ଯୁବପିଢ଼ି କେବଳ ଏକ ଜନସାଂଖ୍ୟିକ ଶ୍ରେଣୀ ନୁହେଁ- ସେ ହେଉଛି ରାଜନୀତିର ସବୁଠୁ ବଡ଼ ନିବେଶ, ସବୁଠୁ ଦୀର୍ଘମ୍ୟାଦୀ ପୁଞ୍ଜି। ଯେଉଁ ଦଳ ଓ ସରକାର ଯୁବମାନଙ୍କୁ ଧରିପାରିବ, ସେ ଭବିଷ୍ୟତକୁ ଧରିପାରିବ- ଏହା ଭାରତୀୟ ରାଜନୀତିର ଏକ ଅଲିଖିତ ସତ୍ୟ। ଓଡ଼ିଶାରେ ୨୦୨୪ ନିର୍ବାଚନ ପରେ ଯେଉଁ ରାଜନୈତିକ ପରିବର୍ତ୍ତନ ଦେଖାଗଲା, ସେଥିରେ ଯୁବପିଢ଼ି ଏକ ମୁଖ୍ୟ ଘଟକ ଥିଲା। ତତ୍କାଳୀନ ବିଜୁ ଜନତା ଦଳ (ବିଜେଡି) ସରକାର ନିର୍ବାଚନ ପୂର୍ବରୁ ‘ନୂଆ ଓଡ଼ିଶା’ ଯୋଜନା ଆଣି କଲେଜ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ସହ ଯୋଡ଼ିବାକୁ ଚେଷ୍ଟା କରିଥିଲା। କିନ୍ତୁ ରାଜ୍ୟରେ ନୂଆ ସରକାର ଆସିବା ସହ ସେହି ଯୋଜନା ବନ୍ଦ ହୋଇଗଲା।
ଏବେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଏକ ଭିନ୍ନ ପଥ ଧରିଛନ୍ତି-ରାଜ୍ୟ ଯୋଜନାର ସ୍ଥାନରେ କେନ୍ଦ୍ରୀୟ ଯୋଜନା ‘ମାଇଁ ଭାରତ’କୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ବାଧ୍ୟତାମୂଳକ କରିବା। ଏହା କେବଳ ଏକ ପ୍ରଶାସନୀକ ନିଷ୍ପତ୍ତି ନୁହେଁ- ଏହା ଓଡ଼ିଶାର ଯୁବ ନୀତିର ଦିଗ ବଦଳ, ରାଜ୍ୟ–କେନ୍ଦ୍ର ସମ୍ପର୍କ ଓ ରାଜନୈତିକ ଦାର୍ଶନିକତାର ଏକ ସ୍ପଷ୍ଟ ସୂଚନା।

‘ନୂଆ ଓଡ଼ିଶା’ ଯୋଜନା: ରାଜନୀତି ଓ ଯୁବ ଆକାଂକ୍ଷା
‘ନୂଆ ଓଡ଼ିଶା’ ଯୋଜନା ବିଜେଡି ସରକାରଙ୍କ ଏକ ରଣନୀତିମୂଳକ ପଦକ୍ଷେପ ଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା- କଲେଜ ଛାତ୍ରଛାତ୍ରୀଙ୍କୁ ସରକାରୀ ଯୋଜନା ସହ ଯୋଡ଼ିବା, ସେମାନଙ୍କୁ ଆର୍ଥିକ ସହାୟତା ଦେବା ଓ ଯୁବ ଭୋଟରଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବା। ଏହି ଯୋଜନା ଉପରେ ସମାଲୋଚନା ମଧ୍ୟ ଥିଲା- ଏହାକୁ ଅନେକେ “ନିର୍ବାଚନୀ ପ୍ରଲୋଭନ” ବୋଲି କହିଥିଲେ। କିନ୍ତୁ ଏକ ସତ୍ୟ ଅସ୍ୱୀକାର୍ଯ୍ୟ- ଏହି ଯୋଜନା ଯୁବମାନଙ୍କ ସହ ରାଜ୍ୟ ସରକାରଙ୍କ ଏକ ସିଧା ସମ୍ପର୍କ ସୃଷ୍ଟି କରିଥିଲା। ରାଜ୍ୟର ଅନେକ କଲେଜରେ ଛାତ୍ରଛାତ୍ରୀ ଏହାକୁ ନେଇ ଆଶା ଗଢ଼ିଥିଲେ। ସରକାର ବଦଳିବା ସହିତ ଯୋଜନା ବନ୍ଦ ହେବା- ଏହା ଯୁବପିଢ଼ିଙ୍କ ମନରେ ଏକ ପ୍ରଶ୍ନ ଛାଡ଼ିଗଲା: “ସରକାର ବଦଳିଲେ ଯୁବ ନୀତି ମଧ୍ୟ ବଦଳିଯିବ କି?”
