ଆଉମାତ୍ର ତିନି ସପ୍ତାହର ଅପେକ୍ଷା। ତିନି ସପ୍ତାହ ପରେ ନୂଆପଡ଼ାକୁ ନୂଆ ବିଧାୟକ ଦେବା ପାଇଁ ଭୋଟ୍ ପଡ଼ିବ। ଦଳ, ବଳ ଓ କଳ ସବୁ ଏକାଠି ହୋଇ ସାରିଲେଣି। ଆଉ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଗଲାଣି ଭୋଟ୍ରଙ୍କୁ ପ୍ରଭାବିତ କରିବା ପ୍ରକ୍ରିୟା। ଏ ଭିତରେ କିନ୍ତୁ ବିଜେଡିର ପ୍ରାର୍ଥୀଙ୍କୁ ହାଇଜାକ୍ କରି ବିଜେପି ଖସୁଥିବା ଭଳି ଜଣାପଡ଼ୁଛି, ପୂର୍ବ ନିର୍ବାଚନରେ ଭୋଟ୍ ବିଭାଜନକାରୀ ଥିବା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ହଜମ କରିପାରୁନାହିଁ। ଆଉ ବିଜେଡି କଥା କହିଲେ ନ ସରେ। ଯାହା ଉପରେ ଭରସା କରୁଛି ସେ ଡାଳ ଭାଙ୍ଗି ଯାଉଥିବାରୁ ଏବେ ପୁରୁଣା ପ୍ରକ୍ରିୟାରେ ‘ବେନାମୀ ପେଡ୍ କ୍ୟାମ୍ପେନିଂ’କୁ ଦଳ ପୃଷ୍ଠପୋଷକ ଦେଉଥିବା ଆଲୋଚନା ହେଉଛି।
ତିନି ପ୍ରମୁଖ ଦଳର ସଭାପତିଙ୍କ ଲାଗି ଏକ ସମ୍ମାନର ପ୍ରଶ୍ନ ନୂଆପଡ଼ା

ଓଡ଼ିଶାରେ ଏବେ ଦେଖା ଦେଇଥିବା ନିର୍ବାଚନ ପରିବେଶ ଆକସ୍ମିକ। ସେପ୍ଟେମ୍ବର ୮ ତାରିଖରେ ବିଧାୟକ ଅବସ୍ଥାରେ ବିଜେଡିର ବରିଷ୍ଠ ନେତା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଥିଲା। ଆଉ ଏ ଖାଲି ପଡ଼ିଥିବା ଆସନରୁ ନିଜ ଦଳକୁ ଜିତାଇବା ଲାଗି ତିନି ପ୍ରମୁଖ ଦଳର ସଭାପତିମାନେ ଅଣ୍ଟା ଭିଡ଼ିଲେ। ସେଥିଲାଗି ଚର୍ଚ୍ଚିତ ହେଲା ନୂଆପଡ଼ା ବିଧାନସଭା ଆସନ। ସଂକ୍ଷେପରେ କହିବାକୁ ଗଲେ ଏହି ନିର୍ବାଚନ ବିଧାୟକ ପ୍ରାର୍ଥୀଙ୍କ ଲଢ଼େଇ ନୁହେଁ, ଏହା ବିଜେପି, ବିଜେଡି ଓ କଂଗ୍ରେସର ସଭାପତିଙ୍କ ଲାଗି ଏକ ସମ୍ମାନର ପ୍ରଶ୍ନ। ମୋହନ ମାଝୀ ସରକାରଙ୍କ ଲାଗି ପ୍ରଭାବ ଓ ଲୋକପ୍ରିୟତାର ପ୍ରଶ୍ନ। ସେଥିଲାଗି ବିଜେପି ବିଜେଡିର ପ୍ରାର୍ଥୀଙ୍କୁ ହାଇଜାକ କରିଥିବା ଅଭିଯୋଗ ହୋଇଛି। ତଥାପି ଏ ନିର୍ବାଚନ ଯେ ଏକ ପାକ୍ଷିଆ ହୋଇଛି ତାହା ନୁହେଁ।
କଂଗ୍ରେସ ନିଜ ସ୍ଥିତି ହରାଉଛି

