ରାଜନୀତିରେ ଏକ ପ୍ରବାଦ ଅଛି—”ଶତ୍ରୁର ଶତ୍ରୁ ମିତ୍ର ହୋଇଥାଏ।” କିନ୍ତୁ କଳ୍ପନା କରନ୍ତୁ, ଯଦି ସେହି ମିତ୍ରତା ହିଁ ଆପଣଙ୍କ ପରାଜୟର କାରଣ ସାଜେ, ତେବେ ଆପଣ କ’ଣ କରିବେ? ବର୍ତ୍ତମାନ ସୋସିଆଲ ମିଡିଆଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ଚାରିଆଡ଼େ ଗୋଟିଏ ବଡ଼ ଚର୍ଚ୍ଚା ଜୋର୍ ଧରିଛି। ଚର୍ଚ୍ଚା ହେଉଛି ରାହୁଲ ଗାନ୍ଧିଙ୍କ କଂଗ୍ରେସ ଦଳ ଏବଂ ତାଙ୍କର ନିର୍ବାଚନୀ ମେଣ୍ଟକୁ ନେଇ।
ରାଜନୈତିକ କରିଡରରେ ଏବେ ଏକ ଆଶ୍ଚର୍ଯ୍ୟଜନକ ସମୀକରଣ ଆଲୋଚନା ହେଉଛି ଯେ, ଯେଉଁ ଆଞ୍ଚଳିକ ଦଳ ବିଗତ ଦିନରେ କଂଗ୍ରେସ ସହିତ ହାତ ମିଳାଇଛି, ସେ ନିର୍ବାଚନରେ କେବଳ ପରାଜିତ ହୋଇନାହିଁ, ବରଂ ନିଜ ହାତରୁ କ୍ଷମତା ମଧ୍ୟ ହରାଇଛି! ଲାଲୁ ଯାଦବଙ୍କ ଆରଜେଡି ହେଉ, ଷ୍ଟାଲିନଙ୍କ ଡିଏମକେ, କେଜ୍ରିୱାଲଙ୍କ ଆପ୍ କିମ୍ବା ମମତା ବାନାର୍ଜୀଙ୍କ ଟିଏମସି—ଏହି ତାଲିକା ଲମ୍ବି ଚାଲିଛି। ଏପରିକି ଆମ ଓଡ଼ିଶାରେ ମଧ୍ୟ ଗତ ରାଜ୍ୟସଭା ନିର୍ବାଚନରେ ଯେତେବେଳେ ବିଜେଡି ସହ କଂଗ୍ରେସର ଭିତରି ସମୀକରଣ ଚର୍ଚ୍ଚା ହେଲା, ସେତେବେଳେ ଓଡ଼ିଶାରେ କିଭଳି ସ୍ଥିତି ବଦଳିଗଲା, ତାହା ଆପଣ ସମସ୍ତେ ଦେଖିଛନ୍ତି। ଏବେ ଚର୍ଚ୍ଚା ହେଉଛି, ଏହି କ୍ରମରେ ଆଗକୁ କ’ଣ ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟିର ପାଳି? ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ କ’ଣ ଏହି ‘ମେଣ୍ଟ ଫ୍ୟାକ୍ଟର’ର ଡର ଘାରିଛି?
