ଆରଆଇ,ଏଆରଆଇ, ଅମିନ, ଆଇସିଡ଼ିଏସ,ଏସଏଫଏସ ପ୍ରିଲିମ୍ ପରୀକ୍ଷା ବାତିଲ କଲେ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସଏସସି)। ଏନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଏନେଇ ଅଡ଼ିଶାର ଆଡ଼ଭୋକେଟ ଜେନେରାଲ(ଏଜି) ପୀତାମ୍ବର ଆଚାର୍ଯ୍ୟ। ଅଗଷ୍ଟ ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ମେନ୍ ପରୀକ୍ଷା ବି ବାତିଲ ହୋଇଛି। ୧୪ ଦିନ ଭିତରେ ସାନି ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କରିବେ କମିଶନ ବୋଲି କୁହାଯାଇଛି। ତେବେ ଆଉ ସାନି ଆବେଦନ କରିବାକୁ ପଡ଼ିବନି ସମସ୍ତଙ୍କୁ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ବୋଲି କୁହାଯାଉଛି।
ଗତ ବର୍ଷ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮, ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରିଲିମିନାରୀ ପରୀକ୍ଷାରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାକୁ ନେଇ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳସ୍ୱରୂପ ଓଏସଏସଏସସି ପକ୍ଷରୁ ପ୍ରିଲିମ୍ରେ ତ୍ରୁଟି ଅଭିଯୋଗ ପରେ ସମସ୍ତଙ୍କୁ ପାସ୍ କରାଯାଇଥିଲା, ମାତ୍ର ଏହା ପ୍ରକାଶିତ ବିଜ୍ଞପ୍ତି ନିୟମ ଉଲ୍ଲଙ୍ଘନ କରିଥିଲା ବୋଲି ପିଟିସନ୍ ହୋଇଥିଲା। ଭ୍ୟାକେନ୍ସି ପୋଷ୍ଟର ୫ ଗୁଣା ମେନ୍ ପରୀକ୍ଷା ଦେଇପାରିବେ ଉଲ୍ଲେଖ ଥିଲା,ମାତ୍ର ସମସ୍ତଙ୍କୁ ମେନ୍ ପରୀକ୍ଷା ସୁଯୋଗ ଦିଆଯିବାରୁ ମାମଲା କୋର୍ଟକୁ ଯାଇଥିଲା, ଶେଷରେ ହେବାକୁ ଥିବା କମ୍ବାଇଣ୍ଡ ରିକ୍ରୁଟମେଣ୍ଟ ପରୀକ୍ଷା ବାତିଲ ହୋଇଛି। ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଏଜି ପିତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଜଣାଇଛନ୍ତି ଯେ, ଓଏସଏସଏସସି ପୂର୍ବ ପରୀକ୍ଷା ବାତିଲ କରି ନୂଆ ସାନି ପ୍ରିଲିମ୍ ପରୀକ୍ଷା ଆୟୋଜନ କରିବ। ଏହି ନିଷ୍ପତ୍ତି ରାଜ୍ୟରେ ୨,୮୯୫ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ପ୍ରଭାବିତ କରିଛି। ନୂଆ ପରୀକ୍ଷା ସ୍ବଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରାଯିବ ବୋଲି ଓଏସଏସଏସସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ପରୀକ୍ଷାର ସମୟସୂଚୀ ଓ ଅନ୍ୟାନ୍ୟ ସୂଚନା ଶୀଘ୍ର ଓଫିସିଆଲ ୱେବସାଇଟ www.osssc.gov.inରେ ପ୍ରକାଶ କରାଯିବ।
