ରାଜନୀତିରେ ତାରିଖ କେବେ କେବେ ଇତିହାସ ହୋଇଯାଏ। ୨୦୨୩ ଅଗଷ୍ଟ ୫- ଏଭଳି ଗୋଟିଏ ତାରିଖ। ଭୁବନେଶ୍ୱରର ତାରକା ହୋଟେଲ ମେ’ ଫେୟାରରେ ସେହି ସକାଳର ପ୍ରାତଃ ଜଳଖିଆ କେବଳ ଔପଚାରିକ ନ ଥିଲା। ସେଠାରେ ଓଡ଼ିଶାର ଦୀର୍ଘ ୨୪ ବର୍ଷର ଶାସନର ଧାରାରେ ପ୍ରଥମ ଥର ପାଇଁ ଭାଙ୍ଗିବାର ମଞ୍ଜି ପୋତାଯାଇଥିଲା- ଏମିତି ଅଭିଯୋଗ ଆଜି ରାଜନୀତିକ ମହଲରେ ଘୁରି ବୁଲୁଛି। ସେହି ସକାଳେ ମେ’ ଫେୟାର ହୋଟେଲରେ ଯାହା ଘଟିଥିଲା-ତାହାକୁ କେହି କେହି ‘ବ୍ରେକ୍ଫାଷ୍ଟ ଅପରେସନ’ କହୁଛନ୍ତି, କେହି ‘ନୀରବ ସମ୍ମତି’—କିନ୍ତୁ ଫଳାଫଳ ଦୃଷ୍ଟିରୁ ଏହାକୁ ଅଗ୍ରାହ୍ୟ କରିବା ଆଉ ସମ୍ଭବ ନୁହେଁ।

ପ୍ରଶ୍ନ ଉଠୁଛି- ଏହା କେବଳ ଗପ ନା ସୁନିୟୋଜିତ ଷଡ଼ଯନ୍ତ୍ର?
ବିଜୁ ଜନତା ଦଳ (ବିଜେଡି) କ୍ଷମତାରୁ ଚାଲିଗଲା କାହା ପାଇଁ?
ଏବଂ ସବୁଠୁ ସମ୍ବେଦନଶୀଳ ପ୍ରଶ୍ନ- ଏଥିରେ ବିଜେଡି ଭିତରୁ କିଏ ଭୂମିକା ନେଇଥିଲେ?
ସେହି ସକାଳର ଘଟଣାକ୍ରମକୁ ନେଇ ଅନେକ ବର୍ଣ୍ଣନା ରହିଛି। ତାରକା ହୋଟେଲରେ ଉପସ୍ଥିତି, ଚା’–ପାନ ଟେବୁଲ, ଏକାନ୍ତ ବୈଠକ- ସବୁକିଛି ଦେଖିଲେ ଏହା ସାଧାରଣ ରାଜନୈତିକ ଶିଷ୍ଟାଚାର ନୁହେଁ ବରଂ ଏକ ଯୋଜନାର ପ୍ରଥମ ଅଧ୍ୟାୟ। ସେହି ସକାଳେ ମେ’ ଫେୟାରରେ ଅବସ୍ଥାନ କରୁଥିଲେ ଅମିତ ଶାହ- ବିଜେପିର ଚାଣକ୍ୟ ଭାବେ ପରିଚିତ। ତାଙ୍କ ସହ ପ୍ରାତଃ ଜଳଖିଆ ପାଇଁ ଉପସ୍ଥିତ ଥିଲେ ଦଳର ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ ଆଉ ଦୁଇ-ଜଣେ ବିଜେପି ନେତା। ଏହି ତାଲିକାରେ ହଠାତ୍ ଯୋଗ ହେଲା ଗୋଟିଏ ନାଁ- ଭିକେ ପାଣ୍ଡିଆନ। ସେ ବିଜେଡିର ନିର୍ବାଚିତ ନେତା ନ ଥିଲେ, କିନ୍ତୁ ସେହି ସମୟରେ ନବୀନ ପଟ୍ଟନାୟକଙ୍କ ରାଜନୀତିକ ଶକ୍ତି କେନ୍ଦ୍ରର ସବୁଠୁ ପ୍ରଭାବଶାଳୀ ଚରିତ୍ର।

