ଏକଦା ନରେନ୍ଦ୍ର ମୋଦୀଙ୍କୁ ନେଇ ‘ରାଜ ଧର୍ମ’ ପାଳନ ଶବ୍ଦଟି ଭାରି ଚର୍ଚ୍ଚିତ ହୋଇଥିଲା। ଗୁଜରାଟ ଦଙ୍ଗା ପରବର୍ତ୍ତୀ ସମୟର ସେହି ଚର୍ଚ୍ଚା ଥିଲା। ଏହି ଶବ୍ଦର ନାୟକ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ସର୍ବାଦୃତ ଜନନେତା ଅଟଳ ବିହାରୀ ବାଜପେୟୀ। ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କୁ ସେ ରାଜଧର୍ମ ପାଳନ ଲାଗି ପରାମର୍ଶ ଦେଇଥିଲେ। ଆଜି କିନ୍ତୁ ସେ ଚର୍ଚ୍ଚା ନାହିଁ। ହେଲେ ଓଡ଼ିଶାରେ ତାଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ଦେଖିଲେ ଜଣାପଡ଼ୁଛି ମୋଦୀ ‘ରାଜ ଧର୍ମ’ ଅପେକ୍ଷା ‘ରାଜକ୍ଷମା’ରେ ଅଧିକ ବିଶ୍ୱାସ କରୁଛନ୍ତି। କିନ୍ତୁ ଏ ରାଜକ୍ଷମା ସ୍ୱତଃ ରହିଛି ନା କିଛି ପୂର୍ବ ପ୍ରତିବଦ୍ଧତା ଓ ବାଧ୍ୟତାମୂଳକ ହିସାବ କିତାବ?
ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ଭୂଇଁ। ଏଠାକୁ ଯିଏ ଆସିଛି ଶରଣ ଯାଇଛି। ପରିବର୍ତ୍ତିତ ହୋଇଛି ବା ରୂପାନ୍ତରିତ ହୋଇଛି। ସେ ଯେ କୌଣସି ସମ୍ପ୍ରଦାୟ ବା ଧର୍ମର ହୋଇଥାଉ ନା କାହିଁକି ଥରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଅନୁଭବ କରିଲେ ତାଙ୍କ ଭିତରେ ତଲ୍ଲୀନ ହେବାଟା ସ୍ୱାଭାବିକ। ଏ ଧାରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସାମିଲ ହେବା କିଛି ବଡ଼ କଥା ନୁହେଁ। କିନ୍ତୁ ଶ୍ରୀ ମୋଦୀ ଯେଉଁ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ସରକାର ଗଢ଼ିଲେ ତାହାକୁ କିପରି ଭୁଲିଗଲେ? କାହିଁକି ଜନସାଧାରଣଙ୍କ ଦୃଷ୍ଟିକୁ ଏଡ଼ାଇବାକୁ ଚାହିଁଲେ?
ଏଠି ମୁଁ ଆପଣଙ୍କୁ ସେ ପ୍ରସଙ୍ଗକୁ ମନେପକାଇ ଦେବାକୁ ଚାହୁଁଛି। ନିର୍ବାଚନ ପୂର୍ବରୁ ଯେତେବେଳେ ମୋଦୀ ଲୋକଙ୍କୁ ପ୍ରତିଶ୍ରୁତି ଦେବାକୁ ଆସିଥିଲେ ସେତେବେଳେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱଧୀନ ବିଜେଡି ସରକାରକୁ ଅନେକ ସମାଲୋଚନା କରିଥିଲେ। ଏପରିକି ତାଙ୍କର ପାରିଷଦ ଶାସନ ବ୍ୟବସ୍ଥାକୁ ମଧ୍ୟ ସମାଲୋଚନା କରି ରାଜ୍ୟରେ ଲୋକଙ୍କ ସରକାର ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ବିଜେଡିକୁ ସେ ପ୍ରମୁଖ ଶତ୍ରୁଭାବେ ଗ୍ରହଣ କରିଥିଲେ। ବିଜେଡି ଶାସନକୁ ଦୁର୍ନୀତି, ଭ୍ରଷ୍ଟାଚାରର ଶାସନ କହିଥିଲେ। ଆଜି ବି ସେହି କଥାକୁ ଜନତା ମଇଦାନରେ ଦୋହରାଇଛନ୍ତି।
କିନ୍ତୁ ଏକ ବର୍ଷର ଶାସନ ଭିତରେ ଯେଉଁ ବାବୁମାନେ ଦୁର୍ନୀତିଗ୍ରସ୍ତ ଥିବାର ଅଭିଯୋଗ କରିଥିଲେ ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରିଛନ୍ତି। ସେମାନେ କ’ଣ ଦୁର୍ନୀତି ଓ ଭ୍ରଷ୍ଟାଚାର କରିଥିଲେ ତାହାକୁ ସ୍ପଷ୍ଟ କରିବା, ସେମାନଙ୍କୁ ଆଇନର କାଠଗଡ଼ା ଭିତରକୁ ଆଣିବା, ଲୋକଲୋଚନରେ ଏ ବାବୁମାନଙ୍କୁ ପଦାରେ ପକାଇବାକୁ ଡରିଛନ୍ତି ମୋଦୀ ଓ ତାଙ୍କ ସରକାର।
ଏପରିକି କିଛି ବାବୁଙ୍କୁ ତ ସେମାନଙ୍କ ମନମୁତାବକ ପଦପଦବୀ ବି ପ୍ରଦାନ କରିଛନ୍ତି। ଏହାକୁ ଦେଖି ଲୋକ କହୁଛନ୍ତି ସରକାର କାମକୁ ନୁହେଁ। କିନ୍ତୁ ରାଜନୀତିକ ପଣ୍ଡିତମାନେ କହୁଛନ୍ତି ଏହା ହେଉଛି ମୋଦୀଙ୍କର ‘ରାଜକ୍ଷମା’।
ଯିଶୁଖ୍ରୀଷ୍ଟଙ୍କ ଭାଷାରେ ଅପରାଧୀମାନେ ଯାହା କରୁଛନ୍ତି ତାହା ସମ୍ପର୍କରେ ସେମାନେ କିଛି ଜାଣିନାହାନ୍ତି। ତେଣୁ ତାଙ୍କୁ କ୍ଷମା କରିଦିଆଯାଉ। ବିଜେଡି ନେତା ଓ ତାଙ୍କ ସହଚର ଭାଟିକାନ ସିଟି ଯାଇ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ଙ୍କୁ ଦର୍ଶନ କରିଥିବାରୁ ବୋଧହୁଏ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ରାଜକ୍ଷମା ପ୍ରଦାନ କରିଛନ୍ତି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ପ୍ରଧାନମନ୍ତ୍ରୀଙ୍କ ଭାଷଣଙ୍କୁ ଯଦି ତନ୍ନ ତନ୍ନ କରି ଅନୁଶୀଳନ କରାଯାଏ ତେବେ ଦୁଇଟି କଥାକୁ ଗୁରୁତ୍ୱ ଦିଆଯାଇପାରେ। ପ୍ରଥମଟି ହେଉଛି ବିଜୁ ଜନତା ଦଳ ବିଜେପିର ରାଜନୀତିକ ଶତ୍ରୁ ନୁହେଁ। ଦ୍ୱିତୀୟଟି ହେଉଛି ୨୦୨୯ ନିର୍ବାଚନ କଂଗ୍ରେସ ବିପକ୍ଷରେ ବିଜେପି ଲଢ଼ିବ। ଅର୍ଥାତ୍ ବିଜେଡି ସତ୍ତାହୀନ ହୋଇଯାଇଥିବ ବୋଲି ବିଜେପି ନିଶ୍ଚିତ ରହିଛି। ଆହୁରି ମଧ୍ୟ ବିଜେଡିର ଶକ୍ତି କଂଗ୍ରେସ ବହନ କରିଥିବ ବୋଲି ବିଜେପି ଆକଳନ କରିଛି ବୋଲି କୁହାଯାଇପାରେ।
