ଓଡ଼ିଶା ରାଜନୀତିରେ ଏବେ ଗୋଟିଏ ଅଜବ ବିରୋଧାଭାସ ଦେଖାଯାଉଛି। ବିଜୁ ଜନତା ଦଳ ହାରିଛି, କିନ୍ତୁ ତା’ ଉପରେ ଗଣମାଧ୍ୟମର ଦୃଷ୍ଟି ଅଧିକ ରହିଛି। ଖବର ବି ମିଳୁଛି। ଅନ୍ୟପକ୍ଷରେ ସରକାରରେ ଥିବା ଭାରତୀୟ ଜନତା ପାର୍ଟି ଭିତରେ ଯେ ଭୟଙ୍କର ରାଜନୀତିକ ଗୋଷ୍ଠି ବିବାଦ ଚାଲିଛି, ତାହା ଅଧିକାଂଶ ସମୟରେ ନଜର ଆଢ଼ୁଆଳରେ ରହିଯାଉଛି। କିନ୍ତୁ ଗତକାଲି ଘଟିଥିବା ଗୋଟିଏ ଘଟଣା—ଯାହାକୁ ଏବେ ରାଜନୀତିକ ମହଲରେ “କବାଟ କିଳା ମେଳି” ବୋଲି କୁହାଯାଉଛି—ଓଡ଼ିଶା ବିଜେପିର ଭିତର କଥାକୁ ହଠାତ୍ ଲୋକଲୋଚନକୁ ଆଣିଦେଇଛି। ଏହି ମେଳି କେବଳ ବିଜେପିର ଆଭ୍ୟନ୍ତରୀଣ ମାମଲା ନୁହେଁ; ଏହା ଓଡ଼ିଶା ରାଜନୀତିର ଆଗାମୀ ଦିଗକୁ ବୁଝିବା ପାଇଁ ଗୋଟିଏ ମୁଖ୍ୟ ସଙ୍କେତ।
ଘଟଣାର ଆରମ୍ଭ

ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ଘଟଣାର ଆରମ୍ଭ ହୁଏ ଗତକାଲି ସକାଳ ୧୦ଟାରେ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗାଡ଼ି ହଠାତ୍ ଆସି ଲାଗିଲା ଭୁବନେଶ୍ୱର ୟୁନିଟ୍–୬ରେ ଥିବା ତାଙ୍କର ଏକାନ୍ତ ବିଶ୍ୱସ୍ତ ଯୁବମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସରକାରୀ ବାସଭବନରେ।
ଏହା କୌଣସି ସାଧାରଣ ସାକ୍ଷାତ୍ ନୁହେଁ। ସେଠାରେ ପୂର୍ବରୁ ଅପେକ୍ଷା କରିଥିଲେ ଆଉ ୨ ଜଣ ମନ୍ତ୍ରୀଙ୍କ ସହ ପ୍ରାୟ ୧୦ ଜଣ ବିଧାୟକ। ମୁଖ୍ୟ ଫାଟକରେ ତାଲା ପଡ଼ିଲା। କ୍ୟାମେରା, କର୍ମଚାରୀ, ଅନାବଶ୍ୟକ ଆଗନ୍ତୁକ-ସମସ୍ତଙ୍କୁ ଦୂରେଇ ରଖାଗଲା। ଏହା ପରେ ଆରମ୍ଭ ହେଲା ଏକ ରୁଦ୍ଧଦ୍ୱାର ବୈଠକ—ପ୍ରାୟ ୪ ଘଣ୍ଟା ଧରି ଆଲୋଚନା ହେଲା।
ବ୍ରେକଫାଷ୍ଟ୍, ବୈଠକ ଓ ମଧ୍ୟାହ୍ନ ଭୋଜନ: ରାଜନୀତିର ପାରମ୍ପରିକ ରିତି
ଓଡ଼ିଶା ରାଜନୀତିରେ ଗୋଟିଏ ପୁରୁଣା କଥା ଅଛି- “ଯେଉଁଠି ବ୍ରେକଫାଷ୍ଟ୍ ଓ ଲଞ୍ଚ ଏକାଠି, ସେଠି ନିଷ୍ପତ୍ତି ମଧ୍ୟ ପ୍ରଭାବଶାଳୀ।” ଏଠି ମଧ୍ୟ ସେଇଆ ହେଲା। ବ୍ରେକଫାଷ୍ଟ୍ ପରେ ବୈଠକ, ବୈଠକ ପରେ ମଧ୍ୟାହ୍ନ ଭୋଜନ। ଦୁଇଟା ବେଳକୁ ଧର୍ମେନ୍ଦ୍ର ପ୍ରଧାନ ବାହାରିଲେ, ପଛେ ପଛେ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ବାହାରିଗଲେ।
କିନ୍ତୁ ପ୍ରଶ୍ନ- ଏତେ ଗୁପ୍ତ ବୈଠକ କାହିଁକି? ଯଦି ଏହା କେବଳ ଏକ ସାଧାରଣ ବୈଠକ ହୋଇଥାଆନ୍ତା, ତେବେ ଏତେ ସାବଧାନତାର ଆବଶ୍ୟକତା କ’ଣ ଥିଲା?
