ଭାରତୀୟ ରାଜନୀତିରେ ଏକ ପୁରୁଣା ଉକ୍ତି ଅଛି— “ସତ୍ୟର ଚାଲି ଧୀର ହୋଇପାରେ, କିନ୍ତୁ ମିଥ୍ୟାକୁ ସବୁବେଳେ ଦୌଡ଼ିବାକୁ ପଡ଼ିଥାଏ।” ଆଜି କଂଗ୍ରେସର ବରିଷ୍ଠ ପ୍ରବକ୍ତା ପବନ ଖେଡ଼ାଙ୍କ ଅବସ୍ଥା ଦେଖିଲେ ଠିକ୍ ଏମିତି ମନେହେଉଛି।
କିଛି ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ଛାତି ପିଟି ମିଥ୍ୟା ଦସ୍ତାବିଜ ଦେଖାଉଥିବା ପବନ ଖେଡ଼ା ଏବେ ମୁହଁ ଲୁଚାଇ ଦିଲ୍ଲୀରୁ ହାଇଦ୍ରାବାଦକୁ ଦୌଡ଼ୁଛନ୍ତି। ଯେତେବେଳେ ପ୍ରେସ୍ କନଫରେନ୍ସରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ, ସେତେବେଳେ ତାଙ୍କ ସ୍ୱରରେ ଅହଂକାର ଥିଲା, କିନ୍ତୁ ଯେତେବେଳେ ଆସାମ ପୋଲିସ ଦୁଆର ମୁହଁରେ ପହଞ୍ଚିଲା, ସେତେବେଳେ କଂଗ୍ରେସର ଏହି ‘ତପସ୍ୱୀ’ ପ୍ରବକ୍ତାଙ୍କୁ କ୍ୟାମେରା ସାମ୍ନାରେ ମୁହଁ ଦେଖାଇବାକୁ ଭୟ ଲାଗୁଛି। ପ୍ରଶ୍ନ ଉଠୁଛି, କଂଗ୍ରେସ କ’ଣ ଏବେ ‘କ୍ଷମାବୀର ଗ୍ୟାଙ୍ଗ’ ପାଲଟିଛି
ନକଲି ଦଲିଲର ଖେଳ ଏବଂ ଖେଡ଼ାଙ୍କ ବିଫଳତା
ଘଟଣାଟି ଆରମ୍ଭ ହୋଇଥିଲା ପବନ ଖେଡ଼ାଙ୍କ ଏକ ବିବାଦୀୟ ପ୍ରେସ୍ କନଫରେନ୍ସରୁ। ସେ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ କମ୍ପାନୀ ସମ୍ବନ୍ଧରେ କିଛି ଦସ୍ତାବିଜ ଦେଖାଇ ଗମ୍ଭୀର ଦୁର୍ନୀତିର ଅଭିଯୋଗ ଆଣିଥିଲେ। କିନ୍ତୁ କଂଗ୍ରେସର ଏହି ମିଥ୍ୟା ସାମ୍ରାଜ୍ୟ ଖୁବ୍ ଶୀଘ୍ର ଭୁଶୁଡ଼ି ପଡ଼ିଲା। ସାମ୍ବାଦିକ ସମ୍ମିଳନୀରେ ଜଣେ ସତର୍କ ସାମ୍ବାଦିକ ଯେତେବେଳେ ପ୍ରଶ୍ନ କଲେ ଯେ, “ଆପଣ ଯେଉଁ କମ୍ପାନୀ କଥା କହୁଛନ୍ତି, ସେଇଟା ତ ଆପଣଙ୍କ ପ୍ରେସ୍ କନଫରେନ୍ସର ମାତ୍ର କିଛିଦିନ ପୂର୍ବରୁ ରେଜିଷ୍ଟର ହୋଇଛି”, ସେତେବେଳେ ଖେଡ଼ାଙ୍କ ଗଳା ଶୁଖିଯାଇଥିଲା।