ବର୍ତ୍ତମାନ ରାଜ୍ୟରେ ଯେଉଁଭଳି ଭାବେ କଂଗ୍ରେସ ଉପରକୁ ଉଠୁଛି ତାହା ଦେଖିଲେ ଜଣାପଡ଼ୁଛି ରାଜ୍ୟର ପ୍ରକୃତ ବିରୋଧୀଦଳ ହେଉଛି କଂଗ୍ରେସ। ଯଦିଓ ବିଜେଡି ୫୧ ଆସନରେ ବିଧାନସଭାରେ ସର୍ବବୃହତ୍ ବିରୋଧୀ ଦଳ କିନ୍ତୁ ଦଳ ଭିତରେ କନ୍ଦଳ, ଗୋଷ୍ଠୀବିବାଦ ଏବଂ ନେତୃତ୍ୱ ସଙ୍କଟ ବିଜେଡିକୁ ଦୁର୍ବଳ କରୁଥିବାବେଳେ ଏହା କଂଗ୍ରେସକୁ ଶକ୍ତିଶାଳୀ କରୁଛି। ୧୪ ଜଣ ବିଧାୟକରେ ବି କଂଗ୍ରେସ ରାଜରାସ୍ତାରୁ ବିଧାନସଭା ଯାଏ ଗର୍ଜନ କରୁଛି। ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଅପରପକ୍ଷେ ଛାତ୍ର ଜନତାଠାରୁ ଆରମ୍ଭ କରି ନବୀନଙ୍କ ପରାମର୍ଶଦାତା କମିଟିରେ ମଧ୍ୟ ଏକତା ଦେଖିବାକୁ ମିଳୁ ନାହିଁ କି କାହା ଉପରେ ନବୀନ ଭରସା କରିପାରୁ ନାହାନ୍ତି। ଯଦି ନବୀନଙ୍କ ଭରସା ନିଜ ଦ୍ୱାରା ଗଠିତ ରାଜନୀତିକ ପରାମର୍ଶଦାତା କମିଟି ଉପରେ ଥାଆନ୍ତା ତେବେ ସେ ମୁମ୍ବାଇ ଯିବା ପୂର୍ବରୁ ସେହି କମିଟିର ନେତାଙ୍କୁ ସଂଯୋଜନା କରିବା ପାଇଁ ଆଉ ଜଣଙ୍କୁ ନିଯୁକ୍ତ କରିନଥାଆନ୍ତେ ବୋଲି ଚର୍ଚ୍ଚା ହେଉଛି।
ଆପଣମାନଙ୍କ ମନେଥିବ ଗତକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର କିଛି ସମୟ ପୂର୍ବରୁ ବିରୋଧୀ ଦଳ ନେତା ମୁମ୍ବାଇ ଗସ୍ତରେ ଯାଇଛନ୍ତି। ସେଠାରେ ସେ ସର୍ଭିକାଲ୍ ଆର୍ଥ୍ରାଇଟିସ୍ର ଚିକିତ୍ସା କରାଇବେ। ଗଲା ପୂର୍ବରୁ ତାଙ୍କ ଦାୟିତ୍ୱ ସେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କୁ ଆଂଶିକ ଦେଇ ବିଭିନ୍ନ ସାମ୍ମୁଖ୍ୟ ଏବଂ ରାଜନୀତିକ ପରାମର୍ଶଦାତା କମିଟି ଭିତରେ ସଂଯୋଜନା ପାଇଁ କହିଛନ୍ତି। ଏପରି ପୂର୍ବରୁ କେବେ ହୋଇନଥିଲା, ପ୍ରଥମ ଥର ପାଇଁ ହୋଇଛି। ଏହା ସ୍ପଷ୍ଟ କରିଛି ଯେ ଦଳରେ ଦ୍ୱିତୀୟ ଧାଡ଼ିର ନେତା ସୃଷ୍ଟି ହୋଇନାହାନ୍ତି।
