ସର୍ବଭାରତୀୟ ସ୍ତରରେ ଭାରତୀୟ ଜନତା ପାର୍ଟିର ସମସ୍ତ ବଡ଼ ବଡ଼ ନେତା ଯେଉଁଠି ଗର୍ବର ସହିତ ଖୋଲାଖୋଲି ଭାବେ ହିନ୍ଦୁତ୍ୱ ରାଜନୀତି କରନ୍ତି, ସେଠାରେ ଓଡ଼ିଶା ବିଜେପିର ନେତା ଏବଂ ଏଠାରକାର ବିଜେପି ସରକାରଙ୍କୁ କ’ଣ ଏବେ ହିନ୍ଦୁତ୍ୱ ଚିନ୍ତାଧାରା ଗନ୍ଧାଉଛି?
ଏଭଳି ଏକ ସାଂଘାତିକ ପ୍ରଶ୍ନ ଏବେ ଓଡ଼ିଶାର ରାଜନୈତିକ କରିଡରରେ ଜୋର୍ରେ ଆନ୍ଦୋଳିତ ହେବାରେ ଲାଗିଛି। ଏହି କଥା ଆମେ କହୁନାହୁଁ, ବରଂ ରାଜ୍ୟର ବିଜେପି ମନ୍ତ୍ରୀ ଏବଂ ସରକାରଙ୍କ କାର୍ଯ୍ୟକ୍ରମ ତଥା ବ୍ୟବହାରରୁ ଏହା ସ୍ପଷ୍ଟ ପ୍ରମାଣିତ ହେଲାଣି ବୋଲି ଚର୍ଚ୍ଚା ହେଉଛି।
ଇତିହାସ ସାକ୍ଷୀ ଅଛି, ଗତ ୨୦୦୦ ଏବଂ ୨୦୦୪ର ମେଣ୍ଟ ସରକାର ସମୟରେ ହେଉ କିମ୍ବା ୨୦୨୪ ନିର୍ବାଚନରେ ଏକାକୀ ଲଢ଼ିବା ସମୟରେ, ବିଜେପି ସବୁବେଳେ ହିନ୍ଦୁତ୍ୱ ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସର୍ବାଧିକ ଗୁରୁତ୍ୱ ଦେଇଆସିଛି। ହିନ୍ଦୁତ୍ୱ ଆଧାରରେ ହିଁ ଦଳ ଓଡ଼ିଶାରେ କ୍ଷମତାକୁ ଆସିଛି। କିନ୍ତୁ ଅତୀତରେ ଅର୍ଥାତ୍ ୨୦୦୮ ମସିହାରେ ଯେତେବେଳେ ବିଜେପି ନିଜର ଏହି ମୂଳ ଆଦର୍ଶରୁ ବିଚ୍ୟୁତ ହୋଇଥିଲା, ସେତେବେଳେ ରାଜ୍ୟବାସୀ ଦଳକୁ ଦୀର୍ଘ ୧୫ ବର୍ଷ କାଳ କ୍ଷମତାରୁ ବାହାରେ ରଖିଥିଲେ। ବର୍ତ୍ତମାନ ବିଜେପିର ଏହି ନୂଆ ପୀଢ଼ିର ନେତାମାନେ ଅତୀତର ସେହି ଭୟଙ୍କର ଭୁଲ୍ରୁ କିଛି ଶିଖିଲା ଭଳି ଲାଗୁନାହିଁ। ପୁଣି ଥରେ ଓଡ଼ିଶାରେ ସେହି ପୁରୁଣା ଭୁଲ୍ର ପୁନରାବୃତ୍ତି ଆରମ୍ଭ ହୋଇଯାଇଛି।
୧୯୯୩ ନାଗାର୍ଜୁନ ବେଶ ଦଳାଚକଟା ଏବଂ ୨୦୦୬ର ସେହି ଇତିହାସ
ଓଡ଼ିଶାରେ ଧାର୍ମିକ ପ୍ରସଙ୍ଗ ଏବଂ ତଦନ୍ତ ରିପୋର୍ଟ ହଜିବା ମଧ୍ୟରେ ଏକ ଅଦ୍ଭୁତ ଓ ସାଂଘାତିକ ଇତିହାସ ରହିଛି। ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ, ୧୯୯୩ ମସିହାରେ ଶ୍ରୀଜଗନ୍ନାଥଙ୍କ ଦୁର୍ଲଭ ‘ନାଗାର୍ଜୁନ ବେଶ’ ସମୟରେ ବଡ଼ ଧରଣର ଦଳାଚକଟା ଘଟି ୪ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିଲା। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଜଷ୍ଟିସ ଜେ. ମହାପାତ୍ର କମିଶନ ଗଠନ କରାଯାଇଥିଲା। କମିଶନ ନିଜର ସମ୍ପୂର୍ଣ୍ଣ ରିପୋର୍ଟ ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରଙ୍କୁ ପ୍ରଦାନ କରିଥିଲେ।
