ରାଜଧାନୀ ଦିଲ୍ଲୀରେ ଗୁରୁତର ସୁରକ୍ଷା ସତର୍କତା ସୃଷ୍ଟି କରିଛି ସଂସଦ ଏବଂ ୯ଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ମିଳିଥିବା ଧମକ। ସକାଳ ୮.୩୦ରୁ ୯ଟା ମଧ୍ୟରେ ଦିଲ୍ଲୀ ପୋଲିସକୁ ଏହି ଧମକ ମୂଳକ କଲ୍ ଏବଂ ଇମେଲ୍ ମିଳିଥିବା ସୂଚନା ମିଳିଛି । ଧମକ ପାଇବା ସହିତ ସଂସଦ ପରିସର ଓ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ତୁରନ୍ତ ଖାଲି କରାଯାଇଥିଲା । ଦିଲ୍ଲୀ ପୋଲିସ ମୁତାବକ ଧମକକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି। ଖବର ପାଇ ଘଟଣାସ୍ଥଳକୁ ପୋଲିସ, ଅଗ୍ନିଶମ ବିଭାଗ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ (Bomb Disposal Squad) ପହଞ୍ଚି ସନ୍ଧାନ ଓ ଯାଞ୍ଚ ଆରମ୍ଭ କରିଛନ୍ତି। ସଂସଦ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବେଳେ, ପ୍ରବେଶ ଓ ପ୍ରସ୍ଥାନ ଉପରେ କଡା ନଜର ରଖାଯାଇଛି।

ସୂଚନା ଅନୁଯାୟୀ, ଧମକମୂଳକ ଇମେଲ୍ରେ ସଂସଦ ଆକ୍ରମଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ଆତଙ୍କବାଦୀ ଅଫଜଲ ଗୁରୁଙ୍କ ନାମ ଉଲ୍ଲେଖ କରାଯାଇଛି। ଇମେଲରେ ଫେବୃଆରୀ ୧୩ ତାରିଖ, ୧.୧୧ ମିନିଟରେ ସଂସଦରେ ବିସ୍ଫୋରଣ ହେବ ବୋଲି ଧମକ ଦିଆଯାଇଛି।
ଅନ୍ୟପଟେ, ଦିଲ୍ଲୀର ୯ଟି ସ୍କୁଲକୁ ମଧ୍ୟ ସମାନ ଧରଣର ଧମକମୂଳକ ଇମେଲ୍ ମିଳିଥିବା ଜଣାପଡ଼ିଛି। ସ୍କୁଲ ପ୍ରଶାସନ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ସ୍କୁଲ ପରିସରକୁ ଖାଲି କରାଯାଇ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଆଯାଇଥିଲା। ଖବର ଲେଖାଯିବା ସମୟ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛିଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ସ୍କୁଲଗୁଡ଼ିକୁ ବୋମା ଧମକ ମିଳୁଥିବା ଘଟଣା ସାମ୍ନାକୁ ଆସିଛି, ଯାହା ସୁରକ୍ଷା ଏଜେନ୍ସିମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଉଠିଛି। ସ୍ମରଣଯୋଗ୍ୟ, ୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯାହାରେ ୧୩ ଜଣଙ୍କ ଜୀବନ ଯାଇଥିଲା। ସେହି ମାମଲାରେ ଅଫଜଲ ଗୁରୁଙ୍କୁ ୨୦୧୩ ମସିହା ୯ ଫେବୃଆରୀରେ ଫାସୀ ଦିଆଯାଇଥିଲା। ଏହି ପୃଷ୍ଠଭୂମିରେ ଆସିଥିବା ଧମକକୁ ନେଇ ସୁରକ୍ଷା ଏଜେନ୍ସିମାନେ ଅତ୍ୟନ୍ତ ସତର୍କ ରହିଛନ୍ତି।
also read https://purvapaksa.com/survey-underway-railway-infrastructure-to-be-strengthened/
ଚାଲିଛି ସର୍ଭେ, ସୁଦୃଢ ହେବ ରେଳ ଭିତ୍ତିଭୂମି || Survey underway, railway infrastructure to be strengthened


