
ଭାସ୍କର ପରିଚ୍ଛା
ହରେକୃଷ୍ଣ ମହତାବ ୧୩ ମେ ୧୯୫୦ରେ ଶିଳ୍ପ ଏବଂ ବାଣିଜ୍ୟ ମନ୍ତ୍ରୀ ଭାବରେ ନେହେରୁଙ୍କ କ୍ୟାବିନେଟରେ ଯୋଗଦେବାକୁ ଓଡ଼ିଶା ଛାଡ଼ି ଦିଲ୍ଲୀ ଚାଲିଗଲେ। ତାଙ୍କ ପରେ ଅଗ୍ନୀବର୍ଷୀ ସମାଜବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ ମାତ୍ର ୪୯ ବର୍ଷ ବୟସରେ ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହେଲେ। ନବକୃଷ୍ଣ ଚୌଧୁରୀ ‘ନବବାବୁ “ନାମରେ ଜଣାଶୁଣା ଥିଲେ।

ସେ ସମଗ୍ର ଓଡ଼ିଶାର ଗ୍ରାମୀଣ ଲୋକଙ୍କ ମଧ୍ୟରେ ଜଣେ ପ୍ରଶଂସିତ ବ୍ୟକ୍ତିତ୍ୱ ଥିଲେ ଏବଂ ଅତ୍ୟନ୍ତ ଖୋଲା ମନର ମଣିଷ ଥିଲେ। ତାଙ୍କର ଏକ ଦୃଢ଼ ପ୍ରବୃତ୍ତି ଥିଲା। ସମାଜବାଦୀ ଚିନ୍ତାଧାରାରେ ପ୍ରଭାବିତ ହେବା ସହ ୧୯୩୬ ମସିହାରୁ ଓଡ଼ିଶାରେ ସମାଜବାଦୀ ଶକ୍ତିର ନେତା ହୋଇ ସେ ବାହାରିଲେ। ସେ ଥିଲେ ଗୋପବନ୍ଧୁ ଚୌଧୁରୀଙ୍କ ସାନ ଭାଇ ଏବଂ ରମାଦେବୀଙ୍କ ଦିଅର। ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଜଣେ ଜଣେ ବିଶିଷ୍ଟ ଗାନ୍ଧୀବାଦୀ ଓ ସ୍ୱାଧୀନତା ସଂଗ୍ରାମୀକେବଳ ନଥିଲେ ଜାତୀୟ ଖ୍ୟାତି ସମ୍ପନ୍ନ ଗଠନମୂଳକ କର୍ମୀ ଭାବରେ ପରିଚିତ ଥିଲେ। ଅନ୍ୟ ଜଣେ ଜ୍ୱଳନ୍ତ ସମାଜବାଦୀ ତଥା କୃଷକ ଆନ୍ଦୋଳନର ସଂଗଠକ ମାଳତୀ ଚୌଧୁରୀ ନବକୃଷ୍ଣଙ୍କ ଧର୍ମପତ୍ନୀ ।
ବିଭିନ୍ନ ରାଜନୈତିକ ସଙ୍ଗଠନର ଶୀର୍ଷ ଜାତୀୟ ନେତା ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କ ସହିତ ସେମାନଙ୍କର ବିଶେଷ ସମ୍ପର୍କ ଥିଲା। ପରିବାରର ଏ ସମସ୍ତେ ସେମାନଙ୍କର ବ୍ୟକ୍ତିଗତ ବଳିଦାନ ଏବଂ ଆଦର୍ଶ ଜୀବନ ପାଇଁ ପରିଚିତ ଥିଲେ ଓ ସମ୍ମାନିତ ବି ହେଉଥିଲେ। ସେମାନଙ୍କ ସନ୍ତାନମାନେ ମଧ୍ୟ ସ୍ଵାଧିନତା ଆନ୍ଦୋଳନର ଅଂଶବିଶେଷ ଥିଲେ । ସ୍ୱାଧୀନତା ପରେ ସେମାନେ ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ନିଜସ୍ୱ ପ୍ରଭାବ ବିସ୍ତାର କରି ପାରିଥିଲେ। ସମାଜର ସବୁ ବର୍ଗର ହଜାର ହଜାର ପ୍ରତିବଦ୍ଧ ବ୍ୟକ୍ତି ସେମାନଙ୍କର ଘନିଷ୍ଠ ସହଯୋଗୀ ଥିଲେ ଯେଉଁମାନେ ଜନସାଧାରଣଙ୍କ ଉନ୍ନତି ପାଇଁ ନିଜ ଜୀବନକୁ ବଳିଦାନ ଦେବାକୁ ଆଗେଇ ଆସିଥିଲେ।
ତେଣୁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନବକୃଷ୍ଣ ଉଭୟ ଜାତୀୟ ଏବଂ ଆଞ୍ଚଳିକ ରାଜନୀତିରେ ଜଣେ ସୁସମ୍ପର୍କିତ ବ୍ୟକ୍ତି ଥିଲେ। ଜାତୀୟ ଆନ୍ଦୋଳନ ସମୟରେ ତାଙ୍କର ଅଭୂତପୂର୍ବ ସାହସିକ କାର୍ଯ୍ୟକଳାପ ପାଇଁ ନବବାବୁ ଜଣାଶୁଣା ଥିଲେ। ବିଶେଷ କରି ପଶ୍ଚିମ ଓଡ଼ିଶାର ଦେଶୀୟ ରାଜ୍ୟ ତଥା ଉପକୂଳବର୍ତ୍ତୀ ଅଞ୍ଚଳର କୃଷକମାନଙ୍କୁ ଏକତ୍ରିତ କରିବାରେ ତାଙ୍କର ଅନନ୍ୟ ସାଂଗଠନିକ ଦକ୍ଷତା ଥିଲା। ଏହି ସାହସ ପାଇଁ ସେ ଜଣେ ଲୋକ ନାୟକ ହୋଇ ପାରିଥିଲେ।
ସ୍ଵାଧୀନତା ଆନ୍ଦୋଳନ ସମୟରେ, ନବବାବୁ କେବଳ ସମାଜବାଦୀ କର୍ମୀଙ୍କ ଆଦର୍ଶ ନଥିଲେ, ବରଂ ଯୁବ ଦେଶପ୍ରେମୀ ଏବଂ କଂଗ୍ରେସ ସଂଗଠନରେ ନୂତନ ପ୍ରବେଶକାରୀଙ୍କ ମଧ୍ୟ ଆଦର୍ଶ ଥିଲେ। ମୁଖ୍ୟମନ୍ତ୍ରୀ ହେବା ବେଳକୁ ନବବାବୁ ଅତ୍ୟନ୍ତ ଲୋକପ୍ରିୟ ହୋଇ ସାରିଥିଲେ। ହଜାର ହଜାର ଯୁବକ ତାଙ୍କୁ ପ୍ରଶଂସା କରିବା ସହ ତାଙ୍କ ଠାରେ ଏକ ଆଶାର ଆଲୋକ ଦେଖୁଥିଲେ। ୧୯୪୬ ନିର୍ବାଚନ ସମୟରେ, ନବକୃଷ୍ଣ ଚୌଧୁରୀ ଭାରତୀୟ ଜାତୀୟ କଂଗ୍ରେସରେ ରହିଥିଲେ ଏବଂ ପୂର୍ବ-କଟକ ସଦର (ସାଧାରଣ) ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଏରସମା-ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଜଣେ ବ୍ରିଟିଶ ସମର୍ଥକ ତଥା ଅତ୍ୟନ୍ତ ପ୍ରଭାବଶାଳୀ ଓକିଲ ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ନବବାବୁ ଥିଲେ ଓଡ଼ିଶାର ପ୍ରଥମ ରାଜସ୍ୱ ମନ୍ତ୍ରୀ। ରାଜସ୍ୱ ବିଭାଗ ମିଳିବା ପଛରେ କାରଣ ଥିଲା ଭାରତର ଏବଂ ଓଡ଼ିଶାର ଜମି ରାଜସ୍ୱ ବ୍ୟବସ୍ଥା ବିଷୟରେ ତାଙ୍କର ଗଭୀର ଜ୍ଞାନ ଥିଲା। ଏକଥା ମଧ୍ୟ କୁହାଯାଏ ଯେ ୧୯୩୭ ମସିହାରେ ଓଡ଼ିଶାରେ ପ୍ରବର୍ତ୍ତିତ ହୋଇଥିବା ଜମି ରାଜସ୍ୱ ସଂସ୍କାର ନବବାବୁଙ୍କ ମସ୍ତିଷ୍କପ୍ରସୂତ ଥିଲା। ମାଳତି ଚୌଧୁରୀ ଏବଂ ସମାଜବାଦୀ ଯଥା ସାରଙ୍ଗଧର ଦାସ ପ୍ରଭୃତିଙ୍କ କ୍ରମାଗତ ଚାପ ଯୋଗୁଁ ନବବାବୁ ଜମିଦାରୀ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ନେତୃତ୍ଵରେ ଗଠିତ କଂଗ୍ରେସ ସରକାର ନୂତନ ଜମି ସଂସ୍କାର ଆଇନ ପ୍ରଣୟନ କରିଥିଲା।