ଏହାପରେ ଓଡ଼ିଶାରେ ବଡ଼ ପରିବର୍ତ୍ତନ ହେଲା। ୨୦୦୦ ଏବଂ ୨୦୦୪ରେ ବିଜୁ ବାବୁଙ୍କ ପୁଅ ନବୀନ ପଟ୍ଟନାୟକ ବିଜେପି ସହ ମିଶି ମେଣ୍ଟ ସରକାର ଗଠନ କଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଦେଖନ୍ତୁ, ଏହି ମେଣ୍ଟ ସରକାର ଗଠନ ହେବାର ଦୀର୍ଘ ୬ ବର୍ଷ ପରେ, ୧୪ ନଭେମ୍ବର ୨୦୦୬ ତାରିଖରେ ତତ୍କାଳୀନ ଆଇନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ବିଧାନସଭାରେ ଛିଡ଼ା ହୋଇ ସୂଚନା ଦେଲେ ଯେ ସେହି ନାଗାର୍ଜୁନ ବେଶ ଦଳାଚକଟା ତଦନ୍ତ କମିଶନଙ୍କ ରିପୋର୍ଟର ମୂଳ ଫାଇଲ୍ ହିଁ ହଜିଯାଇଛି! ସେତେବେଳେ ଏହି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା।
୨୦୦୮ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ ମନ୍ତ୍ରୀପଦର ମୋହ
ଏହି ଫାଇଲ୍ ହଜିବା ସୂଚନା ବିବାଦର ଠିକ୍ ଦୁଇବର୍ଷ ପରେ, ଓଡ଼ିଶା ଇତିହାସର ସବୁଠାରୁ କଳା ଅଧ୍ୟାୟ ସାମ୍ନାକୁ ଆସିଲା। ୨୩ ଅଗଷ୍ଟ ୨୦୦୮, ଜନ୍ମାଷ୍ଟମୀ ରାତିରେ କନ୍ଧମାଳର ଜଲସପେଟା ଆଶ୍ରମରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ତଥା ପୂଜ୍ୟ ସନ୍ନ୍ୟାସୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଗଲା। ସ୍ୱାମୀଜୀଙ୍କ ଏହି ବର୍ବର ହତ୍ୟାକାଣ୍ଡ ପରେ ସାରା ଓଡ଼ିଶାରେ ନିଆଁ ଜଳିଉଠିଲା।
ବିଶ୍ୱହିନ୍ଦୁ ପରିଷଦ (VHP) ଏବଂ ଆରଏସଏସ (RSS) ର ସର୍ବୋଚ୍ଚ ପଦାଧିକାରୀମାନେ ବିଜେପି ନେତାମାନଙ୍କୁ ନବୀନ ପଟ୍ଟନାୟକଙ୍କ ମେଣ୍ଟ ସରକାରରୁ ତୁରନ୍ତ ସମର୍ଥନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ସେତେବେଳେ ବ୍ୟକ୍ତିଗତ ସ୍ୱାର୍ଥ ଏବଂ ମନ୍ତ୍ରୀପଦର ମୋହ ଆଦର୍ଶ ଆଗରେ ବଡ଼ ସାଜିଥିଲା। ନବୀନ କ୍ୟାବିନେଟ୍ରେ ଥିବା ଉପକୂଳ ଓଡ଼ିଶାର ୩ ଜଣ ପ୍ରଭାବଶାଳୀ ବିଜେପି କ୍ୟାବିନେଟ୍ ମନ୍ତ୍ରୀ ନିଜର ଗାଦି ଓ ମନ୍ତ୍ରୀପଦ ଛାଡ଼ିବାକୁ ସାଫ୍ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନେତାମାନଙ୍କର ପ୍ରକୃତ ସ୍ଥିତି ଏବଂ ଔକାତ ବୁଝିପାରି ଏକତରଫା ଭାବେ ମେଣ୍ଟ ଭାଙ୍ଗିଦେଇଥିଲେ। ପରିଣାମ ସ୍ୱରୂପ, ୨୦୦୯ ନିର୍ବାଚନରେ ଓଡ଼ିଶାର ସଚେତନ ମତଦାତାମାନେ ହିନ୍ଦୁତ୍ୱ ଓ ଆଦର୍ଶ ସହ ବୁଝାମଣା କରିଥିବା ସେହି ସମସ୍ତ ବିଜେପି ମନ୍ତ୍ରୀଙ୍କୁ ଅତି ଦୟନୀୟ ଭାବେ ନିର୍ବାଚନରେ ହରାଇ ଦେଇଥିଲେ ଏବଂ ବିଜେପିକୁ ୧୫ ବର୍ଷ ପାଇଁ ବନବାସରେ ପଠାଇ ଦେଇଥିଲେ।
