ଗତ ପଚିଶ ବର୍ଷରେ ଓଡ଼ିଶାର ରାଜନୈତିକ ଶକ୍ତିମାନଙ୍କର କାର୍ଯ୍ୟକଳାପର ଯେଉଁ କୁପରିଣାମ ‘ବିକାଶ’ ନାମରେ ଦେଖାଯାଇଛି, ସେହି ଯାତ୍ରାକୁ ଯଦି ଗୋଟିଏ ପଂକ୍ତିରେ ଧରିବାକୁ ଯାଉ ତେବେ ଏହାଠାରୁ ଅଧିକ ନିର୍ଦ୍ଦୟ ସତ୍ୟ ସମ୍ଭବତଃ ଅନ୍ୟ କୌଣସି ବାକ୍ୟ ହେବ ନାହିଁ; ଯାହା ହେବ ତାହା ହେଲା “ପଶ୍ଚିମରେ କଟନି–ଛଟନି, ପୂର୍ବରେ ଗଣତି–ମଣତି । ଏହି ଦୁଇଟି ପ୍ରସଙ୍ଗ ମାତ୍ର ଗୋଟିଏ ଅଞ୍ଚଳର ବିଭେଦକୁ ନୁହେଁ, ଏକ ସମ୍ପୂର୍ଣ୍ଣ ରାଜ୍ୟର ବିକାଶ ଦର୍ଶନର ଅସନ୍ତୁଳନ, ରାଜନୈତିକ ଉଦାସୀନତା ଓ ଲୋକତାନ୍ତ୍ରିକ ଅସମର୍ଥତାକୁ ପ୍ରକାଶ କରେ।
ବିକାଶର ଭାଷା ଓ ବାସ୍ତବତାର ମଧ୍ୟରେ ଦୂରତା

ବିକାଶ—ଏହା ଏମିତି ଏକ ଶବ୍ଦ ଯାହାକି ବିଗତ ଅଢ଼େଇ ଦଶନ୍ଧି ଧରି ରାଜନୀତିର ସବୁଠାରୁ ଅଧିକ ବ୍ୟବହୃତ ହୋଇଛି । କିନ୍ତୁ ଏହା ସବୁଠାରୁ କମ୍ ପରିଭାଷିତ ଶବ୍ଦ । ରାସ୍ତା, ସେତୁ, ଭବନ, ମଲ୍ଟିପ୍ଲେକ୍ସ, ଆଲୋକିତ ସହର—ଏସବୁକୁ ବିକାଶର ପ୍ରତୀକଭାବେ ଦେଖାଯାଇଛି । କିନ୍ତୁ ଏହି ନିୟନ ଆଲୋକର ତଳେ ଯେଉଁ ଅନ୍ଧକାର ରହିଛି, ତାହା ଗ୍ରାମ, ଜଙ୍ଗଲ, ଆଦିବାସୀ ଅଞ୍ଚଳ ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳର ନିରବ ଅବକ୍ଷୟ। ପଶ୍ଚିମ ଓଡ଼ିଶାରେ ‘କଟନି–ଛଟନି’ କେବଳ ମଣ୍ଡିରେ ମିଲରମାନଙ୍କୁ ଚାଷୀମାନଙ୍କର ଧାନ ବିକ୍ରିର କଥା ନୁହେଁ। ଏହା ରାଜ୍ୟର ଲୋକମାନଙ୍କ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ପାଇଁ ପାଇଁ ଖଣ୍ଡେ ଚାକିରି କିମ୍ବା ଘର ଖର୍ଚ୍ଚର କଥା ନୁହେଁ; ଏହା ହେଉଛି ସୁଯୋଗ, ନିବେଶ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଲଗାତାର ସରକାରୀ ବ୍ୟବସ୍ଥା କମିବାର ବ୍ୟଥା।