ଏହି ଘଟଣାରୁ ସ୍ପଷ୍ଟ ହୋଇଗଲା ଯେ, କଂଗ୍ରେସ କେବଳ ଏକ ମିଥ୍ୟା ନାରେଟିଭ୍ ତିଆରି କରିବା ପାଇଁ ଫର୍ଜି କାଗଜପତ୍ରର ସାହାରା ନେଇଥିଲା। ଯେତେବେଳେ ଏହାକୁ ପ୍ରମାଣ କରିବାର ସମୟ ଆସିଲା, ସେତେବେଳେ ପବନ ଖେଡ଼ା ସିଂହ ପରି ଗର୍ଜନ କରିବା ପରିବର୍ତ୍ତେ ମାଡ଼ ଖାଇଥବା ବିଲେଇ ଭଳି ଦୌଡ଼ି ପଳାଇବାକୁ ଶ୍ରେୟସ୍କର ମଣିଲେ। ସତ୍ୟର ସାମ୍ନା କରିବା କଂଗ୍ରେସ ପାଇଁ କଷ୍ଟକର ହୋଇପଡ଼ିଛି।
କଂଗ୍ରେସର ପୁରୁଣା ପ୍ୟାଟର୍ଣ୍ଣ: କ୍ଷମାବୀରଙ୍କ ତାଲିକା
କଂଗ୍ରେସ ଦଳ ପାଇଁ ମିଥ୍ୟା କହିବା ଏବଂ ପରେ କୋର୍ଟରେ ଯାଇ କ୍ଷମା ମାଗିବା ଏକ ନୂଆ କଥା ନୁହେଁ। ଏହା ସେମାନଙ୍କର ଏକ ସୁଚିନ୍ତିତ ରାଜନୈତିକ ରଣନୀତି।
• ରାହୁଲ ଗାନ୍ଧୀ ରାଫେଲ ମାମଲାରେ ‘ଚୌକିଦାର ଚୋର ହେ’ କହି ସେ ସମଗ୍ର ଦେଶରେ ବିଭ୍ରାନ୍ତି ସୃଷ୍ଟି କରିଥିଲେ। କିନ୍ତୁ ଶେଷରେ ସୁପ୍ରିମକୋର୍ଟରେ ତାଙ୍କୁ ଲିଖିତ ଭାବେ କ୍ଷମା ମାଗିବାକୁ ପଡ଼ିଲା।
• ଜୟରାମ ରମେଶ ଏନଏସଏ ଅଜିତ ଡୋଭାଲଙ୍କ ପରିବାର ଉପରେ ଗମ୍ଭୀର ଅଭିଯୋଗ ଆଣିବା ପରେ କୋର୍ଟରେ ପ୍ରମାଣ ଦେଇନପାରି ନିଃସର୍ତ୍ତ କ୍ଷମା ମାଗିଥିଲେ।
• ଦିଗବିଜୟ ସିଂହ ନିତିନ ଗଡ଼କରୀଙ୍କ ବିରୋଧରେ ଅଭିଯୋଗ ଆଣି ପରେ ନିଜ କଥାରୁ ଓହରି ଯାଇଥିଲେ।
ଏହି ତାଲିକା ଅତ୍ୟନ୍ତ ଦୀର୍ଘ। କଂଗ୍ରେସ ନେତାମାନେ ପ୍ରଥମେ ଗଣମାଧ୍ୟମ ସାମ୍ନାରେ ବିଭିନ୍ନ ବ୍ୟକ୍ତିଙ୍କ ଚରିତ୍ର ସଂହାର କରନ୍ତି ଏବଂ ଯେତେବେଳେ ଆଇନର ଜାଲରେ ଛନ୍ଦି ହୋଇଯାଆନ୍ତି, ସେତେବେଳେ ‘କ୍ଷମା’ ମାଗି ଖସିଯିବାକୁ ଚେଷ୍ଟା କରନ୍ତି। ସବୁଠୁ ବଡ଼ ହାସ୍ୟାସ୍ପଦ କଥା ହେଉଛି—ଏହି ନେତାମାନେ ବୀର ସାବରକରଙ୍କୁ ‘କ୍ଷମାବୀର’ କହି ଅପମାନିତ କରନ୍ତି, କିନ୍ତୁ ପ୍ରକୃତରେ ‘କ୍ଷମାବୀର’ କିଏ, ତାହା ଦେଶର ଜନତା ଏବେ ସ୍ପଷ୍ଟ ଦେଖୁଛନ୍ତି।
ସାବରକର ବନାମ କଂଗ୍ରେସ: କିଏ ବୀର, କିଏ ଭୀରୁ?
