ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ, ହଠାତ୍ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ (Pete Hegseth) ନୌସେନା ସଚିବ ଜନ୍ ଫେଲାନ୍ଙ୍କୁ (John Phelan) ତାଙ୍କ ପଦରୁ ବରଖାସ୍ତ କରିଛନ୍ତି । ଏହି ଘଟଣା ବର୍ତ୍ତମାନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।
ପେଣ୍ଟାଗନରେ ବିସ୍ଫୋରଣ – କାହିଁକି ବରଖାସ୍ତ ହେଲେ ନୌସେନା ସଚିବ?

ଯେତେବେଳେ ଦୁଇଟି ଦେଶ ମଧ୍ୟରେ ଯୁଦ୍ଧ ଚାଲିଥାଏ, ସେତେବେଳେ ସେନାବାହିନୀର ନେତୃତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଆମେରିକାରେ ବର୍ତ୍ତମାନ ଏମିତି କିଛି ଘଟୁଛି ଯାହା କାହାରିକୁ ସହଜରେ ବିଶ୍ୱାସ ହେବ ନାହିଁ । ଏକ ପଟେ ଇରାନ ସହ ତିକ୍ତତା ଶୀର୍ଷରେ ଥିବା ବେଳେ, ଅନ୍ୟପଟେ ପେଣ୍ଟାଗନ୍ ଭିତରେ କନ୍ଦଳ ଏବେ ସାମ୍ନାକୁ ଆସିଛି । ଆମେରିକାର ନୌସେନା ସଚିବ ଜନ୍ ଫେଲାନ୍ଙ୍କୁ ହଠାତ୍ ତାଙ୍କ ପଦରୁ ହଟାଇ ଦିଆଯାଇଛି । କୌଣସି କାରଣ ନାହିଁ, କୌଣସି ସ୍ପଷ୍ଟୀକରଣ ନାହିଁ – କେବଳ ଏତିକି କୁହାଯାଇଛି ଯେ “ଆସନ୍ତାକାଲିଠାରୁ ଆପଣଙ୍କୁ ଆଉ ଆସିବା ଦରକାର ନାହିଁ” ।
କାହିଁକି ଟ୍ରମ୍ପ ପ୍ରଶାସନ ନେଲା ଏହି ବଡ଼ ପଦକ୍ଷେପ ? କ’ଣ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ (Strait of Hormuz) ରେ ଆମେରିକା ନୌସେନାର ବିଫଳତା ଏହାର ମୁଖ୍ୟ କାରଣ ? କିମ୍ବା ପେଣ୍ଟାଗନ୍ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ?
ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଏବଂ ଆମେରିକାର ବିଫଳତା

ଘଟଣାଟି ଆରମ୍ଭ ହେଉଛି ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ରୁ। ଆମେରିକା ଦାବି କରୁଥିଲା ଯେ ସେମାନେ ଇରାନକୁ ଚତୁର୍ଦ୍ଦିଗରୁ ଘେରି ରଖିଛନ୍ତି ଏବଂ ତା’ର ଅର୍ଥନୀତିକୁ ପଙ୍ଗୁ କରିଦେଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହୁଥିଲେ ଯେ ହର୍ମୁଜ୍ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି । କିନ୍ତୁ ବାସ୍ତବତା କିଛି ଅଲଗା ଥିଲା ।
ରିପୋର୍ଟ ଅନୁସାରେ, ଆମେରିକାର ନଜର ଥାଇ ମଧ୍ୟ ସେହି ରାସ୍ତା ଦେଇ ୩୪ଟି ଅଏଲ୍ ଟ୍ୟାଙ୍କର୍ ପାସ୍ କରିଛି, ଯେଉଁଥିରୁ ୧୯ଟି ସିଧାସଳଖ ଇରାନ ସହ ଜଡିତ ଥିଲା । ଏହାର ଅର୍ଥ ହେଉଛି, ଆମେରିକା ନୌସେନାର ଅବହେଳା ଯୋଗୁଁ ଇରାନର ବ୍ୟବସାୟ ଅତି ସହଜରେ ଚାଲିଥିଲା । ଏହି ଘଟଣା ପରେ ଆମେରିକା ନୌସେନାର ଦକ୍ଷତା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ଜନ୍ ଫେଲାନ୍ ଏବଂ ପିଟ୍ ହେଗସେଥ୍ଙ୍କ ମଧ୍ୟରେ ମତାନ୍ତର
ଜନ୍ ଫେଲାନ୍ ଜଣେ ବହୁତ ଆକ୍ରମଣାତ୍ମକ ପ୍ରକୃତିର ବ୍ୟକ୍ତି । ସେ ନୌସେନାରେ ଅନେକ ସଂସ୍କାର ଆଣିବାକୁ ଚାହୁଁଥିଲେ । ସେ ଏକ ‘ଗୋଲ୍ଡେନ ଫ୍ଲିଟ୍’ (Golden Fleet) ଗଠନ କରିବାକୁ ଚାହୁଁଥିଲେ, ଯେଉଁଥିପାଇଁ ସେ ପ୍ରାୟ ୧.୫ ଟ୍ରିଲିୟନ ଡଲାରର ବଜେଟ୍ ମାଗିଥିଲେ। କିନ୍ତୁ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହି ପ୍ରସ୍ତାବ ସହ ସହମତ ନଥିଲେ।

