ରାଜ୍ୟରେ ଦେଖାଦେଇଥିବା ଏଲପିଜି ବା ରନ୍ଧନ ଗ୍ୟାସ ସଙ୍କଟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କଲେଜ ହଷ୍ଟେଲଗୁଡ଼ିକରେ ଯେପରି ରୋଷେଇ କାର୍ଯ୍ୟ ବାଧାପ୍ରାପ୍ତ ନହେବ, ସେଥିପାଇଁ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ପାଇପ୍ ପ୍ରାକୃତିକ ଗ୍ୟାସ ବା ପିଏନଜି ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଦିନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
/odishatv/media/media_files/2026/06/26/odisha-govt-directs-colleges-to-switch-to-png-for-cooking-in-hostels-amid-lpg-shortage-2026-06-26-10-12-01.jpg)
ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, “ଯେଉଁ ସବୁ ଅଞ୍ଚଳରେ ପିଏନଜି ପାଇପଲାଇନର ଭିତ୍ତିଭୂମି ଉପଲବ୍ଧ ରହିଛି, ସେଠାରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ନିଜ ହଷ୍ଟେଲ ରୋଷେଇଘର ପାଇଁ ତୁରନ୍ତ ଏହି ସଂଯୋଗ ବ୍ୟବସ୍ଥା କରନ୍ତୁ। ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନଙ୍କ ଖାଦ୍ୟ ପ୍ରସ୍ତୁତିରେ ଯେପରି କୌଣସି ସମସ୍ୟା ନଉପୁଜେ, ସେଥିପାଇଁ ପିଏନଜି ସଂଯୋଗ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି।”
ପ୍ରଥମ ପର୍ଯ୍ୟାୟରେ ୫ ସହର ଉପରେ ଗୁରୁତ୍ୱ
ରାଜ୍ୟର ଯେଉଁସବୁ ପ୍ରମୁଖ ସହରରେ ପିଏନଜି ନେଟୱର୍କ ପୂର୍ବରୁ ପ୍ରସ୍ତୁତ ଅଛି, ସେଠାରେ ଏହାକୁ ପ୍ରଥମେ ଲାଗୁ କରାଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରରେ ଥିବା ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ପିଏନଜି ସଂଯୋଗ ଆପଣାଇବାକୁ ବିଭାଗ ପରାମର୍ଶ ଦେଇଛି।

ସୁରକ୍ଷା ବ୍ୟବସ୍ଥା ଓ ରିପୋର୍ଟ ପ୍ରଦାନ ହେଲା ବାଧ୍ୟତାମୂଳକ
ହଷ୍ଟେଲ ରୋଷେଇଘରେ ଏହି ନୂତନ ଗ୍ୟାସ ସଂଯୋଗ ବ୍ୟବହାର କରିବା ସମୟରେ ସମସ୍ତ ଆବଶ୍ୟକୀୟ ସୁରକ୍ଷା ନିୟମ ଓ ସତର୍କତାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ଏହି ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ସମ୍ପର୍କରେ ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ବିଭାଗ ନିକଟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ସମସ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ କୁହାଯାଇଛି।