କଂଗ୍ରେସ ମେଣ୍ଟର ଇତିହାସ ଓ କ୍ଷମତା ହରାଇବାର ଗଣିତ
ପ୍ରଥମେ ଆସନ୍ତୁ ଦେଖିବା ମିଡିଆରେ ଚାଲିଥିବା ଏହି ଦାବି ପଛରେ କେତେ ସତ୍ୟତା ରହିଛି ଏବଂ ଆଞ୍ଚଳିକ ଦଳଗୁଡ଼ିକର ଅଭିଜ୍ଞତା କ’ଣ ରହିଛି। ବିହାର ରାଜନୀତିକୁ ଦେଖନ୍ତୁ—ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି (RJD) ଯେତେବେଳେ କଂଗ୍ରେସ ସହ ମେଣ୍ଟ କଲା, ମହାମେଣ୍ଟ ଭିତରେ ବହୁତ ବଡ଼ ଆଶା ଥିଲା। କିନ୍ତୁ ପରିଣାମସ୍ୱରୂପ କଂଗ୍ରେସର ଖରାପ ପ୍ରଦର୍ଶନ ଯୋଗୁଁ ଆରଜେଡି କ୍ଷମତାରୁ ଦୂରେଇ ରହିଲା। ସେହିପରି ଦିଲ୍ଲୀ ଏବଂ ପଞ୍ଜାବରେ ନିଜର ଦବଦବା ରଖିଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ‘INDIA’ ମେଣ୍ଟ ଭିତରେ କଂଗ୍ରେସ ସହ ଆସନ ବାଣ୍ଟିଥିଲା, କିନ୍ତୁ ଅନେକ ସ୍ଥାନରେ ଏହାର ଓଲଟା ପ୍ରଭାବ ମତଦାତାଙ୍କ ଉପରେ ପଡ଼ିଲା। ଦିଲ୍ଲୀରେ କଂଗ୍ରେସ ଯୋଗୁ କେଜ୍ରିୱାଲ ନିଜେ ନିୀର୍ବାଚନ ହାରିବା ସହିତ କ୍ଷମତାରୁ ହଟିଛନ୍ତି।
ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କଂଗ୍ରେସର ଦାବି ଏବଂ ଆଭିମୁଖ୍ୟ ଯୋଗୁଁ ନିଜକୁ ମେଣ୍ଟରୁ ପ୍ରାୟତଃ ଦୂରେଇ ରଖି ଏକାକୀ ଲଢ଼ିବାକୁ ଶ୍ରେୟସ୍କର ମଣିଲେ।
ତାମିଲନାଡୁରେ ଡିଏମକେ (DMK) ଏବଂ କଂଗ୍ରେସର ମେଣ୍ଟ ରହିଥିଲେ ମଧ୍ୟ, ସେଠାରେ କଂଗ୍ରେସ ନିଜର ସ୍ଥିତି ସୁଧାରିବା ପରିବର୍ତ୍ତେ ଆଞ୍ଚଳିକ ଦଳ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ଡିଏମକେ ସହିତ ୨୦ବର୍ଷର ମେଣ୍ଟ ଭାଙ୍ଗି କ୍ଷମତା ପାଇଁ କଂଗ୍ରେସ ଟିଭିକେକୁ ସମର୍ଥନ କରିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ, ସାଧାରଣ ଜନତା ବା ମତଦାତାମାନେ ଅନେକ ସ୍ଥାନରେ ଏହି ଅପ୍ରାକୃତିକ ମେଣ୍ଟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ଯେଉଁ କଂଗ୍ରେସ ବିରୋଧରେ ଲଢ଼ି ଏହି ଆଞ୍ଚଳିକ ଦଳଗୁଡ଼ିକ ଠିଆ ହୋଇଥିଲେ, ସେମାନଙ୍କ ସହ ହାତ ମିଳାଇବା ଦ୍ୱାରା ସ୍ଥାନୀୟ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ଫାଇଦା ବିଜେପିକୁ ମିଳିଛି।
ଓଡ଼ିଶା ରାଜନୀତିରେ କମ୍ପନ ଏବଂ ଦେବାଶୀଷ ସାମନ୍ତରାୟଙ୍କ ଇସ୍ତଫା
ଏହି ସମୀକରଣର ସବୁଠାରୁ ବଡ଼ ଉଦାହରଣ ଆମ ଓଡ଼ିଶାରେ ହିଁ ଦେଖିବାକୁ ମିଳିଛି। ଗତ ରାଜ୍ୟସଭା ନିର୍ବାଚନ ସମୟରେ ଓଡ଼ିଶାର ରାଜନୈତିକ କରିଡରରେ ହଠାତ୍ ଗୋଟିଏ ଚର୍ଚ୍ଚା ଜୋର୍ ଧରିଥିଲା ଯେ, ବିଜେଡି (BJD)କୁ ସମର୍ଥନ ଦେବା ପାଇଁ କିମ୍ବା କେନ୍ଦ୍ର ବିରୋଧୀ ରଣନୀତିରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଏକ ଅଘୋଷିତ ସମୀକରଣ ତିଆରି ହେଉଛି। କିନ୍ତୁ ଏହି ଚର୍ଚ୍ଚାର ପରିଣାମ କ’ଣ ହେଲା?
