ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ତାଲିକା ଘୋଷଣା କରିଦେଇଛି। ପ୍ରଥମ ପ୍ରାର୍ଥୀ ଭାବରେ କର୍ପୋରେଟ୍ ଜଗତରୁ ରାଜନୀତିକୁ ପ୍ରବେଶ କରିଥିବା ଓ ପୂର୍ବରୁ କଟକ ଲୋକସଭା ନିର୍ବାଚନରେ ବିଫଳ ହୋଇଥିବା ସଂତୃପ୍ତ ମିଶ୍ରଙ୍କ ନାଁ ଘୋଷଣା ହେଲା। ଦ୍ୱିତୀୟ ପ୍ରାର୍ଥୀ ଭାବେ ବିଶିଷ୍ଟ ଚିକିତ୍ସକ ଦତ୍ତେଶ୍ୱର ହୋତାଙ୍କୁ ମଞ୍ଚରେ ଆଣାଗଲା। ଦଳୀୟ ଗଣିତ ଅନୁସାରେ ବିଜେଡିର ମାତ୍ର ୧୮ଟି ବଳକା ଭୋଟ ସମର୍ଥନରେ ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା ନିଶ୍ଚିତ ଭାବରେ ଏକ ରାଜନୀତିକ ସଂକେତ ଦେଉଛି। କିନ୍ତୁ ଏହି ଘୋଷଣା ଦଳର ଅନେକ ବରିଷ୍ଠ ନେତାଙ୍କୁ ହତାଶ୍ କରିଛି—ଏହା ମଧ୍ୟ ଏକ ଖୋଲା ଗୁପ୍ତ କଥା।
ଏବେ ପ୍ରଶ୍ନ—
ଦଳୀୟ ନିଷ୍ପତ୍ତି କ’ଣ ସଂଗଠନର ମୂଲ୍ୟାୟନ ଉପରେ ଭିତ୍ତି କରି ହୋଇଛି?
ନା ଏହା ଏକ କେନ୍ଦ୍ରୀକୃତ ଶକ୍ତିର ପରିଣାମ?

ପ୍ରାର୍ଥୀ ଚୟନ: ନୂଆ ମୁହଁ, ପୁରୁଣା ଅସନ୍ତୋଷ
ପ୍ରଥମ ପ୍ରାର୍ଥୀ ଭାବରେ ସଂତୃପ୍ତ ମିଶ୍ରଙ୍କ ନାଁ ଆସିବା ସହିତ ଦଳୀୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କଟକ ଲୋକସଭା ଆସନରୁ ପୂର୍ବରୁ ଲଢ଼ି ବିଫଳ ହୋଇଥିବା ଏହି ନେତାଙ୍କୁ ଏବେ ରାଜ୍ୟସଭା ପାଇଁ ଆଗକୁ ଆଣାଯାଇ ପୁରସ୍କୃତ କରାଯାଇଛି। ଦ୍ୱିତୀୟ ପ୍ରାର୍ଥୀ ଭାବରେ ଦତ୍ତେଶ୍ୱର ହୋତା-ଜଣେ ଚିକିତ୍ସକ, ଯାହାଙ୍କର ରାଜନୀତିକ ଅନୁଭବ ଅଧିକ ନୁହେଁ। ତେଣୁ ପ୍ରଶ୍ନ ଉଠିଛି- ଦଳୀୟ ସଂଗଠନ ପାଇଁ ଦଶନ୍ଧି ଦଶନ୍ଧି ଧରି କାମ କରୁଥିବା ନେତାମାନଙ୍କ ସ୍ଥାନ କେଉଁଠି?
ଚର୍ଚ୍ଚାରେ ଥିବା ନାଁ: କିଏ ହେଲେ ହୀନିମାନ?