ପୁଣି ସେ ମୁମ୍ବାଇ ଯିବାର ଗୋଟିଏ ଦିନ ପୂର୍ବରୁ ପୁରୀରେ ଯୁବ ସାମ୍ମୁଖ୍ୟ କାର୍ଯ୍ୟକ୍ରମରେ ଯୁବ ବିଧାୟକ ସୌଭିକ ବିଶ୍ୱାଳ ଦଳରେ ଯୁବନେତାଙ୍କୁ ଉପେକ୍ଷା କରାଯାଉଥିବା କହି ଉଦବେଗ ପ୍ରକାଶ କରିଛନ୍ତି। ଯେଉଁମାନେ ନବୀନଙ୍କ ପାଖରେ ରହି ଆର୍ଥିକ ସ୍ତରରେ ସ୍ୱଚ୍ଛଳ ହୋଇଛନ୍ତି ସେମାନେ ଦୂରରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହା ପୂର୍ବରୁ ବିଜେଡିରେ ପାଣ୍ଡିଆନ୍ଙ୍କୁ ନେଇ ଅନେକ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ଆଘାତ ହୋଇ ପାଣ୍ଡିଆନ୍ ଆଉ ଦଳୀୟ ବ୍ୟାପାରରେ ମୁଣ୍ଡ ଖେଳାଉ ନାହାନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚାହିଁଛନ୍ତି। ସେଇ ଅନୁସାରେ ବି ସବୁକିଛି ଦଳରେ ଚାଲିଛି ବୋଲି ଆଲୋଚନା ହୁଏ। କିନ୍ତୁ ଏ ସବୁଥିରୁ ଗୋଟିଏ ଜିନିଷ ସ୍ପଷ୍ଟ ଯେ, ବିଜେଡରେ ସାଂଗଠନିକ ସମସ୍ୟା ସୃଷ୍ଟି ହୋଇଛି ଏବଂ ନିର୍ବାଚନ ଯାଏ ଏହା ଜାରି ରହିବ।
କିନ୍ତୁ ଏବେ ରାଜ୍ୟର ବିରୋଧୀ ଦଳ ଭାବେ କଂଗ୍ରେସ ଅନେକ କାର୍ଯ୍ୟକ୍ରମ ହାତକୁ ନେଉଛି। ରାଜ୍ୟ ସରକାରଙ୍କୁ ବିରୋଧ କରିବା ପାଇଁ ରାଜରାସ୍ତାରେ ଧାରଣା ଦେଇ ସରକାରଙ୍କୁ ଅଡ଼ୁଆରେ ପକାଉଛି କଂଗ୍ରେସ। ଆଉ ପ୍ରଧାନମନ୍ତ୍ରୀ ଗତକାଲି କଂଗ୍ରେସ କଥା ଉଲ୍ଲେଖ କରି ଏହା ସ୍ପଷ୍ଟ କରିଛନ୍ତି ଯେ ଆଗକୁ ଯୁଦ୍ଧ ହେବ ତ କଂଗ୍ରେସ ସହ ହେବ, ନୁହେଁ କି?
ଏବେ ଆସନ୍ତୁ ନଜର ପକାଇବା ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଥିଲେ। ଜନତା ମଇଦାନରେ ଚାଲିଥିବା ସମାବେଶରେ ମୋଦୀ କହିଥିଲେ, ଦଶନ୍ଧି ଧରି ଅନେକ ସମସ୍ୟା ଭୋଗୁଥିଲା ଓଡ଼ିଶା। ଗରିବ ଓ କୃଷକଙ୍କ ପାଖରେ ଏହାର ସୁବିଧା ପହଞ୍ଚିପାରୁନଥିଲା। ଭ୍ରଷ୍ଟାଚାର ଲାଗି ରହିଥିଲା। ଅନେକ କ୍ଷେତ୍ର ବିକାଶର ପଛକୁ ଯାଉଥିଲା। ଆଜି ସେ ଅବ୍ୟବସ୍ଥା ଦୂର ହୋଇଛି।
ଏହି ଆହ୍ୱାନଗୁଡ଼ିକର ସମାଧାନ ପାଇଁ ଗଲା ୧ ବର୍ଷ ହେଲା ବିଜେପି ସରକାର ଦୃଢ଼ତାର ସହ କାର୍ଯ୍ୟ କରିଛନ୍ତି। କେନ୍ଦ୍ରର ଅନେକ ଯୋଜନାର ଲାଭ ଓଡ଼ିଶାକୁ ମିଳିପାରୁନଥିଲା। ଆଜି ଦୁଇ ସରକାରର ଲାଭ ଲୋକଙ୍କୁ ମିଳୁଛି। ଖାଲି ସେତିକି ନୁହେଁ ଯାହା ଗ୍ୟାରେଣ୍ଟି ରହିଛି, ତାଙ୍କୁ ଦ୍ରୁତ ଗତିରେ ଲାଗୁ କରାଯାଇଛି। ଆମ ସରକାରଙ୍କ ଏହା ଏକ ବହୁତ ବଡ଼ ଫାଇଦା ବଞ୍ଚିତ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି।
