ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଅବରୋଧ ଥିଲା ବୋଲି ବିଗତ କିଛିମାସ ହେଲା ଯେଉଁ ଆଲୋଚନା ହେଉଥିଲା, ତା’ର ଅବସାନ ହେବାକୁ ଯାଉଛି। ଏହି ଅବରୋଧର ଯେଉଁ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କାରଣ ଥିଲେ ସେ ଏବେ ତରଳିବା ସହିତ ବୁଝାମଣା କରିବାକୁ ଏକ ପ୍ରକାରର ବାଧ୍ୟ ହୋଇଛନ୍ତି। କାରଣ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ପୂର୍ବଭଳି ଶକ୍ତିମାନ ହୋଇ ରହିନାହାନ୍ତି। ନିକଟ ଅତୀତରେ ରାଜ୍ୟରେ ଯେଉଁଭଳି ଭାବେ ରାଜନୀତିକ ଗୋଟି ଚାଳନା ହେଉଛି ସେଥିରେ ଯେମିତି ସେ ଚାପଗ୍ରସ୍ତ ହେଲାଭଳି ଲାଗୁଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ଏକଦା ଓଡ଼ିଶା ବିଜେପିରେ କିଙ୍ଗ୍ ମେକର ସାଜିଥିବା ଧର୍ମେନ୍ଦ୍ର ନା କିଙ୍ଗ ହୋଇପାରିଛନ୍ତି ନା କିଙ୍ଗ ମେକର। ଆଦର୍ଶଗତ ପାର୍ଥକ୍ୟ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ନିଜର କିଛି ସମର୍ଥକ ମନ୍ତ୍ରୀଙ୍କ ସହ ହଠାତ୍ ଗତ ଅଗଷ୍ଟ ୩୦ ତାରିଖ ଦିନ ଆବିର୍ଭାବ ହେବା ଏବଂ ଘଣ୍ଟା ଘଣ୍ଟା ଧରି ଆଲୋଚନା କରି ଫେରିବା ଏହାକୁ ସ୍ପଷ୍ଟ କରୁଛି। ଯେଉଁ ଧର୍ମେନ୍ଦ୍ର କିଛିଦିନ ତଳେ ଏକ ମଞ୍ଚରେ ଉପସ୍ଥିତ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଆଖି ମିଶାଉ ନ ଥିଲେ ଆଜି ତାଙ୍କର କ’ଣ ହେଲା ବୋଲି ଚର୍ଚ୍ଚା ହେଉଛି। ଆଉ ଏହି ଚର୍ଚ୍ଚାକୁ ନେଇ ଆଜିର ଆଲୋଚନା ‘ମୋହନ-ଧର୍ମେନ୍ଦ୍ର ଭେଟଘାଟ: ଉଭୟପଟୁ ୱିକେଟ ପଡ଼ିବ!’।
ମିଡିଆରେ ଧର୍ମେନ୍ଦ୍ରଙ୍କ ଚର୍ଚ୍ଚା

୨୦୧୪ ହେଉ ବା ୨୦୧୯ ହେଉ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଅତ୍ୟନ୍ତ କ୍ଷମତାଶାଳୀ ଥିଲେ ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ଏବିଭିପିରୁ କ୍ୟାରିୟର ଆରମ୍ଭ କରିଥିବା ଏହି ନେତା ସାରାଦେଶରେ ନିଜ କାମ ପାଇଁ ଅତ୍ୟନ୍ତ ପରିଚିତ ଥିଲେ। ଏଣୁ ଲୋକସଭାର ସଦସ୍ୟ ନ ହେଲେ ମଧ୍ୟ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା। ଏକାଥରକେ ଦୁଇ ଦୁଇଟା ମନ୍ତ୍ରି ପଦ ବି ସମ୍ଭାଳୁଥିଲେ ଧର୍ମେନ୍ଦ୍ର। ଓଡ଼ିଶାରୁ ନ ହେଲା ନାହିଁ ବିହାର ଓ ମଧ୍ୟପ୍ରଦେଶରୁ ନିର୍ବାଚିତ ହୋଇ ରାଜ୍ୟସଭାକୁ ଯାଇଥିଲେ ଧର୍ମେନ୍ଦ୍ର। