ଗତକାଲି ରାଜ୍ୟସଭା ନିର୍ବାଚନ ସରିଛି, ଫଳାଫଳ ବି ଆସିଯାଇଛି। ଏହି ନିର୍ବାଚନ ଓଡ଼ିଶା ରାଜନୀତି ଇତିହାସରେ କେବଳ ଏକ ସାମ୍ବିଧାନିକ ପ୍ରକ୍ରିୟା ହୋଇ ରହିନାହିଁ, ବରଂ ଏହା ବିଜେଡି ଶିବିରରେ ଦୀର୍ଘ ଦିନ ଧରି ଚାଲିଥିବା ‘ୱାର୍ ଅଫ୍ ଇଗୋ’ ବା ଅହଂକାରର ଲଢ଼େଇକୁ ସର୍ବସାଧାରଣରେ ଉନ୍ମୋଚିତ କରିଦେଇଛି। ବାହାରକୁ ଏହି ଲଢ଼େଇ ବିଜେଡି ଏବଂ ବିଜେପି ମଧ୍ୟରେ ହେଉଥିବା ପରି ମନେହେଉଥିଲେ ହେଁ, ବାସ୍ତବରେ ଏହା ଥିଲା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ) ଏବଂ ନବୀନଙ୍କ ଏକାନ୍ତ ଅନୁଗତ ଭି. କେ. ପାଣ୍ଡିଆନଙ୍କ ମଧ୍ୟରେ ଏକ ଶକ୍ତି ପ୍ରଦର୍ଶନ।
କେବଳ ସେତିକି ନୁହେଁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଂହକାର ମଧ୍ୟ ଭାଙ୍ଗିଛି ଏହି ନିର୍ବାଚନ। ଆଉ ସବୁଠାରୁ ବଡ଼ ବିଫଳତା ବିଜେପି ଶିବିରରୁ ଦେଖିବାକୁ ମିଳିଛି। ବିଜେଡି ଓ କଂଗ୍ରେସର ଅନେକ ବିଧାୟକଙ୍କୁ କିଣି ବହୁ ଭୋଟ୍ ବ୍ୟବଧାନରେ ଜିତିବ ବୋଲି ଯେଉଁ ଯୋଜନା କରିଥିଲା ତାହା ସଫଳ ହୋଇପାରିନାହିଁ। ଏହି ନିର୍ବାଚନର ଫଳାଫଳ ପରେ ଏବେ ଓଡ଼ିଶାର ରାଜନୈତିକ ଦିଗ୍ବଳୟରେ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି— ପ୍ରକୃତରେ ଜିତିଲା କିଏ ଏବଂ ହାରିଲା କିଏ?
ପାଣ୍ଡିଆନଙ୍କ ଏକଚାଟିଆ ଆଧିପତ୍ୟ ଓ ପ୍ରାର୍ଥୀ ଚୟନର ଅଙ୍କ
ନିର୍ବାଚନର ପ୍ରାଥମିକ ପର୍ଯ୍ୟାୟରେ ଏହା ସ୍ପଷ୍ଟ ଜଣାପଡ଼ୁଥିଲା ଯେ ବିଜୁ ଜନତା ଦଳ ଉପରେ ପାଣ୍ଡିଆନଙ୍କ ନିୟନ୍ତ୍ରଣ ଅତୁଟ ରହିଛି। ପ୍ରାର୍ଥୀ ଚୟନ କ୍ଷେତ୍ରରେ ସାଂଗଠନିକ ନେତାମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରି ସେ ନିଜର ବିଶ୍ୱସ୍ତ ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଟିକେଟ୍ ଦେବାରେ ସଫଳ ହୋଇଥିଲେ। ଏହା କେବଳ ଟିକେଟ୍ ବଣ୍ଟନ ନ ଥିଲା, ବରଂ ବବି ଦାସଙ୍କ କ୍ୟାମ୍ପ ପାଇଁ ଏକ ଶକ୍ତ ଧକ୍କା ଥିଲା। ପାଣ୍ଡିଆନ ଦର୍ଶାଇବାକୁ ଚାହିଁଥିଲେ ଯେ, ଦଳରେ ନବୀନଙ୍କ ପରେ ତାଙ୍କର ନିଷ୍ପତ୍ତି ହିଁ ଚୂଡ଼ାନ୍ତ ଏବଂ ଅପରିବର୍ତ୍ତନୀୟ। କିନ୍ତୁ ରାଜନୀତିର ଗଣିତ କହେ, ଟିକେଟ୍ ବାଣ୍ଟିବା ଯେତିକି ସହଜ, ସବୁ ବିଧାୟକଙ୍କୁ ଏକାଠି ରଖି ସେମାନଙ୍କଠାରୁ ନିଜ ପସନ୍ଦର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଆଦାୟ କରିବା ସେତିକି ଜଟିଳ।

ନିରାଶ ବବିଙ୍କ କ୍ୟାମ୍ପରେ ମାତ୍ର ୮ ବିଧାୟକଙ୍କ ବିଦ୍ରୋହ
ନିର୍ବାଚନ ଦିନ ପାଣ୍ଡିଆନଙ୍କ ସମସ୍ତ ଗଣିତ ଏବଂ ରଣନୀତି ବିଗିଡ଼ିଗଲା। ବବି ଦାସଙ୍କ ଅତି ନିକଟତର କୁହାଯାଉଥିବା ମାତ୍ର ୮ ଜଣ ବିଧାୟକ ଦଳୀୟ ହ୍ୱିପ୍କୁ ‘ଫୁ’ କରି ବିଜେପି ସମର୍ଥିତ ତଥା ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କଲେ। ଏହି ୮ ଜଣ ବିଧାୟକ କେବଳ ଦଳ ବିରୋଧରେ ଯାଇନାହାନ୍ତି, ବରଂ ସେମାନେ ପାଣ୍ଡିଆନଙ୍କ ‘ଅଣଓଡ଼ିଆ’ ନେତୃତ୍ୱକୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ସେମାନଙ୍କର ଏହି ପଦକ୍ଷେପ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ— “ଉଡ଼ା ଚଢ଼େଇ ଯେତେ ଚେଷ୍ଠା କଲେ ବି ଓଡ଼ିଶାର ମାଟି ଓ ଲୋକଙ୍କ ନେତା ହୋଇପାରିବେ ନାହିଁ।” ଏହି ବିଦ୍ରୋହ ପଛରେ ବବି ଦାସଙ୍କର ‘ନିଶବ୍ଦ ରଣନୀତି’ ଥିବା କଥାକୁ ଏବେ କେହି ଏଡ଼ାଇ ଦେଇପାରିବେ ନାହିଁ।
ପାଣ୍ଡିଆନ ଏବେ ବି ବିଜେଡି କ୍ଷମତାଶାଳୀ