କିଛିଦିନ ପୂର୍ବରୁ ନୂଆପଡ଼ାକୁ ବିଜେପି-କଂଗ୍ରେସ ଲଢ଼େଇ ବୋଲି କିଛି ରାଜନୀତିକ ସମୀକ୍ଷକ ବିଚାର କରୁଥିଲେ। ଏଥିରେ ବିଜେଡି ପ୍ରବେଶ କରିପାରୁନଥିଲା। ଏବେ କିନ୍ତୁ ସେ ଅବସ୍ଥା ନାହିଁ। କଂଗ୍ରେସ ବି ନିଜ ସ୍ଥିତି ହରାଇଛି। ଯେଉଁ ସ୍ୱାଧୀନ ପ୍ରାର୍ଥୀ ୨୦୨୪ ନିର୍ବାଚନରେ ମାତ୍ର ୯ ହଜାରରୁ କମ୍ ଭୋଟରେ ପରାସ୍ତ ହୋଇଥିଲେ, ସେ ପ୍ରାର୍ଥୀଙ୍କୁ ଆପଣାଇ କଂଗ୍ରେସ ନିଜ ଦଳର କର୍ମୀଙ୍କୁ ଭୁଲି ଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ନୂଆପଡ଼ା ପ୍ରାର୍ଥୀଙ୍କ ଯୋଗୁ ଏବେ ରାଜ୍ୟ କଂଗ୍ରେସ ସଂଗଠନ ରାଜ୍ୟ ସଭାପତିଙ୍କ ବିରୋଧୀ ହୋଇଥିବା ବି କୁହାଯାଉଛି। କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ାକୁ ନେଇ ଅଧିକ ଆତ୍ମ ବିଶ୍ୱାସୀ ହୋଇପଡ଼ିଛନ୍ତି। ଏଣୁ ଦଳର ପ୍ରଚାର ପ୍ରସାରରେ ଏକମାତ୍ର ବିଧାୟିକା ସୋଫିଆଙ୍କୁ ଭର୍ତ୍ତି କରିନାହାନ୍ତି। କେବଳ ସେ ଏକା ନୁହନ୍ତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ମଧ୍ୟ ନୂଆପଡ଼ାର ପ୍ରଚାର ଟିମ୍ଠାରୁ ଦୂରରେ ରଖାଯାଇଛି। ଏହା ପଛରେ ଏକ ବଳିଷ୍ଠ କାରଣ ରହିଛି। ଭକ୍ତଙ୍କୁ ପିସିସି ସଭାପତି ପଦବୀରୁ ଦୂରେଇବା ଲାଗି ସୋଫିଆଙ୍କ ବାପା ମହମ୍ମଦ ମୋକିମ୍ ଓ ରମେଶ ଜେନାଙ୍କ ଟିମ ଉଦ୍ୟମ କରୁଥିବା କୁହାଯାଉଛି। ଯାହାର ଶକ୍ତ ପ୍ରମାଣ ପାଇବା ପରେ ଭକ୍ତ ଏମାନଙ୍କୁ ଏକଘରକିଆ କରିଥିବା କୁହାଯାଉଛି। ହେଲେ କ୍ଷମତାରେ ନ ଥିବା ଏକ ଦଳ ଏପରି ଆଚରଣ ଦ୍ୱାରା କିପରି ଲାଭବାନ ହେବ? ପୁଣି ୨୦୨୪ ନିର୍ବାଚନରେ ସେଠାରେ ପ୍ରାର୍ଥୀ ହୋଇଥିବା ପୂର୍ବତନ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ମଧ୍ୟ ଦଳ ଦୂରରେ ରଖିଛି। ଅର୍ଥାତ୍ ନୂଆ ପୁରୁଣା ସଂଗଠନକୁ ଦଳ ବିଶ୍ୱାସରେ ନେଇପାରୁନାହିଁ। କେବଳ ପ୍ରାର୍ଥୀ ଘାସିରାମଙ୍କ କାନ୍ଧରେ ନୂଆପଡ଼ାକୁ ପାରି କରିବାକୁ ଚାହୁଁଛନ୍ତି କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ।
ସରକାରୀ କଳର ବିଜେଡିକୁ ସମର୍ଥନ
