ଘରୋଇ ବା ବେସରକାରୀ ମେଡିକାଲ କଲେଜଗୁଡ଼ିକୁ ସରକାରୀ କଲେଜ ସମାନ ଫି’ ନେବା ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ବେସରକାରୀ କଲେଜଗୁଡ଼ିକୁ ସରକାରୀ କଲେଜ ଠାରୁ ଅଧିକ ଫି’ ଆଦାୟ କରିବାରୁ ଅଟକାଯାଇପାରିବ ନାହିଁ ବୋଲି ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ଟିପ୍ପଣୀରେ କହିଛନ୍ତି ଯେ, “ଯଦି ସେମାନଙ୍କୁ ସରକାରୀ ଫି’ ନେବାକୁ ବାଧ୍ୟ କରାଯାଏ, ତେବେ ସେଗୁଡ଼ିକ ବନ୍ଦ ହୋଇଯାଇପାରେ ଏବଂ ଏହା ଦେଶର ଡାକ୍ତରୀ ଶିକ୍ଷା ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚାଇବ।”

ଘରୋଇ ଓ ସରକାରୀ କଲେଜର ଫି’ ସମାନ ହୋଇପାରିବ ନାହିଁ
ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଜୟମାଲ୍ୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଘରୋଇ ମେଡିକାଲ କଲେଜଗୁଡ଼ିକ କୌଣସି ପ୍ରକାରର କ୍ୟାପିଟେସନ୍ ଫି’ ନେଇପାରିବେ ନାହିଁ, ମାତ୍ର ଏହି କଲେଜଗୁଡ଼ିକ ହେଉଛି ‘ସେଲ୍ଫ-ଫାଇନାନ୍ସିଂ’ ସଂସ୍ଥା। ସରକାରୀ କଲେଜଗୁଡ଼ିକୁ ସରକାରଙ୍କ ତରଫରୁ ସବସିଡି ବା ଅନୁଦାନ ମିଳୁଥିବା ବେଳେ ଘରୋଇ କଲେଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଖର୍ଚ୍ଚରେ ପରିଚାଳିତ ହୋଇଥାନ୍ତି। ତେଣୁ ଉଭୟ କଲେଜର ବାର୍ଷିକ ଟ୍ୟୁସନ ଫି’ କେବେବି ସମାନ ହୋଇପାରିବ ନାହିଁ।
ଦେଶକୁ ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି
ଉଚ୍ଚଶିକ୍ଷା ବିଶେଷକରି ମେଡିକାଲ୍ କ୍ଷେତ୍ରରେ ଘରୋଇ କଲେଜଗୁଡ଼ିକର ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶକୁ ଆହୁରି ଅଧିକ ଡାକ୍ତରଙ୍କ ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ ଦର୍ଶାଇଥିଲେ।
କ’ଣ ଥିଲା ପୂରା ମାମଲା ?

ଆର୍ଥିକ ଅନଗ୍ରସର ଶ୍ରେଣୀ (EWS) ପାଇଁ ସଂରକ୍ଷଣ ଏବଂ ଫି’ ସମ୍ବନ୍ଧୀୟ ଏକ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି। ରାଜସ୍ଥାନର ଜଣେ NEET-UG ପ୍ରାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରି ଦର୍ଶାଇଥିଲେ ଯେ, ତାଙ୍କ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍, ମାତ୍ର ତାଙ୍କୁ ଏକ ଘରୋଇ କଲେଜରେ ସାଧାରଣ ବର୍ଗର ସିଟ୍ ଦିଆଯାଇ ବାର୍ଷିକ ପ୍ରାୟ ୧୯ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ମଗାଯାଉଛି, ଯାହା ତାଙ୍କ ପକ୍ଷେ ଦେବା ଅସମ୍ଭବ। ତେବେ ଏହା ଉପରେ କୋର୍ଟ କହିଥିଲେ ଯେ ,”ଯେଉଁ ଛାତ୍ରଛାତ୍ରୀମାନେ ଆର୍ଥିକ ଦୃଷ୍ଟିରୁ ଏତେ ଟଙ୍କା ଦେବାକୁ ଅସମର୍ଥ, ସେମାନଙ୍କ ପାଇଁ ସ୍କଲାରସିପ୍ ର ବିକଳ୍ପ ସବୁବେଳେ ଖୋଲା ରହିଛି। ଜଣେ ବ୍ୟକ୍ତିଙ୍କ ସମସ୍ୟା ପାଇଁ ସରକାରୀ ଓ ଘରୋଇ କଲେଜର ଫି’ ସମାନ କରାଯାଇପାରିବ ନାହିଁ” କହି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।


