ମଧ୍ୟ-ପୂର୍ବରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ଏବେ ଆମେରିକା ମଧ୍ୟ ଖୋଲାଖୋଲି ମୈଦାନକୁ ଓହ୍ଲାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖୋମୈନେଇଙ୍କୁ ଧମକ ଦେଇ ‘ଅନକଣ୍ଡିଶନାଲ ସରେଣ୍ଡର’ ଅର୍ଥାତ୍ ବିନା ସର୍ତରେ ଆତ୍ମସମର୍ପଣ କରିବାକୁ ଦାବି କରିଛନ୍ତି । ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ଆମେରିକୀୟ ନାଗରିକ କିମ୍ବା ସୈନିକମାନଙ୍କ ଉପରେ ଆକ୍ରମଣ କରେ, ତାହାର ଜବାବ ‘ବିନା କୌଣସି ରୋକଟୋକ’ରେ ଦିଆଯିବ । କିନ୍ତୁ ଏହି ଅନକଣ୍ଡିଶନାଲ ସରେଣ୍ଡର କ’ଣ ? ଏବଂ ଯଦି ଖୋମୈନେଇ ଏହା ନ ମାନନ୍ତି, ତାହାଲେ କ’ଣ ସତରେ ତାଙ୍କର ପରିଣାମ ସଦ୍ଦାମ ହୁସେନ କିମ୍ବା ଗଦ୍ଦାଫୀଙ୍କ ପରି ହେବ?
ଟ୍ରମ୍ପଙ୍କ ଅଲଟିମେଟମ: ‘ଆମେ ଖାମେନେଇଙ୍କ ଠିକଣା ଜାଣୁ,କିନ୍ତୁ ଏବେ ମାରିବୁ ନାହିଁ… ’
ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, ‘ଆମେ ଠିକ ଜାଣୁ ଯେ ନିଜକୁ ‘ସୁପ୍ରିମ ଲିଡର’ କହୁଥିବା ଖୋମୈନେଇ କେଉଁଠାରେ ଲୁଚାଇଛନ୍ତି। ସେ ଏକ ସହଜ ଲକ୍ଷ୍ୟ, କିନ୍ତୁ ଏବେ ନୁହେଁ… ଆମେ ତାଙ୍କୁ ଏବେ ମାରିବୁ ନାହିଁ। କିନ୍ତୁ ଆମର ଧୈର୍ଯ୍ୟ ଏବେ ଶେଷ ହେଉଛି। ନାଗରିକ ଓ ସୈନିକମାନଙ୍କ ଉପରେ ଆକ୍ରମଣ ଚଳିବ ନାହିଁ। ଏବେ ଆତ୍ମସମର୍ପଣ କର- ବିନା ସର୍ତରେ !’ ଏହା ସହିତ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକା ଇରାନ ଉପରେ ସମ୍ପୂର୍ଣ୍ଣ ବାୟୁ ନିୟନ୍ତ୍ରଣ ହାସଲ କରିଛି। ଏଫ-୧୬, ଏଫ-୨୨ ଓ ଏଫ-୩୫ ଯୁଦ୍ଧବିମାନର ମୁତୟନ ଆମେରିକାକୁ ଇରାନୀ ଆକାଶରେ ‘ନିରଙ୍କୁଶ ଶକ୍ତି’ କରିଦେଇଛି।
‘ଅନକଣ୍ଡିଶନାଲ ସରେଣ୍ଡର’ କ’ଣ?
