ଚାରିଆଡ଼େ ରଥଯାତ୍ରାର ପରିବେଶ। କିଏ ପ୍ରସ୍ତୁତ ହେଉଛି ନବଯୌବନ ବେଶ ଦେଖିବାକୁ ପୁରୀ ଯିବେ; ଆଉ କିଏ ରଥଯାତ୍ରା। ପୁଣି କାହାର ରଥ ଟାଣିବାକୁ ମନ ତ ଆଉ କାହାର ଜଗାର ବାଙ୍କ ଚାହାଣୀର ଝଲକ ପାଇବାକୁ ବ୍ୟାକୁଳ। ବ୍ୟବସାୟିକ ଗୋଷ୍ଠୀ ତ ନିଜର ବ୍ୟବସାୟ ବଢ଼ାଇବା, ଲୋକ ସମାଗମରେ ନିଜ ବ୍ରାଣ୍ଡର ପ୍ରଚାର କିପରି ହେବ ସେ ବିଷୟରେ ଚିନ୍ତା ଚାଲିଛି। ହେଲେ ସବୁରି ମୂଳରେ ଖେଳ ଖେଳୁଛି ଶ୍ରୀମନ୍ଦିର ପ୍ରଶାସନ। ନିଜ ପ୍ରତିଛବିକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ଦେଉଥିବା ଏହି ପ୍ରଶାସନରେ ଦିନକୁ ଦିନ ଦାଗ ବଢ଼ିବାରେ ଲାଗିଛି। କିଛି ସେବକଙ୍କୁ ଦଣ୍ଡ ବଦଳରେ ପ୍ରୋତ୍ସାହନ ଦେଇ ଶ୍ରୀଜଗନ୍ନାଥ ପରମ୍ପରାରେ କଳଙ୍କିତ ଅଧ୍ୟାୟ ଯୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏମିତି କଳଙ୍କିତ ଅଧ୍ୟାୟଗୁଡ଼ିକରେ ଆଜି ଆଉ ଏକ କଳଙ୍କ ଯୋଡ଼ି ହୋଇଛି ତାହା ହେଲେ ମୋଦକ ଚୋରି।
ଆଉ ଦିନକ ପରେ ପ୍ରଭୁଙ୍କ ନବଯୌବନ ବେଶ। ପରମ୍ପରା, ପ୍ରଥା ଓ ବିଶ୍ୱାସ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିରର ଅଣସର ଘରେ ଏବେ ପ୍ରଭୁ ସୁସ୍ଥ ହେଉଛନ୍ତି। ମଣିଷ ପରି ପ୍ରଭୁଙ୍କ ଲାଗି ଜ୍ୱରମୁକ୍ତ ହେବା ଲାଗି ବିଭିନ୍ନ ପ୍ରକାର ପଥି ଓ ଔଷଧର ବ୍ୟବସ୍ଥା କରାଯାଇଛି। ଏହାପରେ ପ୍ରଭୁ ସୁସ୍ଥ ହୋଇ ସୁନ୍ଦର ଦିଶିବେ। କିନ୍ତୁ ପ୍ରଭୁଙ୍କ ଲାଗି ଆସିଥିବା ଔଷଧ ଚୋରି ହୋଇଛି। ଗାରଦ ଘରେ ସୁରକ୍ଷା ବଳୟରେ ରହି ମଧ୍ୟ ତାହାକୁ କେହି ଚୋରି କରି ନେଇଛନ୍ତି।
ହଁ, ବଡ଼ଠାକୁରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଏ ନେଇ ଅଭିଯୋଗ କରିଛନ୍ତି। ପ୍ରଶାସନକୁ ଏକ ଚିଠି ଲେଖି ସେ ପ୍ରଶ୍ନ ପଚାରିଛନ୍ତି ଏପରି କେମିତି ହେଲା? ମୁଖ୍ୟ ପ୍ରଶାସକଙ୍କୁ ଲେଖିଥିବା ଚିଠିରେ ହଳଧର କହିଛନ୍ତି, ଶ୍ରୀମନ୍ଦିରର ନୀତି ଅନୁସାରେ ଚିହ୍ନିତ କବିରାଜମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୋଦକ ପ୍ରସ୍ତୁତ କରି ପ୍ରଦାନ କରିଥାଆନ୍ତି। ଏହି ମୋଦକକୁ ଶ୍ରୀମନ୍ଦିର କମାଣ୍ଡାରଙ୍କ ତତ୍ତ୍ୱାବଧାନରେ ରଖାଯାଇଥାଏ।
