ଚଳିତ ବର୍ଷ ରାଜ୍ୟମାନଙ୍କରେ ଚାଲିଛି ବିଧନସଭା ନିର୍ବାଚନ । ଓଡିଶା , ପଶ୍ଚିମବଙ୍ଗ ପରେ କେରଳରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ନାମା । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ତେବେ ଏଥର କେରଳ ବିଧାନସଭା ନିର୍ବାଚନରେ ଥିବା ନେତାଙ୍କ ମଧ୍ୟରୁ ୩୮% ପ୍ରାର୍ଥୀଙ୍କ ବିରୁଦ୍ଧରେ ରହିଛି ଫୌଜଦାରୀ ମାମଲା । ଏଥିମଧ୍ୟରେ, ସର୍ବାଧିକ କଂଗ୍ରେସର ୭୨ ପ୍ରାର୍ଥୀ ,ବିଜେପିର ୫୯ ଏବଂ ସିପିଆଇ(ଏମ୍)ର ୫୧ ପ୍ରାର୍ଥୀଙ୍କ ନାମ ତାଲିକାରେ ଅଛି । ଏହି ସମୟରେ, ୨୩% ପ୍ରାର୍ଥୀଙ୍କ ବିରୁଦ୍ଧରେ ହତ୍ୟା ଏବଂ ବଳାତ୍କାର ଭଳି ଗମ୍ଭୀର ମାମଲା ମଧ୍ୟ ରହିଛି।

ତେବେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୮୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୮୬୩ ଜଣଙ୍କ ଶପଥପତ୍ର ବିଶ୍ଳେଷଣ କରିବା ପରେ ସେମାନଙ୍କ ଭିତରୁ ୩୩୯ଜଣ କୋଟିପତି ଥିବା ରିପୋର୍ଟ ଦେଇଛି ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ADR) । ଶନିବାର ପ୍ରକାଶିତ ଏହି ରିପୋର୍ଟରୁ ଜଣା ପଡିଛି ଯେ ପ୍ରତି ୫ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ କୋଟିପତି ରହିଛନ୍ତି ।
ରାଜ୍ୟର ପୂର୍ବ ବିଧାନସଭା ନିର୍ବାଚନରେ, କେବଳ ୨୭% ପ୍ରାର୍ଥୀ କୋଟିପତି ଥିଲେ, କିନ୍ତୁ ୨୦୨୬ରେ ଏହି ସଂଖ୍ୟା ୩୯% ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ୫ ବର୍ଷ ମଧ୍ୟରେ କୋଟିପତି ପ୍ରାର୍ଥୀଙ୍କ ସଂଖ୍ୟା ୪୮% ବୃଦ୍ଧି ପାଇଛି।
![]()
ରିପୋର୍ଟ ଅନୁଯାୟୀ, ୫୪% ପ୍ରାର୍ଥୀ ସ୍ନାତକ ନୁହଁନ୍ତି । ଏହି ସମୟରେ, ୪୮% ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ । ତେବେ ରାଜ୍ୟରେ ୯ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ ଯାହାର ଫଳାଫଳ ୪ମଇରେ ଘୋଷଣା କରାଯିବ।
୩ଦଳର ୧୮୨ ପ୍ରାର୍ଥୀଙ୍କ ଉପରେ ଚାଲିଛି ଅପରାଧିକ ମାମଲା

କଂଗ୍ରେସ, ବିଜେପି ଏବଂ ସିପିଆଇର ୨୫୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୨ ପ୍ରାର୍ଥୀଙ୍କ ଉପରେ ରହିଛି ଅପରାଧିକ ମାମଲା । ୧୭ ପ୍ରାର୍ଥୀଙ୍କ ଉପରେ ହତ୍ୟା ଭଳି ରହିଛି ସଙ୍ଗୀନ ଅଭିଯୋଗ । ଏଥି ସହ ୧୫ ନେତାଙ୍କ ଉପରେ ରହିଛି ମହିଳା ବିରୋଧୀ ଅପରାଧ ମାମଲା । ନିର୍ବାଚନ ଲଢ଼ୁଥିବା ସମସ୍ତ ରାଜନୈତିକ ଦଳ ଏପରି ପ୍ରାର୍ଥୀ ମାନଙ୍କୁ ଅତି କମରେ ୪୨% ଟିକେଟ୍ ଦେଇଛନ୍ତି , ଯେଉଁମାନଙ୍କ ଉପରେ ଅପରାଧିକ ମାମଲା ରହିଛି । ମୋଟାମୋଟି ଭାବେ ୨୦୧ ପ୍ରାର୍ଥୀଙ୍କ ଉପରେ ଚାଲିଛି ଗମ୍ଭୀର ଅପରାଧିକ ମାମଲା ।
କଂଗ୍ରେସରେ ଅଛନ୍ତି ସବୁଠୁ ଧନୀ ପ୍ରାର୍ଥୀ…
ଆଲାପୁଝା ଜିଲ୍ଲାର କୁଟ୍ଟାନାଡ ଆସନରୁ କେରଳ କଂଗ୍ରେସର ରେଜି ଚେରିଆନ୍ ୨୦୨୬ କେରଳ ବିଧାନସଭା ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ଥିବା ଜଣା ପଡିଛି । ତାଙ୍କର ମୋଟ ସମ୍ପତ୍ତିର ଆକଳନ ୨୧୮ କୋଟି ଟଙ୍କା ରହିଛି । ସେପଟେ କୋଟ୍ଟାୟମ ଜିଲ୍ଲାର ଏଟ୍ଟୁମାନୁର ଆସନରୁ SUCI(C)ର ଅଶ୍ନା ଥାମ୍ବିଙ୍କର ସମ୍ପତ୍ତି ମାତ୍ର ୮୪ ଟଙ୍କା ଥିବା ରିପୋର୍ଟରୁ ଜଣା ପଡିଛି । ଏପରି ଆଉ ୮ ଜଣ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କର ସମ୍ପତ୍ତି ଶୂନ୍ୟ ବୋଲି ଘୋଷଣା କରିଛନ୍ତି।