ବିନା ସର୍ତରେ ଆତ୍ମସମର୍ପଣ ଅର୍ଥାତ ‘ଅନକଣ୍ଡିଶନାଲ ସରେଣ୍ଡର’ ହେଉଛି ଏକ ଏପରି ପରିସ୍ଥିତି ଯେଉଁଠାରେ ହାରିଯାଇଥିବା ଶକ୍ତିକୁ କୌଣସି ପ୍ରକାରର ସର୍ତ ରଖିବାର ଅଧିକାର ନଥାଏ। ତାକୁ ବିଜେତାର ସମସ୍ତ ସର୍ତ ମାନିବାକୁ ପଡ଼େ, ସେହି ସର୍ତ ସାମରିକ ବିଘଟନ, ରାଜନୈତିକ ନିୟନ୍ତ୍ରଣ କିମ୍ବା ରାଷ୍ଟ୍ର ମୁଖ୍ୟଙ୍କ ଗିରଫଦାରୀ ହେଉ ନା କାହିଁକି।ଏହି ନୀତିର ସବୁଠାରୁ ଚର୍ଚ୍ଚିତ ଉଦାହରଣ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦେଖାଯାଇଥିଲା, ଯେତେବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି. ରୁଜଭେଲ୍ଟ ୧୯୪୩ ମସିହାରେ କାସାବ୍ଲାଙ୍କା ସମ୍ମେଳନରେ ଘୋଷଣା କରିଥିଲେ ଯେ ‘ଆମେ ଜର୍ମାନୀ, ଜାପାନ ଓ ଇଟାଲୀଠାରୁ କେବଳ ବିନା ସର୍ତରେ ଆତ୍ମସମର୍ପଣ ହିଁ ଗ୍ରହଣ କରିବୁ।’
ଏହି ନୀତିର ଇତିହାସ: ଜାପାନଠାରୁ ସଦ୍ଦାମ ପର୍ଯ୍ୟନ୍ତ
ଜାପାନ ମାମଲାରେ ଆମେରିକା କୌଣସି ସର୍ତ ମାନି ନଥିଲା । ହିରୋଶିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇ ଦିଆଯାଇଥିଲା, ଯାହାପରେ ଜାପାନ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା । ଏହି ନୀତି ପରେ ଇରାକର ତାନାଶାହ ସଦ୍ଦାମ ହୁସେନ ଓ ଲିବିଆର ମୁଅମ୍ମାର ଗଦ୍ଦାଫୀ ପରି ନେତାମାନଙ୍କ ଉପରେ ମଧ୍ୟ ପ୍ରୟୋଗ କରାଯାଇଥିଲା କିମ୍ବା ଏକ ପ୍ରକାରେ ଲଦି ଦିଆ ଯାଇଥିଲା।
ସଦ୍ଦାମ ୨୦୦୩ ମସିହାରେ ଆମେରିକୀୟ ଆକ୍ରମଣ ପରେ ବିନା ସର୍ତରେ ଆତ୍ମସମର୍ପଣ କରି ନଥିଲେ। ଫଳସ୍ୱରୂପ, ତାଙ୍କୁ ଧରାଯାଇ ଫାଶୀ ଦିଆଗଲା। ଗଦ୍ଦାଫୀଙ୍କୁ ୨୦୧୧ରେ ଲିବିୟା ନାଗରିକ ପିଟିପିଟି ମାରି ଦେଇଥିଲେ। ଏପରି ସ୍ଥିତିରେ ଟ୍ରମ୍ପଙ୍କ ଏହି ଇଙ୍ଗିତ ସିଧାସଳଖ ଖାମେନେଇଙ୍କ ଜୀବନ ଉପରେ ଅଛି: ଆତ୍ମସମର୍ପଣ କର ନହେଲେ ଶେଷ ହୋଇଯାଅ
ଇସ୍ରାଏଲ-ଇରାନ ଯୁଦ୍ଧର ସ୍ଥିତି
୧୩ ଜୁନରେ ଇସ୍ରାଏଲ ଇରାନର ପରମାଣୁ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ ଆରମ୍ଭ କରିଥିଲା । ଏଥିରେ ଅନେକ ଇରାନୀ ବୈଜ୍ଞାନିକ ଓ ଆଇଆରଜିସିର ବରିଷ୍ଠ ଅଧିକାରୀ ନିହତ ହୋଇଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନ ମଧ୍ୟ ମିସାଇଲ ନିକ୍ଷେପ କରିଥିଲା। ଏପର୍ଯ୍ୟନ୍ତ ଇରାନରେ ୨୨୪ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି। ୧,୨୫୭ ଜଣ ଆହତ ହୋଇଛନ୍ତି ଏବଂ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି। ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି।
ଇରାନ ଅଭିଯୋଗ କରିଛି ଯେ ଇସ୍ରାଏଲର ଆକ୍ରମଣ ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘ ସନଦର ଅନୁଚ୍ଛେଦ ୨(୪)ର ଉଲ୍ଲଂଘନ କରିଛି, ଏବଂ ସେ ଅନୁଚ୍ଛେଦ ୫୧ ଅନୁଯାୟୀ ଜବାବୀ କାର୍ଯ୍ୟାନୁଷ୍ଠାନର ଅଧିକାର ରଖିଛି।
ଇରାନ ନଇଁବ କି?
