ପୃଥିବୀ ପାଇଁ ଆସନ୍ତା ଦିନଗୁଡ଼ିକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ସୂର୍ଯ୍ୟ ଏବେ ତାହାର ଭୟଙ୍କର ଓ ପ୍ରଚଣ୍ଡ ରୂପ ଦେଖାଇବା ଆରମ୍ଭ କରିଛି । ସୂର୍ଯ୍ୟପୃଷ୍ଠରେ ଲଗାତାର ଭାବେ ଶକ୍ତିଶାଳୀ ସୌର ଜ୍ୱାଳା ଅର୍ଥାତ୍ ସୋଲାର ଫ୍ଲେୟାରସ୍ ସୃଷ୍ଟି ହେଉଛି ଯାହା ପୃଥିବୀ ପାଇଁ ବଡ଼ ବିପଦ ସଙ୍କେତ ସାଜିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ସହ ବିଶ୍ୱର ପ୍ରମୁଖ ମହାକାଶ ଏଜେନ୍ସିମାନେ ହାଇଆଲର୍ଟ ଜାରି କରିଛନ୍ତି।

ଗତ କିଛି ଦିନ ମଧ୍ୟରେ ସୂର୍ଯ୍ୟପୃଷ୍ଠରେ ଥିବା ଏକ ବିଶାଳ ସନସ୍ପଟରୁ ଏକାଧିକ X-କ୍ଲାସ୍ ସୌର ଫ୍ଲେୟାର ନିର୍ଗତ ହୋଇଛି । ବିଶେଷକରି ଫେବୃଆରୀ ୧ ତାରିଖରୁ ଆରମ୍ଭ କରି ସୂର୍ଯ୍ୟରେ କେତେକ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି । ସେଥିମଧ୍ୟରୁ X8.1 ଶ୍ରେଣୀର ସୌର ଜ୍ୱାଳାକୁ ୨୦୨୬ ବର୍ଷର ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଉଛି । ବିଜ୍ଞାନୀମାନଙ୍କ ମତରେ, ଏଭଳି ଶକ୍ତିଶାଳୀ ସୌର ଝଡ଼ ପୃଥିବୀର ଯୋଗାଯୋଗ ବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରିପାରେ।
ଏହି ସୌର ଝଡ଼ର ପ୍ରଭାବରେ ପୃଥିବୀରେ ରେଡିଓ ବ୍ଲାକଆଉଟ୍ ହେବାର ସମ୍ଭାବନା ରହିଛି। ବିଶେଷକରି ବିମାନ ଚଳାଚଳ, ସାମୁଦ୍ରିକ ଜାହାଜର ନେଭିଗେସନ୍ ସିଷ୍ଟମ୍ ଏବଂ ଲମ୍ବା ଦୂରତାର ରେଡିଓ ଯୋଗାଯୋଗରେ ବାଧା ସୃଷ୍ଟି ହୋଇପାରେ। GPS ସେବା, ଟେଲିଭିଜନ ସିଗନାଲ୍ ଓ ମୋବାଇଲ୍ ନେଟୱାର୍କ ମଧ୍ୟ ଅସ୍ଥାୟୀ ଭାବେ ବିଘ୍ନିତ ହେବାର ଆଶଙ୍କା ରହିଛି। ଏହି ପରିସ୍ଥିତିକୁ ନଜରରେ ରଖି ISRO ଭାରତର ୫୦ରୁ ଅଧିକ ଉପଗ୍ରହ ଉପରେ କଡା ନଜର ରଖିଛି। ସୌର ଝଡ଼ ସମୟରେ ଉପଗ୍ରହଗୁଡ଼ିକର ଇଲେକ୍ଟ୍ରୋନିକ୍ ସିଷ୍ଟମ୍ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ, ସେଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।
ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ-L1’ ବର୍ତ୍ତମାନ ସୂର୍ଯ୍ୟର ଗତିବିଧି ଉପରେ ଲଗାତାର ନଜର ରଖୁଛି। ଏହି ମିଶନ୍ ପ୍ରତି ମୁହୂର୍ତ୍ତରେ ସୂର୍ଯ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି, ଯାହା ଆଗୁଆ ସତର୍କତା ଓ ବିପଦ ପରିଚାଳନାରେ ବଡ଼ ଭୂମିକା ନିଭାଉଛି। ଏପର୍ଯ୍ୟନ୍ତ ଏହି ସୌର ଝଡ଼ ଯୋଗୁଁ କୌଣସି ବଡ଼ ଧରଣର କ୍ଷତିର ଖବର ମିଳିନାହିଁ। ISRO ସହ NASA ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମହାକାଶ ସଂସ୍ଥାଗୁଡ଼ିକ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି । ବିଶେଷଜ୍ଞମାନେ କହୁଛନ୍ତି, ସମୟୋଚିତ ସତର୍କତା ଓ ପ୍ରଯୁକ୍ତିଗତ ପ୍ରସ୍ତୁତି ଦ୍ୱାରା ଏହି ପ୍ରାକୃତିକ ବିପଦର ପ୍ରଭାବକୁ ବହୁ ପରିମାଣରେ କମାଇ ହେବ।
also read https://purvapaksa.com/shakespeare-in-a-tribal-language/


