ନୂଆପଡ଼ା ଉପ ନିର୍ବାଚନ ଲାଗି ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଖାଲି ସେତିକି ନୁହେଁ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୦ଜଣ ସମ୍ଭାବ୍ୟ ପ୍ରାର୍ଥୀ ମଧ୍ୟ ୨୪ଟି ନାମାଙ୍କନ ପତ୍ର କିଣିଛନ୍ତି। ଅର୍ଥାତ୍ ନୂଆପଡ଼ାର ଲଢ଼େଇ କେବଳ ବିଜେପି-କଂଗ୍ରେସ-ବିଜେଡି ଭିତରେ ରହିବ ନାହିଁ ବରଂ ଏହା ବହୁମୁଖୀୟ ହେବାକୁ ଯାଉଛି। ସବୁଠାରୁ ବଡ଼ କଥା ହେଲା, ନୂଆପଡ଼ାରେ ପୁରୁଷ ଭୋଟରଙ୍କଠାରୁ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହୋଇଥିବାବେଳେ ତିନି ପ୍ରମୁଖ ଦଳ ଭିତରୁ ଏକମାତ୍ର ଦଳ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି। ଅତୀତରେ ବିଜେଡିର ମହିଳା ସଂଗଠନ, ଏସ୍ଏଚ୍ଜି ଗୋଷ୍ଠୀର ପ୍ରଭାବ ଏହି ମହିଳାଙ୍କୁ ଜୟଯାତ୍ରା ପଛରେ ନେବ ବୋଲି ବି ଆଶା କରାଯାଇଛି। ହେଲେ ନୂଆ ସରକାର ଆସିବା ପରେ ମହିଳାଙ୍କୁ ସଶକ୍ତ କରିବା ଲାଗି ପ୍ରଣୟନ କରିଥିବା ସୁଭଦ୍ରା ଏହି ଏସ୍ଏଚ୍ଜିଙ୍କୁ ଦୁର୍ବଳ କରିଥିବା ଚର୍ଚ୍ଚା ହେଉଛି। ଏଣୁ ନୂଆପଡ଼ାର ଲଢ଼େଇ ସୁଭଦ୍ରା ବନାମ ଏସ୍ଏଚ୍ଜି ହେବ କି?
ବିଜୟର ଆଧାର ମହିଳା ଭୋଟ୍ ବ୍ୟାଙ୍କ
ନିର୍ବାଚନରେ ମହିଳା ଭୋଟ୍ ବ୍ୟାଙ୍କ ସମସ୍ତ ଜାତି, ଧର୍ମକୁ ପଛରେ ପକାଇ କୌଣସି ପ୍ରାର୍ଥୀ ବା ଦଳଙ୍କୁ ଜିତାଇପାରେ। ଏହାର ଅନେକ ଉଦାହରଣ ରହିଛି। ଏପରିକି ୨୦୨୪ ପୂର୍ବରୁ ବିଜେଡିର ନିର୍ବାଚନ ଜିତିବା ପଛରେ ମହିଳାଙ୍କ ଏସ୍ଏଚ୍ଜି ଗୋଷ୍ଠୀ ଯେ ଏକ ବିଶେଷ କାରଣ ଥିଲା ତାହା ଆଲୋଚନା କରାଯାଇଛି। ୨୦୧୯ ନିର୍ବାଚନରେ ପାଇଥିବା ସଫଳତାକୁ ଆଧାର କରି ଜଣେ ମହିଳା ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନ୍ଙ୍କୁ ଏସ୍ଏଚ୍ଜି ଦାୟିତ୍ୱରେ ରଖାଯିବା ସହ ମିଶନ ଶକ୍ତିକୁ ଏକ ବିଭାଗ କରାଯାଇ ତାଙ୍କର ପଦୋନ୍ନତିକୁ ସେଠାରେ ସୀମିତ ରଖାଯାଇଥିଲା। ଏପରିକି ନିର୍ବାଚନ ସମୟରେ ସୁଜାତା ରାଉତ କାର୍ତ୍ତିକେୟନ ଏହି ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବା ପାଇଁ ପ୍ରେରିତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଆଉ ଏହି ଅଭିଯୋଗକୁ ଆଧାରକରି ତତ୍କାଳୀନ ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କୁ ଏହି ପଦବୀରୁ ତୁରନ୍ତ ଅପସାରଣ କରିଥିଲେ। ଆଉ ବିଭିନ୍ନ ସ୍ଥାନରେ ମହିଳାଙ୍କ ଭୋଟ୍ ବ୍ୟାଙ୍କ ବିଜେଡି ସପକ୍ଷରେ ସମ୍ପୂର୍ଣ୍ଣ ରୂପେ ସ୍ଥାନାନ୍ତରୀତ ନ ହୋଇପାରିବାର କାରଣ ଏହାକୁ ଗ୍ରହଣ କରାଯାଇଥିଲା। ଏଣୁ କିଛି ଆସନରେ ବିଜେଡି ଅତି ନଗଣ୍ୟ ବ୍ୟବଧାନରେ ହାରିଥିଲା।
