ମିଡିଆ ଜଗତର ଦୁଇ ଜାଜ୍ୱଲ୍ୟମାନ ନକ୍ଷତ୍ର—ଜାତୀୟ ସ୍ତରରେ ପ୍ରଣୟ ରାୟ ଏବଂ ଓଡ଼ିଶାରେ ସୌମ୍ୟରଞ୍ଜନ ପଟ୍ଟନାୟକ। ଜଣେ ଭାରତରେ ସ୍ୱାଧୀନ ଟେଲିଭିଜନ ଖବରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ତ ଅନ୍ୟଜଣେ ଓଡ଼ିଶାରେ ସମ୍ବାଦପତ୍ର ଶିଳ୍ପକୁ ଏକ ନୂଆ ପରିଚୟ ଦେଇଥିଲେ। କିନ୍ତୁ ଆଜି ସମୟର ଚକ୍ରରେ ଏହି ଦୁଇ ଶୀର୍ଷ ବ୍ୟକ୍ତିତ୍ୱ ଯେଉଁ ସ୍ଥିତିରେ ଅଛନ୍ତି, ତାହା ଗଣମାଧ୍ୟମ, ରାଜନୀତି ଏବଂ ବ୍ୟକ୍ତିଗତ ନିଷ୍ପତ୍ତିର ଏକ ଜଟିଳ ରୂପରେଖ।
ଆଜି ଆମେ ବିଶ୍ଳେଷଣ କରିବା କିପରି ଏହି ‘ମିଡିଆ ମୋଗଲ’ମାନେ ନିଜର ଗୁରୁତ୍ୱ ହରାଇଲେ ଏବଂ ଏଥିପାଇଁ ପ୍ରକୃତରେ ଦାୟୀ କିଏ?
ଇତିହାସ ସାକ୍ଷୀ ଅଛି, ସମୟ ଯେତେବେଳେ ବଦଳେ, ସେତେବେଳେ ବଡ଼ ବଡ଼ ସାମ୍ରାଜ୍ୟ ଧୂଳିସାତ୍ ହୋଇଯାଏ। ଆଜି ଆମେ ଦୁଇଜଣ ଏମିତି ବ୍ୟକ୍ତିଙ୍କ କଥା କହିବା, ଯିଏ ଦିନେ ଭାରତ ଏବଂ ଓଡ଼ିଶାର ଗଣମାଧ୍ୟମ ଜଗତକୁ ନିୟନ୍ତ୍ରଣ କରୁଥିଲେ। ଜଣେ ହେଉଛନ୍ତି ଲୁଟିଆନ୍ସ ଦିଲ୍ଲୀର ପାୱାର କରିଡରରେ ବୁଲୁଥିବା ପ୍ରଣୟ ରାୟ ଏବଂ ଅନ୍ୟଜଣେ ହେଉଛନ୍ତି ଓଡ଼ିଶାର ପ୍ରତିଟି ଘରର ଚା’ କପ୍ରେ ଆଲୋଚନା ହେଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକ।
କିନ୍ତୁ ଆଜି ଚିତ୍ରଟି ସମ୍ପୂର୍ଣ୍ଣ ଅଲଗା। ଯେଉଁ ହାତରେ ଦିନେ କୋଟି କୋଟି ଟଙ୍କାର କ୍ୟାମେରା ଓ ଷ୍ଟୁଡିଓ ଥିଲା, ସେହି ହାତରେ ଆଜି କେବଳ ଗୋଟିଏ ମୋବାଇଲ୍ ଫୋନ୍ ଓ ବୁମ୍ ରହିଛି। ଯିଏ ଦିନେ ରାଜ୍ୟର ସବୁଠାରୁ ବଡ଼ ସମ୍ପାଦକ ଥିଲେ, ସେ ଆଜି ନିଜ ସ୍ଥାପିତ ଅନୁଷ୍ଠାନରୁ ନିର୍ବାସିତ। ଏଥିପାଇଁ ଦାୟୀ କିଏ? ସେମାନଙ୍କର ଅହଂକାର, ନା ଶାସକଙ୍କ ପ୍ରତିଶୋଧ? ନା କେବଳ ସେମାନଙ୍କର କର୍ମ?
