ରଥ ପୂର୍ବରୁ ବଡ଼ ବିଭ୍ରାଟ। ଚୋରି ହୋଇଗଲା ଦଶମୂଳ ମୋଦକ। ଶ୍ରୀମନ୍ଦିର ଗାରଦରୁ ମହାପ୍ରଭୁ ଜଗନ୍ନାଥଙ୍କ ଦଶମୂଳ ମୋଦକ ଚୋରି। ଶ୍ରୀଜୀଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ଅଣସର ଏକାଦଶୀ ଦିନ ଦଶମୂଳ ମୋଦକ ଲାଗି ହୋଇଥାଏ। ଯାହକି କବିରାଜ ସେବକମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥାଏ। ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ସେହି ନିୟମ ଅନୁଯାୟୀ ଏକାଦଶୀ ଦିନ ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥିଲେ। କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ। ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ସେ । ୭୦ଟି ମୋଦକ ଚୋରି ହୋଇଛି ।
ଶ୍ରୀ ଦାସମହାପାତ୍ର ପ୍ରଶ୍ନ ଉଠାଇ ଲିଖିତ ଭାବେ ଅବଗତ କରାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଗାରଦଠାରୁ ଉତ୍ତର ମାଗିଛନ୍ତି। ଏଠି ପ୍ରଶ୍ନ ଉଠୁଛି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କଠାରେ କିପରି ଲାଗି ହେଲା ? ଗାରଦ କାର୍ଯ୍ୟାଳୟରୁ କିଏ ଚୋରି କଲା ମୋଦକ? ସୁରକ୍ଷାକର୍ମୀ କଣ କରୁଥିଲେ ? କିଏ ଲାଗି କଲା ମାରା ମୋଦକ ? କାହିଁକି ବାରମ୍ବାର ଘଟୁଛି ବିଭ୍ରାଟ ? ମନ୍ଦିର ପ୍ରଶାସନ କାହିଁକି ଏଭଳି ଭୁଲ ବାରମ୍ବାର କରିବାକୁ ସୁଯୋଗ ଦେଉଛି? ମହାପ୍ରଭୁଙ୍କ ସେବାରେ ଏଭଳି ଭୁଲ ବଡ଼ ବିପଦର ସଙ୍କେତ ଦେଉ ନାହିଁ ତ? ତେବେ ଏହି ମାମଲାର ତଦନ୍ତ ହୋଇ ଅପରାଧୀଙ୍କ ବିରୋଧରେ କିଭଳି କର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ଦେଖିବା ବାକି ରହିଲା। ପୂର୍ବରୁ ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ପୁରୀ ମନ୍ଦିରରୁ ଚୋରୀ କରି ପଠେଇବା ମାମଲାରେ ସେବାୟତଙ୍କୁ ମାତ୍ର ମାସେ ନିଲମ୍ବନ କୋଟି କୋଟି ଓଡ଼ିଆଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହାସହ ଗତ ବର୍ଷ ରଥଯାତ୍ରା ସମୟରେ ବଳଭଦ୍ର ମହାପ୍ରଭୁ ଚାରମାଳରେ ପଡ଼ିଯାଇଥିଲା । ଯାହାକୁ ନେଇ ବେଶ ଅସନ୍ତୋଷ ଦେଖାଦେଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଚଳିତ ବର୍ଷ ରଥଯାତ୍ରା ଆରମ୍ଭରୁ ଏଭଳି ବିଭ୍ରାଟ ଦେଖି ଜଗା ଭକ୍ତ କୋପ କଲେଣି।
Also read https://purvapaksa.com/which-state-is-known-as-indias-little-iran-and-little-israel/