ରାଜ୍ୟସଭା ଆଶାୟୀ ଭାବେ ଦଳର ଅନେକ ବରିଷ୍ଠ ନାଁ ଚର୍ଚ୍ଚାରେ ଥିଲା-ଦେବୀପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚ୍ଚୀ ନାୟକ, ବବି ଦାସ, ଟୁକୁନି ସାହୁ ଇତ୍ୟାଦି।
ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ କହିଥିଲେ- ଦଳ ପାଇଁ ନିଷ୍ଠାର ସହିତ କାମ କରିଥିବା ନେତାଙ୍କୁ ରାଜ୍ୟସଭା ପଠାଯିବା ଉଚିତ। କିନ୍ତୁ ଶେଷରେ ଦଳ ଏହି ନାମଗୁଡ଼ିକୁ ପ୍ରାଥମିକତା ଦେଲା ନାହିଁ।
ଏହାର ଅର୍ଥ—ନେତୃତ୍ୱ ତାଙ୍କ ଉପରେ ଭରସା କରୁନାହାନ୍ତି?
ନା ଏହା ଆଗାମୀ ଦିନର ଏକ ବଡ଼ ଯୋଜନାର ଅଂଶ?
ପାଣ୍ଡିଆନ ତତ୍ତ୍ୱ: ଚର୍ଚ୍ଚା ଓ ବିରୋଧ

ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଆରମ୍ଭରୁ ଏକ ନାଁ ଚର୍ଚ୍ଚାରେ ଥିଲା- ସୁଜାତା ରାଉତ କାର୍ତ୍ତିକେୟନ। ତାଙ୍କ ସମ୍ପର୍କ ଦଳର ଶକ୍ତିଶାଳୀ ନେତୃତ୍ୱ ଶିବିର ସହିତ ଥିବାରୁ ଏହି ଚର୍ଚ୍ଚା ଆହୁରି ଗାଢ଼ ହୋଇଥିଲା।
କିନ୍ତୁ ଶେଷରେ ତାଙ୍କ ନାଁ ତାଲିକାରେ ଆସିଲା ନାହିଁ। ଦଳ ଭିତରେ ପରିବାରତନ୍ତ୍ର ଆରୋପ ଉଠିପାରେ ବୋଲି ଅନେକଙ୍କ ମତ ରହିଲା, ଯାହାକୁ ପାଣ୍ଡିଆନଙ୍କ ପରାମର୍ଶକ୍ରମେ ନବୀନ ପଟ୍ଟନାୟକ ମାନି ନେଇଥିବା ଚର୍ଚ୍ଚା ହେଉଛି।
ଏହା ସହିତ ଏହି ଧାରଣା ମଧ୍ୟ ଚାଲିଛି- ସଂତୃପ୍ତ ମିଶ୍ରଙ୍କୁ ଦଳର ଶକ୍ତିଶାଳୀ ଶିବିର ପାଣ୍ଡିଆନଙ୍କର ନିକଟତମ ବୋଲି ଦେଖାଯାଉଛି।
ମହିଳା ସଶକ୍ତିକରଣ: କଥା ଓ କାର୍ଯ୍ୟର ତାରତମ୍ୟ?
ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁବେଳେ ମହିଳା ସଶକ୍ତିକରଣର କଥା କହି ଆସିଛନ୍ତି। ଦଳର ଗଠନରେ ମହିଳାଙ୍କୁ ଆଗକୁ ଆଣିବାର ନୀତି ମଧ୍ୟ ଥିଲା।
କିନ୍ତୁ ଏଥର ରାଜ୍ୟସଭା ପ୍ରାର୍ଥୀ ଚୟନରେ କୌଣସି ମହିଳା ନାଁ ନ ଥିବା ନେଇ ଅନେକ ପ୍ରଶ୍ନ ଉଠିଛି।
ଏହା କ’ଣ ଦଳୀୟ ପରିସ୍ଥିତିର ପରିଣାମ?
ନା ନେତୃତ୍ୱ ନିଜ ନୀତିରୁ ପଛକୁ ହଟିଛି?