ପ୍ରଣୟ ରାୟ – ସୌମ୍ୟତାରୁ ଶୂନ୍ୟତା
୮୦ ଏବଂ ୯୦ ଦଶକରେ ଯେତେବେଳେ ଭାରତରେ କେବଳ ଦୂରଦର୍ଶନର ଏକାଧିପତ୍ୟ ଥିଲା, ସେତେବେଳେ ଜଣେ ବ୍ୟକ୍ତି ସାମ୍ବାଦିକତାକୁ ‘ଗ୍ଲାମର’ ଏବଂ ‘ବିଶ୍ୱସନୀୟତା’ ଦେଇଥିଲେ। ସେ ହେଲେ ପ୍ରଣୟ ରାୟ। ଏନଡିଟିଭି କେବଳ ଏକ ଚ୍ୟାନେଲ୍ ନ ଥିଲା, ଏହା ଥିଲା ସାମ୍ବାଦିକତା ପାଇଁ ଏକ ପାଠଶାଳା।
କିନ୍ତୁ ବଙ୍ଗଳା ନିର୍ବାଚନରେ ତାଙ୍କର ମୋବାଇଲରେ ଭିଡିଓ ରେକର୍ଡିଂ କରୁଥିବାର ଦୟନୀୟ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଦୃଶ୍ୟକୁ ଦେଖିଲେ ମନକୁ ପ୍ରଶ୍ନ ଆସୁଛି ମୁଁ କ’ଣ ସାମ୍ବାଦିକତା ପ୍ରଫେସନକୁ ଆସି ଭୁଲ କରିଦେଲିକି?
ପ୍ରଣୟ ରାୟଙ୍କ ପତନର ଅନେକ କାରଣ ରହିଛି। ତା’ ଭିତରୁ ଗୁରୁତ୍ୱପୂର୍ଣ୍ଣ କାରଣ ଗୁଡିକ ହେଲା:-
୧. ଆର୍ଥିକ ମିଶ୍-ମ୍ୟାନେଜମେଣ୍ଟ:– ପ୍ରଣୟ ରାୟ ଜଣେ ଭଲ ସମ୍ପାଦକ ଥିଲେ, କିନ୍ତୁ ଜଣେ ଦୂରଦର୍ଶୀ ବ୍ୟବସାୟୀ ହୋଇପାରିଲେ ନାହିଁ। ଆଇସିଆଇସିଆଇ ବ୍ୟାଙ୍କରୁ ନିଆଯାଇଥିବା ଋଣ ଏବଂ ଆରଆରପିଆର ହୋଲ୍ଡିଂସର ଜଟିଳତା ତାଙ୍କୁ ଜାଲରେ ଛନ୍ଦି ଦେଲା। ଏଥିରୁ ସେ ବାହାରିବାର ବାଟ ପାଇଲେ ନାହିଁ। ସଂକଟରେ ଛଟପଟ ହେଲେ।
୨. ସରକାରଙ୍କ ସହ ସଂଘର୍ଷ:– ୨୦୧୪ ପରେ ଦେଶର ରାଜନୈତିକ ପରିବେଶ ବଦଳିଲା। କଂଗ୍ରେସ ହାରିବା ସହିତ ବିଜେପି କ୍ଷମତାକୁ ଆସିଲା। ଏନଡିଟିଭି ବିଜେପି ସରକାରଙ୍କ କଠୋର ସମାଲୋଚକ ସାଜିଲା। ସରକାରଙ୍କୁ ସମାଲୋଚନା କରିବା ଗଣତନ୍ତ୍ର ପାଇଁ ଭଲ, କିନ୍ତୁ ସେହି ସମାଲୋଚନା ଯେତେବେଳେ ବ୍ୟକ୍ତିଗତ ପରିଧିକୁ ଚାଲିଗଲା, ସେତେବେଳେ ଶାସକଙ୍କ ପକ୍ଷରୁ ‘ଇକୋନୋମିକ୍ ୱାରଫେୟାର’ ବା ଆର୍ଥିକ ଯୁଦ୍ଧ ଆରମ୍ଭ ହେଲା। ଯାହାକୁ ସମ୍ଭାଳିବା ପାଇଁ ପ୍ରଣୟ ରାୟଙ୍କ ଶକ୍ତି ନ ଥିଲା। ଅପର ପକ୍ଷରେ ବ୍ୟବସାୟ ଅଭାବରୁ ଏନଡିଟିଭିର ଋଣ ଭାର ବଢ଼ିବାକୁ ଲାଗିଲା।
୩. ଆଦାନୀଙ୍କ ପ୍ରବେଶ:– ଯେତେବେଳେ ଋଣ ସୁଝିବାର ଶକ୍ତି ରହିଲା ନାହିଁ, ସେତେବେଳେ ଗୌତମ ଆଦାନୀଙ୍କ ଏଣ୍ଟ୍ରି ହେଲା। ଗୌତମ ଆଦାନୀ ଏନଡିଟିଭିର ଅଧିକ ସେୟାର କିଣି ନେଇ ପ୍ରଣୟ ରାୟଙ୍କ ସମେତ ଅନେକ ସାମ୍ବାଦିକଙ୍କୁ ସଂସ୍ଥାରୁ ବାହାରର ରାସ୍ତା ଦେଖାଇ ଦେଲେ। ଗୋଟିଏ ରାତିରେ ପ୍ରଣୟ ରାୟ ନିଜ ସାମ୍ରାଜ୍ୟରୁ ବାହାର ହୋଇଗଲେ।
