ଦେଶର ପଥଚାରୀମାନଙ୍କ ପାଇଁ ଏକ ବଡ଼ ଏବଂ ସୁଦୂରପ୍ରସାରୀ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସୁରକ୍ଷିତ ତଥା ଅବରୋଧମୁକ୍ତ ଫୁଟପାଥ୍ରେ ଚାଲିବା ନାଗରିକମାନଙ୍କର ଏକ ‘ମୌଳିକ ଅଧିକାର’ । ସମ୍ବିଧାନର ଅନୁଚ୍ଛେଦ ୧୯(୧)(ଡି) ଅଧୀନରେ ମିଳିଥିବା ମୁକ୍ତ ଭାବେ ବୁଲିବା ସ୍ୱାଧୀନତା ଏବଂ ଅନୁଚ୍ଛେଦ ୨୧ ଅଧୀନରେ ଥିବା ଜୀବନ ଜୀବିକାର ଅଧିକାରର ଏହା ଏକ ଅବିଚ୍ଛେଦ୍ୟ ଅଂଶ। ଜଷ୍ଟିସ୍ ପି. ଏସ୍. ନରସିଂହ ଏବଂ ଜଷ୍ଟିସ୍ ଏ. ଏସ୍. ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମୋଟର ଦୁର୍ଘଟଣା ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି।

ମୋଟର ଗାଡ଼ି ଅପେକ୍ଷା ପଥଚାରୀଙ୍କୁ ମିଳିବ ପ୍ରାଥମିକତା
ରାୟ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ସ୍ୱତନ୍ତ୍ର ଭାବେ ଚିହ୍ନିତ ଫୁଟପାଥ୍ ଗୁଡ଼ିକ ଉପରେ ପଥଚାରୀଙ୍କ ପ୍ରାଥମିକ ଅଧିକାର ରହିଛି। ମୋଟର ଯାନ ବା ଗାଡ଼ି ଚଳାଚଳ ଏବଂ ସେଗୁଡ଼ିକର ସୁବିଧା ଅପେକ୍ଷା ଚାଲି ଚାଲି ଯାଉଥିବା ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ। ଯଦି କୌଣସି ସ୍ଥାନରେ ରାସ୍ତା ତିଆରି ହେଉଛି, ତେବେ ସେଠାରେ ପଥଚାରୀଙ୍କ ପାଇଁ ସୁରକ୍ଷିତ ଓ ସ୍ପଷ୍ଟ ଫୁଟପାଥ୍ ନିର୍ମାଣ ତଥା ଏହାର ରକ୍ଷଣାବେକ୍ଷଣ କରିବା ପ୍ରଶାସନର ଏକ ବାଧ୍ୟତାମୂଳକ କର୍ତ୍ତବ୍ୟ। ସାଧାରଣ ସ୍ଥାନ ବା ରାସ୍ତାଘାଟ କେବଳ ମୋଟର ଗାଡ଼ି ମାଲିକ କିମ୍ବା ଚାଳକଙ୍କ ଏକଚାଟିଆ ଅଧିକାର ନୁହେଁ।

ପଞ୍ଚାୟତରୁ କର୍ପୋରେସନ; ସମସ୍ତଙ୍କ ଉପରେ ଦାୟିତ୍ୱ
ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଗର ଉନ୍ନୟନ କର୍ତ୍ତୃପକ୍ଷ, ମ୍ୟୁନିସିପାଲିଟି କର୍ପୋରେସନ, ପୌରପାଳିକା ଏବଂ ଗ୍ରାମାଞ୍ଚଳରେ ପଞ୍ଚାୟତ ଗୁଡ଼ିକର ଏହା ସାମ୍ବିଧାନିକ ଦାୟିତ୍ୱ ଯେ ସେମାନେ ଫୁଟପାଥ୍ଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହାକୁ ସୁରକ୍ଷିତ ରଖିବେ। ବର୍ତ୍ତମାନ ସମୟରେ ଫୁଟପାଥ୍ ଗୁଡ଼ିକରେ ବେଆଇନ ପାର୍କିଂ କରାଯାଉଥିବାରୁ କିମ୍ବା ଜବରଦଖଲ ଯୋଗୁଁ ପଥଚାରୀଙ୍କ ପାଇଁ ଜାଗା ବ୍ରତନାହିଁ, ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଯଦି ଏହି ଅଧିକାର କ୍ଷୁଣ୍ଣ ହୁଏ, ତେବେ ନାଗରିକମାନେ କ୍ଷତିପୂରଣ ଏବଂ ଆଇନଗତ ପ୍ରତିକାର ପାଇଁ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ।
୫ ବର୍ଷର ଶିଶୁର ମୃତ୍ୟୁ ପରେ ବଦଳିଲା ଆଇନର ଦୃଷ୍ଟିଭଙ୍ଗୀ

ଏହି ଐତିହାସିକ ମାମଲାର ପୃଷ୍ଠଭୂମି ଅତ୍ୟନ୍ତ ଦୁଃଖଦ ଥିଲା। ସ୍କୁଲ ଯାଉଥିବା ଜଣେ ୫ ବର୍ଷର ଶିଶୁ ନିଜ ପିତାଙ୍କ ସହ ଚାଲି ଚାଲି ଯାଉଥିବା ସମୟରେ ପଛପଟୁ ଏକ ପାଣି ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା, ଯେଉଁଥିରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରି କୋର୍ଟ କହିଛନ୍ତି ଯେ, ବର୍ତ୍ତମାନର ମୋଟର ଯାନ ଆଇନ-୧୯୮୮ କେବଳ ଗାଡ଼ିକୁ ମୁଖ୍ୟ ବିଷୟ ବୋଲି ଭାବିଥାଏ ଏବଂ ମଣିଷର ହିତକୁ ଗୌଣ ମଣିଥାଏ। ପଥଚାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ଏବଂ ରେଗୁଲେଟରୀ ବଡି ଗଠନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ଆଇନ କମିଶନଙ୍କୁ ସୁପାରିଶ କରିଛନ୍ତି।
Also read : https://purvapaksa.com/icgs-akshay-joins-indian-coast-guard-becomes-new-weapon-for-enemy-at-sea/