‘ମାଇଁ ଭାରତ’: କେନ୍ଦ୍ରୀୟ ଭିଜନର ରାଜ୍ୟରେ ପ୍ରବେଶ
ଏହି ପୃଷ୍ଠଭୂମିରେ ‘ମାଇଁ ଭାରତ’ ପୋର୍ଟାଲର ରାଜ୍ୟବ୍ୟାପୀ କାର୍ଯ୍ୟାନ୍ୱୟନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଏହା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଡିଜିଟାଲ ପ୍ଲାଟଫର୍ମ, ଯାହାର ଲକ୍ଷ୍ୟ- ଭାରତର ଯୁବମାନଙ୍କୁ ସ୍ୱେଚ୍ଛାସେବା, ଦକ୍ଷତା ବିକାଶ, ଜାତୀୟ ଅଭିଯାନ ଓ ଦେଶ ଗଠନ ପ୍ରକ୍ରିୟା ସହ ଯୋଡ଼ିବା। ଓଡ଼ିଶା ସରକାର ଏବେ ରାଜ୍ୟର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୋର୍ଟାଲରେ ପଞ୍ଜିକରଣକୁ ବାଧ୍ୟତାମୂଳକ କରିଛନ୍ତି। ଏହା ଏକ ‘ୱାନଷ୍ଟପ୍ ଡିଜିଟାଲ ଗେଟୱେ’ ଭାବେ କାର୍ଯ୍ୟ କରିବ- ଯେଉଁଠି ଛାତ୍ରଛାତ୍ରୀ ଇଣ୍ଟର୍ଣ୍ଣସିପ୍, ଜାତୀୟ ପ୍ରତିଯୋଗିତା, ସ୍ୱେଚ୍ଛାସେବୀ କାର୍ଯ୍ୟ ଓ ସରକାରୀ କାର୍ଯ୍ୟକ୍ରମ ସହ ସିଧାସଳଖ ଯୋଡ଼ିହେବେ।
ବାଧ୍ୟତାମୂଳକ ପଞ୍ଜିକରଣ: ସୁଯୋଗ କି ଚାପ?
ସରକାରୀ ଭାଷାରେ ଏହା “ସୁଯୋଗ”। କିନ୍ତୁ ଛାତ୍ରଛାତ୍ରୀଙ୍କ ଦୃଷ୍ଟିକୋଣରୁ ଦେଖିଲେ, ବାଧ୍ୟତାମୂଳକ ପଞ୍ଜିକରଣ ଏକ ନୂଆ ପ୍ରଶ୍ନ ଉଠାଏ- ଏହା ସ୍ୱଇଚ୍ଛାର ଅଧିକାରକୁ କେତେ ଦୂର ପ୍ରଭାବିତ କରୁଛି? ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ କଲେଜଗୁଡ଼ିକୁ ଶତପ୍ରତିଶତ ପଞ୍ଜିକରଣ ନିଶ୍ଚିତ କରିବାକୁ ପଡ଼ିବ। ପ୍ରତି ଛାତ୍ରଙ୍କ ‘ମାଇଭାରତ ଆଇଡି’ ନମ୍ବର ସଂରକ୍ଷଣ କରିବା, ଏନଏସଏସ, ରେଡକ୍ରସ୍, ରୋଭର୍ସ ଆଣ୍ଡ ରେଞ୍ଜର୍ସ ମାଧ୍ୟମରେ ଅନୁପାଳନ ରିପୋର୍ଟ ଦେବା- ଏହା ସବୁ ଏକ କଠୋର ପ୍ରଶାସନୀକ ଢାଞ୍ଚାକୁ ସୂଚିତ କରେ । ପ୍ରଶ୍ନ ହେଉଛି; ଯୁବ ସଶକ୍ତିକରଣ କି ବାଧ୍ୟତା ମାଧ୍ୟମରେ ହେବା ଉଚିତ, ନା ସ୍ୱଇଚ୍ଛା ଓ ପ୍ରେରଣା ମାଧ୍ୟମରେ?