ଏହା ସହିତ ଟ୍ରମ୍ପ ପ୍ରଶାସନର ଏକ ଖାସ୍ ବୈଶିଷ୍ଟ୍ୟ ହେଉଛି ସେମାନେ କେବଳ ‘ୟେସ୍ ମ୍ୟାନ’ (Yes Men) ମାନଙ୍କୁ ପସନ୍ଦ କରନ୍ତି। ଯଦି ଆପଣ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି, ତେବେ ଆପଣ ପଦରେ ରହିବେ, ନଚେତ୍ ଆପଣଙ୍କୁ ବାହାର କରିଦିଆଯିବ। ଜନ୍ ଫେଲାନ୍ ଏବଂ ହେଗସେଥ୍ଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଏବଂ ପ୍ରଶାସନିକ ଶୈଳୀରେ ଥିବା ପାର୍ଥକ୍ୟ ଏହି ବରଖାସ୍ତର ପ୍ରଧାନ କାରଣ ବୋଲି କୁହାଯାଉଛି।
ପେଣ୍ଟାଗନ୍ରେ ଅସ୍ଥିରତା
![]()
ଜନ୍ ଫେଲାନ୍ ଏକମାତ୍ର ବ୍ୟକ୍ତି ନୁହନ୍ତି ଯାହାଙ୍କୁ ହଟାଯାଇଛି। ଗତ କିଛି ମାସ ମଧ୍ୟରେ ଆମେରିକା ସେନାର ଅନେକ ଶୀର୍ଷ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ଏପ୍ରିଲ ମାସରେ ଆର୍ମି ଚିଫ୍ ଜେନେରାଲ ରାଣ୍ଡି ଜର୍ଜଙ୍କୁ ହଟାଯାଇଥିଲା। ଏହା ବ୍ୟତୀତ ଏୟାରଫୋର୍ସ ଏବଂ ନୌସେନାର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଡେମୋକ୍ରାଟିକ ପାର୍ଟିର ସେନେଟରମାନେ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକାରର ଅସ୍ଥିରତା ଯୋଗୁଁ ଆମେରିକା ଇରାନ ଯୁଦ୍ଧରେ ଦୁର୍ବଳ ହୋଇପଡୁଛି। ଯେତେବେଳେ ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ହୁଏ, ସେତେବେଳେ ରଣନୀତି ମଧ୍ୟ ବଦଳିଥାଏ, ଯାହା ଗ୍ରାଉଣ୍ଡରେ ଥିବା ସୈନିକମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥାଏ।
ଚୀନ୍ର ବଢୁଥିବା ଶକ୍ତି ଏବଂ ଆମେରିକାର ଚିନ୍ତା
ଅନ୍ୟପକ୍ଷରେ, ଚୀନ୍ ତା’ର ନୌସେନା ଶକ୍ତିକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି । ସିପ୍ ବିଲଡିଂ ବା ଜାହାଜ ନିର୍ମାଣ କ୍ଷେତ୍ରରେ ଚୀନ୍ ଏବେ ଆମେରିକାକୁ ପଛରେ ପକାଇ ଦେଇଛି । ଜନ୍ ଫେଲାନ୍ ଚାହୁଁଥିଲେ ଯେ ଆମେରିକା ଏ ଦିଗରେ ବଡ଼ ନିବେଶ କରୁ, କିନ୍ତୁ ପେଣ୍ଟାଗନ୍ ଏଥିପାଇଁ ପ୍ରସ୍ତୁତ ନଥିଲା । ଏହି ସଂଘର୍ଷ ଏବେ ଏକ ବଡ଼ ରାଜନୈତିକ ରୂପ ନେଇଛି।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଯେଉଁ ସମୟରେ ଆମେରିକାକୁ ଏକ ଦୃଢ ନେତୃତ୍ୱର ଆବଶ୍ୟକତା ଅଛି, ସେହି ସମୟରେ ଏଭଳି ବରଖାସ୍ତ କେତେଦୂର ଯୁକ୍ତିଯୁକ୍ତ? କ’ଣ ଟ୍ରମ୍ପ ପ୍ରଶାସନ ନିଜ ସ୍ୱାର୍ଥ ପାଇଁ ଦେଶର ସୁରକ୍ଷା ଓ ଅର୍ଥାବ୍ୟସ୍ଥା କୁ ନେଇ ବାଜି ଲଗାଉଛି?
also read : https://purvapaksa.com/why-west-bengal-elections-2026-is-so-important-for-bjp/