ଅଭିଯୋଗ ଅନୁଯାୟୀ- ପାଣ୍ଡିଆନ ଚା’ ଟେବୁଲରେ ଶାହାଙ୍କୁ ଭେଟିବା ସମୟରେ ଅନ୍ୟ ବିଜେପି ନେତାମାନେ ସେଠାରୁ ଉଠି ଚାଲିଯାଇଥିଲେ। ଅର୍ଥାତ୍ ଆଲୋଚନା ଦୁଇଜଣଙ୍କ ମଧ୍ୟରେ ହେବାର ଥିଲା। ଏହା କୌଣସି ସାଧାରଣ ଭେଟ ନୁହେଁ- ଏଭଳି ଦାବି କରୁଛନ୍ତି ରାଜନୀତିକ ବିଶ୍ଳେଷକମାନେ। ଏଇଠୁ ବିଜେଡି ପତନର ମବୂଳଦୂଆ ପଡ଼ିଥିଲା। ଯାହାକି ନିର୍ବାଚନ ପରେ ପ୍ରମାଣିତ ହୋଇଛି ବୋଲି କହିଲେ ଭୁଲ ହେବ ନାହିଁ। ସେହିଦିନ ଏକ ଜାତୀୟ ରାଜପଥ ଉଦ୍ଘାଟନ ଉତ୍ସବରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଉପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ ଦେଇଥିଲା। ସକାଳେ ଶାହା ରୁଦ୍ଧଦ୍ୱାର ବୈଠକରେ ଭେଟିଥିଲେ ନବୀନ ପଟ୍ଟନାୟକଙ୍କୁ। ସେଠାରେ ମଧ୍ୟ ଉପସ୍ଥିତ ଥିଲେ ପାଣ୍ଡିଆନ। ଏହି ଆର୍ଲି ମର୍ଣ୍ଣିଂ ଅପରେସନ ଅଭିଯୋଗ ଅନୁସାରେ ବିଜେଡି ସରକାରଙ୍କ ପତନର ପଥ ପ୍ରଶସ୍ତ କରିଦେଲା। ନବୀନ ଓ ପାଣ୍ଡିଆନ ଆଗୁଆ ନିର୍ବାଚନ ଚାହୁଁଥିଲେ। କିନ୍ତୁ ଶାହା ବିରୋଧ କରିଥିଲେ। ଏହାପରେ ମେଣ୍ଟ ଚର୍ଚ୍ଚା ହଠାତ୍ ଶିଖରକୁ ପହଞ୍ଚିଗଲା।
ଆଶ୍ଚର୍ଯ୍ୟର କଥା; ଏହି ମେଣ୍ଟ ଚର୍ଚ୍ଚାକୁ ସବୁଠୁ ଅଧିକ ଜୋର ଦେଲା ବିଜେଡି ନିଜେ। ଯାହା ଦେଖି ରାଜନୀତିକ ମହଲରେ ପ୍ରଶ୍ନ ଉଠିଲା- ଏହା କ’ଣ ଆତ୍ମଘାତୀ ରଣନୀତି ନୁହେଁ କି? ଷଡ଼ଯନ୍ତ୍ରର ସବୁଠୁ ଆଶ୍ଚର୍ଯ୍ୟର ଦିଗ ହେଲା- ପ୍ରାର୍ଥୀ ଓ ଆସନ ଚୟନ। ଯେଉଁ ଆସନଗୁଡ଼ିକରେ ବିଜେଡି ପକ୍ଷରୁ ପ୍ରତିସ୍ପର୍ଧା ଦୃଢ଼ କରିବା ଦରକାର ଥିଲା, ସେଠି ଏମିତି ପ୍ରାର୍ଥୀ ଠିଆ କରାଗଲେ ଯାହାଙ୍କ ଜିତିବା ସମ୍ଭାବନା ଆଗରୁ ହିଁ ଅଳ୍ପ। କେଉଁ ଯୁକ୍ତିରେ କେଉଁ ଆସନରେ କେଉଁ ପ୍ରାର୍ଥୀ- ଏହି ପ୍ରଶ୍ନର ସରଳ ଉତ୍ତର ଆଜି ପର୍ଯ୍ୟନ୍ତ ମିଳିନି। ଏହା କେବଳ ଭୁଲ ଗଣନା ନୁହେଁ ବୋଲି ଅନେକଙ୍କ ମତ। କାରଣ, ପରିଣାମ ସବୁବେଳେ ଏକପାଖିଆ ଥିଲା। ଯେଉଁଠି ଦଳର ପାରମ୍ପରିକ ଭୋଟ ଭାଙ୍ଗିଲା, ସେଠି ପ୍ରତିଦ୍ୱନ୍ଦୀ ପକ୍ଷ ପାଇଁ ମଇଦାନ ସାଫ୍ ହେଲା। ଏହା ଷଡ଼ଯନ୍ତ୍ର ନୁହେଁକି?