ପ୍ରଥା ଅନୁସାରେ ସମୁଦାୟ ୭ ଜଣ କବିରାଜ ୩୧୩ଟି ମୂର୍ତ୍ତିମୂଳ ବା ମୋଦକ ପ୍ରଦାନ କରିଥିଲେ। ହେଲେ ଯେତେବେଳେ ମୋଦକ ଲାଗି ହେବ, ସେତେବେଳେ ମଣତି ସମୟରେ ତାହାର ସଂଖ୍ୟା କମ୍ ରହିଛି। ୭୦ଟି ମୋଦକ କମ୍ ରହିଥିଲା। ଏହା କେମିତି ହେଲା? ଖାଲି ସେତିକି ନୁହେଁ ଅମୁଣିଆ ମୋଦକକୁ ନିର୍ଦ୍ଧାରିତ ସେବକଙ୍କ ଛଡ଼ା ଆଉ ଯିଏ ଛୁଇଁବ ତାହା ମାରା ହୁଏ। ଏଣୁ ମାରା ହୋଇଥିବା ମୋଦକ କିପରି ମୂଳ ସେବାରେ ଲାଗିଲା ବୋଲି ବି ହଳଧର ପ୍ରଶ୍ନ ପଚାରିଛନ୍ତି। ତାଙ୍କ ପ୍ରଶ୍ନ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଛି। ଶ୍ରୀମନ୍ଦିର ପ୍ରଶାସନ ଉପରେ ଥିବା ଆସ୍ଥାକୁ ହଟାଇଛି।
କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ କୌଣସି ବିଭ୍ରାଟ ହେବ ନାହିଁ ବୋଲି ସମସ୍ତେ କହିଥିଲେ। ହେଲେ ଅଣସର ନ ସରୁଣୁ ବିଭ୍ରାଟ ଆରମ୍ଭ ହେଲାଣି। ରଥଯାତ୍ରାରେ କ’ଣ ନ ହେବ?
ଏ ପ୍ରଶ୍ନ ପଚାରିବାର ମୂଳରେ ରହିଛି ରଥଯାତ୍ରାର ନିକଟଅତୀତ ଏବଂ ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲି ଦେଖାଣିଆ ମନୋଭାବ। ପ୍ରଶାସନ କେବଳ ରଥଯାତ୍ରାକୁ କେମିତି ହେଲେ ଶେଷ କରିବାକୁ ଚାହୁଁଛି କିନ୍ତୁ ସଂସ୍କାର ପାଇଁ ନୁହେଁ। ସେଥିଲାଗି ସେବାୟତ, ଅଧିକାରୀ, ସରକାରଙ୍କ ଭିତରେ କୌଣସି ତାଳମେଳ ରହୁ ନାହିଁ। ଏହା କାହିଁକି ହେଉଛି?
ଏ ପ୍ରଶ୍ନର ଉତ୍ତର ଯଦି ଖୋଜିବେ ତେବେ ମୂଳରେ କିଛି ଅମାନିଆ ସେବକ ଏବଂ ମିଡିଆ ଚର୍ଚ୍ଚାରେ ସାବାସି ଗୋଟାଉଥିବା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ନାଁ ଆସିବ। ଏପରିକି ସେ ବିବାଦ ସୃଷ୍ଟି କରାଉଛନ୍ତି, ପ୍ରଶ୍ରୟ ଦେଉଛନ୍ତି ଓ ନିଜେ ତାହାକୁ ସମାଧାନ କରି ବାହାବା ନେବାକୁ ଚାହୁଁଥିବା ଅଭିଯୋଗ ହୋଇଛି।
ନିକଟ ଅତୀତର ଉଦାହରଣକୁ ଏଠାରେ ଉପସ୍ଥାପନ କରାଯାଇପାରେ। ଏବେ ଯେଉଁ ବ୍ୟକ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଛନ୍ତି ସେ ହେଲେ ଡ. ଅରବିନ୍ଦ ପାଢ଼ୀ। ଶ୍ରୀମନ୍ଦିର ପରିଚାଳନାରେ ସେ ଅନେକଥର ଦାୟିତ୍ୱ ନେଇଛନ୍ତି। ସେତେବେଳେ ଆରଡିସି ଥାଇ ପରିଚାଳନା କରିଥିଲେ। ଆଜି କୃଷି ସଚିବ ପଦରେ ରହି ଶ୍ରୀମନ୍ଦିରକୁ ପରିଚାଳନା କରୁଛନ୍ତି। ତାଙ୍କ ଅଭିଜ୍ଞତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଦାୟିତ୍ୱ ଦେଇଛନ୍ତି, କିନ୍ତୁ ବିବାଦ ଯାହାର ରେକର୍ଡରେ ରହିଛି ସେଥିରୁ ସେ କିପରି ବର୍ତ୍ତିବ?