ସେହିପରି ବିଜେଡି ସଭାପତିଙ୍କ ଆଗରେ ପ୍ରଶ୍ନ ହେଉଛି ତାଙ୍କ ଦଳର ବିଧାୟକଙ୍କ ପୁତ୍ର ଅନ୍ୟ ପାର୍ଟିରେ ଯୋଗ ଦେବା। ଏହା ପ୍ରମାଣିତ କରୁଛି ଯେ, ବିଜେଡିରେ ସବୁକିଛି ଠିକ୍ ଚାଲି ନାହିଁ। ସଭାପତିଙ୍କ ଆଖି ଆଗରୁ ପ୍ରାର୍ଥୀ ଚୋରି ହୋଇଯିବା ଏକ ନିଶ୍ଚିତ ବିଜୟକୁ ଅନ୍ୟ ହାତରେ ଟେକିଦେଲା ଭଳି ବୋଲି କିଛି ସମୀକ୍ଷକ ଚର୍ଚ୍ଚା କରିଛନ୍ତି। କେହି କେହି ଏହାକୁ ପାଣ୍ଡିଆନ୍ଙ୍କ ସାଲିସ ବୋଲି କହିଛନ୍ତି। ଏପରିକି ପାଣ୍ଡିଆନ୍ ବିଜେପି ସହ କେନ୍ଦ୍ରରେ ଡିଲ କରି ଏପରି ପରିସ୍ଥିତି ସୃଷ୍ଟି କରିଥିବା କଥା ବି ଚର୍ଚ୍ଚା ହେଉଛି। ହେଲେ ବିଜେଡି ନିଜର ନୂଆପଡ଼ା ସଂଗଠନକୁ ଏ ଭିତରେ ଅଧିକ ସକ୍ରିୟ କରିଛି। ପୁରୁଖା ନେତାମାନଙ୍କ ଦ୍ୱାରା ଭୋଟ୍ ପରିଚାଳନା ଆରମ୍ଭ ହୋଇଛି। ଏପରିକି ଅଧିକାରୀମାନଙ୍କୁ ନିରପେକ୍ଷ ଆଳରେ ବିଜେଡି ଆପ୍ୟାୟିତ କରୁଥିବା ସୂଚନା ମିଳୁଛି। ଏଣୁ ସରକାରୀ ଦଳକୁ ଚେକ୍ ଦେଇ ସରକାରୀ କଳ ବିପକ୍ଷ ବିଜେଡିକୁ ଅଧିକ ଶୁଣୁଥିବା ନେଇ ଚର୍ଚ୍ଚା ହେଲାଣି। ଯଦି ଏହା ସତ ହୁଏ ତେବେ ଶେଷ ମୁହୂର୍ତ୍ତରେ କିଛି ଘଟିପାରେ। ଅର୍ଥାତ୍ ହରଡ଼ ଘଣାରେ ପଡ଼ିଛନ୍ତି ବିଜେପି ଦଳର ସଭାପତି ଓ ମୁଖ୍ୟମନ୍ତ୍ରୀ।
ବିଜେଡି ଆସନ ଛଡ଼ାଇ ନେବାକୁ ବିଜେପି ଆଶାବାଦୀ

ଏହା ପୂର୍ବରୁ ରାଜ୍ୟରେ କେବେ ବିଧାନସଭା ଉପ ନିର୍ବାଚନ ହୋଇନାହିଁ ତାହା ନୁହେଁ କି ବିଜେପି କେବେ ଏପରି ନିର୍ବାଚନକୁ ମୁକାବିଲା କରିନାହିଁ ତାହା ବି ନୁହେଁ। ହେଲେ ଗଲା ୨୪ ବର୍ଷ ଭିତରେ ଯେତେକ ଉପ ନିର୍ବାଚନ ହୋଇଛି ତାହାକୁ କିପରି ଶାସକ ଦଳ ହାଇଜାକ୍ କରି ନେଇଛି ତାହାକୁ ବିଜେପି ଦେଖିଛି। ପୂର୍ବ ସରକାରର ଶାସନର ୨୪ ବର୍ଷ ଭିତରେ ୮ଟି ଉପ ନିର୍ବାଚନ ଭାରି ଚର୍ଚ୍ଚିତ ଥିଲା। ସେ ସମୟରେ ୭ଟି ଆସନରେ ଶାସକ ବିଜେଡି ହିଁ ଜିତିଥିଲା। ପ୍ରତିଟି ସମୟରେ କିନ୍ତୁ ଅନୁକମ୍ପାମୂଳକ ଭୋଟ୍କୁ ଆୟୁଧ କରିଥିଲା ବିଜେଡି। କେତେବେଳେ ମୃତ ବିଧାୟକଙ୍କ ପତ୍ନୀ, ଆଉ କେତେବଳେ ପୁଅ ନ ହେଲେ ଝିଅଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଅବଶ୍ୟ ପରବର୍ତ୍ତୀ ସମୟରେ ଏହି ଉତ୍ତରାଧିକାରୀଙ୍କ ଭିତରୁ ଅନେକଙ୍କୁ ଦଳ ନିର୍ବାଚନ ରଣାଙ୍ଗନରୁ ବାହାରକୁ ଫୋପାଡ଼ି ଦେଇଥିବାର ନଜୀର ରହିଛି। ହେଲେ ସେତେବେଳେ ଏହି ଅନୁକମ୍ପାମୂଳକ ଭୋଟ୍ ହିଁ ବିଜୟର ପ୍ରମୁଖ ମାପଦଣ୍ଡ ଥିଲା। ଆଉ ଏଥର ବି ବିଜେଡିର ସେ ଫର୍ମୁଲାକୁ ବିଜେପି ଗ୍ରହଣ କରିଛି। ଏବେ ବିଜେପି ସରକାରରେ ରହିଛି। ଆଉ ବିଜେଡି ଫର୍ମୁଲା ସହ ପ୍ରାର୍ଥୀଙ୍କୁ ବି ଚୋରି କରି ନେଇଥିବା କୁହାଯାଉଛି। ଏହି ନୀତିରେ ବିଜେପି ଭାବୁଛି ବିଜୟ ଏକପାକ୍ଷିଆ ହୋଇଯିବ।
କିନ୍ତୁ ଢୋଲକିଆଙ୍କ ପୁଅ କେବେ ବିଜେଡିର ସଦସ୍ୟ ନ ଥିଲେ। ତାଙ୍କ ପାଖରେ କିନ୍ତୁ ଢୋଲକିଆଙ୍କ ସମର୍ଥନ ରହିଥିବା କୁହାଯାଉଛି। ଏଣୁ କ୍ଷମତା ଓ ଅନୁକମ୍ପା ବିଜେଡିଠାରୁ ଏଇ ଆସନଟିକୁ ଛଡ଼ାଇ ନେବାରେ ସହାୟକ ହେବ ବୋଲି ବିଜେପି ଆଶାବାଦୀ ରହିଛି।
ସେହିପରି ପ୍ରାର୍ଥୀଙ୍କ ଦଳୀୟ ହାତମୁଠାକୁ ଟାଣ କରିବା ପାଇଁ ବିଜେଡିର ଅସନ୍ତୁଷ୍ଟ ନେତା ଲମ୍ବୋଦର ନିଆଲଙ୍କୁ ବିଜେପି ନିଜ ପକ୍ଷଭୁକ୍ତ କରିଛି। ଏହା ବଦଳରେ ସେଠାରେ ଥିବା ଯାଦବ ଭୋଟ୍କୁ ଭାଙ୍ଗିବା ଲାଗି ଚାହିଁଛି ଦଳ।
ରାଜେନ୍ଦ୍ରଙ୍କ ଭଳି ଜୟ ଲୋକପ୍ରିୟ ନୁହନ୍ତି

କିନ୍ତୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କର ବାପାଙ୍କ ଭଳି ଲୋକପ୍ରିୟତା ରହୁ ନାହିଁ। ପ୍ରଚାର ସମୟରେ ସେ ଲୋକଙ୍କ ପାଖରେ ବ୍ୟାପକଭାବେ ଗ୍ରହଣୀୟ ହୋଇପାରୁ ନାହାନ୍ତି। ଜୟ ତାଙ୍କର ଅସଲି ପୁଅ ନୁହଁ ବୋଲି ବିଜେଡି ଯେଉଁ ପ୍ରପାଗଣ୍ଡା ଚଳାଉଛି ତାହା ଅଣ୍ଡର କରେଣ୍ଟ ଭଳି ଲୋକଙ୍କ ପାଖରେ ପହଞ୍ଚୁଛି। ଆଉ ତାହାକୁ ଜୟ ମୁକାବିଲା କରିପାରୁ ନାହାନ୍ତି। ଖାଲି ବାପାଙ୍କ ଫଟୋ ଧରି ବୁଲିଲେ ତାହା ଅନୁକମ୍ପା ସହାୟତା ଦେବ ଏବଂ ଏହି ସହାୟତା ବିଜୟୀ କରାଇବ ବୋଲି ଆଶା କରାଯାଇନପାରେ।
ସରକାରୀ କଳକୁ ମୋହନ ମାଝୀଙ୍କ ସରକାର ଆୟତ୍ତ କରିବାରେ ବିଫଳ