ଆଉ ପୂର୍ବ ଓଡ଼ିଶାରେ ‘ଗଣତି–ମଣତି’ମାନେ ଶ୍ରୀଜଗନ୍ନାଥଙ୍କ ରତ୍ନ ଅଳଙ୍କାର ସଜାଡ଼ି ଗଣି ସାଇତି ରଖିବାର କଥା ନୁହେଁ। ଏହା ହେଉଛି ଗଣନା ଆଧାରିତ ଉପଲବ୍ଧି—କେତେ ପ୍ରକଳ୍ପ, କେତେ ଶିଳାନ୍ୟାସ, କେତେ ଉଦ୍ଘାଟନ ହେଲା—ଯାହାର ଗୁଣଗତ ପ୍ରଭାବ ଲୋକଙ୍କ ଜୀବନରେ ଅନେକ ସମୟରେ ଅଦୃଶ୍ୟ ରହିଯାଏ। ଏହସବୁ ସରକାରୀ କାର୍ଯ୍ୟକ୍ରମରୁ ଲୋକଙ୍କୁ ସୁଫଳ ମିଳିବା ପରିବର୍ତ୍ତେ ତେଲିଆ ମୁଣ୍ଡରେ ତେଲ ଭଳି କିଛି ନେତା, ଅଧିକାରୀ ଓ ଭଦ୍ର ଚେହେରା ଦେଖାଉଥିବା ଦଲାଲମାନେ ଲାଭ ପାଉଥିବା ଦେଖିବାକୁ ମିଳୁଛି।
ଲୋକଙ୍କ ଅସନ୍ତୋଷ ଓ ସରକାରୀ ନୀରବତା
ରାଜ୍ୟ ବିକାଶର ଏହି ଅସନ୍ତୁଳନ ରାଜ୍ୟବାସୀଙ୍କୁ ଛନ୍ଦି ଦେଇଛି। କୃଷକ, ଯୁବକ, ଛାତ୍ର, ମହିଳା—ସମସ୍ତେ ନିଜ ନିଜ କ୍ଷେତ୍ରରେ କେବଳ ଅସନ୍ତୁଷ୍ଟ ନୁହଁନ୍ତି ଆଗାମୀ ଦିନରେ ସରକାରୀ ଦଳକୁ ବୁଦ୍ଧି ଶିଖାଇବାକୁ ଏବେଠାରୁ ମନ ବଳାଇବାରେ ଲାଗିଲେଣି। କିନ୍ତୁ ସରକାର ଏହାକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ। ଅନେକଙ୍କ ଦୃଷ୍ଟିରେ ରାଜ୍ୟର ଶାସନ ବ୍ୟବସ୍ଥା ଏକ ସମୟରେ ଅନ୍ଧ, ମୁକ ଓ ବଧିର ହୋଇଗଲାଣି। ଯାହା ନିଜର କୁକର୍ମକୁ ଦେଖେ ନାହିଁ, ତାହାକୁ କିପରି ସୁଧାରି ହେବ କିଛି କହେ ନାହିଁ କି ଯେଉଁ ଲୋକମାନଙ୍କ ଦୟାରେ ସେମାନେ ରାଜ୍ୟ ଓ ରାଜ୍ୟବାସୀଙ୍କ ଭାଗ୍ୟ ବିଧାତା ସାଜିଛନ୍ତି ସେମାନଙ୍କ କଥା ଶୁଣେ ନାହିଁ। ଏହି ନୀରବତା ହେଉଛି ସବୁଠାରୁ ବଡ଼ ସମସ୍ୟା। ଲୋକତନ୍ତ୍ରରେ ଶବ୍ଦ ଥିବା ଦରକାର- ପ୍ରତିବାଦର, ପ୍ରଶ୍ନର, ଆଲୋଚନାର। ଯେତେବେଳେ ସେହି ଶବ୍ଦକୁ ଦମନ କରାଯାଏ କିମ୍ବା ଅବହେଳା କରାଯାଏ, ଲୋକତନ୍ତ୍ର ଧୀରେଧୀରେ ଖାଲି ଢାଞ୍ଚାରେ ପରିଣତ ହୁଏ।
ଗଣମାଧ୍ୟମ: ଲୋକଙ୍କ ସ୍ୱର ନା ବିଜ୍ଞାପନର ପ୍ରତିଧ୍ୱନି?