ଆପଣଙ୍କୁ ଏଠାରେ ସୂଚନା ଦେବାକୁ ଚାହେଁ ଗତବର୍ଷ ଶ୍ରୀବଳଭଦ୍ର ପହଣ୍ଡି ସମୟରେ ଖସିପଡ଼ିଥିଲେ। ସେତେବେଳେ ବିଜେଡି ସରକାରଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଥିଲେ। ତାଙ୍କୁ ଏହାପରେ ନିଲମ୍ବନ କରାଯାଇ ରାତାରାତି ଅରବିନ୍ଦ ପାଢ଼ୀ ନିଯୁକ୍ତ ହେଲେ।
କିନ୍ତୁ ସେ ଆସିବା ଦିନଠାରୁ ଏକ ନିର୍ଦ୍ଦିଷ୍ଟ ଦଇତା ସେବକ ଗୋଷ୍ଠୀଙ୍କ ଭାଉ ବଢ଼ିଥିବା କୁହାଯାଉଛି। ସେଥିଲାଗି ଏପରି ଅଘଟଣ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ଅପରପକ୍ଷେ ପୂର୍ବତନ ମୁଖ୍ୟ ପ୍ରଶାସକଙ୍କ ଅବହେଳାକୁ ତଦନ୍ତ କରିବା ପାଇଁ ସରକାର ତାଙ୍କୁ ଦାୟିତ୍ୱ ଦେଇଥିଲେ। ହେଲେ ଆଜି ଯାଏ ସେ ରିପୋର୍ଟ ଆସିଲା ନାହିଁ। ବରଂ ସରକାର ତାଙ୍କୁ କ୍ଲିନ୍ ଚିଟ୍ ଦେଇ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବାକୁ ଦେଇଛନ୍ତି।
ନିକଟରେ ଦୀଘା ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାକୁ ସମସ୍ତ ସେବାୟତ ବର୍ଜନ କରିଥିବାବେଳେ ଜଣେ ଦଇତା ସେବକ ରାମକୃଷ୍ଣ ଦାସ ମହାପାତ୍ର ସେଠାରେ ଯୋଗ ଦେଇ ଭକ୍ତଙ୍କୁ ଉତ୍ସାହିତ କରିଥିଲେ। ସେତେବେଳେ ବଙ୍ଗଳାର ଏକ ଟିଭି ଚ୍ୟାନେଲରେ ଶ୍ରୀ ଦାସ ମହାପାତ୍ର ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ହୋଇଥିବା ଦାରୁକାଠରେ ମୂର୍ତ୍ତି ତିଆରି କରି ଆଣିଥିବା କହି ବିବାଦରେ ପଡ଼ିଥିଲେ। ଯେତେବେଳେ ସମୁଦାୟ ସେବକକୂଳ ଏହାକୁ ବର୍ଜନ କରିଛନ୍ତି ସେତେବେଳେ ଏକମାତ୍ର ସେବକଭାବେ ରାମକୃଷ୍ଣ ସେଠାକୁ କାହିଁକି ଯାଇଥିଲେ? ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଜଜମାନ ହୋଇପାରନ୍ତି କିନ୍ତୁ ଦୀଘା ମନ୍ଦିର ମମତା ବାନାର୍ଜୀଙ୍କର ପୈତୃକ ସମ୍ପତ୍ତି ନୁହେଁ।
