ଓଡ଼ିଶାର ରାଜନୀତିରେ “ବିଧାନ ପରିଷଦ” ଶବ୍ଦଟି ଦୀର୍ଘ ୨୦ ବର୍ଷ ଧରି ଏକ ଆଶ୍ୱାସନା, ଏକ ଆଶା ଓ ଏକ ଭ୍ରମ—ତିନିଟିକୁ ବଢ଼ାଇ ଆସିଛି। ବିଶେଷକରି ୨୦୧୪ ଓ ୨୦୧୯ ନିର୍ବାଚନ ସମୟରେ ଏହି ପ୍ରସଙ୍ଗଟି ଏମିତି ଭାବେ ଉଠିଥିଲା, ଯେପରି ଯୁବ ରାଜନୈତିକ କର୍ମୀମାନଙ୍କ ପାଇଁ ଏକ ନୂଆ ଦ୍ୱାର ଖୋଲିବାକୁ ଯାଉଛି। ଟିକେଟ ପାଇନଥିବା ଆଶାୟୀ, ଦଳୀକୁ ଶ୍ରମ ଦେଇ ବିଜୟୀ କରାଇ ଅପେକ୍ଷାରେ ଥିବା ଯୁବ ନେତା—ସମସ୍ତଙ୍କୁ ବୁଝାଯାଇଥିଲା, “ବିଧାନ ପରିଷଦ ହେବ, ସୁଯୋଗ ମିଳିବ।” କିନ୍ତୁ ସମୟ ବିତିବା ସହିତ ସେହି ଯୁବଗୋଷ୍ଠୀ ବୁଝିଲେ—ଏହା ଅସଲରେ ଏକ ଥୋପ, ଏକ ରାଜନୈତିକ ଲଲିପପ ଥିଲା, ଏହା ବାସ୍ତବ ନ ଥିଲା।

ଆଶ୍ୱାସନର ଇତିହାସ: ୨୦୧୪ରୁ ୨୦୧୯
ବିଧାନ ପରିଷଦ ପ୍ରସଙ୍ଗ ଓଡ଼ିଶାରେ ନୂଆ ନୁହେଁ। କିନ୍ତୁ ୨୦୧୪ ଓ ୨୦୧୯ ମସିହାରେ ଏହା ଯେପରି ରାଜନୈତିକ ଭାଷଣ ଓ ଆଭ୍ୟନ୍ତରୀଣ ଆଲୋଚନାର ଅଂଶ ହୋଇଉଠିଥିଲା, ସେଥିରୁ ଏହାକୁ ଗୁରୁତ୍ୱ ମିଳିବାକୁ ଲାଗିଲା। ଟିକେଟ ମିଳିଲା ନାହିଁ—କିନ୍ତୁ “ଆଗାମୀକାଲି ପରିଷଦ ହେଲେ ସେଠି ତୁମକୁ ଥଇଥାନ କରାଯିବ”—ଏହି ମନ୍ତ୍ରବାକ୍ୟ ଅନେକଙ୍କୁ ଶାନ୍ତ କରିଥିଲା। ଦଳୀୟ ଶୃଙ୍ଖଳା ରହିଲା, ବିଦ୍ରୋହ ହେଲା ନାହିଁ। ଏହି ଦୃଷ୍ଟିରୁ ବିଧାନ ପରିଷଦ ଆଶ୍ୱାସନ ଏକ ତୂରନ୍ତ ଉପଶମ ହେଉଥିବା ରାଜନୈତିକ ଉପକରଣ ଥିଲା।
୨୦୧୮ ଅଗଷ୍ଟ ୨୪: କ୍ୟାବିନେଟ୍ ମଞ୍ଜୁରୀ ଓ ଅଧୂରା ପଦକ୍ଷେପ
