ସାଧାରଣତଃ ଶରୀରର ଓଜନ ବଢ଼ିଲେ ବେକ ପଛପଟେ କିମ୍ବା କାନ୍ଧ ମଝିରେ ଚର୍ବି ଜମି ମାଂସପିଣ୍ଡୁଳା ଭଳି ଫୁଲିଯାଏ। ଡାକ୍ତରୀ ଭାଷାରେ ଏହାକୁ ‘ଡୋରସୋସର୍ଭାଇକାଲ୍ ଫ୍ୟାଟ୍ ପ୍ୟାଡ୍’ ଏବଂ ସାଧାରଣ ଭାଷାରେ ‘ବଫାଲୋ ହମ୍ପ’ ବୋଲି କୁହାଯାଏ। ଅନେକ ଲୋକ ଏହାକୁ କେବଳ ଅଧିକ ମୋଟା ହେବାର ଏକ ସାଧାରଣ ପ୍ରଭାବ ଭାବି ଅଣଦେଖା କରିଦିଅନ୍ତି। ମାତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହା କେବଳ ଓଜନ ବୃଦ୍ଧି ଯୋଗୁଁ ହୋଇନଥାଏ, ବରଂ ଶରୀରରେ ଘଟୁଥିବା ଗମ୍ଭୀର ହରମୋନ୍ ଅସନ୍ତୁଳନ ର ଏକ ପ୍ରମୁଖ ସଙ୍କେତ ହୋଇପାରେ।

କାହିଁକି ହୁଏ ଏହି ସମସ୍ୟା?
କୁସିଙ୍ଗ ସିଣ୍ଡ୍ରୋମ୍ : ଯେତେବେଳେ ଆମ ଶରୀରରେ ‘କର୍ଟିସୋଲ୍’ ନାମକ ଷ୍ଟ୍ରେସ୍ ବା ଚାପ ହରମୋନ୍ର ମାତ୍ରା ଅତ୍ୟଧିକ ବଢ଼ିଯାଏ, ସେତେବେଳେ କୁସିଙ୍ଗ ସିଣ୍ଡ୍ରୋମ୍ ଦେଖାଦିଏ। ଏହି କାରଣରୁ ଶରୀରର ଉପର ଭାଗ, ବିଶେଷ କରି ବେକ ପଛପଟ ଏବଂ ପେଟରେ ଅସ୍ୱାଭାବିକ ଭାବେ ଚର୍ବି ଜମିବାକୁ ଲାଗେ।
ଷ୍ଟେରଏଡ୍ ଔଷଧର ଅତ୍ୟଧିକ ବ୍ୟବହାର : ଆଜ୍ମା, ଆର୍ଥ୍ରାଇଟିସ୍ କିମ୍ବା ଚର୍ମ ରୋଗ ଭଳି କ୍ରୋନିକ୍ ସମସ୍ୟାର ଚିକିତ୍ସା ପାଇଁ ଯେଉଁ ରୋଗୀମାନେ ଦୀର୍ଘ ସମୟ ଧରି ଓରାଲ୍ ଷ୍ଟେରଏଡ୍ ଔଷଧ ଖାଉଛନ୍ତି, ସେମାନଙ୍କ ଶରୀରରେ ଏଭଳି ହମ୍ପ ବା ମାଂସପିଣ୍ଡୁଳା ସୃଷ୍ଟି ହେବାର ଆଶଙ୍କା ଅଧିକ ଥାଏ।
ଖରାପ ପୋଶ୍ଚର : ଆଜିକାଲି ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ଆଗରେ ବେକ ନୁଆଁଇ ବସିବା କିମ୍ବା ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ମଧ୍ୟ ମେରୁଦଣ୍ଡର ଆକୃତି ଉପରେ ପ୍ରଭାବ ପଡ଼େ, ଯାହା ଏହି ସମସ୍ୟାକୁ ଆହୁରି ବଢ଼ାଇଦିଏ।
ଏହାର ଅନ୍ୟାନ୍ୟ ଲକ୍ଷଣ ଓ ପ୍ରତିକାର

ଯଦି ବେକ ପଛପଟ ଫୁଲିବା ସହ ଆପଣଙ୍କ ଚେହେରା ଗୋଲାକାର ହେବାକୁ ଲାଗୁଛି, ହାତ-ଗୋଡ଼ ପତଳା ହୋଇ ପେଟର ଚର୍ବି ବଢ଼ୁଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ହରମୋନ୍ ଟେଷ୍ଟ କରାଇବା ଉଚିତ।
ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଭାବେ ବେକ ଏବଂ କାନ୍ଧର ବ୍ୟାୟାମ କରନ୍ତୁ, ବସିବା ଓ ଛିଡ଼ା ହେବା ସମୟରେ ନିଜ ପୋଶ୍ଚର ସିଧା ରଖନ୍ତୁ ଏବଂ ବିନା ଡାକ୍ତରୀ ପରାମର୍ଶରେ କୌଣସି ପ୍ରକାର ଷ୍ଟେରଏଡ୍ ଔଷଧ ସେବନ କରନ୍ତୁ ନାହିଁ। ଓଜନ ନିୟନ୍ତ୍ରଣ କରିବା ସହ ସନ୍ତୁଳିତ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାରୁ ରକ୍ଷା ମିଳିପାରିବ।