ଡିଜିଟାଲ ସାର୍ଟିଫିକେଟ୍ ଓ କ୍ୟାରିୟର: ବାସ୍ତବ ଲାଭ
‘ମାଇଁ ଭାରତ’ ପୋର୍ଟାଲର ଏକ ବଡ଼ ଆକର୍ଷଣ- ଡିଜିଟାଲ ସାର୍ଟିଫିକେଟ୍। ସ୍ୱେଚ୍ଛାସେବୀ କାର୍ଯ୍ୟ ସାମାଜିକ ଅଭିଯାନ, ସ୍ୱଚ୍ଛତା ଡ୍ରାଇଭ୍, ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ-ଏହାରେ ଯୋଗ ଦେଲେ ଛାତ୍ରଛାତ୍ରୀ ସରକାରୀ ସ୍ୱୀକୃତି ସହ ପ୍ରମାଣପତ୍ର ପାଇବେ। କାଗଜରେ ଏହା ଅତ୍ୟନ୍ତ ଆକର୍ଷଣୀୟ। ଏହି ସାର୍ଟିଫିକେଟ୍ ବାୟୋଡାଟାକୁ ଶକ୍ତିଶାଳୀ କରିବ, ଚାକିରି ସୁଯୋଗ ବୃଦ୍ଧି କରିବ- ଏହି ଦାବି ସରକାର କରୁଛି। କିନ୍ତୁ ପ୍ରଶ୍ନ ହେଉଛି- ବେସରକାରୀ କ୍ଷେତ୍ର ଓ ବହୁଜାତୀୟ କମ୍ପାନୀମାନେ ଏହି ସାର୍ଟିଫିକେଟକୁ କେତେ ମୂଲ୍ୟ ଦେବେ? ଏହା କେବଳ ସରକାରୀ ଚାକିରି ପାଇଁ ଏକ ଅତିରିକ୍ତ ପଏଣ୍ଟ ହେବ କି?
ରାଜ୍ୟ–କେନ୍ଦ୍ର ରାଜନୀତି: ଏକ ଗୁପ୍ତ ସମୀକରଣ
‘ନୂଆ ଓଡ଼ିଶା’ ବନ୍ଦ ହୋଇ ‘ମାଇଁ ଭାରତ’ ଆସିବା—ଏହାକୁ କେବଳ ଯୁବ ନୀତିର ପରିବର୍ତ୍ତନ ଭାବେ ଦେଖିଲେ ଅଧୂରା ହେବ। ଏହା ଏକ ରାଜନୈତିକ ସନ୍ଦେଶ। ନୂଆ ସରକାର ସ୍ପଷ୍ଟ କରିଦେଇଛି ଯେ ସେ କେନ୍ଦ୍ର ସହ ସମନ୍ୱୟରେ ଚାଲିବେ। ରାଜ୍ୟ ଯୋଜନାର ସ୍ଥାନରେ କେନ୍ଦ୍ରୀୟ ଯୋଜନା- ଏହା ଏକ ନୀତିଗତ ଚୟନ।ଏହାର ଲାଭ ଅଛି-ରାଷ୍ଟ୍ରୀୟ ସ୍ତରର ସୁଯୋଗ, ବଡ଼ ପ୍ଲାଟଫର୍ମ, ଅଧିକ ସଂଶୋଧନ। କିନ୍ତୁ ଏହାର ବିପଦ ମଧ୍ୟ ଅଛି- ରାଜ୍ୟର ନିଜସ୍ୱ ଆବଶ୍ୟକତା, ସ୍ଥାନୀୟ ପରିପ୍ରେକ୍ଷୀ ଓ ଓଡ଼ିଶାର ସାମାଜିକ–ଆର୍ଥିକ ବିଶେଷତା କି ଏହି କେନ୍ଦ୍ରୀୟ ଫ୍ରେମ୍ୱର୍କରେ ହରାଇବ?
ଛାତ୍ରଛାତ୍ରୀଙ୍କ ମନୋଭାବ: ଆଶା ଓ ଆଶଙ୍କା

ଓଡ଼ିଶାର କଲେଜ କ୍ୟାମ୍ପସଗୁଡ଼ିକରେ ମିଶ୍ରିତ ପ୍ରତିକ୍ରିୟା। କିଛି ଛାତ୍ରଛାତ୍ରୀ ଏହାକୁ ଏକ ବଡ଼ ସୁଯୋଗ ଭାବେ ଦେଖୁଛନ୍ତି- ଜାତୀୟ ସ୍ତରର ଇଣ୍ଟର୍ଣ୍ଣସିପ୍, ସରକାରୀ ସ୍ୱୀକୃତି, ନୂଆ ଅଭିଜ୍ଞତା। ଅନ୍ୟପକ୍ଷରେ, କେହି କହୁଛନ୍ତି-“ଆମ ପାଠପଢ଼ା ଓ ପରୀକ୍ଷାର ଚାପ ପୂର୍ବରୁ ଅଧିକ, ଏହା ଆଉ ଏକ ଦାୟିତ୍ୱ ଯୋଗ କରୁଛି।”
ସମ୍ପାଦକୀୟ ଦୃଷ୍ଟିକୋଣ: ସମତୁଳନ ହେଉଛି ମୂଳ କୁଞ୍ଜି
‘ମାଇଁ ଭାରତ’ ନିଶ୍ଚିତ ଭାବେ ଏକ ଆଧୁନିକ, ଡିଜିଟାଲ ଓ ଦୂରଦର୍ଶୀ ପଦକ୍ଷେପ। ଏହା ଯୁବମାନଙ୍କୁ କେବଳ ପାଠ୍ୟପୁସ୍ତକରେ ସୀମିତ ରଖିବ ନାହିଁ, ବରଂ ସମାଜ ଓ ଦେଶ ସହ ଯୋଡ଼ିବ। କିନ୍ତୁ ଯୁବ ସଶକ୍ତିକରଣର ସଫଳତା ବାଧ୍ୟତାରେ ନୁହେଁ, ଭରସା ଓ ପ୍ରେରଣାରେ ଥାଏ।
ରାଜ୍ୟ ସରକାରଙ୍କୁ ଦରକାର-
• କଲେଜମାନଙ୍କୁ ଅତିରିକ୍ତ ପ୍ରଶାସନୀକ ଚାପ ନ ଦେବା,
• ଛାତ୍ରଛାତ୍ରୀଙ୍କୁ ଏହାର ବାସ୍ତବ ଲାଭ ସ୍ପଷ୍ଟ କରିବା,
• ଓଡ଼ିଶାର ସ୍ଥାନୀୟ ଆବଶ୍ୟକତା ସହ କେନ୍ଦ୍ରୀୟ ଯୋଜନାକୁ ଖାପଖୁଆଇବା।
ଯୁବପିଢ଼ି କାହାର?
‘ନୂଆ ଓଡ଼ିଶା’ ଯୋଜନା ହେଉ କି ‘ମାଇଁ ଭାରତ’- ଦୁଇଟି ଯୋଜନାର ମଧ୍ୟରେ ମୂଳ ଯୁଦ୍ଧ ହେଉଛି ରାଜନୈତିକ ଦାବିଦାରୀର। କିନ୍ତୁ ଯୁବପିଢ଼ି କୌଣସି ଦଳର ନୁହେଁ, ସେ ଦେଶର। ସରକାର ବଦଳିବ, ଯୋଜନା ବଦଳିବ- କିନ୍ତୁ ଯୁବମାନଙ୍କ ଆଶା ଓ ଆକାଂକ୍ଷା ଅବିଚଳିତ। ଯଦି ‘ମାଇଁ ଭାରତ’ ସେହି ଆଶାକୁ ପୂରଣ କରିପାରେ, ତେବେ ଏହା ଓଡ଼ିଶାର ଯୁବ ଇତିହାସରେ ଏକ ସକାରାତ୍ମକ ଅଧ୍ୟାୟ ହେବ। ନାହିଁ ହେଲେ, ଏହା ଆଉ ଏକ ଯୋଜନା ଭାବେ ଫାଇଲର ପୃଷ୍ଠାରେ ସୀମିତ ରହିଯିବ। ଯୁବ ସଶକ୍ତିକରଣ ରାଜନୈତିକ ସ୍ଲୋଗାନ୍ ନୁହେଁ, ଏହା ଏକ ଦୀର୍ଘମ୍ୟାଦୀ ଦାୟିତ୍ୱ। ଓଡ଼ିଶାର ଭବିଷ୍ୟତ ସେହି ଦାୟିତ୍ୱକୁ କେତେ ସତତାର ସହ ନିଆଯାଉଛି, ସେଉଁଠି ନିର୍ଭର କରିଛି।
also read https://purvapaksa.com/agriculture-is-the-true-measure-of-odishas-progress/