କେଉଁମାନେ ଥିଲେ, କେଉଁମାନେ ନ ଥିଲେ
ଏହି ବୈଠକର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପାଟର୍ଣ୍ଣ- କେଉଁମାନଙ୍କୁ ଡକାଯାଇଥିଲା, ଆଉ କେଉଁମାନେ ଆସିଲେ ନାହିଁ। ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର କିଛି ମନ୍ତ୍ରୀଙ୍କୁ ମଧ୍ୟ ଡକାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ଆସିଲେ ନାହିଁ। ଉପକୂଳ ଓଡ଼ିଶାର ୩ ଜଣ ମନ୍ତ୍ରୀ, ପଶ୍ଚିମ ଓଡ଼ିଶାର ୪ ଜଣ ବିଧାୟକ, ଦକ୍ଷିଣ ଓଡ଼ିଶାରୁ କିଛି ବିଧାୟକ- ମୋଟାମୋଟି ୧୦ ଜଣଙ୍କ ଉପସ୍ଥିତି ଥିଲା। ରାଜନୀତିରେ କେବଳ ଉପସ୍ଥିତି ନୁହେଁ, ଅନୁପସ୍ଥିତି ମଧ୍ୟ ବହୁତ କିଛି କହେ।
ମୋହନ–ମନମୋହନ ବନାମ ଧର୍ମେନ୍ଦ୍ର

ଓଡ଼ିଶା ବିଜେପିରେ ଏବେ ଦୁଇଟି ପାୱାର୍ ସେଣ୍ଟର ଥିବା କଥା ରହସ୍ୟ ନୁହେଁ।
ଗୋଟିଏ ପକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଥିବାବେଳେ ଅନ୍ୟପକ୍ଷରେ ଧର୍ମେନ୍ଦ୍ର ପ୍ରଧାନ।
ଦଳ ଭିତରେ ଖୋଲାଖୋଲି କୁହାଯାଉଛି—ଧର୍ମେନ୍ଦ୍ରଙ୍କ ନାଁ ଶୁଣିଲେ ମୋହନ–ମନମୋହନ ଶିବିର ଅସୁବିଧା ଅନୁଭବ କରେ। ରାଜ୍ୟ ରାଜନୀତିରୁ ଧର୍ମେନ୍ଦ୍ରଙ୍କୁ ସାଇଡ୍ଲାଇନ୍ କରିବାର ଉଦ୍ୟମ ହୋଇଥିବା ଚର୍ଚ୍ଚା ମଧ୍ୟ ନୂଆ ନୁହେଁ। ବିଜେପି ରାଷ୍ଟ୍ରୀୟ ସଭାପତି ପଦ ମିଳିନଥିବାକୁ ନେଇ ଏହି ଶିବିର ଯେ ଆଶ୍ୱସ୍ତ ହୋଇଛି, ତାହା ଦଳ ଭିତରେ ଗୁପ୍ତ ନୁହେଁ।
ଧର୍ମେନ୍ଦ୍ର: ଚୁପ୍ ରହିବା ଲୋକ ନୁହେଁ
କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଚୁପ୍ ରହିବା ଲୋକ ନୁହେଁ। ରାଜନୈତିକ ଗୋଟି ଚାଳନାରେ ସେ ସିଦ୍ଧହସ୍ତ। ବିହାର ନିର୍ବାଚନ ପରଠୁ ତାଙ୍କର ଓଡ଼ିଶା ଗତିବିଧି ବଢ଼ିଛି। ପଶ୍ଚିମ ଓଡ଼ିଶାରେ ତାଙ୍କର କାର୍ଯ୍ୟକ୍ରମ ଘନଘନ ହେଉଛି। ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ସୂରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତି ଧ୍ୟାନ ଆକର୍ଷଣ କରୁଛି। ଦଳ ଭିତରେ ଚର୍ଚ୍ଚା- ଧର୍ମେନ୍ଦ୍ରଙ୍କ ସମର୍ଥନରେ ୫ରୁ ୭ ଜଣ ମନ୍ତ୍ରୀ ଓ ୩୦ରୁ ଅଧିକ ବିଧାୟକ ଅଛନ୍ତି।