ବିଜେଡି ଭିତରେ ଥିବା ପୁରୁଖା ନେତା ଓ ସମର୍ଥକମାନେ ଏହାକୁ ଆଦୌ ସହଜରେ ଗ୍ରହଣ କଲେ ନାହିଁ। ଦଳ ଭିତରେ ଅସନ୍ତୋଷର ନିଆଁ ଏମିତି ଜଳିଲା ଯେ, ଦଳର ଜଣେ ପ୍ରଭାବଶାଳୀ ନେତା ତଥା ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ। ଶେଷରେ ସେ ନିଜର ସାଂସଦ ପଦ ଏବଂ ବିଜେଡିର ପ୍ରାଥମିକ ସଦସ୍ୟତାରୁ ସିଧାସଳଖ ଇସ୍ତଫା ଦେଇଦେଲେ। କେବଳ ସେତିକି ନୁହେଁ, ସେ ନିଜ ସମର୍ଥକଙ୍କ ସହ ଯାଇ ଭାରତୀୟ ଜନତା ପାର୍ଟି (BJP) ରେ ସାମିଲ ହୋଇଗଲେ। ଏହି ଗୋଟିଏ ଘଟଣା ପ୍ରମାଣ କଲା ଯେ, ଯେଉଁଠି ବି କଂଗ୍ରେସ ସହ ଆଞ୍ଚଳିକ ଦଳର ମେଣ୍ଟର ସାମାନ୍ୟ ଆଭାସ ମିଳୁଛି, ସେଠାରେ ସ୍ଥାନୀୟ ସଂଗଠନ ଭାଙ୍ଗିରୁଜି ଯାଉଛି। ଏବଂ ଏହି ଅଭିଶାପର ଆଶଙ୍କା ଏବେ ଉତ୍ତର ପ୍ରଦେଶକୁ ଘାରିଛି।
୨୦୨୭ UP ନିର୍ବାଚନ: ଆସନ ଭାଗବଣ୍ଟାର ମହାଲଢ଼େଇ
ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ୨୦୨୭ ମସିହାରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ। ୟୁପିରେ ବିଜେପି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ‘INDIA’ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ—ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ରଣନୀତି ପ୍ରସ୍ତୁତି ତ ଆରମ୍ଭ ହୋଇଯାଇଛି, କିନ୍ତୁ ଏହି ଆଲୋଚନା ଭିତରେ ଏକ ବଡ଼ ଦ୍ୱନ୍ଦ୍ୱ ମଧ୍ୟ ସାମ୍ନାକୁ ଆସିଛି।
ଆସନ୍ତୁ ବୁଝିବା ସେହି ତିନିଟି ମୁଖ୍ୟ ବିନ୍ଦୁ, ଯାହାକୁ ନେଇ ଅଖିଳେଶ ଯାଦବ ଏବେ ଅଡ଼ୁଆରେ ଅଛନ୍ତି:
