ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ୩ରଥର ବେଶ୍ ଗୁରୁତ୍ୱ ରହିଛି । ଏହି ରଥ ତିଆରି କାମ ଅକ୍ଷୟତୃତୀୟା ଠାରୁ ରଥ ଖଳାରେ ଆରମ୍ଭ ହୋଇଯାଏ । ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ରଥ ତିଆରି କରିବା ସହ ରଥରେ ଗଢ଼ାଯାଇଥିବା ମୂର୍ତ୍ତିଗୁଡ଼ିକରେ ରଙ୍ଗ କରିଥାନ୍ତି । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ନଅ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ ।
ନନ୍ଦିଘୋଷ
‘ନନ୍ଦିଘୋଷ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି । ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୬ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ । ସାରଥି: ଦାରୁକ । ରଥର ଦଉଡ଼ି: ଶଙ୍ଖଚୂଡ଼ । ପରମ୍ପରା ମୁତାବକ ଧଳାରଙ୍ଗର ଚାରୋଟି ଘୋଡ଼ା (ଶଙ୍ଖ, ବଳାହକ, ଶ୍ୱେତ ଓ ହରିଦ୍ୱାଶ) ସ୍ଥାପନ କରାଯାଏ ।
ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ । ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ । ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ତାଳଧ୍ୱଜ
‘ତାଳଧ୍ୱଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି । ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ଅଟେ । ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ। ଦଧିନଉତି: ହିରଣ୍ମୟୀ । ସାରଥି: ମାତଳୀ । ରଥର ଦଉଡ଼ି: ବାସୁକୀ । ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ଘୋଡ଼ା ସ୍ଥାପନ କରାଯାଏ । ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ । ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର (ବୃଷଭ ଉପରେ ନୃତ୍ୟରତ ଶିବ), କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱବଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଦର୍ପଦଳନ
‘ଦର୍ପଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି । ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ ଅଟେ । ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ । ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ । ସାରଥି: ଅର୍ଜୁନ । ରଥର ଦଉଡ଼ି: ସ୍ୱର୍ଣ୍ଣ୍ଣଚୂଡ଼ । ଧ୍ୱଜପମୂର୍ତ୍ତି: ଜୟଦୁର୍ଗା ।
ପରମ୍ପରା ମୁତାବକ ନାଲି ଚାରୋଟି ଘୋଡ଼ା (ରୋଚିକା, ମୋଚିକା, ଜିତା, ଅପରାଜିତା) ସ୍ଥାପନ କରାଯାଏ ।
ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ । ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ(ଶବରୂଢ଼ା ଚତୁର୍ଭୁଜା), ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ (ଅଷ୍ଟଭୁଜା ଦୁର୍ଗା), ହରଚଣ୍ଡୀ, ରାମଚଣ୍ଡୀ (ଅଷ୍ଟଭୁଜା ଓ ବାମହାତ କାଣି ଆଙ୍ଗୁଠିକୁ ପାଟିରେ ଚୁଚୁମିଛନ୍ତି), ଅଘୋରା ପାର୍ଶ୍ୱଦେବ/ଦେବୀ ଭାବେ ଅବସ୍ଥାନ କରିଥାନ୍ତି ।
ଶ୍ରୀଜଗନ୍ନାଥଙ୍କ ରଥର ୧୬ ଚକ ଷୋଳକଳାର, ବଳଭଦ୍ରଙ୍କର ୧୪ ଚକ ଚତୁର୍ଦ୍ଦଶ ମନ୍ୱନ୍ତରର ଓ ସୁଭଦ୍ରାଙ୍କ ୧୨ ଚକ ବାରମାସର ଦୃଷ୍ଟି ଆକର୍ଷଣ କରିଥାଏ । ତିନି ରଥର ଦଧିନଉତି : ହିରଣ୍ୟଗର୍ଭ, ହିରଣ୍ମୟୀ, ଭୁବନକୋଷ । ଏହି ତିନି ଦଧିନଉତି ଉପରେ ମୋଟ ୯ଟି ପିତଳ କଳସ ସ୍ଥାପନ କରାଯାଏ ।
ALSO READ https://purvapaksa.com/how-did-foreigners-view-the-puri-rath-yatra/
How did foreigners view the Puri Rath Yatra? ବିଦେଶୀମାନେ ପୁରୀ ରଥ ଯାତ୍ରାକୁ କିପରି ଦେଖୁଥିଲେ?