ବିଧାୟକ ଗଣିତ ଓ ଆଗାମୀ ଝଡ଼
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରବି ନାଏକ, ମୁକେଶ ମହାଲିଙ୍ଗ, ପୃଥ୍ୱୀରାଜ ହରିଚନ୍ଦନ, ବିଭୁତି ଭୂଷଣ ଜେନା ବିଧାୟକ ଟଙ୍କଧର ତ୍ରିପାଠୀ, ସାରଦା (ବୁଲୁ) ପ୍ରଧାନଙ୍କ ଭଳି ବିଧାୟକମାନେ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମରେ ଆଗରେ ଥାଆନ୍ତି।
ଏହା କେବଳ ଆନୁଗତ୍ୟର ପ୍ରଦର୍ଶନ ନୁହେଁ- ଏହା ଏକ ରାଜନୈତିକ ବାର୍ତ୍ତା।
ରାଜନୀତିରେ ଏମିତି ବାର୍ତ୍ତା ସାଧାରଣତଃ ଆଗାମୀ ଝଡ଼ର ସୂଚନା ଦେଇଥାଏ।
କବାଟ କିଳା ବୈଠକର ରାଜନୀତିକ ଅର୍ଥ
ତେବେ ପ୍ରଶ୍ନ—ଏହି ବୈଠକରେ ଆଲୋଚନା କ’ଣ ହେଲା?
ବିଧିବଦ୍ଧଭାବେ କିଛି ଜଣାପଡ଼ିନି। କିନ୍ତୁ ଓଡ଼ିଶା ବିଜେପିର ଆଭ୍ୟନ୍ତରୀଣ ସମୀକରଣକୁ ଦେଖିଲେ ଅନୁମାନ କରାଯାଇପାରେ—
• ଶକ୍ତି ସଂଗଠନ
• ମନ୍ତ୍ରିମଣ୍ଡଳ ପୁନର୍ଗଠନର ଭବିଷ୍ୟତ
• ଦଳ ଭିତରେ ଆଗାମୀ ନେତୃତ୍ୱ ଲଢ଼େଇ
ଏହି ସବୁ ଆଲୋଚନା ହୋଇଥିବା ସମ୍ଭାବନା ଅଧିକ।
ଓଡ଼ିଶା ରାଜନୀତି ପାଇଁ ଏହାର ଅର୍ଥ
ଏହି ଘଟଣା କେବଳ ବିଜେପିର ଘରୋଇ କଥା ନୁହେଁ। ଯଦି ବିଜେପି ଭିତରେ ଦୁଇଟି ପାୱାର୍ ସେଣ୍ଟର ଖୋଲା ମୁକାବିଲାକୁ ଯାଏ, ତେବେ ତା’ର ପ୍ରଭାବ ସରକାରୀ କାର୍ଯ୍ୟଦକ୍ଷତା ଉପରେ ପଡ଼ିବ।
ଏହାର ଲାଭ କେଉଁଠି? ବିପକ୍ଷ ପାଇଁ।
କବାଟ ଖୋଲିଲେ କ’ଣ ବାହାରିବ?
ଧର୍ମେନ୍ଦ୍ରଙ୍କ “କବାଟ କିଳା ମେଳି” ଓଡ଼ିଶା ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇପାରେ।
ଆଜି ଯାହା ଗୁପ୍ତ ବୈଠକ, ଆସନ୍ତାକାଲି ତାହା ଖୋଲା ରାଜନୀତି ହେବ।
ପ୍ରଶ୍ନ ହେଉଛି— କବାଟକିଳା ଘର ଭିତରେ ହୋଇଥିବା ଯୋଜନା କବାଟ ଖୋଲିଲେ ଓଡ଼ିଶାର ରାଜନୀତିକୁ କେଉଁ ଦିଗକୁ ନେଇଯିବ?
also read https://purvapaksa.com/bhubaneswars-lingaraj-temple-controversy-escalates/


