ସ୍ୱଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତିର ସବୁଠାରୁ ବଡ଼ ଉତ୍ସ କୁହାଯାଉଥିବା ସୌର ଶକ୍ତି ଉପରେ ଏବେ ପ୍ରଦୂଷଣର କଳା ବାଦଲ ଦେଖାଦେଇଛି। ଦେଶର ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ସୋଲାର ପାୱାର ସଙ୍କଟ ଦେଖାଦେବାର ଆଶଙ୍କା ପ୍ରକାଶ ପାଇଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି କୋଇଲା ଚାଳିତ ଥର୍ମାଲ ପାୱାର ପ୍ଲାଣ୍ଟଗୁଡ଼ିକରୁ ନିର୍ଗତ ହେଉଥିବା ମାରାତ୍ମକ ପ୍ରଦୂଷଣ, ଯାହା ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକକୁ ସୋଲାର ପ୍ୟାନେଲ ପର୍ଯ୍ୟନ୍ତ ପହଞ୍ଚିବାକୁ ଦେଉନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, ଏହି କାରଣରୁ ଉତ୍ତର ଭାରତରେ ପ୍ରାୟ ୨୦% ପର୍ଯ୍ୟନ୍ତ ସୌର ଶକ୍ତି ଉତ୍ପାଦନ ହ୍ରାସ ପାଉଛି।

ସୂର୍ଯ୍ୟ କିରଣ ଉପରେ କଳା ଧୂଆଁର ପରଦା
ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି କଲେଜ ଲଣ୍ଡନ (UCL) ର ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, କୋଇଲା ପ୍ଲାଣ୍ଟରୁ ବାହାରୁଥିବା ପ୍ରଦୂଷଣ ଓ ଧୂଳିକଣା ବାୟୁମଣ୍ଡଳରେ ଏକ ମୋଟା ଆସ୍ତରଣ ସୃଷ୍ଟି କରୁଛି। ଫଳରେ ସୋଲାର ପ୍ୟାନେଲ ଉପରେ ଆବଶ୍ୟକୀୟ ସୂର୍ଯ୍ୟ କିରଣ ପଡ଼ିପାରୁ ନାହିଁ ଏବଂ ପ୍ରତି ସ୍ତରରେ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଏହି ପ୍ରଦୂଷଣ ଯୋଗୁଁ ବିଶ୍ୱସ୍ତରରେ ପୂର୍ବ ଚୀନ ଏବଂ ଉତ୍ତର ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଉତ୍ତର ଭାରତରେ ହାରାହାରି ୨୦% ଏବଂ ଦିଲ୍ଲୀ NCR ଅଞ୍ଚଳରେ ପ୍ରାୟ ୧୭% ସୌର ଶକ୍ତି ନଷ୍ଟ ହେଉଛି।
ବିଶ୍ୱସ୍ତରରେ ବିପୁଳ ପରିମାଣର ବିଦ୍ୟୁତ ହାନି

ସାରା ବିଶ୍ୱରେ ପ୍ରଦୂଷଣ କାରଣରୁ ସୌର ଶକ୍ତି ଉତ୍ପାଦନରେ ୫.୮% ହ୍ରାସ ରେକର୍ଡ କରାଯାଇଛି, ଯାହା ପ୍ରାୟ ୧୧୧ ଟେରାୱାଟ ଆୱାର ସ୍ୱଚ୍ଛ ବିଦ୍ୟୁତ ସହ ସମାନ। ଏହି ନଷ୍ଟ ହୋଇଥିବା ଶକ୍ତି ପ୍ରାୟ ୧୮ଟି ମଧ୍ୟମ ଧରଣର କୋଇଲା ପ୍ଲାଣ୍ଟରୁ ବାର୍ଷିକ ଉତ୍ପାଦିତ ହେଉଥିବା ମୋଟ ବିଦ୍ୟୁତ ସହ ସମାନ ଅଟେ।
କେଉଁ ଦେଶରେ କେତେ ପ୍ରତିଶତ କ୍ଷତି ?
ପ୍ରଦୂଷଣ ଯୋଗୁଁ ସୋଲାର ପାୱାର ଉତ୍ପାଦନ ହରାଉଥିବା ପ୍ରମୁଖ ଦେଶଗୁଡ଼ିକର ତାଲିକା ଏହିପରି ରହିଛି:
| ଦେଶ | ସୌର ଶକ୍ତି ଉତ୍ପାଦନରେ ହ୍ରାସ (ପ୍ରତିଶତ) |
| ଭାରତ | ୯.୬% |
| ଚୀନ | ୭.୯% |
| ଜାପାନ | ୫.୪% |
| ଜର୍ମାନୀ | ୪.% |
| ଆମେରିକା | ୩.୧% |
| ସ୍ପେନ | ୩.୧% |

ନିୟମ ଉଲ୍ଲଂଘନକାରୀ ପ୍ଲାଣ୍ଟ ଉପରେ ଜରିମାନା
ଉଲ୍ଲେଖଯୋଗ୍ୟ ଯେ, ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ନିକଟରେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ଥିବା କେତେକ କୋଇଲା ପାୱାର ପ୍ଲାଣ୍ଟ ଉପରେ ପ୍ରଦୂଷଣ ନିୟମ ପାଳନ ନକରିବା ଅଭିଯୋଗରେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି। ସରକାର ଗୋଟିଏ ପଟେ ‘PM ସୂର୍ଯ୍ୟ ଘର ଯୋଜନା’ ଜରିଆରେ ଲୋକଙ୍କୁ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ପ୍ରୋତ୍ସାହିତ କରୁଥିବାବେଳେ, ଅନ୍ୟପଟେ ବଢ଼ୁଥିବା ବାୟୁ ପ୍ରଦୂଷଣ ଏହି ଅଭିଯାନ ପାଇଁ ଏକ ବଡ଼ ଆହ୍ୱାନ ସାଜିଛି।


