Pahalgam Terror Attack: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କିଏ ରଚିଥିଲା? କିଏ ଆତଙ୍କବାଦୀମାନଙ୍କୁ ପଠାଇଥିଲା? କିଏ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରିଥିଲା? କିଏ ଟଙ୍କା ଯୋଗାଇଥିଲା? କିଏ ଅସ୍ତ୍ରଶସ୍ତ୍ର ଦେଇଥିଲା?
ଏହି ଷଡଯନ୍ତ୍ର ଉପରୁ ପରଦା ଉଠାଇଛନ୍ତି ପାକିସ୍ତାନୀ ସେନାର ଜଣେ ପୂର୍ବତନ ଯବାନ। ପାକିସ୍ତାନୀ ସେନାର ପୂର୍ବତନ ସୈନିକ ଆଦିଲ ରାଜା ଦାବି କରିଛନ୍ତି ଯେ, ପହଲଗାମ ଆକ୍ରମଣ ପାକିସ୍ତାନୀ ସେନା ମୁଖ୍ୟ ଆସିମ ମୁନୀରଙ୍କ ନିର୍ଦ୍ଦେଶରେ ହୋଇଛି। ଏହି ଖୁଲାସା ପାକିସ୍ତାନକୁ ଆଉ ଥରେ ଉଲଗ୍ନ କରିଦେଇଛି।
ଆଦିଲ ରାଜା ଗୁପ୍ତଚର ସୂତ୍ର ଉଲ୍ଲେଖ କରି ଦାବି କରିଛନ୍ତି ଯେ, ପହଲଗାମ ଆକ୍ରମଣ ଜେନେରାଲ ଆସିମ ମୁନୀରଙ୍କ ଆଦେଶରେ ହୋଇଛି। ମୁନୀର ଜାଣିଶୁଣି ଏହି ଆକ୍ରମଣ କରାଇଛନ୍ତି ଯାହା ଦ୍ୱାରା ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡ଼ିକୁ ଦବାଇ ଦିଆଯାଇପାରିବ। ପଦ ପାଇଁ ପହଲଗାମରେ ନିରୀହ ଲୋକଙ୍କ ରକ୍ତ ବୋହିଛି। ଆଦିଲ ରାଜାଙ୍କ ମତରେ, ମୁନୀର ପ୍ରଥମେ ବିଦେଶରେ ଥିବା ପାକିସ୍ତାନୀମାନଙ୍କୁ ଡାକି ଉସ୍କାଇଲା ଭଳି ବୟାନ ଦେଇଥିଲେ ଓ ପରେ ଏହି ଆକ୍ରମଣ କରାଇଥିଲେ। ସୋସିଆଲ ମିଡିଆରେ ସେ ଲେଖିଛନ୍ତି, “ମୁଁ ଏହି ପୋଷ୍ଟ ଲେଖୁଥିବା ସମୟରେ ଲୋକେ ମୋତେ ଭାରତୀୟଙ୍କ ଏଜେଣ୍ଟ କହିବେ, କିନ୍ତୁ ସତ୍ୟ ଏହା ଯେ ପହଲଗାମ ଆକ୍ରମଣ ମୁନୀରଙ୍କ କହିବାରେ ହୋଇଛି। ଅନେକ ବରିଷ୍ଠ ଅଧିକାରୀ ଅଫ ଦ ରେକର୍ଡରେ ଏହା କହିଛନ୍ତି।”
ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି- ଯଦି ସତ୍ୟ ତେବେ ଲଜ୍ଜାଜନକ
ଆଦିଲ ରାଜାଙ୍କ ଏହି ଖୁଲାସା ପରେ ପାକିସ୍ତାନର ପ୍ରତିରକ୍ଷା ବିଶେଷଜ୍ଞମାନେ ଖୋଲାଖୋଲି କହୁଛନ୍ତି। ଅବସରପ୍ରାପ୍ତ ମେଜର ଜେନେରାଲ ହୈଦର ଖାନ କହିଛନ୍ତି, “ଯଦି ଏହା ସତ୍ୟ, ତେବେ ଏହା ପାକିସ୍ତାନ ପାଇଁ ଲଜ୍ଜାଜନକ। ଆସିମ ମୁନୀରଙ୍କ ଏହି କାର୍ଯ୍ୟ କେବଳ ପାକିସ୍ତାନର ପ୍ରତିଷ୍ଠାକୁ ଖରାପ କରୁନାହିଁ, ବରଂ ଆଞ୍ଚଳିକ ଶାନ୍ତିକୁ ମଧ୍ୟ ବିପଦରେ ପକାଉଛି।” ପାକିସ୍ତାନୀ ସାମ୍ବାଦିକ ରୁମାନ ହାଶମୀ କହିଛନ୍ତି, “ମୁନୀରଙ୍କ ଭୁଲର ପରିଣାମ ସମଗ୍ର ପାକିସ୍ତାନକୁ ଭୋଗିବାକୁ ପଡ଼ିବ।
ଏହି ଆକ୍ରମଣ ନିଜର ପଦବୀ ବଞ୍ଚାଇବାର ଷଡଯନ୍ତ୍ର ହୋଇପାରେ, କିନ୍ତୁ ଏହା ପାକିସ୍ତାନକୁ ବିଶ୍ୱ ମଞ୍ଚରେ ଆହୁରି ଏକୁଟିଆ କରିଦେଇଛି।” ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ଆସିମ ମୁନୀର ହିନ୍ଦୁମାନଙ୍କ ବିରୁଦ୍ଧରେ ଘୃଣାକୁ ଉସକାଇଛନ୍ତି ଓ ଏବେ ତାର ପରିଣାମ ପହଲଗାମରେ ରକ୍ତ ହୋଇ ବୋହିଛି। ମୁନୀରଙ୍କୁ ତୁରନ୍ତ ହଟାଇ ଦିଆଯିବା ଉଚିତ, ନଚେତ ପରିସ୍ଥିତି ଆହୁରି ଖରାପ ହେବ।”