- ନିଷେଧାଦେଶ ଜାରି
- ସ୍କୁଲକଲେଜ ବନ୍ଦ
- ଦୁଇ ମହିଳାଙ୍କ ସମେତ ୨୧ ଅଟକ
ଅସମ୍ଭାଳ ସମ୍ଭାଲ ହିଂସା। ରବିବାର ମୋଗଲ ଯୁଗର ଏକ ମସଜିଦ୍ ସର୍ଭେ ବେଳେ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ସୁରକ୍ଷା ଓ ପ୍ରଶାସନିକ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଦେଶ ଜାରି କରିବା ସହ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି। ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବ୍ୟବସ୍ଥା ଅନୁଯାୟୀ ଏହି ଆଦେଶ ଜାରି କରାଯାଇଛି ବୋଲି ରବିବାର ବିଳମ୍ବିତ ରାତିରେ ଜିଲ୍ଲାପାଳ ରାଜେନ୍ଦ୍ର ପେନସିଆ ସୂଚନା ଦେଇଛନ୍ତି। ଦକ୍ଷ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବାହାର ଲୋକ, ଅନ୍ୟ ସାମାଜିକ ସଂଗଠନ କିମ୍ବା ଜନପ୍ରତିନିଧି ଜିଲ୍ଲା ସୀମାଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଆଦେଶକୁ ଉଲ୍ଲଂଘନ କଲେ ବିଏନଏସର ଧାରା ୨୨୩ (ସରକାରୀ କର୍ମଚାରୀଙ୍କ ଆଦେଶକୁ ଅବମାନନା) ଅନୁଯାୟୀ ଦଣ୍ଡନୀୟ ହେବ।
ମୋରଦାବାଦର ଡିଆଇଜି ମୁନିରାଜ ସୋମବାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରବିବାର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ତିନି ଜଣ ନଇମ, ବିଲାଲ ଏବଂ ନୌମାନଙ୍କୁ ମାଟି ତଳେ ପୋତି ଦିଆଯାଇଛି। ତିନିଜଣଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ। ଜାମା ମସଜିଦ ସର୍ଭେକୁ ବିରୋଧ କରୁଥିବା ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହେବା ପରେ ରବିବାର ଜିଲ୍ଲାରେ ହିଂସା କାଣ୍ଡ ଘଟିଥିଲା। ବିକ୍ଷୋଭକାରୀମାନେ ଅନେକ ଗାଡ଼ିରେ ନିଆଁ ଲଗାଇବା ସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ସୁରକ୍ଷାକର୍ମୀମାନେ ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ଲୁହବୁହା ଗ୍ୟାସ୍ ଓ ଲାଠି ଚାଳନା କରିଥିଲେ। ମୋରଦାବାଦ ଡିଭିଜନାଲ କମିଶନର ଅଞ୍ଜନେୟ କୁମାର ସିଂହ କହିଛନ୍ତି, ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଏହି ହିଂସାକାଣ୍ଡରେ ପୁଲିସ ଅଧୀକ୍ଷକଙ୍କ ପିଆରଓଙ୍କ ଗୋଡ଼ରେ ଗୁଳି ବାଜିଛି, ସର୍କଲ ଅଫିସରଙ୍କ ଗୋଡ଼ରେ ଗୁଳି ବାଜିଛି ଏବଂ ୧୫ରୁ ୨୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ଏଥିରେ ଜଣେ କନଷ୍ଟେବଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଉପଜିଲ୍ଲାପାଳଙ୍କ ଗୋଡ଼ ଭାଙ୍ଗିଯାଇଛି। ଦୁଇ ଜଣ ମହିଳାଙ୍କ ସମେତ ୨୧ ଜଣଙ୍କୁ ଅଟକ ରଖାଯାଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି । ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନୁଯାୟୀ ମାମଲା ରୁଜୁ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଜିଲ୍ଲାପାଳ ପେନସିଆ କହିଛନ୍ତି, ମୃତକଙ୍କ ସଂଖ୍ୟା ୩ ରହିଛି। ଦୁଇ ଜଣଙ୍କ ମୃତ୍ୟୁର କାରଣ ଦେଶୀ ପିସ୍ତଲରୁ ଗୁଳି ବାଜିଛି। ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ପରେ ହେବ। ସମ୍ଭାଲ ତହସିଲରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସୋମବାର ପାଇଁ ସମସ୍ତ ସ୍କୁଲକଲେଜ ଛୁଟି ଘୋଷଣା କରିଛନ୍ତି।
ନଭେମ୍ବର ୧୯ ତାରିଖରୁ ସମ୍ଭାଲରେ ଉତ୍ତେଜନା ଲାଗି ରହିଥିଲା ଯେତେବେଳେ ଜାମା ମସଜିଦରେ ହରିହର ମନ୍ଦିର ରହିଛି ବୋଲି ଦାବି କରି ଏକ ପିଟିସନ ପରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ସର୍ଭେ କରାଯାଇଥିଲା।ରବିବାର ସକାଳୁ ସର୍ଭେ ଟିମ୍ କାମ ଆରମ୍ଭ କରିବା ପରେ ମସଜିଦ ନିକଟରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ନାରାବାଜି କରିବା ଆରମ୍ଭ କରିଥିଲେ। ଜିଲ୍ଲା ଅଧିକାରୀମାନେ କହିଛନ୍ତି ଯେ ସର୍ବେକ୍ଷଣ ମଙ୍ଗଳବାର ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ ଏବଂ ଅପରାହ୍ନ ପ୍ରାର୍ଥନାରେ ହସ୍ତକ୍ଷେପକୁ ଏଡ଼ାଇବା ପାଇଁ ରବିବାର ପାଇଁ ଯୋଜନା କରାଯାଇଥିଲା।
ଏହି ମାମଲାର ଆବେଦନକାରୀ ସୁପ୍ରିମ୍ କୋର୍ଟର ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ପୂର୍ବରୁ କହିଥିଲେ ଯେ ସିଭିଲ୍ ଜଜ୍ (ସିନିୟର ଡିଭିଜନ) କୋର୍ଟ ମସଜିଦ ସର୍ଭେ ପାଇଁ ଏକ ଆଡଭୋକେଟ୍ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଶନଙ୍କ ଜରିଆରେ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ସର୍ଭେ କରି ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି। ରବିବାର ଜୈନ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ମନ୍ଦିରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଅନୁରୋଧ କରିଥିଲେ। ହିନ୍ଦୁ ପକ୍ଷର ସ୍ଥାନୀୟ ଓକିଲ ଗୋପାଳ ଶର୍ମା ପୂର୍ବରୁ ଦାବି କରିଥିଲେ ଯେ ଏକଦା ଏହି ସ୍ଥାନରେ ଥିବା ମନ୍ଦିରକୁ ମୋଗଲ ସମ୍ରାଟ ବାବର ୧୫୨୯ ମସିହାରେ ଭାଙ୍ଗି ଦେଇଥିଲେ।
previous article: https://purvapaksa.com/role-of-rss-in-maharastra-assembly-election/
