ଯେମିତି ନବୀନ କେବେ ଭାବି ନ ଥିଲେ କ୍ଷମତାର ସକାଳ ଆଉ ଉଇଁବ ନାହିଁ, କିନ୍ତୁ ସଙ୍କଟ ମାଡ଼ି ଆସିଲା, ସେମିତି ବିଜେଡି ପ୍ରାୟୋଜିତ ‘ସକାଳ’ ଖବର କାଗଜକୁ ବି ସଙ୍କଟ ଗ୍ରାସିବାରେ ଲାଗିଛି। ଫଳରେ କାଗଜର ଛାପା ସଂଖ୍ୟା ଦିନକୁ ଦିନ କମିବା ସହ ଜଣକ ପରେ ଜଣେ କର୍ମଚାରୀଙ୍କୁ କୌଶଳକ୍ରମେ ବାହାର କରୁଛନ୍ତି ସକାଳ କର୍ତ୍ତୃପକ୍ଷ। ଖାଲି ସେତିକି ନୁହେଁ, ଯେଉଁ କାଗଜ ଦିନେ ୨୦ ପୃଷ୍ଠା ଛପା ଯାଉଥିଲା ଏବେ ତାହା ୧୨ରେ ସୀମିତ ହେଉଛି। ଯେଉଁ କାଗଜ ଏକସଙ୍ଗେ ୪ ଜାଗାରୁ ଛପାଯାଉଥିଲା ତାହା ବି ହୋଇପାରୁନାହିଁ। ଏଭଳି ପରିଚାଳନା କ୍ରମେ ସକାଳକୁ ଖବର ରାସ୍ତାରେ ପ୍ରେରିତ କରିବ ବୋଲି ବି ଚର୍ଚ୍ଚା ହେଲାଣି।
‘ଖବର’ ହେଉଛି ଏମିତି ଏକ ସମ୍ବାଦପତ୍ର ଯାହା ଅନେକ ସୁନାମ ଅର୍ଜନ କରିଥିଲା। ପ୍ୟାରୀମୋହନ ମହାପାତ୍ର ଯେତେବେଳେ ବିଜେଡିର ଚାଣକ୍ୟ ପଦରେ ରହିଥିଲେ ସେତେବେଳେ ରାଜ୍ୟର ଗଣମାଧ୍ୟମକୁ ନିଜ ରାସ୍ତାରେ ପରିଚାଳିତ କରିବାଲାଗି ଏହି ଖବରକାଗଜର ମାଲିକାନା ଗ୍ରହଣ କରାଯାଇଥିଲା। ନିଜସ୍ୱ ପ୍ରେସ୍ ସହ ଅନେକ କର୍ମଚାରୀଙ୍କୁ ଏହା ନିଯୁକ୍ତି ଦେଇଥିଲା। ବିଜେଡି ପାଖକୁ ଆସୁଥିବା ଚାନ୍ଦାର ଅନେକ ଅର୍ଥ ଏହି ବାଟରେ ଖର୍ଚ୍ଚ ହେଉଥିବା ଅଭିଯୋଗ ହୁଏ। ଆଉ ଯେତେବେଳେ ପ୍ୟାରୀ କ୍ଷମତାରୁ ବହିଷ୍କୃତ ହେଲେ, ଖବର କାଗଜ ଚଳାଇବା ତ ଦୂରର କଥା ଏହାର ମାଲିକାନା ସ୍ୱତ୍ତ୍ୱ ବି ରକ୍ଷା କରିପାରିଲେ ନି ପ୍ୟାରୀ।
ପ୍ୟାରୀଙ୍କ ଦାୟିତ୍ୱ ପାଣ୍ଡିଆନ୍ ନେବା ପରେ ଆରମ୍ଭ ହୋଇଥିଲା ‘ସକାଳ’ । ଏଥିଲାଗି ଏକ ସ୍ୱତନ୍ତ୍ର କମ୍ପାନୀ ତିଆରି ହୋଇଥିଲା। ଆଉ ସେଥିରେ ସକାଳର ପୂର୍ବତନ ମାଲିକ ସଞ୍ଜିବ ମଲ୍ଲିକ ଏବଂ ତତ୍କାଳୀନ ଭୁବେନଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ହେଲେ ସେମାନଙ୍କ ହାତରେ କୌଣସି କ୍ଷମତା ରହିଲା ନାହିଁ। କ୍ଷମତା ରହିଲା ପାଣ୍ଡିଆନ୍-କୁଟ୍ଟେଙ୍କ ଦୂତ ସାଜିଥିବା ମାନସ ରଞ୍ଜନ ମଙ୍ଗରାଜଙ୍କ ହାତରେ। ୨ ଏକର ୮୦ ଡିସିମିଲ ପରିଧିରେ ବ୍ୟାପ୍ତ କାର୍ଯ୍ୟାଳୟ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟାଳୟରେ ପରିଣତ ହେଲା। ଏହା ସହ ସମ୍ବଲପୁର, ଜୟପୁର ଓ ପାଣିକୋଇଲିରେ ଥିବା ସ୍ଥିତିବାନ ଓ ଯାନ୍ତ୍ରିକ ସମ୍ପତ୍ତିର ସେ ହେଲେ ଅଘୋଷିତ ମାଲିକ।
