂ ପରେ କେତେକ ଆପତ୍ତିଜନକ ଫଟୋ ଓ ଭିଡିଓ ଜରିଆରେ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା। ବଦନାମ ହେବା ଭୟରେ କେତନ ବିଭିନ୍ନ ସମୟରେ ସିୟାକୁ ଲକ୍ଷ ଲକ୍ଷ ଟଙ୍କା ଦେଇଆସୁଥିଲେ। ନିକଟରେ ସେ ଶପିଂ କରିବା ନାଁରେ କେତନଙ୍କଠାରୁ ୧ କୋଟି ଟଙ୍କା ଆଦାୟ କରିଥିଲା ଏବଂ ସେହି ସମସ୍ତ ଅର୍ଥ ନିଜ ପ୍ରେମିକକୁ ଦେଇ କେତନଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସାଥୀ ହୋଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।
ଟଙ୍କା ସରିବା ପରେ ରଚାଗଲା ହତ୍ୟାର ସାଜିଶ

ଯେତେବେଳେ କେତନ ଆଉ ଅଧିକ ଟଙ୍କା ଦେବାକୁ ମନା କଲେ ଏବଂ ପୋଲିସର ଆଶ୍ରୟ ନେବାକୁ ଚେମତାଇଲେ, ସେତେବେଳେ ସିୟା ଓ ଶରଦ ଧରାପଡ଼ିଯିବା ଭୟରେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଯୋଜନା ମୁତାବକ, ସିୟା କେତନଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲା, ସେଠାରେ ଉଭୟ ପ୍ରେମୀଯୁଗଳ ମିଶି ତାଙ୍କୁ ବିଷାକ୍ତ ଦ୍ରବ୍ୟ ଦେଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ସେମାନେ କେତନଙ୍କ ମୃତଦେହକୁ ଏକ କାର୍ ଭିତରେ ରଖି ଜାଳି ଦେଇଥିଲେ।
ଅଭିଯୁକ୍ତ ଗିରଫ, ଟଙ୍କା ଜବତ ପାଇଁ ଖୋଳତାଳ

କେତନ ନିଖୋଜ ହେବା ନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ପୋଲିସ ମୋବାଇଲ୍ ଲୋକେସନ ଓ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ସିୟା ଏବଂ ଶରଦକୁ ଗିରଫ କରିଛି। ପୋଲିସ ବର୍ତ୍ତମାନ ସେହି ୧ କୋଟି ଟଙ୍କା କେଉଁଠି ଲୁଚାଇ ରଖାଯାଇଛି, ତାହାର ସନ୍ଧାନ କରୁଛି। ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଏଭଳି ପ୍ରେମ ଏବଂ ଟଙ୍କା ଲୋଭରେ ହତ୍ୟା କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।