ପୂର୍ବରୁ ନବବାବୁ ମହତାବଙ୍କ ସରକାର ବେଳେ ବିଧାନସଭା ଆସନରୁ ଇସ୍ତଫା ଦେଇଥିଲେ ଯେତେବେଳେ ତାଙ୍କର ଏକମାତ୍ର ପୁତ୍ର ବିନାୟକ ୧୯୪୮ ରେ ବହୁତ କମ୍ ବୟସରେ ଆତ୍ମହତ୍ୟା କରିଥିଲେ। ତେବେ ମହତାବ ବିଶ୍ୱାସ କରୁଥିଲେ ଯେ କ୍ଷମତା ରାଜନୀତିରେ ଅସ୍ଥିର ହୋଇ ପଡ଼ିବାରୁ ନବବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। କିନ୍ତୁ ନୀଲାମଣି ରାଉତରାୟଙ୍କ କହିବା କଥା ଯେ ନବବାବୁ ଏବଂ ତାଙ୍କ ସମର୍ଥକମାନେ ମହତାବଙ୍କ ମନୋଭାବରେ ସନ୍ତୁଷ୍ଟ ନଥିଲେ ଯେଉଥି ପାଇଁ ସେ ତାଙ୍କ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ। ସମ୍ଭବତଃ ନୀଳମଣୀ ରାଉତରାୟଙ୍କ ମତ ହିଁ ଠିକ୍। ୧୯୫୦ ରେ ମହତାବ ଓଡ଼ିଶା ଛାଡ଼ିବା ପରେ ନବାବାବୁ ପୁଣିଥରେ କ୍ଷମତାକୁ ଫେରିଥିଲେ। ମହତାବଙ୍କ ଇସ୍ତଫା ଯୋଗୁଁ ଖାଲି ପଡିଥିବା ବାଲେଶ୍ୱର ଜିଲ୍ଲାର ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ନବକୃଷ୍ଣ ଉପ-ନିର୍ବାଚନରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମହତାବଙ୍କ ଦ୍ୱାରା ଗଠିତ ମନ୍ତ୍ରୀମଣ୍ଡଳକୁ ନବବାବୁ ଜାରି ରଖିଥିଲେ।
ଅନୁଗୁଳରେ ଥିବା ତାଙ୍କ ପତ୍ନୀଙ୍କ ଆଶ୍ରମରୁ କ୍ଷମତା ରାଜନୀତିକୁ ଫେରିବା ପାଇଁ କିଏ ପ୍ରକୃତରେ ନବବାବୁଙ୍କୁ ପ୍ରଭାବିତ କରିଥିଲା ସେନେଇ ଭିନ୍ନ ଭିନ୍ନ ମତ ରହିଛି।କେତେକ ବିଶ୍ୱାସ କରନ୍ତି ଯେ ନବବାବୁଙ୍କୁ ସ୍ୱେଚ୍ଛାକୃତ ଅବସରରୁ କ୍ଷମତାକୁ ଫେରାଇ ଆଣିବା ପାଇଁ ମହତାବଙ୍କ ପଟ୍ଟଶିଷ୍ୟ ବିଜୁ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ବୀରେନ ମିତ୍ର ମହତାବଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।ମହତାବ- ବିଜୁ – ବୀରେନ ଧରି ନେଇଥିଲେ ଯେ ପୁଣି ଥରେ ଯେତେବେଳେ ଦରକାର ପଡ଼ିବ ନବକୃଷ୍ଣ ସହଜରେ ଇସ୍ତଫା ଦେଇଦେଇ ପାରିବେ ଏବଂ ମହତାବଙ୍କୁ କ୍ଷମତାକୁ ଫେରିବା ପାଇଁ ରାସ୍ତା ସଫା ହୋଇ ଯାଇପାରିବ।
କିନ୍ତୁ ଦୃଢ଼ମନା ନବବାବୁ ବିଜୁ ପଟ୍ଟନାୟକଙ୍କ କଥାରେ ଢଳିଯିବା ଭଳି ନେତା ନଥିଲେ । ବିଜୁଙ୍କ ଦ୍ୱାରା ଯେ ସେ ପ୍ରଭାବିତ ହୋଇଯାଇପାରିବେ ଏହା ବିଶ୍ୱାସଯୋଗ୍ୟ ନଥିଲା କାରଣ ବିଜୁଙ୍କ ସହିତ ତାଙ୍କର ଏତେ ସୌହାର୍ଦ୍ଦ୍ୟପୂର୍ଣ୍ଣ କିମ୍ବା ନିର୍ଭରଯୋଗ୍ୟ ସମ୍ପର୍କ ନଥିଲା। ଆଦର୍ଶଗତ ଦୃଷ୍ଟିରୁ ମଧ୍ୟ ସମାଜବାଦୀ ନବବାବୁ ବିଜୁଙ୍କ ଭଳି ଜଣେ ପୁଞ୍ଜିପତି ବିଜୁଙ୍କ ଠାରୁ ଗୁଣ ଚରିତ୍ରରେ ସମ୍ପୂର୍ଣ୍ଣ ଭିନ୍ନ ଥିଲେ।
