ରାଜନୀତି ଏବେ ଆଉ ଲୋକନୀତି ହୋଇ ରହିନାହିଁ କି ଲୋକଙ୍କ ହିତରେ ଯାଉନି। ରାଜନୀତି ଏବେ ଗୁଣ୍ଡାଗିରିର ଢାଲ ପାଲଟିଛି। ଏମିତିବି କହିଲେ ଭୁଲ ହେବନି ଗୁଣ୍ଡାଗିରି ପାଇଁ ରାଜନୀତି ଲାଇସେନ୍ସ ପାଲଟିଛି। ଆମେ କାହିଁକି ଏଭଳି କହୁଛୁ ଆପଣ ନିଜେ ଜାଣି ପାରିବେ। କ୍ଷମତାରେ ରହିବା ଦଳ କିଭଳି ଅଧିକାରୀ ଓ ସାଧାରଣ ଳୋକଙ୍କ ଉପରେ ବଳ ପ୍ରୟୋଗ କରୁଛନ୍ତି ତାହା କାହାକୁ ଅଛପା ନ ଥିବ। ଏ ଭଳି ଘଟଣା ପୂର୍ବ ସରକାରରେ ଘଟୁଥିଲା ଏ ସରକାରରେ ବି ଘଟୁଛି। ଦୁଇଦିନ ତଳେ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି ନେତାଙ୍କ ଇସାରାରେ ଯେପରି ବିଜେପି କର୍ପୋରେଟର ଆଉ ତାଙ୍କ ଚେଲା ଚାମୁଣ୍ଡା ମାଡ଼ମାରିଲେ ତାହା ସମସ୍ତଙ୍କ ପଞ୍ଜରା ଗୁଣ୍ଡ କରିଦେଇଛି। ଏମିତି ପରିବର୍ତ୍ତନ ଆମେ କ’ଣ ଆଶା କରିଥିଲୁ? ବୋଲି ଓଡ଼ିଶାବାସୀ ନିଜକୁ ପ୍ରଶ୍ନ କାରୁଛନ୍ତି। ଅଫିସର ରାଜ ଶେଷକରିବାକୁ କହି ବିଜେପି ଗୁଣ୍ଡାରାଜ କରୁଛି ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି। ଯେତେ ଭୁଲ କରନ୍ତୁ ଅଧିକାରୀ ତାଙ୍କୁ ମାଡ଼ ମାରିବାକୁ ଏମାନେ କିଏ? ବୋଲି ପ୍ରଶ୍ନ ଉଠୁଛି।
ଓଡ଼ିଶାର ଏହି ଘଟଣା ସାରାଦେଶରେ ଚହଳ ଖେଳାଇଥିବାବେଳେ ହିମାଚଳ ପ୍ରଦେଶରେ ସମାନ ଢଙ୍ଗରେ ଆଉ ଏକ ଘଟଣା ଘଟିଛି। ଆଉ ତାକୁ ଘଟାଇଛନ୍ତି ଜଣେ କଂଗ୍ରେସ ନେତା। ହିମାଚଳ ପ୍ରଦେଶ ପଞ୍ଚାୟତିରାଜ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି। ସେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ଜଣେ ବରିଷ୍ଠ ଅଧିକାରୀଙ୍କୁ ସ୍ଥାନ ନିରୀକ୍ଷଣ ସମୟରେ ମାଡ଼ ମାରି ମୁଣ୍ଡ ଫଟେଇ ଦେଇଥିବା ଅଭିଯୋଗ ହୋଇଛି। ଏନ୍ଏଚଏଆଇ ଅଧିକାରୀ ଅଚଳ ଜିନ୍ଦଲଙ୍କ ଦ୍ୱାରା ଦାଖଲ ଅଭିଯୋଗରେ କୁହାଯାଇଛି ଯେ, ମନ୍ତ୍ରୀ ତାଙ୍କୁ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏକ ଭୁଶୁଡ଼ି ପଡ଼ିଥିବା ନିର୍ମାଣଧୀନ କୋଠା କାରଣରୁ ତାଙ୍କୁ ମନ୍ତ୍ରୀ ମାଡ଼ ମାରିଛନ୍ତି ବୋଲି ଅଭିଯୋଗ ହୋଇଛି। ଭୁଶୁଡ଼ି ପଡ଼ିଥିବା କୋଠାଟି ଜାତୀୟ ରାଜପଥର କ୍ଷେତ୍ରାଧିକାରଠାରୁ ୩୦ ମିଟର ଦୂରରେ ଅବସ୍ଥିତ ଥିଲା, ଯାହା ଏନଏଚଏଆଇ ନିୟମ ଅନୁଯାୟୀ, ଆରଓଡବ୍ଲ୍ୟୁ ବାହାରେ ହୋଇଥିବାରୁ ଏହାର କ୍ଷତିପୂରଣ ରାଜ୍ୟ ସରକାରଙ୍କ କ୍ଷେତ୍ରାଧିକାର ଅଧୀନରେ ଆସେ ବୋଲି ସେ କହିଥିଲେ। ତେବେ ମନ୍ତ୍ରୀ ଏହାକୁ ହଜମ କରିପାରିନଥିଲେ ଏବଂ ତାଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି।
ତେବେ ଦୁଇଦିନ ଭିତରେ ବିଜେପି ଓ କଂଗ୍ରେସ ନେତାଙ୍କ ଏଭଳି ଦୁଇ ଦୁଇଟି କାଣ୍ଡ ଏବେ ଉଭୟ ଦଳର ନେତୃତ୍ୱଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଖାଲି ବିଜେପି ନୁହେଁ ବିଜେଡି ଆଉ କଂଗ୍ରେସ ସମୟରେ ମଧ୍ୟ ଏଭଳି ଗୁଣ୍ଡାଗିରି ରାଜନୀତି ଦେଖିବାକୁ ମିଳିଥିଲା। ୨୦୧୯ ମସିହାରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଜନସାଧାରଣଙ୍କ ଉପସ୍ଥିତିରେ ଉଠବସ କରାଇ ଗିରଫ ହୋଇଥିଲେ ସେତେବେଳର ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର। ଏଭଳି କି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମାଡ଼ ଉପାଖ୍ୟାନ ପାଇଁ ଫେମସ ଥିଲେ। ଅଫିସରଙ୍କୁ ମାଡ଼ ଖୁଆଇ ଦିନେ ନିଜେ ଫସିଥିଲେ ବିଜୁ ବାବୁ। ସଚିବାଳୟରେ ବିଜୁ ବାବୁଙ୍କ ବିରୋଧରେ ହୋଇଥିଲା ଅଫିସର ମେଳି ଆଉ ଆରମ୍ଭ ହୋଇଥିଲା ଆଖିବୁଜା ଆକ୍ରମଣ। ଅଣ୍ଟାଟାଣ କରି ଲନରେ ବିଜୁବାବୁ ଛିଡ଼ା ହୋଇଥିଲେ ଆଉ ଛତ୍ର ଭଙ୍ଗ ଦେଇଥିଲେ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ର। ଖାଲି ସେତିକି ନୁହେଁ ଗାଁ ଗାଁରେ ଏବେ ବି ବିଜେଡି-ବିଜେପି କୁଜିନେତା ଗୁଣ୍ଡାଗିରି ଚାଲୁ ରଖିଛନ୍ତି। ତେବେ ଓଡ଼ିଶାରେ ବିଜେପି ଶାସନ ବର୍ଷେ ପୁରୁପୁରୁ ଯେଉଁ କାଣ୍ଡ କରୁଛି ତାହା ଦଳ ପାଇଁ ଘାତକ ହୋଇପାରେ ବୋଲି ଚର୍ଚ୍ଚା ହେଲାଣି। ବିଜେପି ନେତାଙ୍କ ଗୁଣ୍ଡାଗିରି ପାଇଁ ରାଜନୀତି ଲାଇସେନ୍ସ ମୋଦୀ-ମୋହନଙ୍କ ଗାଦି ଟଳମଳ କରିପାରେ ବୋଲି କୁହାଯାଉଛି। ସାପ ଫଣା ଟେକି ଚୋଟ ମାରିବା ଆଗରୁ ତାକୁ ମୋହନ ଦାବି ଦିଅନ୍ତୁ ନଚେତ ଚେତା ହରେଇ ପାରନ୍ତି।
Also read https://purvapaksa.com/tigers-will-become-mothers-the-number-of-tigers-will-increase-in-shimlipal/