• ପ୍ରଥମ ଆହ୍ୱାନ – ଆସନ ସଂଖ୍ୟାକୁ ନେଇ ମତଭେଦ: ସୂତ୍ର ଅନୁସାରେ, ଅଖିଳେଶ ଯାଦବ କଂଗ୍ରେସକୁ ୟୁପିରେ କେବଳ ୬୦ ରୁ ୮୦ଟି ଆସନ ଦେବାକୁ ଚାହୁଁଛନ୍ତି ଏବଂ ସେହି ଅନୁଯାୟୀ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ ଅନ୍ୟପଟେ, କଂଗ୍ରେସ ନିଜର ଦାବି ଉପରେ ଅଟଳ ରହି ପ୍ରାୟ ୧୨୦ଟି ଆସନ ମାଗୁଛି। ଅଖିଳେଶ ଜାଣନ୍ତି ଯେ କଂଗ୍ରେସକୁ ଅଧିକ ଆସନ ଦେଲେ, ସମାଜବାଦୀ ପାର୍ଟିର ନିଜସ୍ୱ ଗଡ଼ ଦୁର୍ବଳ ହୋଇଯାଇପାରେ।
• ଦ୍ୱିତୀୟ ଆହ୍ୱାନ – ନେତାଙ୍କଠାରୁ ଗ୍ରାଉଣ୍ଡ ଫିଡବ୍ୟାକ୍: ଅଖିଳେଶ ଯାଦବ ଏବେ ନିଜ ଦଳର ସାଂସଦ ଏବଂ ବିଧାୟକମାନଙ୍କ ସହ ଘନ ଘନ ବୈଠକ କରୁଛନ୍ତି। ସେ ସେହି ସବୁ ନିର୍ବାଚନ ମଣ୍ଡଳୀର ଗ୍ରାଉଣ୍ଡ ରିପୋର୍ଟ ମାଗିଛନ୍ତି, ଯେଉଁଠାରେ କଂଗ୍ରେସ ପ୍ରାର୍ଥୀ ଦେଲେ ସମାଜବାଦୀ ପାର୍ଟିର ପାରମ୍ପରିକ ଭୋଟ୍ ବ୍ୟାଙ୍କ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ।
• ତୃତୀୟ ଆହ୍ୱାନ – ଜିତିବା କ୍ଷମତା ବା Winnability: ଦିଲ୍ଲୀରେ ଚାଲିଥିବା ମେଣ୍ଟ ବୈଠକରେ ସମାଜବାଦୀ ପାର୍ଟି ଅନୌପଚାରିକ ଭାବେ ନିଜର ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିସାରିଛି। ସେମାନେ କେବଳ ଆସନ ବାଣ୍ଟିବାକୁ ଚାହାନ୍ତି ନାହିଁ, ବରଂ ସ୍ଥାନୀୟ ଜାତିଗତ ସମୀକରଣ (Caste Equations) ଏବଂ ପ୍ରାର୍ଥୀଙ୍କ ପ୍ରକୃତ ଜିତିବା କ୍ଷମତାକୁ ପ୍ରାଥମିକତା ଦେଉଛନ୍ତି। ଅଖିଳେଶ କଂଗ୍ରେସକୁ ତାଙ୍କର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମାଗିଛନ୍ତି, ଯେପରି କୌଣସି ଦୁର୍ବଳ ପ୍ରାର୍ଥୀଙ୍କ ଯୋଗୁଁ ମେଣ୍ଟ ହାରି ନ ଯାଏ।
ରଣନୈତିକ ବିଶ୍ଳେଷଣ: ଅଖିଳେଶଙ୍କ ଚିନ୍ତାର ଅସଲ କାରଣ
ଏବେ ପ୍ରଶ୍ନ ଉଠୁଛି, ଅଖିଳେଶ ଯାଦବ ଏତେ ସତର୍କ ଏବଂ ଚିନ୍ତିତ କାହିଁକି? ଏହାର କାରଣ ହେଉଛି ଅତୀତର ଖରାପ ଅଭିଜ୍ଞତା। ୨୦୧୭ ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ “ୟୁପି କେ ଲଡ଼କେ” (UP କେ ଲଡ଼କେ) ନାମରେ ରାହୁଲ ଏବଂ ଅଖିଳେଶ ମିଳିତ ଭାବେ ଲଢ଼ିଥିଲେ। କିନ୍ତୁ ସେତେବେଳେ ବିଜେପିର ପ୍ରବଳ ପବନରେ ଏହି ମେଣ୍ଟ ସମ୍ପୂର୍ଣ୍ଣରୂପେ ଭାସିଯାଇଥିଲା।