ସେତେବେଳେ ସମସ୍ତେ ଏକଥା ଜାଣିଥିଲେ ଯେ ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀ, ଭାଉଜ ରମା ଦେବୀ ଓ ପତ୍ନୀ ମାଳତୀ ଚୌଧୁରୀ ନବବାବୁ କ୍ଷମତା ରାଜନୀତିରେ ଯୋଗଦେବା ଘଟଣାକୁ ଦୃଢ ବିରୋଧ କରୁଥିଲେ। ନବବାବୁଙ୍କ ଏକମାତ୍ର ପୁତୁରା ମନମୋହନ ଚୌଧୁରୀଙ୍କ ଏହି ଆତ୍ମଜୀବନୀରୁ ଆମେ ଏ ବିଷୟରେ ନିଶ୍ଚିତ ହୋଇ ଯାଇପାରିବା : “ଦାଦା ତଇଁଶି ଗଠନମୂଳକ ଶିବିରରେ ଯୋଗ ଦେଇଥିଲେ। ସେ ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ, କିନ୍ତୁ ଆମ ଭିତରୁ କେହି ତାଙ୍କ ସହ କଥା ହେଉ ନ ଥିଲୁ। ସେ ଏକ ଭାରାକ୍ରାନ୍ତ ହୃଦୟ ସହିତ କ୍ଷମତାକୁ ଫେରିଥିଲେ।“ ( କସ୍ତୁରୀ ମୃଗସମ / ମନମୋହନ ଚୌଧୁରୀ/କବୀର / କଟକ/୨୦୦୨)
କୁହାଯାଏ ।
ଯେ ନବବାବୁଙ୍କ ପତ୍ନୀ ମାଳତୀ ଚୌଧୁରୀ ଏହି ପ୍ରସଙ୍ଗରେ ଏକ ଅତି କଟୁ ମନ୍ତବ୍ୟ ଦେଇଥିଲେ,” ଯଦି ନବବାବୁ କ୍ଷମତାକୁ ଫେରୁଛନ୍ତି, ତେବେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଯଦି ସେ ପୁନର୍ବାର ବିବାହ କରନ୍ତି, ସେଥିରେ ବି ମୋର କୌଣସି ଆପତ୍ତି ନାହିଁ।“( ପଦ୍ମଚରଣ ନାୟକ/ଅନିର୍ବାଣ/ ବିଦ୍ୟା ପ୍ରକାଶନ/ କଟକ/୨୦୧୧)
ସମ୍ଭବତଃ ଜବାହରଲାଲ ନେହେରୁ ହିଁ ନବାବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ପ୍ରବର୍ତ୍ତାଇଥିଲେ । ନେହେରୁ ନବବାବୁଙ୍କୁ ଏହି ଆଶ୍ୱାସନା ଦେଇଥିଲେ ଯେ ଆବଶ୍ୟକ ସମୟରେ ସେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବେ। ନବବାବୁଙ୍କୁ ନେହେରୁଙ୍କ ପାଖକୁ ଆଣିବା ପାଇଁ ବନମାଳୀ ପଟ୍ଟନାୟକଙ୍କୁ କାମରେ ଲଗା ଯାଇଥିଲା। ବହୁତ ପ୍ରବର୍ତ୍ତାଇବା ପରେ , ନବବାବୁ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିଲେ। ନବକୃଷ୍ଣଙ୍କ ପ୍ରଥମ ଜୀବନୀକାର ଚିତ୍ତରଞ୍ଜନ ଦାସଙ୍କ କହିବା ଅନୁଯାୟୀ, ନେହେରୁ ହିଁ ନବବାବୁଙ୍କୁ କ୍ଷମତା ରାଜନୀତିରେ ଯୋଗଦେବାକୁ ସଫଳତାର ସହ ପ୍ରବର୍ତ୍ତାଇ ପାରିଥିଲେ।
also read https://purvapaksa.com/congress-is-losing-self-confidence-bjp-and-bjp-fight/