ଆଜିର ଦୃଶ୍ୟ ହେଲା ପ୍ରଣୟ ରାୟଙ୍କୁ ଆଜି ପଶ୍ଚିମବଙ୍ଗର ଗଳିକନ୍ଦିରେ ମୋବାଇଲ୍ କ୍ୟାମେରା ଧରି ବୁଲୁଥିବାର ଦେଖିଲେ ମନେହୁଏ, “ସମୟ କାହାକୁ ଅପେକ୍ଷା କରେନାହିଁ।” ଯେଉଁ ବ୍ୟକ୍ତି ଦିନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରୁଥିଲେ, ସେ ଆଜି ସାଧାରଣ ଜନତାଙ୍କୁ ଫୋନ୍ରେ ପ୍ରଶ୍ନ ପଚାରୁଛନ୍ତି। ଏହା ତାଙ୍କର ସରଳତା ନା ଦୂରବସ୍ଥା?
ସୌମ୍ୟରଞ୍ଜନ ପଟ୍ଟନାୟକ – ଓଡ଼ିଶାର ମିଡିଆ ସମ୍ରାଟଙ୍କ ଅସ୍ତରାଗ
ଅନୁରୂପ ଭାବରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଧୂରୀଣ ରାଜନୀତିଜ୍ଞ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜାମାତା ଭାବରେ ପ୍ରଥମ ପରିଚୟ ହାସଲ କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ। ସେ ପରିଚୟକୁ ଆହୁରି ମଜଭୁତ କରିଥିଲା ଦୈନିକ ସମ୍ବାଦର ସମ୍ପାଦକା ଭାବେ। ଓଡ଼ିଶାର ଖବରକାଗଜ ଜଗତରେ ଆଲୋଚନା ସୃଷ୍ଟି କରିଥିଲେ ୮୦ ଦଶକରେ।
ଓଡ଼ିଶାର ସାମ୍ବାଦିକତା ଜଗତରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାମ ହିଁ ଯଥେଷ୍ଟ। ୧୯୮୪ରେ ‘ସମ୍ବାଦ’ ପ୍ରତିଷ୍ଠା କରି ସେ ଓଡ଼ିଶାରେ ସମ୍ବାଦପତ୍ର ଶିଳ୍ପରେ ବିପ୍ଳବ ଆଣିଥିଲେ। ରାଜ୍ୟରେ ପ୍ରଥମ କରି ଅଫସେଟ୍ ପ୍ରିଣ୍ଟିଂ ହେଉ ବା ସକାଳୁ ଖବରକାଗଜ ପହଞ୍ଚାଇବା—ସବୁଥିରେ ସେ ଥିଲେ ନମ୍ବର ୱାନ୍। ଏପରିକି ସମୟକ୍ରମେ ସମ୍ବାଦ ରାଜ୍ୟର ଏକ ନମ୍ପର ଖବରକାଗଜ ହୋଇଥିଲା। ତାଙ୍କଦ୍ୱାରା ଲିଖିତ ସମ୍ପାଦକୀୟ ‘ଆମ ଘରର ହାଲଚାଲ’ର ଲୋକାଦୃତି ଶିଖର ଛୁଇଁଥିଲା। କେବଳ ସମ୍ବଦ ନୁହେଁ, କନକ ଟିଭି, ରେଡିଓ ଚକୋଲେଟ ଭଳି ମିଡ଼ିଆ ସଂସ୍ଥା ସେ ପ୍ରତିଷ୍ଠା କରିଥିଲେ।