ସେହି ସମୟର ବିଜେପି ନେତାମାନଙ୍କୁ ଆରଏସଏସ ନେତାମାନେ ପାଖରେ ପୁରାଉ ନଥିଲେ କି ସେମାନଙ୍କ ନିର୍ବାଚନ ପାଇଁ କାମ କରିନଥିଲେ। ଦେଶରେ ପ୍ରବଳ ମୋଦୀ ହାୱା ସତ୍ତ୍ୱେ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ତ ଦୂରର କଥା ମୁଖ୍ୟ ବିରୋଧୀ ଦଳ ବି ହୋଇପାରୁନଥିଲା। ୨୦୦୪ରେ ବିଜେପି ୩୨ ଆସନ ଜିତିଥିବାବେଳେ ୨୦୦୯ରେ ୬ଟି ଓ ୨୦୧୪ରେ ୧୦ଟି ଆସନରେ ସୀମିତ ହୋଇଯାଇଥିଲା। ସାମନ୍ୟ କ୍ଷମତା ଲାଳସାରେ ଯେଉଁନେତାମାନେ ଆରଏସଏସ ଓ ବିଶ୍ୱହିନ୍ଦୁ ପରିଷଦର କଥା ଶୁଣିନଥିଲେ ସେମାନ ଇତିମଧ୍ୟରେ ରାଜନୀତିରୁ ଦୂରେଇ ଯାଇଛନ୍ତି।
ବିଜେପିର ପ୍ରତିଶ୍ରୁତି ବନାମ ବର୍ତ୍ତମାନର ମଉଜ-ମଜଲିସ୍
୨୦୨୪ ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଓଡ଼ିଶାବାସୀଙ୍କୁ ବହୁତ ବଡ଼ ପ୍ରତିଶ୍ରୁତି ଦେଇଥିଲା। ଦଳ କହିଥିଲା ଯେ ସେମାନେ କ୍ଷମତାକୁ ଆସିଲେ ନବୀନ ସରକାରଙ୍କ ପ୍ରତିଟି ଦୁର୍ନୀତି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ମାମଲାର ପ୍ରକୃତ ତଦନ୍ତ ରିପୋର୍ଟକୁ ଜନସାଧାରଣଙ୍କ ସାମ୍ନାକୁ ଆଣିବେ। କିନ୍ତୁ ଆଜି ସରକାର ଗଠନ ହେବାର ଦୁଇ ବର୍ଷ ବିତିଯିବା ପରେ ମଧ୍ୟ ସ୍ଥିତି କ’ଣ? ସାଧାରଣ ଲୋକଙ୍କ ଅଭିଯୋଗ ହେଉଛି ଯେ, ବିଜେପି ନେତାମାନେ କ୍ଷମତା ପାଇବା ପରେ ନିଜର ସେହି ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ଭୁଲି ମଉଜ-ମଜଲିସ୍ରେ ମାତିଛନ୍ତି।
ବିଜେପି ସରକାର ଗତ ଦୁଇବର୍ଷ ଭିତରେ କୌଣସି ବି ଗୁରୁତ୍ୱପୂର୍ଣ୍ଣ ମାମଲାର ରିପୋର୍ଟ ଲୋକଲୋଚନକୁ ଆଣିବା ଉଚିତ ମନେ କରିନାହିଁ। ବରଂ ବର୍ତ୍ତମାନର ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଏଭଳି ସୂଚନା ଦେଇଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ରିପୋର୍ଟ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଜିଯାଇଛି! ୨୦୦୬ ମସିହାରେ ଯେତେବେଳେ ତାଙ୍କ ବାପା ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟର ଆଇନମନ୍ତ୍ରୀ ଥିଲେ, ସେତେବେଳେ ସେ ମଧ୍ୟ ନାଗାର୍ଜୁନ ବେଶ ଦଳାଚକଟା ରିପୋର୍ଟ ହଜିଯାଇଥିବା କଥା କହିଥିଲେ। ଆଉ ଆଜି ତାଙ୍କ ପୁଅ ପୃଥ୍ୱୀରାଜ ହରିଚନ୍ଦନ ଆଇନମନ୍ତ୍ରୀ ଥାଇ ସେହି ସମାନ ଢଙ୍ଗରେ ରିପୋର୍ଟ ହଜିଯାଇଥିବା କଥା କହୁଛନ୍ତି। ଏହା କେବଳ ଏକ ସଂଯୋଗ ନା ଏହା ପଛରେ କୌଣସି ବଡ଼ ପ୍ରଶାସନିକ ରହସ୍ୟ ଲୁଚି ରହିଛି?