ଏସବୁ ରାଜନୀତିକି ବଳ ଭିତରେ ବିଜେପି ହାତରେ ସ୍ଥାନୀୟ ପ୍ରଶାସନ ରହିପାରିନାହିଁ ବୋଲି ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଆଗରେ ସବୁକିଛି ହଁ ଭରୁଥିଲେ ବି ସ୍ଥାନୀୟ ଅଧିକାରୀମାନେ ଅଧିକ ସ୍ୱାଧୀନ ହୋଇ କାର୍ଯ୍ୟ କରୁଥିବା କୁହାଯାଉଛି। ଯାହାଦ୍ୱାରା ପରିବେଶ ଅଧିକ ବିଜେଡି ପକ୍ଷଭୁକ୍ତ ହୋଇଛି। କେହି କେହି କହୁଛନ୍ତି ଏହା ବିଜେଡିର ପୁରୁଣା ଖେଳ। ଯାହାକୁ ସକ୍ରିୟ କରିଛି ଦଳ। ଭିକେ ପାଣ୍ଡିଆନ୍ଙ୍କ ନିର୍ବାଚନ ପରିଚାଳନା ସମୟରେ ଏହି କାରକଗୁଡ଼ିକୁ ବ୍ୟବହାର କରାଯାଉଥିଲା। ଏବେ ପାଣ୍ଡିଆନ୍ ନାହାନ୍ତି ବୋଲି ଏକ ବାର୍ତ୍ତା ଦଳ ଦେବାକୁ ଚାହୁଁଥିଲେ ବି ତାଙ୍କ ନୀତିକୁ ପରିଚାଳନା କରାଯାଉଛି। ଅର୍ଥାତ୍ ପ୍ରଚ୍ଛଦପଟ୍ଟରେ ପାଣ୍ଡିଆନ୍ ହି ଏ ନିର୍ବାଚନକୁ ବିଜେଡି ପାଇଁ ପ୍ରସାର କରାଯାଉଛି। ଅର୍ଥାତ୍ ଯେଉଁ ତନ୍ତ୍ର ଦିନେ ସରାକାର ପକ୍ଷରେ ନିର୍ବାଚନ ଜିତାଉଥିଲା ତାହାକୁ ମୋହନ ମାଝୀଙ୍କ ସରକାର ଆୟତ୍ତ କରିବାରେ ବିଫଳ ହୋଇଛନ୍ତି। ଏସବୁ ଭିତରେ ନୂଆପଡ଼ାର ସାମାଜିକ ଅଙ୍କ-ଗଣିତ ଦିନକୁ ଦିନ ବଦଳିବାରେ ଲାଗିଛି।
ବିଜେଡି ସମର୍ଥନରେ ସୋସାଲ ମିଡ଼ିଆ

ଏପଟେ ଭୁବନେଶ୍ୱର ଭିତ୍ତିକ କିଛି ସୋସାଲ୍ ମିଡିଆ ହ୍ୟାଣ୍ଡଲକୁ ବି ବିଜେଡି ନିୟନ୍ତ୍ରଣ କରିବା ପାଇଁ ପ୍ରବଳ ଅର୍ଥ ଖର୍ଚ୍ଚ କରୁଥିବା କୁହାଯାଉଛି। ଯାହା ଭୁବନେଶ୍ୱରରେ ରହୁଥିବା ନୂଆପଡ଼ା ଭୋଟର ତଥା ଏହି ୟୁଟ୍ୟୁବ୍ ଚାନେଲଗୁଡ଼ିକର ଫଲୋୟର୍ସଙ୍କ ମନରେ ଏକ ନୂଆ ନ୍ୟାରେଟିଭ୍ ସୃଷ୍ଟି କରିବାକୁ ଯାଉଛି। ୨୦୨୪ ନିର୍ବାଚନରେ ଏମିତି ସୋସାଲ୍ ମିଡିଆକୁ ଠିକଣାଭାବେ ବ୍ୟବହାର କରିପାରିନଥିବାରୁ ଆସନ ସଂଖ୍ୟା କମି ଥିବା ନେଇ ବିଜେଡି ଆତ୍ମସମୀକ୍ଷାରୁ ଜାଣିପାରିଥିବା ଖୋଦ୍ ସଭାପତି ଦିନେ କହିଥିଲେ। ଆଜି ସେହି ଶିକ୍ଷାକୁ ବାସ୍ତବରେ ରୂପାନ୍ତରିତ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି। ଯଦି ଏହି ପର୍ଯ୍ୟାୟରେ ବିଜେପି ଶକ୍ତିଶାଳୀ ପ୍ରହାର ନ କରେ ତେବେ ଆସନ୍ତା ଦିନରେ କେବଳ ସମୀକରଣ ନୁହେଁ ଜନମତ ବି ବିଜେପିଠୁ ଦୂରେଇବା ସମ୍ଭାବନା ରହିଛି।
Also readhttps://purvapaksa.com/servant-caught-while-taking-a-photo/
Servant caught while taking a photo ।। ଫଟୋ ଉଠାଇବା ସମୟରେ ସେବକ ଧରାପଡ଼ିଲେ