ଆଜି ଏ ଅଘୋଷିତ ମାଲିକ କିନ୍ତୁ କାଗଜକୁ ଚଳାଇବାରେ ଅକ୍ଷମ। ସରକାରରେ ଥିବାବେଳେ ମନଇଚ୍ଛା କର୍ମଚାରୀ ନିଯୁକ୍ତି ହେଉଥିଲେ, ଏବେ ଚାଲିଛି ବାହାର କରିବା ପ୍ରକ୍ରିୟା। ନିର୍ବାଚନ ହାରିବା ପରେ ଏ ଖବରକାଗଜର ସମ୍ପାଦକ କେହି ନାହାନ୍ତି। ସମ୍ପାଦକ ଉମାକାନ୍ତ ମିଶ୍ରଙ୍କ ଇସ୍ତଫା ପରେ ସାମ୍ବାଦିକ ସମରେନ୍ଦୁ ଦାସ ହୋଇଛନ୍ତି କାର୍ଯ୍ୟନିର୍ବାହୀ ସମ୍ପାଦକ। ନିର୍ବାଚନ ପୂର୍ବରୁ କାର୍ଯ୍ୟ କରୁଥିବା ଡିଜିଟାଲ୍ ମୁଖ୍ୟ, ସର୍କୁଲେସନ୍ ମୁଖ୍ୟ, ବିଜ୍ଞାପନ ମୁଖ୍ୟ କେହି ଏବେ ଆଉ ନାହାନ୍ତି କି ତାଙ୍କ ବଦଳରେ ନୂଆ ନିଯୁକ୍ତି ହୋଇ ନାହିଁ। କିଛି କର୍ମଚାରୀ ଚାକିରି ଛାଡ଼ିବାକୁ ମନା କରିବାରୁ ତାଙ୍କୁ ‘ମହିଳା ଯୌନ ନିର୍ଯାତନା’ ମାମଲାରେ ଛନ୍ଦିବାକୁ ଚେଷ୍ଟା କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
ଖାଲି ସେତିକି ନୁହେଁ ପାଣିକୋଇଲିରେ ଛାପା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଯେଉଁ କାଗଜ ପୂର୍ବରୁ ୨୦ ପୃଷ୍ଠାରେ ୪୫ ହଜାର ଛପା ଯାଉଥିଲା ଏବେ ତାହା ୧୨ ପୃଷ୍ଠାରେ ୨୭ ହଜାରକୁ ଖସି ଆସିଛି। ଭୁବନେଶ୍ୱରରେ ୧୬ ହଜାର ଛପାଯାଉଥିବାବେଳେ ସମ୍ବଲପୁର ଛାପାଖାନାରେ ୬ ହଜାର ଏବଂ ଜୟପୁର ଛାପାକଳରେ ୫ ହଜାର ଛପା ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ସରକାରୀ ହିସାବ ଅନୁସାରେ ଏହା ଭିନ୍ନ ତଥ୍ୟ ଦେଇପାରେ, କାରଣ ସରକାରୀ ବିଜ୍ଞାପନ ହାସଲ ପାଇଁ ଭିନ୍ନ ଭିନ୍ନ ଅଡିଟ୍ ଟିମ୍କୁ ଆପ୍ୟାୟିତ କରିବାରେ ଏହି ସଂସ୍ଥାର ପ୍ରମୁଖ କର୍ମଚାରୀଙ୍କ ପୂର୍ବ ଅଭିଜ୍ଞତା ରହିଥିବା ଅଭିଯୋଗ ହୁଏ। ଏବେ ବିଭିନ୍ନ ବ୍ୟୁରୋରେ ମଧ୍ୟ ସାମ୍ବାଦିକଙ୍କୁ ବାହାର କରାଯାଇଛି। ଯେଉଁମାନେ ରହିଲେ ତାଙ୍କ ଦରମା ଠିକଣା ସମୟରେ ଦେବାକୁ ସକ୍ଷମ ହୋଇ ନାହାନ୍ତି କର୍ତ୍ତୃପକ୍ଷ।