୨୦୨୧ ବିଧାନସଭା ନିର୍ବାଚନରେ, ଯେଉଁଠାରେ ୨୭% ପ୍ରାର୍ଥୀ କୋଟିପତି ଥିଲେ, ୨୦୨୬ରେ ଏହି ସଂଖ୍ୟା ୩୯% କୁ ବୃଦ୍ଧି ପାଇଛି । ପ୍ରତ୍ୟେକ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୭୮କୋଟି ଉପରେ ଥିବା ଜଣାପଡିଛି । ତେବେ ତତ୍କାଳୀନ ବିଜେପି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୫.୭କୋଟି, କଂଗ୍ରେସ ୩.୯୩କୋଟି ଏବଂ ସିପିଆଇ(ଏମ୍) ୨.୩କୋଟି ଟଙ୍କା ଥିବା ତାଲିକାର ଅନ୍ତର୍ଭୁକ୍ତ ହୋଇଛି ।
ମହିଳା ପ୍ରାର୍ଥୀଙ୍କ ପାଇଁ କେବଳ ୧୧% ଟିକେଟ୍

୨୦୧୧ ଜନଗଣନା ଅନୁଯାୟୀ, କେରଳ ଦେଶର ଏପରି ରାଜ୍ୟ ମଧ୍ୟରୁ ଗୋଟିଏ ଯେଉଁଠାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଅଛନ୍ତି । ଏହା ସତ୍ତ୍ୱେ, ଦଳଗୁଡ଼ିକ ମହିଳାଙ୍କୁ କେବଳ ୧୧% ଅର୍ଥାତ ୯୨ଟି ଟିକେଟ୍ ଦେଇଛନ୍ତି । ଶିକ୍ଷା ଦୃଷ୍ଟିରୁ ମଧ୍ୟ, କେରଳ ଦେଶର ସର୍ବୋତ୍ତମ ରାଜ୍ୟ ମଧ୍ୟରୁ ଅନ୍ୟତମ । ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫୪% ସ୍ନାତକ ହୋଇନଥିବା ବେଳେ ୪୮% ପ୍ରାର୍ଥୀଙ୍କର ରହିଛି ୫ମରୁ ଦ୍ୱାଦଶ ଶ୍ରେଣୀର ଶିକ୍ଷାଗତ ଯୋଗ୍ୟତା ।
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୬% / ୧୪୦ ଜଣ ପ୍ରାର୍ଥୀଙ୍କ ବୟସ ୨୫ ରୁ ୪୦ ବର୍ଷ ମଧ୍ୟରେ ଓ ୫୮% ଅର୍ଥାତ ୪୯୭ପ୍ରାର୍ଥୀଙ୍କ ବୟସ ୪୧ ରୁ ୬୦ ବର୍ଷ ମଧ୍ୟରେ ରହିଛି । ଏହା ସହିତ ୨୬% ବା ୨୨୪ପ୍ରାର୍ଥୀଙ୍କ ବୟସ ୬୧ ରୁ ୮୦ ବର୍ଷ ମଧ୍ୟରେ ଥିବା ବେଳେ ୨ ଜଣ ପ୍ରାର୍ଥୀ ୮୦ ବର୍ଷରୁ ଅଧିକ ବୟସ୍କ ଅଛନ୍ତି ।
also read : https://purvapaksa.com/modis-name-on-the-lips-of-pakistani-people-regarding-indias-military-power/


