ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ ଏବଂ ସରକାରୀ ତହବିଲ୍ରେ ଥିବା ପ୍ରତିଟି ପଇସା ସାଧାରଣ ଲୋକଙ୍କ ଝାଳବୁହା ଧନ। କିନ୍ତୁ ଓଡ଼ିଶାର ପୂର୍ବତନ ସରକାରଙ୍କ ସମୟରେ ବିଦେଶ ଗସ୍ତ ନାମରେ ଯେଉଁଭଳି ଭାବେ ଅର୍ଥର ଶ୍ରାଦ୍ଧ କରାଯାଇଛି, ତାହା ଏବେ ସୂଚନା ଅଧିକାର ଆଇନ ବଳରେ ପଦାରେ ପଡ଼ିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କର ତତ୍କାଳୀନ ଶକ୍ତିଶାଳୀ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଜାପାନ ଓ ଇଟାଲି ଗସ୍ତର ଖର୍ଚ୍ଚତାଲିକା ଏବେ ଶାସନତନ୍ତ୍ରର ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନବୀନ ପଟ୍ଟନାୟକ ପୋପ୍ଙ୍କୁ ଭେଟି ରାଜ୍ୟର ୨ପ୍ରତିଶତରୁ ଅଧିକ ଥିବା ଖ୍ରୀଷ୍ଟିଆନ ଭୋଟ ହାତେଇବା ପାଇଁ ରାଜ୍ୟ ତହବିଲରୁ ୮୨ ଲକ୍ଷ ଟଙ୍କା ବିଳାସପୂର୍ଣ୍ଣ ଯାତ୍ରା ଓ ରହଣୀ ପାଇଁ ଖର୍ଚ୍ଚ କରିଛନ୍ତି।

ରୋମ୍ର ବିଳାସପୂର୍ଣ୍ଣ ରହଣି ଓ ୮୨ ଲକ୍ଷର ହିସାବ
୨୦୨୨ ଜୁନ୍ ମାସରେ ପୋପ୍ଙ୍କୁ ଭେଟିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଗସ୍ତରେ ଯାଇଥିଲେ। ସରକାରୀ ଭାବେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ କୁହାଯାଉଥିଲେ ହେଁ, ଏହାର ଭିତର କଥା କିଛି ଅଲଗା ବୋଲି ଆରଟିଆଇ ତଥ୍ୟ ଦର୍ଶାଉଛି। ୬ ଦିନର ଏହି ଗସ୍ତ ପାଇଁ ସରକାରୀ କୋଷାଗାରରୁ ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଶ୍ଚର୍ଯ୍ୟର କଥା, ରୋମର ‘ହୋଟେଲ ରୋମ ଜାଭେଲେରୀ’ର ନେପୋଲିୟନ ସୁଇଟ୍ରେ ରହିବା ପାଇଁ କେବଳ ଭଡ଼ା ବାବଦକୁ ୩୬ ଲକ୍ଷ ୩୮ ହଜାର ୪୦୦ ଟଙ୍କା ପ୍ରଦାନ କରାଯାଇଛି। ପ୍ରଶ୍ନ ଉଠୁଛି, ଜଣେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମ୍ପୃକ୍ତ ବିଭାଗ ପାଖରେ କୌଣସି ସ୍ପଷ୍ଟ ଦସ୍ତାବିଜ ନ ରହିବା କିଭଳି ପ୍ରଶାସନିକ ବ୍ୟବସ୍ଥା? ସାଧାରଣ ପ୍ରଶାସନ ବିଭାଗଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ସମସ୍ତେ ଏହି ଗସ୍ତର ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ନୀରବ ରହିବା, ସନ୍ଦେହକୁ ଦ୍ୱିଗୁଣିତ କରୁଛି।
ଜାପାନ ଗସ୍ତ ଓ ସିଙ୍ଗାପୁରର ‘ରହସ୍ୟମୟ’ ରୁଟ୍
୨୦୨୩ ଏପ୍ରିଲରେ ଓଡ଼ିଶାକୁ ପୁଞ୍ଜି ଆଣିବା ନାମରେ ଜାପାନ ଗସ୍ତର ଏକ ବଡ଼ ପ୍ରହେଳିକା ସାମ୍ନାକୁ ଆସିଛି। ଜାପାନ ଯିବା ପାଇଁ ୧୭ ଜଣିଆ ଅଧିକାରୀ ଦଳ ଓଟିଡିସି ଜରିଆରେ ଟିକେଟ୍ କରିଥିବାବେଳେ, ନବୀନ ପଟ୍ଟନାୟକ, ଭି.କେ. ପାଣ୍ଡିଆନ, ରବିକାନ୍ତ ଏବଂ କେୟାରଟେକର ଚନ୍ଦ୍ରଶେଖରଙ୍କ ପାଇଁ ଦିଲ୍ଲୀ ଓ ଲକ୍ଷ୍ନୌର ଦୁଇଟି ଘରୋଇ ଟ୍ରାଭେଲ ଏଜେନ୍ସି ଜରିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ଏହି ଗସ୍ତରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଜାପାନ ଯିବା ସମୟରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ଫ୍ଲାଇଟ୍ରେ ପ୍ରଥମେ ସିଙ୍ଗାପୁର କାହିଁକି ଗଲେ? ପୁଣି ଫେରିବାବେଳେ ବ୍ୟାଙ୍କକ ଦେଇ କାହିଁକି ଆସିଲେ? ଏହି ରହସ୍ୟମୟ ରୁଟ୍ ପାଇଁ ରାଜ୍ୟ ତହବିଲରୁ ୧ କୋଟି ୬୦ ଲକ୍ଷ ଟଙ୍କା କେବଳ ବିମାନ ଭଡ଼ା ବାବଦରେ ଖର୍ଚ୍ଚ ହୋଇଛି। ଯଦି ଗସ୍ତର ଲକ୍ଷ୍ୟ ପୁଞ୍ଜି ନିବେଶ ଥିଲା, ତେବେ ଡେଲିଗେସନ ସହିତ ନ ଯାଇ ଏଭଳି ସ୍ୱତନ୍ତ୍ର ଓ ମହଙ୍ଗା ବ୍ୟବସ୍ଥା କାହା ସ୍ୱାର୍ଥରେ କରାଯାଇଥିଲା?