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ, ସାର, ଦକ୍ଷତା ବିକାଶ ମନ୍ତ୍ରାଳୟ ଭଳି ମନ୍ତ୍ରାଳୟକୁ ସମ୍ଭାଳି ଓଡ଼ିଶାରେ ବିଜେପିର ସଂଗଠନକୁ ମଜଭୁତ କରିବା ଆରମ୍ଭ କରିଥିଲେ। ନିଜର କର୍ମୀଙ୍କୁ ଦଳର ନେତା କରିଥିଲେ। ଆଉ ତାଙ୍କରି ପାର୍ଷଦ ଭିତରେ ରହିବାକୁ ବି ପସନ୍ଦ କରୁଥିଲେ। ଏତେ ଅର୍ଥ ତାଙ୍କ ମନ୍ତ୍ରାଳୟରୁ ମିଡିଆକୁ ମିଳୁଥିଲା ଯେ ମିଡିଆ ବି ତାଙ୍କ ପ୍ରଶଂସାର ଶତମୁଖ ହେଉଥିଲା। କିନ୍ତୁ ୨୦୧୯ ନିର୍ବାଚନ ପରେ ଦଳକୁ ଆଖିଦୃଶିଆ ସଫଳତା ମିଳିପାରିଲା ନାହିଁ।
ବିଜେଡି ସହିତ ବିଜେପିର ସାଲିସ ରାଜନୀତି

୧୯ ବର୍ଷର ସରକାରଙ୍କୁ ହରାଇବା ବଦଳରେ ଧର୍ମେନ୍ଦ୍ରଙ୍କ ସହଯୋଗୀମାନେ ନିର୍ବାଚନ ପରେ ବିଜେଡି ସହ ମେଣ୍ଟ କରିବେ ବୋଲି ସ୍ଥିର କରିଥିଲେ ଅଭିଯୋଗ ହେଉଥିଲା। ଏଥିଯୋଗୁ ବିଜେପି ରାଜ୍ୟରେ ଶାସକ ହେବା ସ୍ୱପ୍ନ ହୋଇଗଲା। ତଥାପି ବିରୋଧୀ ଦଳ ଆସନ ପାଇପାରିଥିବାରୁ ଏବଂ କଂଗ୍ରେସ ଭୋଟ୍କୁ ନିଜ ଆଡ଼କୁ ଆଣିବାରେ ସକ୍ଷମ ହୋଇଥିବାରୁ କେନ୍ଦ୍ରରେ ବିଜେପି ନେତାମାନେ ଧର୍ମେନ୍ଦ୍ରକୁ ପ୍ରଶଂସା କରିଥିଲେ। ଯେମିତି ସଂଗଠନ ବଢ଼ାଇବା କାର୍ଯ୍ୟ ତାଙ୍କ କାନ୍ଧରେ ଥିଲା ତାହା ଚାଲିଲା। ନିଜ ପାର୍ଷଦର ନେତା ହିଁ ରାଜ୍ୟର ସଭାପତି ହେଲେ। ଅପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେଲା। ହେଲେ ପାଞ୍ଚବର୍ଷରେ ବିଜେଡିକୁ ବିରୋଧ କରିବା ବଦଳରେ ସାଲିସ କରିବା ପାଇଁ ଅନେକ ସମୟରେ ଚେଷ୍ଟା କରିଥିଲେ ତାଙ୍କ ପ୍ରତିନିଧି। ଫଳରେ ରାଜ୍ୟବାସୀଙ୍କ ମନରେ ନବୀନଙ୍କୁ ବଦଳାଇବାର ଯେଉଁ ଇଚ୍ଛା ଥିଲା ତାହାର ବିକଳ୍ପ ମିଳିବା କଷ୍ଟ ହେଉଥିଲା।
ଧର୍ମେନ୍ଦ୍ର କେବେ ବିକଳ୍ପ ହୋଇପାରିବ ନାହିଁ ବୋଲି ଚର୍ଚ୍ଚା ହେଲା। ବିଜେପିରେ ସଂଗଠନ ଭାଗଭାଗ ହେଲା। କର୍ମୀମାନେ ଧର୍ମେନ୍ଦ୍ରଙ୍କୁ ବିଶ୍ୱାସ କଲେ ନାହିଁ। ଆଉ ଏ କଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜାଣିବା ପରେ ନିର୍ବାଚନ ମୁହାଁ ରାଜ୍ୟରେ ସକ୍ରିୟ ହେଲେ। ଓଡ଼ିଶାରେ ବିଜେପିର ପ୍ରବେଶ ପାଇଁ ଅପାର ସୁଯୋଗ ରହିଛି ବୋଲି ଅନୁମାନ କରି କେନ୍ଦ୍ରୀୟ ନେତାଙ୍କୁ ମେଣ୍ଟ ନୁହେଁ ଏକାକି ଲଢ଼ିବା ଦିଗରେ ମତାଇଲେ। ଖାଲି ସେତିକି ନୁହେଁ ଧର୍ମେନ୍ଦ୍ରଙ୍କୁ ଉପକୂଳରୁ ବାହାରକୁ ନେଇ ପଶ୍ଚିମାଞ୍ଚଳରେ ଯେଉଁଠି ବିଜେପି ସୁଦୃଢ଼ ରହିଥିଲା ସେଠାକୁ ପଠାଇ ଦିଆଯିବାକୁ ପ୍ରସ୍ତାବ ଦିଆଯାଇଥିଲା। ତାହା ବି ହେଲା ଆଉ ବିଜେପି ପ୍ରଥମଥର ପାଇଁ ୨୦୨୪ ନିର୍ବାଚନରେ ସରକାର ଗଠନର ସଂଖ୍ୟା ପାଇଲା। ଏଇଠୁ ମଉଳି ଯାଇଥିଲା ଧର୍ମେନ୍ଦ୍ରଙ୍କ ମୁହଁ।