ଗତକାଲିର ରାଜ୍ୟସଭା ନିର୍ବାଚନ ଫଳାଫଳ ପ୍ରମାଣିତ କରିଛି ଯେ ବିଜେଡିରେ ଏବେ ବି ପାଣ୍ଡିଆନ ଗୋଷ୍ଠୀ ଶକ୍ତିଶାଳୀ ରହିଛି। ପାଣ୍ଡିଆନଙ୍କ ବିରୋଧୀମାନେ ସଂତୃପ୍ତ ମିଶ୍ରଙ୍କୁ ହରାଇବା ପାଇଁ ଯେଉଁ ଯୋଜନା କରିଥିଲେ ତାହା ବିଫଳ ହୋଇଛି। କାରଣ ସଂଖ୍ୟାଧିକ ବିଧାୟକ ବୁଝିଛନ୍ତି ଯେ ଦଳରେ ଏବେ ବି ପାଣ୍ଡିଆନଙ୍କ ହାତରେ କ୍ଷମତା ଓ ଅର୍ଥ ରହିଛି। ତେଣୁ ତାଙ୍କ ବିରୋଧରେ ଗଲେ କ୍ଷତି ହିଁ କ୍ଷତି ହେବ। କ୍ଷମତା ମିଳିବ ନାହିଁ କି ଅର୍ଥ ବି ମିଳିବ ନାହିଁ।
ବିଜୁ ଲିଗାସୀ ବନାମ ପାଣ୍ଡିଆନ କ୍ୟାମ୍ପ
ବିଦ୍ରୋହୀ ବିଧାୟକମାନେ ଦିଲ୍ଲୀପ ରାୟଙ୍କୁ ‘ବିଜୁ ଲିଗାସୀ’ର ପ୍ରକୃତ ଦାବିଦାର ଭାବେ ଗ୍ରହଣ କରି ପରୋକ୍ଷରେ ଦର୍ଶାଇଛନ୍ତି ଯେ, ସେମାନେ ଆଉ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ର ପ୍ରାୟୋଜିତ ଏବଂ ପ୍ରଶାସନିକ ନିୟନ୍ତ୍ରିତ ରାଜନୀତିରେ ବନ୍ଦୀ ହୋଇ ରହିବାକୁ ଚାହୁଁନାହାନ୍ତି। ବିଜୁ ବାବୁଙ୍କ ସମୟର ସେହି ପୁରୁଣା ଆବେଗ ଏବଂ ଓଡ଼ିଆ ଅସ୍ମିତାକୁ ଏହି ବିଦ୍ରୋହ ମାଧ୍ୟମରେ ପୁଣିଥରେ ସଜୀବ କରିବାକୁ ଚେଷ୍ଟା କରାଯାଇଛି।

ସଂତୃପ୍ତଙ୍କ ବିଜୟ ଓ ଦତ୍ତେଶ୍ୱରଙ୍କ ପରାଜୟ: ଏକ ‘ଅଧା’ ସଫଳତା
ନିର୍ବାଚନ ଫଳାଫଳ ଯଦିଓ ସଂତୃପ୍ତ ମିଶ୍ରଙ୍କୁ ସଂସଦକୁ ପଠାଇଛି, କିନ୍ତୁ ପାଣ୍ଡିଆନଙ୍କ ଅନ୍ୟତମ ପସନ୍ଦ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପରାଜୟ ବିଜେଡିର ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଛିଡ଼ା କରିଛି। ଏହି ପରାଜୟ କେବଳ ଡାକ୍ତର ହୋତାଙ୍କର ନୁହେଁ, ବରଂ ଏହା ପାଣ୍ଡିଆନଙ୍କ ବ୍ୟକ୍ତିଗତ ରଣନୀତିର ପରାଜୟ। ଅନ୍ୟପଟେ, ବବି ଦାସ ଏହି ପ୍ରକ୍ରିୟା ମାଧ୍ୟମରେ ଦର୍ଶାଇ ଦେଇଛନ୍ତି ଯେ, ସଂଗଠନ ଏବଂ ବିଧାୟକମାନଙ୍କ ଉପରେ ତାଙ୍କର ପତିଆରା ଆଜି ବି କିଛି ପରିମାଣରେ ଅକ୍ଷୁର୍ଣ୍ଣ ଅଛି। ତାଙ୍କୁ ଅଣଦେଖା କରି କିମ୍ବା ବାଇପାସ୍ କରି ଦଳ ଚଳାଇବା ଯେ ଆଗାମୀ ଦିନରେ ଅସମ୍ଭବ, ତାହା ସେ ପ୍ରମାଣ କରିଛନ୍ତି।
ବିଭାଜନର ପଦଧ୍ୱନି: ବିଜେଡି କେଉଁଆଡ଼େ?