ମିଶନ ଶକ୍ତିଠାରୁ ସୁଭଦ୍ରା ଅଧିକ ଲୋକପ୍ରିୟ
ଏ ବ୍ୟବସ୍ଥାକୁ ଭାଙ୍ଗିବା ଲାଗି ବିଜେପି, ସରକାରକୁ ଆସିବା ଦିନଠାରୁ ଉଦ୍ୟମ ଆରମ୍ଭ କରିଛି। ଏସ୍ଏଚ୍ଜି ମାଧ୍ୟମରେ ଯେଉଁଭଳି ଗୋଷ୍ଠୀଙ୍କୁ ପୁଳାଏ ଟଙ୍କା ଦେଇ ମୁଷ୍ଟିମେୟ ମହିଳାଙ୍କୁ ସାହୁକାର ଭାବେ ରୂପାନ୍ତରୀତ କରାଯାଇଥିଲା, ତାହାକୁ ବିଜେପି ଭାଙ୍ଗିଛି। ସିଧାସଳଖ ହିତାଧିକାରୀଙ୍କ ପାଖରେ ଅର୍ଥ ପହଞ୍ଚାଇଛି। ସୁଭଦ୍ରା ଯୋଜନା ମାଧ୍ୟମରେ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ମହିଳା ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି। ପୁଣି ଏ ଅର୍ଥ ୨୧ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ଏହି ତାଲିକାଭୁକ୍ତ କରାଯାଇଛି। ଅବଶ୍ୟ ସରକାରୀ ଚାକିରି ଓ ଟିକସଦାତାଙ୍କୁ ଏଥିରୁ ବାଦ୍ ଦିଆଯାଇଛି କିନ୍ତୁ ଏଜେନ୍ସି ମାଧ୍ୟମରେ ନିଯୁକ୍ତ ହୋଇ ଥିବା ସରକାରୀ ଚାକିରିଆ, ଅଙ୍ଗନବାଡ଼ି ଓ ଆଶା କର୍ମୀ ଏହି ତାଲିକାରେ ରହିପାରୁଛନ୍ତି। ୬୦ ବର୍ଷ ଯାଏ ମହିଳା ଏହି ତାଲିକାରେ ରହିବା ଦ୍ୱାରା ପ୍ରତି ବୟସର ମହିଳା ସରକାରୀ ସୁବିଧା ପାଇପାରୁଛନ୍ତି। କାରଣ ୬୦ ବର୍ଷ ପରେ ମହିଳାଙ୍କୁ ସହାୟତା ପହଞ୍ଚାଇବା ଲାଗି ପେନ୍ସନ ଯୋଜନା ରହିଛି। ଅର୍ଥାତ୍ ପ୍ରତିଟି ସମୟରେ ମହିଳାଙ୍କ ହାତରେ ଅର୍ଥ ପହଞ୍ଚାଇଥିବାରୁ ଏହି ଯୋଜନାକୁ ମିଶନ ଶକ୍ତି ଯୋଜନାଠାରୁ ଅଧିକ ଲୋକପ୍ରିୟ ହୋଇଛନ୍ତି।
ଭୋଟ କାଟିବ ଏସ୍ଏଚ୍ଜି
ମିଶନ ଶକ୍ତି ଯୋଜନା ମାଧ୍ୟମରେ କେବଳ ନିର୍ଦ୍ଦିଷ୍ଟ ଏସ୍ଏଚ୍ଜି ଗୋଷ୍ଠୀଙ୍କୁ ସହାୟତା ଦିଆଯାଉଥିଲା। ଏ ଗୋଷ୍ଠୀର ପରିଚାଳନାରେ ଯେତିକି ବ୍ୟକ୍ତି ଥିଲେ ସେମାନେ ହିଁ ନିଷ୍ପତ୍ତି ନେଉଥିଲେ କେଉଁ ସଭ୍ୟଙ୍କୁ କେତେ ଅର୍ଥ ମିଳିବ। ସ୍ୱଳ୍ପରେ କହିଲେ ମିଶନ ଶକ୍ତି ଯୋଜନାରେ ଏସ୍ଏଚ୍ଜିଗୁଡ଼ିକ ଗୋଟିଏ ଗୋଟିଏ ସାହୁକାର ସାଜିଥିଲେ। ସେମାନେ ବ୍ୟବସାୟ କମ୍ ସୁଧ କାରବାର ଅଧିକ କରୁଥିଲେ। ଏବେ ପ୍ରତିଟି ହାତରେ କ୍ୟାସ୍ ବା ନଗଦ ଟଙ୍କା ପହଞ୍ଚିଥିବାରୁ ଏହି ମୁରବୀ ପଣିଆ ବା ମହାଜନୀ କାରବାର ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯାଇଛି।
ରାଜନୀତିକ ଦୃଷ୍ଟିକୋଣରୁ ଦେଖିଲେ ଯେଉଁ ମହିଳାମାନେ ବିଜେଡି ସରକାର ସମୟରେ ଏସ୍ଏଚ୍ଜି ମୁରବୀ ଥିଲେ ସେମାନଙ୍କୁ ଏକ ଭିନ୍ନ ନଜରରେ ଦେଖୁଛନ୍ତି ସାଧାରଣ ମହିଳା। ଏଣୁ ଯିଏ ଏସ୍ଏଚ୍ଜି ସପକ୍ଷରେ ରହିଲା ତାହା ପକ୍ଷରେ ଜନମତ ସେତିକି କମୁଛି।