ଫିକି (FICCI) ର ୯.୬୦ କୋଟି ଓ ଟ୍ରାଭେଲ ଏଜେନ୍ସିର ଭୂମିକା

ଆରଟିଆଇ ତଥ୍ୟ ଅନୁସାରେ, ଜାପାନ ଗସ୍ତର ସମସ୍ତ ପରିଚାଳନା ପାଇଁ ‘ଫିକି’କୁ ୯.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏତେ ବଡ଼ ଅଙ୍କର ଅର୍ଥ ରାଜ୍ୟବାସୀଙ୍କ ଟିକସ ପଇସାରୁ ଦିଆଯାଇଥିଲେ ହେଁ, ଗସ୍ତ ସମ୍ପର୍କିତ ବିଲଗୁଡ଼ିକରେ ଅନେକ ଅସଙ୍ଗତି ଦେଖିବାକୁ ମିଳିଛି। ସରକାରୀ ସଂସ୍ଥା ଓଟିଡିସିକୁ ଏଡ଼ାଇ ଦେଇ ଘରୋଇ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହେବା ପଛର ରହସ୍ୟ କ’ଣ? ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟ ଏହି ଖର୍ଚ୍ଚର ସଠିକ୍ ଉତ୍ତର ନ ରଖିବା ଏକ ବଡ଼ ଦୁର୍ନୀତିର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ସ୍ୱତନ୍ତ୍ର ଅଡ଼ିଟ୍ର ଆବଶ୍ୟକତା
ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନଙ୍କ ଦ୍ୱାରା ଉଠାଯାଇଥିବା ଏହି ଅଭିଯୋଗ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଦେଶୀ କମ୍ପାନୀଙ୍କୁ ଆକୃଷ୍ଟ କରିବା ଆଳରେ ଶାସନର ଶୀର୍ଷରେ ଥିବା ବ୍ୟକ୍ତିମାନେ ଯେଉଁଭଳି ଭାବେ ହୋଟେଲ ଓ ବିମାନ ଯାତ୍ରାରେ ବିଳାସିତା କରିଛନ୍ତି, ତାହାର ଏକ ‘ସ୍ୱତନ୍ତ୍ର ଅଡ଼ିଟ୍’ ହେବା ଜରୁରୀ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଏହି ଘଟଣାରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ଉଚିତ। ଜନତାଙ୍କ ଅର୍ଥକୁ କିଏ ଏବଂ କେଉଁ ଅଧିକାରରେ ଏଭଳି ବ୍ୟକ୍ତିଗତ ମଉଜ ପାଇଁ ଉପଯୋଗ କଲେ, ତାହାର ହିସାବ ଓଡ଼ିଶାବାସୀ ଚାହାନ୍ତି।
ଶାସନରେ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ପୂର୍ବତନ ସରକାରଙ୍କ ଏହି ଅସଲ ଚେହେରା ଏବେ ଜନତାଙ୍କ ସାମ୍ନାରେ। ବିଦେଶ ଗସ୍ତ ନାମରେ ହୋଇଥିବା ଏହି ବ୍ୟୟବହୁଳ ‘ପ୍ରମୋଦ ଭ୍ରମଣ’ କେବଳ ଏକ ଆର୍ଥିକ ଅସଙ୍ଗତି ନୁହେଁ, ବରଂ ଓଡ଼ିଶାର ଗରିବ ଜନସାଧାରଣଙ୍କ ସହ ଏକ ପ୍ରକାର ବିଶ୍ୱାସଘାତକତା। ଏହି ଘଟଣାର ନିରପେକ୍ଷ ତଦନ୍ତ ହିଁ ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିପାରିବ।
also read https://purvapaksa.com/what-will-lenin-answer-badri/
What will Lenin answer Badri? ।। ବଦ୍ରୀଙ୍କୁ କି ଉତ୍ତର ଦେବେ ଲେନିନ?