ରାଜନୈତିକ ମହଲରେ ଏବେ ଏକ ବଡ଼ ଆକଳନ କରାଯାଉଛି। ଯଦି ବବି ଦାସ ଏବଂ ପୁରୁଣା ଓଡ଼ିଆ ନେତାମାନଙ୍କୁ ଏଭଳି ଅଣଦେଖା କରାଯାଏ, ତେବେ ଦଳରେ ବିଭାଜନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଏକ ପ୍ରକାର ନିଶ୍ଚିତ। ବିଜେଡି ଭିତରେ ଏବେ ଦୁଇଟି ସ୍ପଷ୍ଟ ଗୋଷ୍ଠୀ ବାରି ହୋଇ ପଡ଼ୁଛନ୍ତି:
• ପାଣ୍ଡିଆନ ଗୋଷ୍ଠୀ: – ପ୍ରଶାସନିକ କ୍ଷମତା ଏବଂ ନବୀନଙ୍କ ନାମକୁ ବ୍ୟବହାର କରି ଦଳକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି।
• ବବି ଗୋଷ୍ଠୀ: – ଜମିଦାରୀ ରାଜନୀତି, ତୃଣମୂଳ ସଂଗଠନ ଏବଂ ପାରମ୍ପରିକ ଓଡ଼ିଆ ନେତୃତ୍ୱ ବଳରେ ନିଜର ଅସ୍ତିତ୍ୱ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି।
ବିଜେପି ଯୋଜନା ଫେଲ
ରାଜ୍ୟସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ବହୁ ସଂଖ୍ୟକ ବିଧାୟକ କ୍ରସ ଭୋଟିଂ କରିବେ ବୋଲି ଯେଉଁ ଆକଳନ କରିଥିଲେ ତାହା ବିଫଳ ହୋଇଛି। ଯଦି ମାତ୍ର ଗୋଟିଏ ପ୍ରଥମ ପସନ୍ଦ ଭୋଟ ଡାକ୍ତର ଦତ୍ତେଶ୍ୱର ହୋତା ଅଧିକ ପାଇଥାନ୍ତେ ତେବେ ବିଜେପି ନେତାଙ୍କ ଅକଲ ଗୁଡୁମ ହୋଇଯାଇଥାନ୍ତା। ଦଳର ୨ ପ୍ରାର୍ଥୀ ଓ ସମର୍ଥୀତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଅତି ସହଜରେ ଜିତୁଥିବା ଜାଣିବା ପରେ ବି ଦଳର କିଛି ମ୍ୟାନେଜର ବେଙ୍ଗାଲୁର ଯାଇ କଂଗ୍ରେସ ନେତାମାନଙ୍କୁ ଟଙ୍କା ଯାଚି ଗିରଫ ହେବା ଘଟଣା ଦଳକୁ ଲଜ୍ଜିତ କରିଛି।
ଭକ୍ତଙ୍କ ଅଂହକାର ଭାଙ୍ଗିରୁଜି ଚୁରମାର
କଂଗ୍ରେସ ନେତା ଭକ୍ତ ଚରଣ ଦାସ ପିସିସି ସଭାପତି ହେବା ଦିନରୁ ସେ ଦଳୀୟ ନେତାମାନଙ୍କୁ ବିଶ୍ୱାସକୁ ନେଇପାରୁ ନାହାନ୍ତି। ଯାହାଫଳରେ ସେ ଯେପରି ଏକଚାଟିଆ କାରବାର କରୁଛନ୍ତି ତାର ପ୍ରତିଫଳନ ରାଜ୍ୟସଭା ନିର୍ବାଚନରେ ଦେଖିବାକୁ ମିଳିଛି। ଏପରିକି କଂଗ୍ରେସ ତାର ପୁରୁଣା ରୋଗରୁ ବାହାରିପାରୁନାହିଁ ବୋଲି ଭକ୍ତ ଦାସ ପ୍ରମାଣିତ କରିଛନ୍ତି।