ଷଡ଼ଯନ୍ତ୍ରର ସବୁଠୁ ଚର୍ଚ୍ଚିତ ଅଧ୍ୟାୟ ହେଲା- ପ୍ରାର୍ଥୀ ଓ ଆସନ ଚୟନ। ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପ୍ରଣବ ପ୍ରକାଶ ଦାସ। କେଉଁ ଯୁକ୍ତି ବଳରେ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ କରାଗଲା? ସେଠାରୁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହେବେ- ଏହା ଆଗରୁ ସ୍ପଷ୍ଟ ଥିଲା। ତେବେ ଏଭଳି ନିଷ୍ପତ୍ତି କାହିଁକି?
ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେଡି ପାଖରେ ଥିଲେ ନିଜସ୍ୱ ମୁହଁ- ଅରୂପ ପଟ୍ଟନାୟକ କିମ୍ବା ଶ୍ରୀମୟୀ ମିଶ୍ର। କିନ୍ତୁ ସେମାନଙ୍କୁ ଛାଡ଼ି କଂଗ୍ରେସରୁ ଆମଦାନୀ ହୋଇଥିବା ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରାଗଲା।
ପୁରୀରେ ସମ୍ବିତ ପାତ୍ରଙ୍କ ବିରୋଧରେ ଠିଆ କରାଗଲା ଅରୂପଙ୍କୁ- ଏଭଳି ଭାବେ ଦେଖିବାକୁ ମିଳିଲା ଯେ ମଇଦାନ ବିଜେପି ପାଇଁ ପ୍ରାୟ ସାଫ୍।
ଏହା କେବଳ ଭୁଲ ଗଣନା ନୁହେଁ ବୋଲି ଅନେକଙ୍କ ମତ। କାରଣ, ପରିଣାମ ସବୁବେଳେ ଏକପାଖିଆ ଥିଲା। ଯେଉଁଠି ଦଳର ପାରମ୍ପରିକ ଭୋଟ ଭାଙ୍ଗିଲା, ସେଠି ପ୍ରତିଦ୍ୱନ୍ଦ୍ୱୀ ପକ୍ଷ ପାଇଁ ମଇଦାନ ସାଫ୍ ହେଲା। ଏହା ଷଡ଼ଯନ୍ତ୍ର ନୁହେଁ ବୋଲି କହିବାକୁ ହେଲେ, ତେବେ ଏହା ଅସାଧାରଣ ଅଦକ୍ଷତା ଏବଂ ଏତେ ବଡ଼ ଦଳ ପାଇଁ ଏପରି ଦାୟିତ୍ୱହୀନତା ଅସ୍ୱୀକାର୍ଯ୍ୟ। ଏସବୁ ନିଷ୍ପତ୍ତିକୁ ନେଇ ଦଳ ଭିତରେ ପ୍ରଶ୍ନ ଉଠିଲା- ଏହା ଅଯୋଗ୍ୟତା ନୁହେଁ, ଷଡ଼ଯନ୍ତ୍ର ନୁହେଁ କି? ସବୁଠୁ ବଡ଼ ପ୍ରଶ୍ନ- ଏଭଳି ଏକ ଯୋଜନାରେ ବିଜେଡି ଭିତରୁ କିଏ ସହଯୋଗ କଲେ? ଦଳ ଭିତରେ ଏହି ପ୍ରଶ୍ନ ଆଜିବି ଘୁରି ବୁଲୁଛି, କିନ୍ତୁ ଉତ୍ତର ନାହିଁ। ନବୀନ ପଟ୍ଟନାୟକ ନୀରବ। ପାଣ୍ଡିଆନ ରାଜନୀତିରୁ ଦୂରରେ।