ଉତ୍କଟ ହେଉଛି ବିଜେପିର ଆଭ୍ୟନ୍ତରୀଣ ରାଜନୀତି
ତଥାପି ହାର ମାନି ନ ଥିଲେ ଧର୍ମେନ୍ଦ୍ର। ପ୍ରଥମେ ମୁଖ୍ୟମନ୍ତ୍ରୀ ପାଇଁ ଓ ପରେ ନିଜ ପ୍ରତିନିଧିଙ୍କୁ ସରକାରରେ ସାମିଲ କରିବା ପାଇଁ ଲବି ବାଢ଼ିଲେ। ମୁଖ୍ୟମନ୍ତ୍ରୀ ହେବା ପ୍ରୟାସରେ ତ ବିଫଳ ହେଲେ ହେଲେ ନିଜ ଲୋକଙ୍କୁ ଥଇଥାନ କରିବାରେ ବିଫଳ ହେଲେ ନାହିଁ। ଆଭ୍ୟନ୍ତରୀଣ ରାଜନୀତି ଏତେ ଉତ୍କଟ ହେଲା ଯେ, ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁ ନାହିଁ କି ରାଜନୀତିକ ଲୋକଙ୍କୁ ଥଇଥାନ କରିବା ପାଇଁ ନିଗମ ଅଧ୍ୟକ୍ଷ ପଦବୀ ପୂରଣ ହୋଇପାରୁନାହିଁ। ଏହି ପରିସ୍ଥିତି ଏଯାଏ ଜାରି ରହିଛି।

ଏ ଅଚଳାବସ୍ଥା ଧର୍ମେନ୍ଦ୍ର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭିତରେ ଆସ୍ଥାର ଅଭାବ ଯୋଗ ସୃଷ୍ଟି ହେଉଥିବା ଚର୍ଚ୍ଚା ହେଉଛି। କେନ୍ଦ୍ରରେ ମନ୍ତ୍ରୀ ଥାଇ ମଧ୍ୟ ରାଜ୍ୟରେ ନିଜର କର୍ତ୍ତୃତ୍ୱକୁ ଜାହିର କରିବା ପାଇଁ ଚାହୁଁଥିବା ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କୁ ମାନିବାକୁ ବି ନାରାଜ ହେଉଥିବା ଚର୍ଚ୍ଚା ହେଉଛି। ଏଣୁ ବିଗତ ଏକ ବର୍ଷରୁ ଅଧିକ ସମୟ ହେଲାଣି ଧର୍ମେନ୍ଦ୍ର-ମୋହନ ବାର୍ତ୍ତାଳାପ କେବେ ହୋଇନାହିଁ। ଏପରିକି ଯେବେ କେବେ ଦୁହେଁ ଗୋଟିଏ ମଞ୍ଚରେ ରହିବାକୁ ମାଧ୍ୟ ହୋଇଛନ୍ତି ସେତେବେଳେ କେହି କାହାକୁ ନ ଚାହିଁବା ପରିଲକ୍ଷିତ ହୋଇଛି। ଯେଉଁ ଧର୍ମେନ୍ଦ୍ର ଦିନେ ସରକାରରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟଙ୍କୁ ଜଗନ୍ନାଥ-ବଳଭଦ୍ର-ସୁଭଦ୍ରାଙ୍କ ପରି କହିବାକୁ ପଛାଉ ନ ଥିଲେ ତାଙ୍କର ଏପରି ଆଚରଣ ସରକାରରେ ସବୁକିଛି ଠିକ୍ ଚାଲି ନ ଥିବା ଦର୍ଶାଉଛି। ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ନିଜ ନିର୍ବାଚନମଣ୍ଡଳିର କିଛି ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆଣିବା ପାଇଁ ତାଙ୍କୁ ଭେଟିବା ବଦଳରେ ଚିଠି ଲେଖି ସର୍ବ ସାଧାରଣଙ୍କୁ ଜଣାଇଥିଲେ। ଏହା ରାଜ୍ୟରେ ବିଜେପି ସରକାର କାର୍ଯ୍ୟ କରୁନାହିଁ ବୋଲି ସେ ପ୍ରମାଣିତ କରିଥିଲା।