ଗତ ତିନିଦଶନ୍ଧିରେ ରାଜ୍ୟର ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏକ ଗଭୀର ପରିବର୍ତ୍ତନ ଦେଖିଛି। ଲୋକଙ୍କ ସମସ୍ୟା, ଗ୍ରାମୀଣ ଦୁଃଖ, ଅନ୍ୟାୟ ବିରୋଧରେ ଲଢ଼େଇ-ଏସବୁ ବିଷୟ ଧୀରେ ଧୀରେ ପୃଷ୍ଠା ଓ ସ୍କ୍ରିନ୍ରୁ ଅଦୃଶ୍ୟ ହେଉଛି। ତା’ର ସ୍ଥାନ ନେଇଛି ବିଜ୍ଞାପନ, ପ୍ରାୟୋଜିତ ସମାଚାର ଓ ଶାସନମୁଖୀ ପ୍ରଶଂସା। ଟିଆରପି ଲୋଭରେ ଅଶ୍ଳୀଳ ଚିତ୍ର ପ୍ରଦର୍ଶନ।
ଯେଉଁ ବିଷୟଗୁଡ଼ିକୁ ଆଲୋଚନା କରିବା ଦରକାର, ସେଗୁଡ଼ିକ ଆଜି “ସମ୍ପାଦକଙ୍କୁ ପତ୍ର”ରେ ସୀମିତ। ଆଉ ଯେଉଁମାନେ ସାହସ କରି ବ୍ୟବସ୍ଥା ବିରୋଧରେ କଥା କହିଛନ୍ତି, ସେମାନଙ୍କୁ ହଇରାଣ, ଧମକ ଓ ଆର୍ଥିକ ଚାପ ମାଧ୍ୟମରେ ନୀରବ କରାଯାଇଛି। ଏଭଳି ଜଘନ୍ୟ ଷଡ଼ଯନ୍ତ୍ର ଆଜି ନୁହେଁ, ଏହା ୭୦ ଦଶକରୁ ଦେଶରେ ଚାଲି ଆସୁଛି। ଏହା କେବଳ ସାମ୍ବାଦିକତାର ନୁହେଁ, ଲୋକତନ୍ତ୍ରର ମଧ୍ୟ ପରାଜୟ।
“ମାଗଣା” ରାଜନୀତି ଓ ନାଗରିକ ଚେତନାର ଅବକ୍ଷୟ
ରାଜନୈତିକ ଶକ୍ତିମାନେ ଏହି ସମୟକୁ “ମାଗଣା”ର ସମୟ କରିଦେଇଛନ୍ତି-ମାଗଣା ଚାଉଳ, ମାଗଣା ପାଣି, ମାଗଣା ବିଦ୍ୟୁତ୍, ମାଗଣା ଯୋଜନା। ମାଆ ପେଟରେ ଗର୍ଭ ସଞ୍ଚାରଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମଶାଣୀରେ ଶବସତ୍କାର ପର୍ଯ୍ୟନ୍ତ ସବୁକିଛି ମାଗଣା ଯୋଜନା କରିଦେଇଛନ୍ତି ସରକାର ଓ ସରକାରୀ କଳ। ଏହାର ତୁରନ୍ତ ଲାଭ ନିଶ୍ଚୟ ରହିଛି, କିନ୍ତୁ ଦୀର୍ଘମିଆଦୀ ପରିଣାମ ଅତ୍ୟନ୍ତ ଭୟଙ୍କର। ନାଗରିକମାନେ ଧୀରେ ଧୀରେ ନିଜର ଅଧିକାର ଦାବି କରିବା ଛାଡ଼ି ଉପକାର ଆଶା କରୁଛନ୍ତି। ଅନ୍ୟାୟ ବିରୋଧରେ ମୁହଁ ଖୋଲିବାର ସାହସ ହରାଉଛନ୍ତି। କିଛି ମାଗଣା ପାଇବା ଆଶାରେ ନେତା ଓ ଅଫିସରଙ୍କ ସ୍ତୁତିଗାନ କରିବାରେ ଲାଗିଛନ୍ତି।
ଏହି ପରିସ୍ଥିତି ଶାସକମାନଙ୍କ ପାଇଁ ସୁବିଧାଜନକ। ଯେତେବେଳେ ନାଗରିକ ପ୍ରଶ୍ନ କରେ ନାହିଁ, ଶାସନ ଜବାବ ଦେବାର ଆବଶ୍ୟକତା ଅନୁଭବ କରେ ନାହିଁ। ଫଳରେ ଶାସକ ଓ ଶାସନ କଳ ସ୍ୱେଚ୍ଛାଚାରୀ ହୋଇଯିବା ସହିତ ଦୁର୍ନୀତିରେ ଲିପ୍ତ ରହେ। ଯାହାକି ଭିଜିଲାନ୍ସ ଚଢ଼ଉରୁ ମିଳୁଥିବା ପୁଳା ପୁଲା ଟଙ୍କା ଓ ସୁନା ଏହାର ବଡ଼ ଉଦାହରଣ।