ସେ ପୁଣିଥରେ କହିଛନ୍ତି, ଲମ୍ବା ସମୟ ଯାଏ ଯେଉଁ ପାର୍ଟି ସରକାର ଗଠନ କରିଥିଲେ ସେମାନେ ଆଦିବାସୀଙ୍କୁ ନିଜ ରାଜନୀତି ପାଇଁ ବ୍ୟବହାର କରିଥିଲେ। ଆଦିବାସୀ ଜିଲ୍ଲାଗୁଡ଼ିକୁ ରେଡ୍ କରିଡରର ଆଖ୍ୟା ମିଳିଥିଲା। ସେମାନେ ନା ବିକାଶ ଦେଇଥିଲେ ନା ଭାଗିଦାରୀ ଦେଇଥିଲେ। ନକ୍ସଲବାଦ, ହିଂସା ଓ ଅତ୍ୟାଚାରକୁ ଠେଲି ଦେଇଥିଲେ ବୋଲି ଶ୍ରୀ ମୋଦୀ କହିଛନ୍ତି।
ଏବେ କିନ୍ତୁ ନୂଆ ସରକାର ଆସିବା ପରେ ସେସବୁରେ ପରିବର୍ତ୍ତନ ହୋଇଛି ବୋଲି ତାଙ୍କ ମତ। ଓଡ଼ିଶାକୁ ବିକାଶର ଦିବ୍ୟତାରା କରିବା ସହ ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟାତା ସଂସ୍କୃତିକୁ ସମୃଦ୍ଧ କରିଆସୁଛି ବୋଲି କହିଥିଲେ।
ସ୍ୱାଧୀନତାର ଅନେକ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ମଡେଲ ସରକାର ପ୍ରଚଳିତ ଥିଲା। ସେଥିରେ ସୁଶାସନ ନ ଥିଲା କି ଜୀବନକୁ ସରଳ କରିବା ବି ନ ଥିଲା। ବିକାଶକୁ ଅବରୋଧ କରିବା, ଦୁର୍ନୀତି କଂଗ୍ରେସ ମଡେଲର ପରିଚୟ ଥିଲା। ଦେଶ ଗତ କିଛିବର୍ଷ ହେଲା ବ୍ୟାପକ ଭାବେ ବିଜେପିର ବିକାଶ ମଡେଲ ଦେଖୁଛି।
ଗତ ଦଶନ୍ଧିରେ ଏପରି ରାଜ୍ୟ ରହିଛି ଯେଉଁଠାରେ ବିଜେପି ସରକାର ହୋଇଛି। ସେଠାରେ ସରକାର ବଦଳିନି। ସାମାଜିକ ଓ ଆର୍ଥିକ ପରିସ୍ଥିତିରେ ନୂଆ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୋଦୀ କହିଛନ୍ତି। ପ୍ରଶ୍ନ ଉଠୁଛି ମୋଦୀଙ୍କ ଏହି ଅନୁଶୀଳନ ବିଜେଡିର ଶକ୍ତିକୁ ଅଣଦେଖା କରୁଛି ନା ବିଜେଡି ସହ ଗୋପନୀୟ ସମ୍ପର୍କ ଓ ସାଲିସକୁ ପ୍ରତିପାଦିତ କରୁଛି।
Also readhttps://purvapaksa.com/17th-century-inscription-deciphered-in-odisha-rayagada/
17th century inscription deciphered in Odisha Rayagada।। ରାୟଗଡ଼ାରୁ ମିଳିଲା ୧୭ଶ ଶତାବ୍ଦୀର ତାମ୍ରଫଳକ