୨୦୧୮ ଅଗଷ୍ଟ ୨୪ ତାରିଖ; ବିଧାନ ପରିଷଦ ସମ୍ପର୍କିତ ପ୍ରସ୍ତାବ କ୍ୟାବିନେଟ୍ରେ ପାରିତ ହେଲା। ସେତେବେଳେ ଯୁବ ନେତାମାନଙ୍କ ଭିତରେ ଏକ ନୂଆ ବିଶ୍ୱାସ ଜନ୍ମ ନେଲା; ଏଥର ବୋଧହୁଏ କଥା କାମକୁ ଆସିବ। କିନ୍ତୁ ଯଦି ସରକାର ସତରେ ବିଧାନ ପରିଷଦ ଚାହୁଁଥାଆନ୍ତା, ତେବେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆଣିବା ପାଇଁ ଅନେକ ସୁଯୋଗ ଥିଲା। ସେହି ସୁଯୋଗ ନିଆ ନ ଯିବା ଦ୍ୱାରା ଧୀରେ ଧୀରେ ସ୍ପଷ୍ଟ ହେଲା; ଏହା ଏକ ନୀତିଗତ ଲକ୍ଷ୍ୟ ନୁହେଁ, ବରଂ ଏକ ରାଜନୈତିକ ପ୍ରବନ୍ଧନ।
ନୂଆ ବିଧାନସଭା ଭବନ ଓ ନୂଆ ସଙ୍କେତ
ଏବେ ୭୧ ଏକର ଜମିରେ ନୂତନ ଲୋକସେବା ଭବନ ଓ ନୂଆ ବିଧାନସଭା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପଡ଼ିଛି। ଏହି ନିର୍ମାଣ ସହିତ ଜଡ଼ିତ ମନ୍ତବ୍ୟ ରାଜନୀତିକ ଚର୍ଚ୍ଚାକୁ ଆଉ ଏକ ମୋଡ଼ ଦେଇଛି। ବର୍ତ୍ତମାନ ଥିବା ବିଧାନସଭା ଭବନକୁ ମ୍ୟୁଜିୟମ କରାଯିବ ଏବଂ ଭବିଷ୍ୟତରେ ବିଧାନ ପରିଷଦ ହେଲେ ସେହି କୋଠା ବ୍ୟବହାର ହେବ। ଏହି ମନ୍ତବ୍ୟ ହଠାତ୍ ଦିଆଯାଇଥିବା ଗପ ନୁହେଁ ବୋଲି ଅନେକଙ୍କ ଧାରଣା। କାରଣ, ଦାୟିତ୍ୱସମ୍ପନ୍ନ ମନ୍ତ୍ରୀ ଚର୍ଚ୍ଚା ବିନା ଏପରି ଉଲ୍ଲେଖ କରିନଥାନ୍ତେ।
ଡବଲ ଇଞ୍ଜିନ ସରକାର ଓ ବଢ଼ୁଥିବା ଆଶା
ଏବେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଥିବାରୁ ରାଜ୍ୟ ନେତାମାନଙ୍କ ଇଚ୍ଛା ସାକାର ହେବାର ସୁଯୋଗ ଅଛି; ଏହି ଧାରଣା ଯୁବ ରାଜନୈତିକ ମହଳରେ ଦ୍ରୁତ ଭାବେ ପ୍ରସାରିତ ହେଉଛି। ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଅନେକ ଯୁବ ସମର୍ଥକ ଆଶା କରୁଛନ୍ତି, ବିଧାନ ପରିଷଦରେ ସ୍ଥାନ ମିଳିପାରେ। ଏହି ଆଶା ଶାସକ ଦଳ ପାଇଁ ରାଜନୈତିକ ଲାଭ ଆଣିପାରେ, କିନ୍ତୁ ଏହା ପୁଣିଥରେ ଲଲିପପ ହୋଇଗଲେ-ଭବିଷ୍ୟତରେ ବିଶ୍ୱାସଘାତର ଅଭିଯୋଗ ଅଧିକ ଭାରି ହେବ।
କେତେ ରାଜ୍ୟରେ ପରିଷଦ?