ଶ୍ରୀମୟୀ ମିଶ୍ରଙ୍କ ବ୍ୟଙ୍ଗ: ସୋସିଆଲ ମିଡିଆର ରାଜନୀତି

ବିଜେଡିରୁ ବହିଷ୍କୃତ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ ଏହି ଚର୍ଚ୍ଚାକୁ ଆଉ ତୀକ୍ଷ୍ଣ କରିଦେଇଛି।
ତାଙ୍କ ବ୍ୟଙ୍ଗ-“ଶକ୍ତିନାନୀ ହେଲେ ଶକ୍ତିହୀନ, ପୁରୁଖା ହେଲେ ହୀନିମାନ”-
ଦଳୀୟ ମନୋଭାବର ଏକ ଅନ୍ତର୍ନିହିତ ସୂଚନା ଦେଉଛି।
ସେ ସେ ୨୦୨୫ ନଭେମ୍ବର ୧୬ ତାରିଖରେ ସାମାଜିକ ଗଣମାଧ୍ୟମରେ ଲେଖିଥିଲେ-
କାହାର ରହିଛି କେତେ ଜୋର୍
ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର
ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି
ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ
ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକତ ଅଭିଜ୍ଞତା ନ ଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ, ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଏବେ ରାଜ୍ୟସଭା ଆଶାୟୀ। ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି..?
ଦଳରେ ଅନୁଭବ ଓ ଅବଦାନକୁ ଅବହେଳା କରାଯାଉଛି-
ଏବେ ରାଜନୀତିକ ମହଲରେ ଏହି ଚର୍ଚ୍ଚା ଜୋର୍ ଧରିଛି।
ବରିଷ୍ଠ ନେତାଙ୍କ ମନୋଭାବ: ନିରବତା କି ବିଦ୍ରୋହ?

ଏବେ ସବୁଠାରୁ ବଡ଼ ପ୍ରଶ୍ନ-
ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଦଳର ବରିଷ୍ଠ ନେତାମାନେ ମୁଣ୍ଡ ଆଉଁସି ରହିବେ କି?
ନା ବିଦ୍ରୋହର ସ୍ୱର ଉଠିବ?
ବିଜେଡି ଦୀର୍ଘଦିନ ଧରି ଏକ କେନ୍ଦ୍ରୀକୃତ ନେତୃତ୍ୱ ମଡେଲରେ ଚାଲିଆସିଛି। ଏହା ଦଳକୁ ଶକ୍ତି ଦେଇଛି, କିନ୍ତୁ ଅସନ୍ତୋଷକୁ ନିରବ ରଖିଛି।
ରାଜ୍ୟସଭା ପ୍ରାର୍ଥୀ ଚୟନ ଏହି ନିରବତାକୁ ପରୀକ୍ଷା କରୁଛି।
ଆଗାମୀ ପରିଣାମ କ’ଣ?
ରାଜ୍ୟସଭା ନିର୍ବାଚନ ଏକ ଆସନର ଲଢ଼େଇ ନୁହେଁ—ଏହା ଦଳୀୟ ମନୋବୃତ୍ତିର ପରୀକ୍ଷା।
ବରିଷ୍ଠ ନେତାମାନେ ଯଦି ଅସନ୍ତୋଷକୁ ମନରେ ରଖି ଚାଲିବେ, ତେବେ ଦଳୀୟ ଶୃଙ୍ଖଳା ରହିପାରେ। କିନ୍ତୁ ଯଦି ଏହି ଅସନ୍ତୋଷ ବିଦ୍ରୋହର ଆକାର ନେଉଛି—ତେବେ ବିଜେଡି ପାଇଁ ଏହା ଏକ ନୂଆ ଚ୍ୟାଲେଞ୍ଜ ହେବ।
“ବରିଷ୍ଠ ହୀନିମାନ” ଶବ୍ଦଟି ଏବେ ଦଳୀୟ ରାଜନୀତିର ଏକ ପ୍ରତୀକ।
ସମୟ କହିବ- ଏହା କ’ଣ ଏକ ଅସ୍ଥାୟୀ ଅସନ୍ତୋଷ?
ନା ଏହା ଦଳର ଭବିଷ୍ୟତ ରାଜନୀତିର ନୂଆ ଅଧ୍ୟାୟ?
also read https://purvapaksa.com/rinku-singh-2/
ବାପାଙ୍କ ଅନ୍ତିମ ସଂସ୍କାର ପରେ ଟିମକୁ ଫେରିଲେ ରିଙ୍କୁ ।। Rinku Singh