୨୫ ବର୍ଷର “ଭୋଗପର୍ବ”
ଓଡ଼ିଶାର ଏହି ପଚିଶ ବର୍ଷକୁ ଯଦି ମହାଭାରତୀୟ ଉପମାରେ ଦେଖାଯାଏ, ତେବେ ଏହା ହେଉଛି ଏକ ଦୀର୍ଘ “ଭୋଗପର୍ବ”। ଶକ୍ତିର ଭୋଗ, ସମ୍ପଦର ଭୋଗ, ନୀତିର ଭୋଗ। ପ୍ରତ୍ୟେକ ନୂଆ ସରକାର ସହିତ ପରିବର୍ତ୍ତନର ଆଶା ଜାଗ୍ରତ ହୋଇଥିଲା। କିନ୍ତୁ ବ୍ୟବସ୍ଥା ବଦଳିଲା ନାହିଁ; କେବଳ ଚରିତ୍ର ବଦଳିଲା।

ଯେଉଁମାନେ ପରିବର୍ତ୍ତନ ପାଇଁ ରାସ୍ତାରେ ଓ ସମାଜରେ କାମ କରିଥିଲେ, ସେମାନେ ଆଜି ନିରାଶ ଓ ବିଚଳିତ। କାରଣ ସେମାନେ ଦେଖୁଛନ୍ତି—ଶକ୍ତିର ଧାରା ବଦଳିଲେ ମଧ୍ୟ ଶାସନର ସ୍ୱଭାବ ବଦଳୁନାହିଁ। ବରଂ ନିର୍ବାଚିତ ଲୋକପ୍ରତିନିଧିମାନେ ସାମାନ୍ୟ କିଛି ଲାଭ ପାଇବା ଆଶାରେ ଶାସନର ସ୍ୱଭାବରେ ନିଜକୁ ପରିବର୍ତ୍ତନ କରି ଦେଉଛନ୍ତି। ଏଥିରୁ ଜନତା ହତାଶା ହେବା ସ୍ୱାଭାବିକ କଥା।
“ବିକାଶପର୍ବ” ଆସିବ କି?
ଆଜିର ପ୍ରଶ୍ନ ହେଉଛି—ଜାତିର “ବିକାଶପର୍ବ” କେବେ ଆସିବ? ଯେଉଁ ବିକାଶ ଆଲୋକ ଦିଗବଳୟରେ ଦୃଶ୍ୟମାନ ହେବ, ସେହି ସମୟ ଆସିଛି କି? ବର୍ତ୍ତମାନର ଚିହ୍ନଗୁଡ଼ିକ ଆଶାଜନକ ନୁହେଁ। ଅସମାନତା, ଆଞ୍ଚଳିକ ବିଭେଦ, ନାଗରିକ ନୀରବତା ଓ ଗଣମାଧ୍ୟମର ଦୂରତା—ଏସବୁ ଦେଖିଲେ ଲାଗୁଛି, ଆମେ ଏଯାଁ ମଧ୍ୟ ଦୀର୍ଘ ରାସ୍ତାର ଆରମ୍ଭରେ ଅଛୁ।
ପ୍ରଶ୍ନ ଓ ପ୍ରତିବଦ୍ଧତା
ଓଡ଼ିଶାର ଭବିଷ୍ୟତ କେବଳ ସରକାର ଉପରେ ନିର୍ଭର କରେ ନାହିଁ; ଏହା ନାଗରିକଙ୍କ ସାହସ, ମାଧ୍ୟମର ସତ୍ୟନିଷ୍ଠା ଓ ସମାଜର ସଚେତନତା ଉପରେ ନିର୍ଭର କରେ। “ପଶ୍ଚିମରେ କଟନି–ଛଟନି, ପୂର୍ବରେ ଗଣତି–ମଣତି” ଯଦି ଆମର ଶେଷ ପରିଚୟ ହୋଇଯାଏ, ତେବେ ଏହା କେବଳ ଏକ ରାଜନୈତିକ ବିଫଳତା ନୁହେଁ—ଏହା ଏକ ସାମୂହିକ ଅସଫଳତା। ପ୍ରଶ୍ନ ଏତିକି—ଆମେ କ’ଣ ସେହି ଅସଫଳତାକୁ ମାନିନେବୁ, ନା ଏକ ନୂଆ “ବିକାଶପର୍ବ” ପାଇଁ ସାହସିକ ପ୍ରତିବଦ୍ଧତା ନେବୁ?
also read https://purvapaksa.com/mamata-banerjee/
Mamata Banerjee ।। SIRକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ଅନ୍ୟାୟ ହେଉଛି …