ଇରାନ ଏପର୍ଯ୍ୟନ୍ତ ପଛଘୁଞ୍ଚା ଦେଇ ନାହିଁ। ଖାମେନେଇ ମଧ୍ୟ କେଉଁଠାରେ ଲୁଚି ନାହାଁନ୍ତି। ଜଣେ ଇରାନୀ ବ୍ୟବସାୟୀ ରେଡିଫକୁ କହିଛନ୍ତି ଯେ ‘ତେହେରାନ ସ୍ୱାଭାବିକ ଅଛି। କେହି ପଳାୟନ କରୁନାହାଁନ୍ତି। କାର୍ଯ୍ୟାଳୟ, ସ୍କୁଲ, ମଲ ସବୁ ଖୋଲା ଅଛି। ଆମେ ଆମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଉପରେ ଭରସା କରୁଛୁ।’ ଆମେରିକା ଓ ଇସ୍ରାଏଲ ଏହାକୁ ‘ସୀମାନ୍ତ ଅପରେସନ’ କହୁଥିଲେ ମଧ୍ୟ, ବାସ୍ତବରେ ଏହା ଏକ ଆଞ୍ଚଳିକ ଯୁଦ୍ଧର ରୂପ ନେଇଛି।
ଯଦି ଖୋମୈନେଇ ନ ମାନନ୍ତି ତେବେ?
ଯଦି ଇରାନ ଟ୍ରମ୍ପଙ୍କ ‘ବିନା ସର୍ତରେ ଆତ୍ମସମର୍ପଣ’ର ଦାବି ନ ମାନେ, ତାହାଲେ ତା’ ପାଇଁ ତିନୋଟି ସମ୍ଭାବନା ରହିଛି:
ଟାର୍ଗେଟେଡ ଷ୍ଟ୍ରାଇକ: ଖାମେନେଇ, ଆଇଆରଜିସି ମୁଖ୍ୟ କିମ୍ବା ପରମାଣୁ ବୈଜ୍ଞାନିକମାନଙ୍କ ଉପରେ ଆକ୍ରମଣ ହୋଇପାରେ।
ରିଜିମ ଚେଞ୍ଜ ଅପରେସନ: ଆମେରିକା-ଅନୁକୂଳ ନେତାଙ୍କୁ କ୍ଷମତାକୁ ଆଣିବା ପାଇଁ ବିଦ୍ରୋହକୁ ପ୍ରୋତ୍ସାହନ ଦିଆଯାଇପାରେ।
ପୂର୍ଣ୍ଣ ଆକ୍ରମଣ: ଇରାକ କିମ୍ବା ଆଫଗାନିସ୍ତାନ ପରି ଇରାନ ଉପରେ ସ୍ଥଳ ଆକ୍ରମଣ ହୋଇପାରେ ।
ଇରାନକୁ ନିଜର ବିକଳ୍ପ ବହୁତ ସତର୍କତାର ସହ ବାଛିବାକୁ ପଡ଼ିବ। ଏକପଟେ ଇସ୍ରାଏଲର ଆକ୍ରମଣାତ୍ମକତା, ଅନ୍ୟପଟେ ଆମେରିକାର ଧମକ ଓ ଏହା ସହିତ ନିଜର ପରମାଣୁ କାର୍ଯ୍ୟକ୍ରମ। ପ୍ରଶ୍ନ ହେଉଛି, ଖାମେନେଇ କ’ଣ ନଇଁବେ?
ALSO READhttps://purvapaksa.com/is-this-modis-rule/
