ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତା ଓ ଜାତିଆଣ ହିଂସାରେ ପୀଡ଼ିତ ମଣିପୁରରେ ଶେଷରେ ସାଧାରଣ ପରିସ୍ଥିତି ଫେରୁଥିବାର ସଙ୍କେତ ମିଳିଛି । ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟିବାକୁ ଯାଉଛି ଏବଂ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ବିଜେପି ନେତା ୟୁମନାମ ଖେମଚନ୍ଦ ସିଂ ଶପଥ ନେବେ । ବିଧାୟକ ଦଳ ବୈଠକରେ ତାଙ୍କୁ ସମ୍ମତିକ୍ରମେ ନେତା ଭାବେ ନିର୍ବାଚିତ କରାଯାଇଛି ।

ଗତ କିଛି ବର୍ଷ ଧରି ମଣିପୁର ଜାତିଆଣ ହିଂସା, ଅଶାନ୍ତି ଓ ଆଇନ-ଶୃଙ୍ଖଳା ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲା । ଏହି ପରିସ୍ଥିତିରେ ୨୦୨୫ ଫେବୃୟାରୀ ୯ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂ ନୈତିକ ଦାୟିତ୍ୱ ନେଇ ପଦତ୍ୟାଗ କରିଥିଲେ । ତାଙ୍କ ଇସ୍ତଫା ପରେ ରାଜ୍ୟରେ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଥିଲା ଏବଂ ୨୦୨୫ ଫେବୃୟାରୀ ୧୩ ତାରିଖରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।
ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବାକୁ ସେନା ଓ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯାଇଥିଲା । ସହିତେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀମାନଙ୍କ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ଜାରି ରହିଥିଲା । ଧୀରେ ଧୀରେ ହିଂସା ଘଟଣା କମିବା ସହ ରାଜ୍ୟରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା, ଯାହା ପରେ ପୁଣିଥରେ ଲୋକତାନ୍ତ୍ରିକ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ବରିଷ୍ଠ ବିଜେପି ନେତା ତରୁଣ ଚୁଗଙ୍କ ଉପସ୍ଥିତିରେ ହୋଇଥିବା ବିଧାୟକ ଦଳ ବୈଠକରେ ୟୁମନାମ ଖେମଚନ୍ଦ ସିଂଙ୍କୁ ଦଳନେତା ଭାବେ ନିର୍ବାଚିତ କରାଯାଇଛି । ଦଳର ସମସ୍ତ ବିଧାୟକ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକାଶ କରିଛନ୍ତି ।ବିଧାନସଭା ଆସନ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ବିଜେପିର ସ୍ଥିତି ମଜବୁତ ରହିଛି । ମଣିପୁରର ୬୦ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୩୨ଟି ଆସନ ଜିତି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ପରେ ଜେଡିୟୁର ୫ଜଣ ବିଧାୟକ ବିଜେପିରେ ସାମିଲ ହେବା ପରେ ଦଳର ମୋଟ ଆସନ ସଂଖ୍ୟା ୩୭କୁ ପହଞ୍ଚିଛି, ଯାହା ସରକାର ଗଠନକୁ ଆହୁରି ସହଜ କରିଛି ।
ନୂଆ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ ରାଜ୍ୟରେ ସ୍ଥାୟୀ ଶାନ୍ତି ସ୍ଥାପନ, ସମସ୍ତ ସମୁଦାୟ ମଧ୍ୟରେ ଭରସା ଫେରାଇ ଆଣିବା ଏବଂ ବିକାଶ ପ୍ରକ୍ରିୟାକୁ ଗତି ଦେବା । ରାଜ୍ୟବାସୀ ଆଶା କରୁଛନ୍ତି ଯେ ନୂଆ ସରକାର ମଣିପୁରକୁ ପୁଣିଥରେ ଶାନ୍ତି ଓ ପ୍ରଗତିର ପଥରେ ଆଗେଇ ନେବ ।
also read https://purvapaksa.com/aeroplane-accident/