କିନ୍ତୁ କଣ ହେଲା ଏମିତି ଯେ ସେ ଏବେ ସମ୍ବାଦ ଖବରକାଗଜରେ ଅଲୋଡ଼ା ହୋଇଯାଇଛି ? ସୌମ୍ୟରଂଜନ ପଟ୍ଟନାୟକଙ୍କର ସବୁଠାରୁ ବଡ଼ ଭୁଲ୍ ଥିଲା— “ରାଜନୀତି ଓ ସାମ୍ବାଦିକତାକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭାବେ ଗ୍ରହଣ କରିବା।”
୧. ବିଜେଡିରେ ଯୋଗଦାନ:-ଯେତେବେଳେ ସେ ବିଜେଡିରେ ମିଶିଲେ ଏବଂ ରାଜ୍ୟସଭା, ପରେ ବିଧାନସଭାକୁ ଗଲେ, ସେତେବେଳେ ସେ ନିଜର ସ୍ୱାଧୀନ ସତ୍ତାକୁ ସରକାରଙ୍କ ପାଖରେ ବନ୍ଧା ପକାଇଦେଲେ। ତାଙ୍କ କଲମ ବହୁତ ସମୟ ଧରି ବନ୍ଦ ରହିଲା। ବିଜେଡିରେ ଯୋଗ ଦେବାପରେ ରାଜନୀତିରେଳ ଅସଫଳତା ସାଉଁଟୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣି ସଫଳତା ହାସଲ କଲେ। ପ୍ରଥମେ ବିଜେଡିରୁ ରାଜ୍ୟସଭାକୁ ଯାଇ ପରବର୍ତ୍ତୀ ସମୟରେ ବିଧାୟକ ହେଲେ।
୨. ବିଦ୍ରୋହୀ ସ୍ୱଭାବ: ସୌମ୍ୟରଂଜନ ପଟ୍ଟନାୟକ ଜଣେ ‘ବର୍ନ ଏଡିଟର’। ସେ ସରକାରରେ ଥାଇ ମଧ୍ୟ ନିର୍ବାଚନ ପୂର୍ବରୁ ସରକାରଙ୍କ ଭୁଲ୍ ନୀତି ୫-ଟି ଓ ଅମଲାତନ୍ତ୍ରକୁ ତୀବ୍ର ସମାଲୋଚନା କରିବା ଆରମ୍ଭ କଲେ। ଏହା ନବୀନ ପଟ୍ଟନାୟକଙ୍କ ପରି ଜଣେ ଶକ୍ତିଶାଳୀ ନେତାଙ୍କୁ ହଜମ ହେଲା ନାହିଁ। ଏପରିକି ସେତେବେଳେ ଛାୟା ମୁଖ୍ୟମନ୍ତ୍ରୀ ଭୂମିକାରେ ଦାୟିତ୍ୱ ନିର୍ବାହ କରୁଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରତିଶୋଧ ପରାୟଣ ହୋଇପଡ଼ିଲେ।
୩. ବିତାଡ଼ନ: ସରକାର ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଲୋନ୍ ଠକେଇ ଅଭିଯୋଗ ଆଣିଲେ, ତାଙ୍କ ଅଫିସ୍ରେ ରେଡ୍ ହେଲା ଏବଂ ଶେଷରେ ତାଙ୍କୁ ଦଳରୁ ବହିଷ୍କାର କରାଗଲା। ଏପରିକି ଯେଉଁ ‘ସମ୍ବାଦ’କୁ ସେ ଗଢ଼ିଥିଲେ, ସେଠାରେ ତାଙ୍କ ପରିବାର ମଧ୍ୟ ତାଙ୍କ ସହ ରହିଲେ ନାହିଁ ବୋଲି ଚର୍ଚ୍ଚା ହେଲା। ଫଳରେ ସେ ବାଧ୍ୟ ହୋଇ ସମ୍ବାଦର ସମ୍ପାଦକ ପଦବୀରୁ ଇସ୍ତଫା ଦେଲେ।
ଆଜିର ସ୍ଥିତି: ସୌମ୍ୟବାବୁ ଏବେ ‘ଆମ ଓଡ଼ିଶା’ ନାମକ ଏକ ସାପ୍ତାହିକ ପତ୍ରିକାର ସମ୍ପାଦକ ହୋଇ ତାହାକୁ ଚଲାଉଛନ୍ତି। ଜଣେ ବାଘ ସଦୃଶ ବ୍ୟକ୍ତିତ୍ୱ ଆଜି ଗୋଟିଏ ଛୋଟ ପିଞ୍ଜରାରେ ସୀମିତ ରହିଗଲେ କି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି?