ନୀରବତା ରାଜନୀତିରେ ସାଧାରଣ ନୁହେଁ; ଏହା ଅନେକ ସମୟରେ ଅଭିଯୋଗକୁ ଆହୁରି ଶକ୍ତିଶାଳୀ କରେ।
ଏବେ ପ୍ରଶ୍ନଟି ଅଧିକ ରାଜନୀତିକ ନୁହେଁ, ଅଧିକ ନୈତିକ। କ୍ଷମତା ଯିବା ପରେ ନବୀନ ପଟ୍ଟନାୟକଙ୍କ ପାଖରେ ଆଉ କ’ଣ ହରାଇବାକୁ ଅଛି? ଇତିହାସ? ଉତ୍ତରାଧିକାର? ନା ନିଜ ନୀରବତା? ଯଦି ୫ ଅଗଷ୍ଟ ୨୦୨୩ ସତରେ ଗୋଟିଏ ଷଡ଼ଯନ୍ତ୍ରର ଆରମ୍ଭ ଥିଲା, ତେବେ ଓଡ଼ିଶା ରାଜନୀତି ଏହାର ସତ୍ୟ ଜାଣିବାର ଅଧିକାର ରଖେ। ଆଜି ଏହି କାହାଣୀକୁ କେହି ଗପ କହିପାରନ୍ତି, କେହି ସତ। କିନ୍ତୁ ଗୋଟିଏ କଥା ନିଶ୍ଚିତ- ୫ ଅଗଷ୍ଟ ୨୦୨୩ ପରେ ବିଜେଡିର ରାଜନୀତି ପୁରୁଣା ଭଳି ରହିଲା ନାହିଁ। ମେଣ୍ଟ ଚର୍ଚ୍ଚା, ପ୍ରାର୍ଥୀ ଚୟନ, ଏବଂ ରଣନୀତି- ସବୁଠି ଥିଲା ଅସ୍ୱାଭାବିକତା।
ମେ’ ଫେୟାରରୁ ଆରମ୍ଭ ହୋଇ ମଇଦାନ ପର୍ଯ୍ୟନ୍ତ ଯେଉଁ ଯାତ୍ରା—ସେହି ଯାତ୍ରାକୁ ଏକ ଶବ୍ଦରେ ବ୍ୟାଖ୍ୟା କରିବା କଠିନ। ଏହା କ’ଣ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ନା ଦୀର୍ଘ ଶାସନର କ୍ଲାନ୍ତି ଜନିତ ଆତ୍ମବିନାଶ? ସମ୍ଭବତଃ ଦୁଇଟିର ମିଶ୍ରଣ।
ଯାହାହେଉ, ଓଡ଼ିଶା ରାଜନୀତି ପାଇଁ ଏହା ଏକ ଶିକ୍ଷା। କ୍ଷମତା ଦୀର୍ଘ ସମୟ ରହିଲେ ନୀରବତା ଆସେ, ନୀରବତା ଆସିଲେ ପ୍ରଶ୍ନ ମରିଯାଏ, ଏବଂ ପ୍ରଶ୍ନ ମରିଗଲେ ଷଡ଼ଯନ୍ତ୍ର ସଫଳ ହୁଏ। ବିଜୁ ଜନତା ଦଳ ଆଜି ଯେଉଁ ସନ୍ଧିକ୍ଷଣରେ ଅଛି; ସେଠି ଏକମାତ୍ର ରାସ୍ତା ହେଉଛି ନିଷ୍ଠୁର ଆତ୍ମସମୀକ୍ଷା। ନହେଲେ, ଇତିହାସ ପୁଣି ନୁହେଁ- ବାରମ୍ବାର ନିଜକୁ ଦୋହରାଇବ। ଇତିହାସ ଦିନେ ନା ଦିନେ ନିଶ୍ଚୟ ଉତ୍ତର ଦେବ- ସେହି ସକାଳେ ମେ’ ଫେୟାରର ଚା’ ଟେବୁଲରେ କ’ଣ ନିଷ୍ପତ୍ତି ହୋଇଥିଲା? ସେପର୍ଯ୍ୟନ୍ତ- ଏହା ଓଡ଼ିଶା ରାଜନୀତିର ସବୁଠୁ ବଡ଼ ଅନୁତ୍ତରିତ ପ୍ରଶ୍ନ ହୋଇ ରହିବ।
also read https://purvapaksa.com/17-defense-projects-approved-near-china-border/