ଶ୍ରୀଜଗନ୍ନାଥଙ୍କ ଭକ୍ତ ସମାଜକୁ ଆଘାତ ଦେଇଥିବା ଏହି ସେବକଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାହାକୁ ଶ୍ରୀମନ୍ଦିର ପ୍ରଶାସନ ଚପାଇ ଦେଇଥିବା ଅଭିଯୋଗ ହୁଏ। ଅବଶ୍ୟ ସମ୍ପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା କହି ତାଙ୍କୁ ନିଲମ୍ବନ କରାଯାଇଥିଲା। କିନ୍ତୁ ସେ ନିଲମ୍ବନ ଆଦେଶ ଏମିତି ଥିଲା ଯେ ଅଣସର ଆରମ୍ଭ ବେଳକୁ ନିଲମ୍ବନ ଶେଷ ହୋଇଗଲା। ଏହାକୁ ପ୍ରଶାସକଙ୍କ ଚତୁରତା ବୋଲି ଅଭିଯୋଗ ହେଉଛି। ଏବେ ଏହି ଚତୁରତାରେ ଶ୍ରୀଜିଉଙ୍କ ଅମୁଣିଆ ମୋଦକ ଚୋରି ହୋଇଥିବା କୁହାଯାଉଛି। କେହି କେହି କହିଲେଣି ଏହା ବି ସେଇ ମନ୍ଦିରକୁ ଯାଇଛି। ସମ୍ପୃକ୍ତ ସ୍ଥାନରେ ସିସିଟିଭି ଲାଗିଛି। ଏଣୁ ପ୍ରଶାସନ ଏହାକୁ ସ୍ୱାଧୀନ ଏଜେନ୍ସି ଦ୍ୱାରା ସର୍ବସମ୍ମୁଖରେ ଯାଞ୍ଚ କରିବାର ଆବଶ୍ୟକତା ରହିଛି।
ଏଠାରେ ଆଉ ଏକ ସଂଯୋଗକୁ ମଧ୍ୟ ଉପସ୍ଥାପନ କରାଯାଇପାରେ। ୨୦୧୫ ମସିହାର ନବକଳେବର ସମୟରେ ଶ୍ରୀ ପାଢ଼ୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଥିଲେ। ସେ ସମୟରେ ସେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ନେଇ ମିଡିଆରେ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ବ୍ରହ୍ମ ବିଭ୍ରାଟର ଅଭିଯୋଗ ଆସିଥିଲା। ସେଇ ହଳଧର ଦାସ ମହାପାତ୍ର ଏହି ବିଷୟକୁ ଲୋକଲୋଚନକୁ ଆଣିଥିଲେ। କିନ୍ତୁ ତାହାକୁ ମଧ୍ୟ ଚାପି ଦିଆଗଲା।
ଏବେ ପ୍ରଶ୍ନ ଉଠୁଛି ହଳଧର ସତ୍ୟ କହୁଛନ୍ତି ନା ଶ୍ରୀମନ୍ଦିର ପ୍ରଶାସନ ଉପରେ ତାଙ୍କର କିଛିବ ବ୍ୟକ୍ତିଗତ ଶତ୍ରୁତା ରହିଛି। ଯଦି ବ୍ୟକ୍ତିଗତ ଶତ୍ରୁତା କାରଣ ହୁଏ ତେବେ ପ୍ରଶାସନ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ କାହିଁକି? କାହିଁକି ଅନ୍ୟ ସେବକମାନେ ହଳଧରଙ୍କ ବିରୋଧରେ ଅଭିଯୋଗ ଆଣୁ ନାହାନ୍ତି। ଏହାର ଅର୍ଥ ପ୍ରଶାସନ କିଛି ବିଷୟରେ ଲୋକଙ୍କୁ ଚୁପ୍ କରିବାକୁ ଚାହୁଁଛନ୍ତି। ଆପଣ ଚିନ୍ତା କରନ୍ତୁ, ସେହି ତାଲିକାରେ ଆପଣଙ୍କ ନାଁ ନାହିଁତ?
Also readhttps://purvapaksa.com/odisha-is-a-state-of-mass-rape-in-the-eyes-of-the-world-yet-mohan-is-silent/