ଦୁଇ ବର୍ଷର ନୀରବତା ଏବଂ ଦୁଇ ବର୍ଷ ପୂରଣ ଉତ୍ସବର ଟାଇମିଂ
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଆଇନମନ୍ତ୍ରୀଙ୍କ ଏହି ବୟାନର ‘ଟାଇମିଂ’କୁ ନେଇ। ଆଇନମନ୍ତ୍ରୀ ଯେଉଁ ସୂଚନା ଦେଇଛନ୍ତି ତାହା ପ୍ରଶାସନିକ ଦୃଷ୍ଟିରୁ ଠିକ୍ ହୋଇଥାଇପାରେ, କିନ୍ତୁ ସରକାର କ୍ଷମତାକୁ ଆସିବା ପରେ ଦୀର୍ଘ ଦୁଇବର୍ଷ ପର୍ଯ୍ୟନ୍ତ ସେ କାହିଁକି ଏହି ଗମ୍ଭୀର ମାମଲାକୁ ଲୁଚାଇ ରଖିଥିଲେ? କାହିଁକି ଏହାକୁ ପୂର୍ବରୁ ଲୋକଲୋଚନକୁ ଅଣାଗଲା ନାହିଁ?
ବର୍ତ୍ତମାନ ଯେତେବେଳେ ଓଡ଼ିଶାର ବିଜେପି ସରକାର ନିଜର ଦୁଇ ବର୍ଷ ପୂରଣର ଭବ୍ୟ ଉତ୍ସବ ପାଳନ କରିବାକୁ ଯାଉଛନ୍ତି, ଯେଉଁଥିରେ ଯୋଗ ଦେବା ପାଇଁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି, ଠିକ୍ ସେହି ସମୟରେ ଏଭଳି ଏକ ଅତି ସମ୍ବେଦନଶୀଳ ଓ ବିବାଦୀୟ ପ୍ରସଙ୍ଗ ଉଠାଇବା ପଛର ଅସଲ ଉଦ୍ଦେଶ୍ୟ କ’ଣ? ରାଜନୈତିକ ସମୀକ୍ଷକମାନେ ଆଲୋଚନା କରୁଛନ୍ତି ଯେ, ଏଭଳି ବିବାଦୀୟ କଥା କହି ଆଇନମନ୍ତ୍ରୀ ପ୍ରକୃତରେ କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ଏବଂ କାହାକୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି? କ’ଣ ନିଜ ସରକାରର ଦୁଇବର୍ଷର ବିଫଳତାକୁ ଲୁଚାଇବା ପାଇଁ ଏହି ‘ଫାଇଲ୍ ହଜିବା’ ର ପୁରୁଣା କାର୍ଡ ଖେଳାଯାଉଛି?
ଓଡ଼ିଶାରେ ହିନ୍ଦୁତ୍ୱ ଓ ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ନୁହେଁ, ଏହା ହେଉଛି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆତ୍ମାର ସ୍ୱର। ଯଦି ବିଜେପି ସରକାର ନିଜର ପ୍ରତିଶ୍ରୁତି ରକ୍ଷା ନକରି ପୂର୍ବତନ ସରକାର ଭଳି ଫାଇଲ୍ ଗାଏବ ଏବଂ ରିପୋର୍ଟ ହଜିବା କଥା କହି ସମୟ ଗଡ଼ାଇ ଚାଲିବ, ତେବେ ଇତିହାସ ନିଜକୁ ଦୋହରାଇବାକୁ ବେଶୀ ସମୟ ଲାଗିବ ନାହିଁ। ଅତୀତର ଭୁଲ୍ରୁ ଶିକ୍ଷା ନ କରି ପୁଣି ସେହି ବାଟରେ ଗଲେ ଓଡ଼ିଶାର ଜନସାଧାରଣ ଏହାର ସଠିକ୍ ଜବାବ ଦେବେ।
AlsoRead; https://purvapaksa.com/jaishankar-revealed-americas-secret/
ଆମେରିକାର ପୋଲ୍ ଖୋଲିଲେ: ଜୟଶଙ୍କର || Jaishankar revealed Americas secret