ତେବେ ଶେଷରେ ସେହି ଗୋଟିଏ ପ୍ରଶ୍ନ— କିଏ ହାରିଲା-କିଏ ଜିତିଲା? ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ଲଢ଼େଇରେ ବିଜେଡିର ‘ଓଡ଼ିଆ ଅସ୍ମିତା’ ଏବଂ ‘ବିଜୁ ଆଦର୍ଶ’ ହାରିଛି ଏବଂ ଆଭ୍ୟନ୍ତରୀଣ କନ୍ଦଳ ହିଁ ଜିତିଛି। ପାଣ୍ଡିଆନ ନିଜର ଜଣେ ପ୍ରାର୍ଥୀଙ୍କୁ ହରାଇ ନୈତିକ ଭାବେ ପରାସ୍ତ ହୋଇଥିବାବେଳେ, ବବି ଦାସ ନିଜର ଶକ୍ତି ପ୍ରଦର୍ଶନ କରି ହାଇକମାଣ୍ଡଙ୍କୁ ଚେତାଇ ଦେଇଛନ୍ତି। ଯଦି ସମୟ ଥାଉ ଥାଉ ଏହି ଅହଂକାରର ଲଢ଼େଇର ସମାଧାନ ନ ହୁଏ, ତେବେ ଆଗାମୀ ନିର୍ବାଚନବେଳକୁ ବିଜେଡି ଏକ ବଡ଼ ଧରଣର ବିଭାଜନର ସମ୍ମୁଖୀନ ହେବା ଏକ ପ୍ରକାର ଧ୍ରୁବ ସତ୍ୟ।
“ବାହାରର ଶତ୍ରୁ ଦଳକୁ ଦୁର୍ବଳ କରେ ନାହିଁ— ଅହଂକାର କରେ।”
୨୦୨୬ର ଏହି ରାଜ୍ୟସଭା ନିର୍ବାଚନ ଓଡ଼ିଶାର ରାଜନୀତିକୁ ଏକ ନୂତନ ଆଇନା ଦେଖାଇଛି। ସେହି ଆଇନାରେ ଦଳମାନେ ନିଜ ମୁହଁକୁ ସ୍ପଷ୍ଟ ଭାବେ ଦେଖିପାରୁଛନ୍ତି।
ଯଦି ଏହି ଅହଂକାରର ଯୁଦ୍ଧ ଥମିବ ନାହିଁ, ତେବେ ଆଗାମୀ ନିର୍ବାଚନ ସମୟରେ ବିଜେଡି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବାହାରର ବିରୋଧ ନୁହେଁ—ତାଙ୍କର ନିଜ ଭିତରର ଦ୍ୱନ୍ଦ୍ୱ ହେବ।
ରାଜନୀତିର ଇତିହାସ ସବୁବେଳେ ଗୋଟିଏ କଥା ଶିଖାଇଛି—
“ଦଳ ଭିତରରେ ବିଭାଜନ ଆରମ୍ଭ ହେଲେ, ପତନ କେବଳ ସମୟର ପ୍ରଶ୍ନ।”

ପ୍ରକୃତରେ ଜିତିଲା କିଏ?
ରାଜନୀତିରେ ଅନେକ ସମୟରେ ଫଳାଫଳ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୁଏ ସଂକେତ।
ଏହି ନିର୍ବାଚନରେ ସେହି ସଂକେତ ସ୍ପଷ୍ଟ—
• ପାଣ୍ଡିଆନ ଏବେ ବି ଶକ୍ତିଶାଳୀ
• ବବି ଦାସଙ୍କ ସଂଗଠନ ଶକ୍ତି ଅପେକ୍ଷାକୃତ ଦୁର୍ବଳ ରହିଛି
• ବିଜେପି ଅବସରକୁ ପୂରା ଭାବେ ବ୍ୟବହାର କରିପାରିଲା ନାହିଁ
• କଂଗ୍ରେସ ଆଉଥରେ ଅସଂଗଠିତ
କିନ୍ତୁ ସବୁଠାରୁ ବଡ଼ ସତ୍ୟ ହେଉଛି—
ଏହି ଲଢ଼େଇରେ ଜିତିଛି ଅନ୍ତର୍ଦ୍ୱନ୍ଦ୍ୱ, ଆଉ ହାରିଛି ଦଳୀୟ ଏକତା।
AlsoRead; https://purvapaksa.com/odisha-railway-network-expanded-with-amrit-bharat-express/