ରାହୁଲ ଗାନ୍ଧୀ ବାରମ୍ବାର ସାବରକରଙ୍କୁ ସମାଲୋଚନା କରି ନିଜକୁ ବଡ଼ ବୀର ସଜାନ୍ତି। କିନ୍ତୁ ସାବରକର ଦେଶ ପାଇଁ କଳାପାଣିର ଅକଥନୀୟ ଯନ୍ତ୍ରଣା ସହିଥିଲେ, ଯାହାକୁ ଇନ୍ଦିରା ଗାନ୍ଧୀ ମଧ୍ୟ ସମ୍ମାନ ଜଣାଇଥିଲେ। କିନ୍ତୁ ଆଜିର କଂଗ୍ରେସ ନେତାମାନେ ମାତ୍ର ୨୪ ଘଣ୍ଟା ପୋଲିସର ନଜରରେ ରହିଲେ ମୁହଁ ଲୁଚାଇ ଦୌଡୁଛନ୍ତି। ପବନ ଖେଡ଼ାଙ୍କ ପରି ନେତାମାନେ କ୍ୟାମେରା ଦେଖିଲେ ମୁଣ୍ଡ ନୁଆଁଇ ଦୌଡ଼ିବା ଦର୍ଶାଉଛି ଯେ ସେମାନଙ୍କ ପାଖରେ ନୈତିକ ସାହସ ବୋଲି କିଛି ନାହିଁ।
ମିଥ୍ୟାର ଆୟୁଷ ଅଳ୍ପ
ପବନ ଖେଡ଼ା ଏବେ ହାଇଦ୍ରାବାଦରେ ଶରଣ ନେଇଥାଇ ପାରନ୍ତି, କିନ୍ତୁ ଆଇନର ହାତ ବହୁତ ଲମ୍ବା। ହିମନ୍ତ ବିଶ୍ୱ ଶର୍ମାଙ୍କ ପରି ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର କରିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। କଂଗ୍ରେସ ଏବେ ବୁଝିବା ଦରକାର ଯେ, କେବଳ ଗଣମାଧ୍ୟମରେ ହଇଚଇ ସୃଷ୍ଟି କଲେ ନିର୍ବାଚନ ଜିତି ହୁଏନାହିଁ। ଜନତାଙ୍କ ବିଶ୍ୱାସ ଜିତିବା ପାଇଁ ସତ୍ୟ ଓ ନିଷ୍ଠାର ଆବଶ୍ୟକତା ରହିଛି।
କଂଗ୍ରେସ ଭଳି ଇଣ୍ଡି ମେଣ୍ଟର ନେତାଙ୍କ ଚରିତ୍ର ସମାନ
ଖାଲି କଂଗ୍ରେସ ନୁହେଁ, ସାରା ଇଣ୍ଡି ମେଣ୍ଟର ନେତାମାନଙ୍କର ଚରିତ୍ର ଏମିତି ସମାନ। ଅରବିନ୍ଦ କେଜ୍ରିୱାଲ କେତେ ଜଣଙ୍କୁ କ୍ଷମା ମାଗିଛନ୍ତି, ତା’ର ଗଣତି ନାହିଁ। ଏହି ନେତାମାନେ କ୍ୟାମେରା ସାମ୍ନାରେ ବଡ଼ ବଡ଼ କଥା କହନ୍ତି, କିନ୍ତୁ କୋର୍ଟରେ ପ୍ରମାଣ ଦେବାବେଳକୁ ମୁହଁ ଲୁଚାଇ ବୁଲନ୍ତି। କଂଗ୍ରେସ ଏବେ ବୁଝିବା ଦରକାର ଯେ, ଦେଶର ଜନତା ଏବେ ଅତ୍ୟନ୍ତ ସଚେତନ। ମିଥ୍ୟା ନାରେଟିଭ୍ ବେଶିଦିନ ତିଷ୍ଠିବ ନାହିଁ।
AlsoRead; https://purvapaksa.com/accident-victims-will-get-cashless-treatment/
ଦୁର୍ଘଟଣା ପୀଡିତଙ୍କୁ ମିଳିବ ନଗଦହୀନ ଚିକିତ୍ସା || Accident victims will get cashless treatment


