ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ସଂକଳ୍ପକୁ ନିଶ୍ଚିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ସ୍କୁଲ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖର୍ଚ୍ଚ ଛାଡ଼ କରିବାକୁ ଘୋଷଣା କରିଛନ୍ତି।
ଶିଶୁ ଦିବସ ଅବସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ୨୦୨୪ ‘ସୁରଭି’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଗୋଦାବରୀଶ ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିବାକୁ ଘୋଷଣା କରିଛନ୍ତି।
ହଷ୍ଟେଲ ଖର୍ଚ୍ଚ ବାବଦରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ୨ ହଜାର ଟଙ୍କା ଫି’ ଦେବାକୁ ପଡ଼ିବ ନାହିଁ ବୋଲି କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହଷ୍ଟେଲ ଖର୍ଚ୍ଚ ରାଜ୍ୟ ସରକାର ରାଜକୋଷରୁ ବହନ କରିବେ।
ବିଶେଷ କରି ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଶିକ୍ଷାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମାଝୀ କହିଛନ୍ତି। ଆମ ସରକାର ଭବିଷ୍ୟତକୁ ଆଧାର କରି ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ବିଶେଷ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ କରାଯାଇଛି। ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନିମନ୍ତେ ମୋଟ ୬,୭୯୪ ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା କରାଯାଇଛି। ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ ୩୫ ହଜାର ୫୩୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟରେ ଡ୍ରପ ଆଉଟ ହାର କମାଇବା ପାଇଁ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା ନୀତି (ଏନଇପି) ଲାଗୁ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ଏହି ପଦକ୍ଷେପ ରାଜ୍ୟର ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
ଛାତ୍ରଛାତ୍ରୀମାନେ ବଡ଼ ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନେ ନିଜ ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପବଦ୍ଧ ହୋଇ କଠିନ ପରିଶ୍ରମ କରିବା ଉଚିତ।
ପୂର୍ବ ବିଜେଡି ସରକାରକୁ କଡ଼ା ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୨୦ରେ କେନ୍ଦ୍ର ଏନଇପି ପ୍ରଣୟନ କରିଥିଲେ ମଧ୍ୟ ରାଜନୈତିକ କାରଣରୁ ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ।
Previous article :https://purvapaksa.com/government-opens-pds-sub-centre-at-mandipanka/