ଏଠି ସୂଚନା ଦିଆଯାଇପାରେ ଯେ, ଏହି ଖବରକାଗଜ ବର୍ଷେ ପୂର୍ବରୁ ଅତ୍ୟନ୍ତ ଧନୀ ସଂସ୍ଥାଭାବେ ଗ୍ରହଣ କରାଯାଉଥିଲା। ନିଜସ୍ୱ କାର୍ଯ୍ୟାଳୟ, ପ୍ରେସ୍ ବସାଯିବା ପରେ ଏହି କାଗଜ ବାହାରେ ଛାପାକୁ ବନ୍ଦ କରିଥିଲା। ଭଡ଼ାଘର ଛାଡ଼ିଥିଲା। ଏପରିକି ସେତେବେଳେ ସଂସ୍ଥା ୭୦୦ କୋଟିର କର୍ପସ ଫଣ୍ଡ ତିଆରି କରିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା। ଏବେ ପ୍ରଶ୍ନ ଉଠୁଛି ଏ ଅର୍ଥ ଗଲା କୁଆଡ଼େ? ଅଭିଯୋଗ ହେଉଛି ସାଂସଦଙ୍କ ପ୍ରମୁଖ ସହଯୋଗୀ ସିଇଓ ମହାଶୟଙ୍କ ଏଥିରେ ଭିତିରି ହାତ ରହିଛି। ଏ ବାବୁ କୁଆଡ଼େ ନିଜ କ୍ୟାରିୟରରେ ଯେଉଁଆଡ଼େ ଯାଇଛନ୍ତି ସେ ସଂସ୍ଥାକୁ ଡୁବାଇବାର ରେକର୍ଡ ବହନ କରନ୍ତି।
ବାବୁ ମହର୍ଷି କଲେଜରେ ପାଠ ପଢ଼ୁଥିଲେ। ସେଠୁ ସମୟ ମାଲିକ ବିଶ୍ୱାଳ ପରିବାର ସମ୍ପର୍କରେ ଆସି ସେଠାରେ ରାଜୁତି କରିବାକୁ ଚେଷ୍ଟା କରିଥିଲେ। ଅନେକ ଦିନ ସେଥିରେ ସକ୍ଷମ ବି ହେଲେ। ହେଲେ ସବୁକଥା ଜାଣିବା ପରେ ବିଶ୍ୱାଳ ପରିବାର ତାଙ୍କ ଉପରୁ ଆସ୍ଥା ହରାଇଲେ। ପରେ କିଛିମାସ ବାନା ହୋଇ ବୁଲିଲେ। ଏହା ଉତ୍ତାରୁ ତତ୍କାଳୀନ ନିତିଦିନ ସମ୍ପାଦକ ସମ୍ପଦ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିଲେ। ନିଜର ଭଲ ଉପସ୍ଥାପନା ଓ ବାରମ୍ବାର ଅନୁରୋଧ ପରେ ସମ୍ପଦ ବାବୁ ତାଙ୍କୁ ଖଣି ମାଲିକ ତଥା ନିତିଦିନର ନିର୍ଦ୍ଦେଶକଙ୍କୁ ଥରେ ଦେଖା କରାଇଦେଲେ। ତା’ପରେ ସମ୍ପଦ ମହାପାତ୍ରଙ୍କ ଚାକିରି ଗଲା। ବାବୁ ହେଲେ ସର୍ବେସର୍ବା।
ସେଠୁ ସମ୍ପର୍କ ହେଲା ମାନସଙ୍କ ସହ। ସେତେବଳେ ମାନସ ଥିଲେ ସରକାରଙ୍କ ମିଡିଆ ପରାମର୍ଶଦାତା। ୨୦୧୯ ନିର୍ବାଚନ ସମୟରେ ଏହି ଦୁହିଙ୍କ ଯୋଡ଼ି ବହୁତ ଜମିଥିବା ଚର୍ଚ୍ଚା ହୁଏ। ପରେ ଯେତେବେଳେ ସକାଳ ଗଢ଼ା ହେଲା ସେ ହେଲେ ସିଇଓ। ଆଜି ସକାଳ ଦୁର୍ଦ୍ଦିନ ଦେଇ ଗତି କରୁଛି। ବାବୁ କରିବେ କ’ଣ? ଏବେ ବିଜେପି ପ୍ରାୟୋଜିତ ମିଡିଆ ଖୋଜିବେ କି ତାକୁ ବୁଡ଼େଇବା ଲାଗି, ଏ ପ୍ରଶ୍ନ ବି ସୃଷ୍ଟି ହେଲାଣି। ଖାଲି ସମୟକୁ ଅପେକ୍ଷା…।
Also readhttps://purvapaksa.com/hospitals-in-odisha-are-becoming-death-trap-for-children/
Hospital in Odisha are becoming death trap for children ।। ଶିଶୁ ବେକରେ ମୃତ୍ୟୁ ଫାଶ!