ନବୀନଙ୍କ ଭରସାରେ ବିଜେଡି
ଏଭଳି ଏକ ସ୍ଥଳରେ ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ସ୍ନେହାଙ୍ଗିନୀ ଅନୁସୂଚିତ ଜାତି ଓ ମହିଳା ବର୍ଗର ପ୍ରତିନିଧି ହୋଇଥିବାରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରି ଅନ୍ୟ ଦୁଇ ପ୍ରମୁଖ ଦଳଙ୍କୁ ପାଣି ପିଆଇବ ବୋଲି କୁହାଯାଉଛି। କିନ୍ତୁ ଏହା ଆଉ ପାଣ୍ଡିଆନ୍ଙ୍କ ଯୋଜନା ନୁହେଁ ତ? କାରଣ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବେ ବା ନ କରିବେ ଏ ଦ୍ୱିଧାରେ ରହିବାରୁ ଜୟ ବିଜେପିକୁ ଡେଇଁଥିବା କୁହାଯାଉଛି। ବିଜେଡି ଏଥିଲାଗି ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କରିଥିବା କୁହାଯାଉଛି। ଆଉ ଏଥିଲାଗି ପାଣ୍ଡିଆନ୍ ଦାୟୀ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରୁ ଲୋକଙ୍କୁ ଦୂରରେ ରଖିବା ଲାଗି ବିଜେଡି ସଭାପତି ଏବେ ଆଗକୁ ଆସିଛନ୍ତି। ନିଜର ପସନ୍ଦ ହିସାବରେ ସେ ସ୍ନେହାଙ୍ଗିନୀଙ୍କୁ ବାହାର ଜିଲ୍ଲାରୁ ନେଇ ପ୍ରାର୍ଥୀ କରିଥିବା କୁହାଯାଉଛି। ସ୍ନେହାଙ୍ଗିନୀ ନବୀନଙ୍କ ଭାବମୂର୍ତ୍ତିକୁ ସଜାଡ଼ିବେ ବୋଲି ଆଶା କରାଯାଉଛି। ଆଉ ନବୀନ ପ୍ରଚାର କଲେ କେଡ଼େକେଡ଼େ ପ୍ରାର୍ଥୀ ପୂର୍ବରୁ ଧରାଶାୟୀ ହୋଇଛନ୍ତି, ଯାହା ଏଠାରେ ଘଟିବ ବୋଲି ମଧ୍ୟ ବିଜେଡି ସପକ୍ଷବାଦୀ କହିଛନ୍ତି।
କିନ୍ତୁ ଏହା କ’ଣ ପାଣ୍ଡିଆନ୍ଙ୍କ ଆଉ ଗୋଟିଏ ଗୋଟି ଖେଳ କି? ଏହା କ’ଣ ସତ୍ୟ ଯେ, ନୂଆପଡ଼ାର କୌଣସି ସ୍ଥାନୀୟ ନେତା ପ୍ରାର୍ଥୀ ହେବାକୁ ଚାହିଁଲେ ନାହିଁ? ଆଉ ସେଥିଲାଗି ପାଣ୍ଡିଆନ୍ଙ୍କ ଦୃଢ଼ ସହଯୋଗୀ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଗଲା? ଯଦି ଏହା ହୋଇଥାଏ ତେବେ ତାହା ନିଶ୍ଚିତ ଭାବେ ଏକ ଜଟିଳ ରାଜନୀତିକ ପରିସ୍ଥିତି ସୃଷ୍ଟି କରିବ। ଯେଉଁ ଆସନରେ ବିଜେଡି ଦିନେ ପ୍ରଭାବ ବିସ୍ତାର କରିଥିଲା, ସେଠାରେ ଦ୍ୱିତୀୟ ନୁହେଁ ବରଂ ତୃତୀୟ ସ୍ଥାନରେ ପହଞ୍ଚିବ। ଆଉ ନୂଆପଡ଼ାରେ ବିଜେପି ବନାମ କଂଗ୍ରେସ ଯୁଦ୍ଧ ହେବ।
ଆଉ କିଛିଦିନ ପରେ ନୂଆପଡ଼ାର ପାଣିପାଗ ବଦଳିବା ସହ ଚିତ୍ର ବି ସ୍ପଷ୍ଟ ହେବ। ସେଥିଲାଗି ଅପେକ୍ଷା କରିବା।
Also readhttps://purvapaksa.com/the-game-of-bjd-to-defeat-congress-has-begun/
The game of BJD to defeat Congress has begun II କଂଗ୍ରେସକୁ ହରାଇବା ପାଇଁ ବିଜେଡିର ଖେଳ ଆରମ୍ଭ
Nu