ଅଖିଳେଶ ଯାଦବ ଭଲ ଭାବେ ଜାଣନ୍ତି ଯେ, କଂଗ୍ରେସର ନିଜସ୍ୱ ସଂଗଠନ ୟୁପିର ତୃଣମୂଳ ସ୍ତରରେ ସେତେଟା ଶକ୍ତ ନାହିଁ। ଯଦି କଂଗ୍ରେସର ଦାବି ଆଗରେ ମୁଣ୍ଡ ନୁଆଇଁ ସମାଜବାଦୀ ପାର୍ଟି ୧୦୦ ରୁ ଅଧିକ ଆସନ ଛାଡ଼ିଦିଏ, ଏବଂ ସେଠାରେ ଯଦି କଂଗ୍ରେସ ପ୍ରାର୍ଥୀ ହାରିଯାଆନ୍ତି, ତେବେ ସମ୍ପୂର୍ଣ୍ଣ ମେଣ୍ଟ ବହୁତ ପଛକୁ ଚାଲିଯିବ। ଅନ୍ୟପଟେ, ମିଡିଆରେ ଚାଲିଥିବା ଏହି ଚର୍ଚ୍ଚା ଯେ—”କଂଗ୍ରେସ ସହ ମେଣ୍ଟ ମାନେ ପରାଜୟ”—ତାହା ମଧ୍ୟ ସମାଜବାଦୀ ପାର୍ଟିର କର୍ମକର୍ତ୍ତାଙ୍କ ମନୋବଳ ଉପରେ ପ୍ରଭାବ ପକାଉଛି। ସେଥିପାଇଁ ଅଖିଳେଶ ଯାଦବ ଏଥର ଅତି ସନ୍ତର୍ପଣରେ ପ୍ରତିଟି ପାଦ ପକାଉଛନ୍ତି।
ରାହୁଲଙ୍କର ଏପରି ଦାବି ପଛରେ ଯେଉଁ କାରଣ ରହିଛି ତାହା ଦେଲା ପଶ୍ଚିମବଙ୍ଗ ନେତ୍ରୀ ମମତା ବାନାର୍ଜୀ ଯିଏ ଦିନେ କଂଗ୍ରେସ ଓ ରାହୁଲଙ୍କୁ ମାନୁ ନ ଥିଲେ, ସେ ଏବେ ତାଙ୍କ ଶରଣକୁ ଆସିଛନ୍ତି।
୨୦୨୭ର ଏହି ମହାଲଢ଼େଇ କେବଳ ଉତ୍ତର ପ୍ରଦେଶର ଭବିଷ୍ୟତ ସ୍ଥିର କରିବ ନାହିଁ, ବରଂ ଏହା ମଧ୍ୟ ସ୍ପଷ୍ଟ କରିବ ଯେ ଭାରତୀୟ ରାଜନୀତିରେ କଂଗ୍ରେସର ‘ମେଣ୍ଟ ଫ୍ୟାକ୍ଟର’ ପ୍ରକୃତରେ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଏକ ଶକ୍ତି ନା ଏକ ବୋଝ। ଅଖିଳେଶ ଯାଦବ କ’ଣ ଏହି ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରି କଂଗ୍ରେସ ସହ ମିଶି ୟୁପିରେ କମାଲ୍ କରିପାରିବେ, ନା ଅତୀତର ଇତିହାସ ନିଜକୁ ଦୋହରାଇବ?
AlsoRead; https://purvapaksa.com/cmc-to-hold-first-raj-mohotsab-in-cuttack/
କଟକରେ ପ୍ରଥମ ରଜ ମହୋତ୍ସବ କରିବ CMC || CMC to hold first Raj Mohotsab in Cuttack