/odishatv/media/post_attachments/uploadimage/library/16_9/16_9_0/recent_photo_1725429028.jpg)
ଦେଶର ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ କେବଳ ମାତ୍ର ୬ଟି ରାଜ୍ୟରେ ବିଧାନ ପରିଷଦ ଅଛି। ସେଠାରେ ବି ଦେଖାଯାଉଛି—ପରିଷଦ ଥିବାରୁ ଅତିରିକ୍ତ ବିକାଶ ହୋଇଯାଇଛି ବୋଲି ନିଶ୍ଚିତ କୁହାଯାଇ ପାରିବ ନାହିଁ। ବରଂ ଆର୍ଥିକ ବୋଝ, ଦରମା–ଭତ୍ତା–ପେନସନ୍ ଭଳି ଦାୟିତ୍ୱ ରାଜ୍ୟ ଉପରେ ପଡ଼ୁଛି। ଏହି ପରିସ୍ଥିତିରେ ଅନେକ ରାଜ୍ୟ ବିଧାନ ପରିଷଦ ଆବଶ୍ୟକତା ନେଇ ସନ୍ଦେହ ପ୍ରକାଶ କରୁଛନ୍ତି।
ଆର୍ଥିକ ବୋଝ ଓ ନୈତିକ ପ୍ରଶ୍ନ
ବିଧାନ ପରିଷଦ ସଦସ୍ୟମାନେ ବିଧାୟକଙ୍କ ସମାନ ଦରମା, ଭତ୍ତା ଓ ପେନସନ୍ ପାଆନ୍ତି। ଯେତେବେଳେ ଓଡ଼ିଶାରେ ଦରମା ବୃଦ୍ଧି ପ୍ରସଙ୍ଗରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଗଲା, ସେତେବେଳେ ଅତିରିକ୍ତ ୪୯ ଜଣ ସଦସ୍ୟ ଯୋଗ ହେଲେ ଆର୍ଥିକ ବୋଝ କେତେ ବଢ଼ିବ—ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ। ଲୋକମାନଙ୍କ ଦୈନନ୍ଦିନ ଖର୍ଚ୍ଚ ବଢ଼ୁଥିବାବେଳେ, ରାଜନୈତିକ ସଂସ୍ଥା ବିସ୍ତାର କରିବା କେତେ ନ୍ୟାୟସଙ୍ଗତ?
ଯଦି ଓଡ଼ିଶାରେ ପରିଷଦ ହୁଏ
୨୦୧୮ର ପ୍ରସ୍ତାବ ଅନୁଯାୟୀ, ୧୪୭ ଆସନ ବିଶିଷ୍ଟ ବିଧାନସଭାର ଏକ ତୃତୀୟାଂଶ- ଅର୍ଥାତ୍ ୪୯ ଜଣ ସଦସ୍ୟ- ବିଧାନ ପରିଷଦରେ ରହିବେ। ଏହି ୪୯ ଜଣଙ୍କ ମଧ୍ୟରୁ ବିଧାୟକ, ଜିଲା ପରିଷଦ, ପଞ୍ଚାୟତ ସମିତି, ଶିକ୍ଷକ, ଗ୍ରାଜୁଏଟ୍ ଓ ରାଜ୍ୟପାଳଙ୍କ ମନୋନୀତ ସଦସ୍ୟ ରହିବେ। ଏହି ଗଠନ ଲୋକତାନ୍ତ୍ରିକ ପ୍ରତିନିଧିତ୍ୱ ବଢ଼ାଇପାରେ କିନ୍ତୁ ଏହା କି ଅସଲରେ ଯୁବ ନେତୃତ୍ୱ ପାଇଁ ଦ୍ୱାର ଖୋଲିବ, ନା ପୁଣି ରାଜନୈତିକ ସମନ୍ୱୟର ମଞ୍ଚ ହୋଇଯିବ?
ଲଲିପପ ନୁହେଁ, ସ୍ପଷ୍ଟତା ଦରକାର
ବିଧାନ ପରିଷଦ ପ୍ରସଙ୍ଗ ଓଡ଼ିଶାରେ ଆଉ ଏକ ଲଲିପପ ହେବା ଉଚିତ ନୁହେଁ। ଯଦି ସରକାର ସତରେ ଏହାକୁ ଚାହୁଁଛନ୍ତି, ତେବେ ସ୍ପଷ୍ଟ ଟାଇମ୍ଲାଇନ୍, ଆର୍ଥିକ ମୂଲ୍ୟାୟନ ଓ ସାର୍ବଜନିକ ଆଲୋଚନା ଆବଶ୍ୟକ। ନ ହେଲେ—ଯୁବ ଆଶାକୁ ପୁଣିଥରେ ଆଶ୍ୱାସନରେ ବାନ୍ଧି ରଖିବା ଏକ ଭୟଙ୍କର ରାଜନୈତିକ ଭୁଲ ହେବ।
ଓଡ଼ିଶା ଆଜି ଏକ ସନ୍ଧିକ୍ଷଣରେ। ବିଧାନ ପରିଷଦ ଯଦି ହୁଏ; ସେଥିରେ ଲୋକତାନ୍ତ୍ରିକ ସୁଧାର ହେଉ। ଯଦି ହେଡ ନାହିଁ—ସେହି କଥା ସତ କୁହାଯାଉ। କାରଣ ଲୋକତନ୍ତ୍ରରେ ସବୁଠୁ ବଡ଼ ଅପରାଧ ହେଉଛି—ମିଥ୍ୟା ଆଶା।
also read https://purvapaksa.com/political-gossip-truth-and-history/


