ଆଇସିସି ପୁରୁଷ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ଏକ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ବିଜୟ ସହିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି । କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚରେ ପାକିସ୍ତାନ ନେଦରଲାଣ୍ଡକୁ ୩ ୱିକେଟରେ ହରାଇ ମୂଲ୍ୟବାନ ୨ ପଏଣ୍ଟ ହାସଲ କରିଛି । ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚ ଦର୍ଶକମାନଙ୍କୁ ଭରପୂର ରୋମାଞ୍ଚ ଦେଇଥିଲା । ମ୍ୟାଚରେ ନେଦରଲାଣ୍ଡସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ସିଦ୍ଧାନ୍ତ ନେଇଥିଲା । ତେବେ ପାକିସ୍ତାନୀ ବୋଲରମାନଙ୍କ ବୋଲିଂ ସାମ୍ନାରେ ନେଦରଲାଣ୍ଡ ଟିମ୍ ବଡ଼ ସ୍କୋର ଗଢ଼ିପାରିନଥିଲା । ନିର୍ଦ୍ଧାରିତ ୨୦ ଓଭରରେ ନେଦରଲାଣ୍ଡ ଦଳ ୧୪୭ ରନ କରି ସମ୍ପୂର୍ଣ୍ଣ ଅଲଆଉଟ୍ ହୋଇଯାଇଥିଲା।

ନେଦରଲାଣ୍ଡ ପକ୍ଷରୁ କୌଣସି ବ୍ୟାଟର ବଡ଼ ପାଳି ଖେଳିପାରିନଥିଲେ, କିନ୍ତୁ ଅଧିନାୟକ ସ୍କଟ୍ ଏଡୱାର୍ଡସ୍ ୩୭ ରନ ଓ ବାସ୍ ଡି ଲି ଡେ ୩୦ ରନ କରି ଦଳକୁ କିଛିଟା ସମ୍ଭାଳିଥିଲେ । ସେହିପରି ମାଇକେଲ୍ ଲେଭିଟ୍ ୨୪ ରନ ଓ କଲିନ୍ ଆକରମ୍ୟାନ୍ ୨୦ ରନ କରି ନେଦରଲାଣ୍ଡସକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ପାକିସ୍ତାନ ପକ୍ଷରୁ ବୋଲରମାନେ ନିୟମିତ ଅନ୍ତରାଳରେ ୱିକେଟ୍ ନେଇ ନେଦରଲାଣ୍ଡ ଇନିଂସକୁ ଚାପରେ ରଖିଥିଲେ ।

୧୪୮ ରନର ଲକ୍ଷ୍ୟକୁ ପିଛା କରିବାକୁ ଆସିଥିବା ପାକିସ୍ତାନ ଟିମ୍ ମଧ୍ୟ ସହଜରେ ବିଜୟ ହାସଲ କରିପାରିନଥିଲା । ନେଦରଲାଣ୍ଡସ ବୋଲରମାନଙ୍କ ଶାନଦାର ବୋଲିଂ କାରଣରୁ ପାକିସ୍ତାନ ଆରମ୍ଭରୁ ଚାପରେ ଥିଲା । ନିୟମିତ ଭାବେ ୱିକେଟ୍ ଝଡ଼ିବାରୁ ପାକିସ୍ତାନ ଏକ ସମୟରେ ପରାଜୟର ସମ୍ମୁଖୀନ ହେବା ପରି ଦେଖାଯାଉଥିଲା ।
ତେବେ ମଧ୍ୟମ କ୍ରମରେ ଫହିମ୍ ଅସରଫ୍ ଦାୟିତ୍ୱବାନ ଓ ଧୈର୍ଯ୍ୟଶୀଳ ବ୍ୟାଟିଂ କରି ଦଳକୁ ଅଳ୍ପକେ ପରାଜୟରୁ ରକ୍ଷା କରିଥିଲେ । ଫହିମଙ୍କ ସଂଘର୍ଷପୂର୍ଣ୍ଣ ପାଳି ଓ ଶେଷ ଓଭରରେ ସ୍ଥିର ଖେଳ ପାକିସ୍ତାନକୁ ବିଜୟ ଦେଇଥିଲା । ଶେଷ ଓଭରରେ ୩ ୱିକେଟ୍ ବାକି ଥାଇ ପାକିସ୍ତାନ ଲକ୍ଷ୍ୟ ପୂରଣ କରି ମ୍ୟାଚ୍ ଜିତିନେଇଥିଲା । ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଫହିମ୍ ଅସରଫ୍ଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ’ ଭାବେ ଘୋଷଣା କରାଯାଇଥିଲା। ଏହି ବିଜୟ ସହିତ ପାକିସ୍ତାନ ଦଳ ବିଶ୍ୱକପ ଯାତ୍ରାରେ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିଛି।
ALSO READ https://purvapaksa.com/farmers-block-roads-in-protest-against-12-crop-chutney-quota/