କିଏ ଦାୟୀ? ରାଜନୀତି ନା କର୍ମ?
ଏବେ ଆସନ୍ତୁ ସବୁଠାରୁ ବଡ଼ ପ୍ରଶ୍ନକୁ—ଏଥିପାଇଁ କିଏ ଦାୟୀ?
• ଯଦି ଆମେ କହିବା ରାଜନୀତି ଦାୟୀ, ତେବେ କାହିଁକି ଦାୟୀ? ବର୍ତ୍ତମାନର ରାଜନୀତି ହେଉଛି ‘Total Control’ ବା ସମ୍ପୂର୍ଣ୍ଣ ନିୟନ୍ତ୍ରଣର ରାଜନୀତି। ପ୍ରଣୟ ରାୟ କେନ୍ଦ୍ର ସରକାରଙ୍କ ଆଖିର କଣ୍ଟା ଥିଲେ ଏବଂ ସୌମ୍ୟରଂଜନ ପଟ୍ଟନାୟକ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅହଂକାରରେ ବାଧା ଦେଉଥିଲେ। ଉଭୟ ସରକାର ଦର୍ଶାଇ ଦେଲେ ଯେ, “ଯଦି ଆମ କଥାରେ ନ ଚାଲିବ, ତେବେ ତୁମର ଅସ୍ତିତ୍ୱ ଲିଭାଇ ଦିଆଯିବ।” ଏହାକୁ କାମରେ କରି ଦେଖାଇ ଦେଲେ ମଧ୍ୟ। ଏହା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ବିଷୟ।
• କର୍ମ କାହିଁକି ଦାୟୀ? କିନ୍ତୁ ସେମାନଙ୍କ ନିଜର ଭୁଲ୍ ମଧ୍ୟ କିଛି କମ୍ ନ ଥିଲା। ପ୍ରଣୟ ରାୟ ଆର୍ଥିକ ସ୍ୱଚ୍ଛତା ରଖିପାରିଲେ ନାହିଁ। ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକ ରାଜନୈତିକ ମହତ୍ୱାକାଂକ୍ଷା ରଖି ନିଜକୁ ଏକ ବିଶେଷ ଦଳର ସୀମା ଭିତରକୁ ଟାଣି ନେଇଥିଲେ। ଯେତେବେଳେ ଜଣେ ସାମ୍ବାଦିକ ନିଜକୁ ରାଜନେତା ଭାବେ ଦେଖେ, ସେତେବେଳେ ତାଙ୍କର ପତନ ସୁନିଶ୍ଚିତ।
ପ୍ରଣୟ ରାୟ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କାହାଣୀ ଆଜିର ପିଢ଼ିର ସାମ୍ବାଦିକ ଓ ମାଲିକମାନଙ୍କ ପାଇଁ ଏକ ବଡ଼ ଚେତାବନୀ। ମିଡିଆ ଏବଂ ରାଜନୀତିର ଅପବିତ୍ର ଗଠବନ୍ଧନ ଶେଷରେ ମିଡିଆକୁ ହିଁ ନଷ୍ଟ କରିଦିଏ। ଏହି ଦୁଇ ବ୍ୟକ୍ତିତ୍ୱ ଆଜି ଗୁରୁତ୍ୱ ହରାଇଥାଇ ପାରନ୍ତି, କିନ୍ତୁ ସେମାନେ ଛାଡ଼ିଯାଇଥିବା ପ୍ରଶ୍ନବାଚୀ ଆଜି ବି ଗଣତନ୍ତ୍ର ପାଇଁ ଜୀବନ୍ତ।
ସମୟର ଚକ୍ରରେ ପୁଣି କିଏ ଉଠିବ ଆଉ କିଏ ପଡ଼ିବ, ତାହା ତ ଭବିଷ୍ୟତ କହିବ। କିନ୍ତୁ ଏକଥା ସତ ଯେ, “ସତ୍ୟ ଯେତେବେଳେ କ୍ଷମତାଧାରୀଙ୍କ ସହିତ ସାଲିସ୍ କରେ, ସେତେବେଳେ ସ୍ୱାଧୀନତା ନିଶ୍ଚିତ ହଜିଯାଏ।”
AlsoRead; https://purvapaksa.com/arvind-has-arranged-a-time-for-mohan/
ମୋହନଙ୍କ ପାଇଁ କାଳ ସାଜିଛନ୍ତି ଅରବିନ୍ଦ || Arvind has been a problem to Mohan