ବାଧ୍ୟବାଧକତାରେ ବୁଝାମଣା
![]()
ହେଲେ କିଛିଦିନ ହେଲା ମନମୋହନ ସାମଲ ସଭାପତି ଭାବେ ନିଜ ସ୍ଥିତିକୁ ମଜଭୁତ କରିବା ଓ ସରକାରଙ୍କ ଏକବର୍ଷ ପୂର୍ତ୍ତି ପରେ ଧର୍ମେନ୍ଦ୍ର ଆଉ ପୂର୍ବଭଳି ଶକ୍ତିଶାଳୀ ଥିବା ଭଳି ମନେ ହେଉନାହିଁ। ବିଭିନ୍ନ ଗୋଷ୍ଠୀର ବିଧାୟକମାନେ ମନ୍ତ୍ରୀ ହେବା ପାଇଁ ହାଇଁପାଇଁ ହେଉଥିବାବେଳେ କେନ୍ଦ୍ରୀୟ ନେତା ଓ ରାଜ୍ୟ ନେତାଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ଏ ଚାପରେ ଧର୍ମେନ୍ଦ୍ର ଆଉ ପୂର୍ବପରି ନିଜର ମୁଣ୍ଡ ଟେକି ଚାଲିପାରୁ ନାହାନ୍ତି। ସେ ଯଦି ବୁଝାମଣା ନ କରିବେ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ବି ଅନୁମାନ କରିଛନ୍ତି ଧର୍ମେନ୍ଦ୍ର। ସେଥିଲାଗି ସବୁ ରାଗ ଅଭିମାନ ଛାଡ଼ି ରାଜନୀତିକ କୁର୍ସି ବଞ୍ଚାଇବାକୁ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଘରେ ଆବିର୍ଭାବ ହୋଇଥିବା କୁହାଯାଉଛି। ଏହାକୁ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ ସମ୍ବନ୍ଧରେ କୁହାଯାଉଥିଲେ ମଧ୍ୟ ତାହା ବାସ୍ତବରେ ଉଦ୍ଦେଶ୍ୟ ଅଲଗା ଥିଲା ବୋଲି ଚର୍ଚ୍ଚା ହେଉଛି। ଏହା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ ଅଧ୍ୟକ୍ଷ ନିଯୁକ୍ତି ଲାଗି ଧର୍ମେନ୍ଦ୍ରଙ୍କ ବୁଝାମଣା ବୋଲି ଆଲୋଚନା ହେଉଛି।
ଉଭୟ ପଟୁ ୱିକେଟ୍ ପଡ଼ିବ

ଏହିସବୁ ଦିଗକୁ ବିଚାର କଲେ ଧର୍ମେନ୍ଦ୍ରଙ୍କ ଏହି ନରମ ଭାବ ଯଦି ଆଗକୁ ଜାରି ରହେ ତେବେ ଖୁବ୍ଶୀଘ୍ର ମନ୍ତ୍ରିମଣ୍ଡଳରେ ନୂଆ ମୁହଁଙ୍କୁ ଦେଖିବାକୁ ମିଳିପାରେ। ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ଏଥିପାଇଁ କେନ୍ଦ୍ରନେତାମାନେ ଏକ ସୂତ୍ର ବାହାର କରିଛନ୍ତି। ଏହି ସୂତ୍ରଟି ହେଉଛି ଉଭୟ ପଟୁ ୱିକେଟ୍ ପଡ଼ିବ। ଅର୍ଥାତ୍ ଉଭୟ ଗୋଷ୍ଠୀର କିଛି ମନ୍ତ୍ରୀଙ୍କୁ ଏହି ସମ୍ପ୍ରସାରଣବେଳେ ବାଦ୍ ଦିଆଯାଇପାରେ। ରାଜ୍ୟ ବିଜେପିରେ ଗୋଷ୍ଠୀ କହିଲେ ଗୋଟିଏ ପଟେ ଅମିତ୍ ଶାହ ବଳରେ ବଳିୟାନ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠୀ ଓ ଅନ୍ୟଟି ହେଉଛି ସଂଘ, ସୁନୀଲ ବଂଶଲଙ୍କ ସମର୍ଥନରେ ଶକ୍ତିଶାଳୀ ହୋଇଥିବା ରାଜ୍ୟସଭାପତି ମନମୋହନ ସାମଲଙ୍କ ଗୋଷ୍ଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୌଣସି ଗୋଷ୍ଠୀଭୁକ୍ତ ନୁହଁନ୍ତି। ରାଜ୍ୟବାସୀ ଯେଉଁ ମନ୍ତ୍ରୀମାନଙ୍କୁ ବର୍ଷକ ଭିତରେ ବିଭାଗ ଚଳାଇ ରାଜ୍ୟର ହିତସାଧନ କରିବାରେ ନିକମା ବୋଲି ଭାବୁଛନ୍ତି ସେହି ଆଧାର ନୁହେଁ ବରଂ ଯେଉଁମାନେ ବିଜେପିର କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟିରେ ବିଫଳ ହୋଇଛନ୍ତି ସେମାନେ ଆଗାମୀ ସମ୍ପ୍ରସାରଣରେ ବାଦ୍ ପଡ଼ିବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟପାଳ କେ ହରିବାବୁ କମ୍ଭମପତି କେନ୍ଦ୍ରୀୟ ନେତାଙ୍କ ଇଛାକୁ ରାଜ୍ୟର ମନ୍ତ୍ରୀମାନଙ୍କୁ ଭେଟି ସୂଚାଇ ଦେଉଥିବା ଆଲୋଚନା ହେଉଛି। ଏପରିକି ଯେଉଁମାନେ ମନ୍ତ୍ରୀ ହେବେ ସେମାନେ ଉଭୟ ଗୋଷ୍ଠୀର ବିଧାୟକମାନେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ରାଜ୍ୟରେ ରାଜ୍ୟପାଳ କ୍ଷମତାଶାଳୀ

ଯେଉଁ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ୍ ସରକାର ଚାଲିଛି ସେଠାରେ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ରାଜ୍ୟପାଳ କ୍ଷମତାଶାଳୀ ବୋଲି ଆଲୋଚନା ହେଉଛି। ସରକାରରେ କେନ୍ଦ୍ର ଓ ରାଜ୍ୟ ଦୁଇଟି ଚକ ହେଲାବେଳେ ରାଜ୍ୟପାଳ ଅଖ ସାଜୁଛନ୍ତି। ଆମ ରାଜ୍ୟରେ ରାଜ୍ୟପାଳ ଥିବା ରଘୁବର ଦାସଙ୍କ ଅମଳରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। କେନ୍ଦ୍ର ସରକାର ନିଯୁକ୍ତ କରୁଥିବା ରାଜ୍ୟପାଳମାନେ ବିଜେପିର ସକ୍ରିୟ ନେତା ହୋଇଥିବାରୁ ସେମାନେ ରାଜଭବନରେ ଚୁପ୍ଚାପ ବସିବା ଅପେକ୍ଷା ରାଜନୀତିରେ ସକ୍ରିୟତା ପ୍ରଦାନ କରୁଛନ୍ତି। ଯାହାକି ଓଡ଼ିଶାରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଓ ବର୍ତ୍ତମାନର ରାଜ୍ୟପାଳ କ୍ଷେତ୍ରରେ ଦେଖିବାକୁ ମିଳୁଛି।
ଏପରି କ୍ଷେତ୍ରରେ ଆଗାମୀ ଦିନରେ ରାଜ୍ୟର ବିଜେପି ରାଜନୀତି ଓ ସରକାର କିପରି ସକ୍ରିୟ ହୋଇ କାମ କରିବେ ତାହା ସମୟ ହିଁ କହିବ।
Also readhttps://purvapaksa.com/bjp-is-worried-for-bjd-internal-conflict/
BJP is worried for BJD internal conflict II ଚିନ୍ତାରେ ବିଜେପି: କିଛି ଛାଡ଼ିବେ କିଛି ବିଦା ହେବେ


